ଏକଦା #ବ୍ରହ୍ମପୁର ଫୁଟବଲ
ଟୁର୍ଣ୍ଣାମେଣ୍ଟ ନିମନ୍ତେ ପ୍ରସିଦ୍ଧି ଲାଭ କରିଥିଲା । ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ବିଗତ
ଶତାଦ୍ଦୀର ଷଷ୍ଠ, ସପ୍ତମ ଓ ଅଷ୍ଟମ ଦଶକରେ ସହରରେ ନିୟମିତ ବାର୍ଷିକଭିତ୍ତିରେ ଫୁଟବଲ ମ୍ୟାଚ଼ମାନ
ଆୟୋଜିତ ହୋଇଆସିଥିଲା । ଏଥିରେ ରାଜ୍ୟର ବିଭିନ୍ନ ସହର ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ବିହାର ଓ
ଆନ୍ଧ୍ରପ୍ରଦେଶର ଫୁଟବଲ ଟିମ ଅଂଶଗ୍ରହଣ କରୁଥିଲେ । ଅଷ୍ଟମ ଦଶକରେ ଅନିୟମିତଭାବେ ୧୯୮୩, ୮୪, ୮୫
ଓ ୮୭ରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପରେ କ୍ରମଶଃ ଏହି ପରମ୍ପରାର ଅନ୍ତ ଘଟିଥିଲା ।
‘ଦୈନିକ ଆଶା’ରେ ୨୭ ନଭେମ୍ୱର ୧୯୯୦ରେ ପ୍ରକାଶିତ ‘ବ୍ରହ୍ମପୁର ଡ଼ାଏରୀ’ରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ନିମ୍ନମତେ ବର୍ଣ୍ଣନା
କରାଯାଇଥିଲା :
“ବ୍ରହ୍ମପୁରବାସୀଙ୍କ ପାଇଁ ‘ଫୟାଜ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ’ ଏକ ବିଶିଷ୍ଟ ଅନୁଭୂତି । ଦିନଥିଲା ପ୍ରାୟତଃ
ପ୍ରତିବର୍ଷ ବସନ୍ତ ଋତୁରେ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ମାସେ କାଳ ଚାଲୁଥିଲା ଫୁଟବଲ ମ୍ୟାଚ଼
। କଲେଜ ରୋଡ଼ ରାସ୍ତା କଡ଼େ କଡ଼େ କୃଷ୍ଣଚୂଡ଼ା ଗଛରେ ଯେତେବେଳେ ନାଲି ନାଲି ଫୁଲ ଫୁଟି
ଉଠୁଥିଲା, ସ୍କୁଲ ପିଲାଏ ଧରିନେଉଥିଲେ ଯେ ଫୁଟବଲ ମ୍ୟାଚ଼ର ସମୟ ଆସି ପହଞ୍ଚିଗଲା ।
ପଡ଼ିଆର
ପଶ୍ଚିମ ଭାଗର ଫୁଟବଲ କୋର୍ଟକୁ ଧରି ଆୟତନରେ ପ୍ରାୟ ଅର୍ଦ୍ଧେକ ଅଞ୍ଚଳରେ ଟିଣ ଘେରା ଯାଉଥିଲା ।
କୋର୍ଟ ଚ଼ର୍ତୁଦ୍ଦିଗରେ ଝାଉଁକାଠରେ ତିଆରି ହେଉଥିଲା ଏକ ଅଦଭୁତ ଧରଣର ଧାଡ଼ିକିଆ ଗ୍ୟାଲେରୀ ।
ଯାହାକି ଦେଶର ଅନ୍ୟ କେଉଁ ଖେଳ ପଡ଼ିଆରେ ଦେଖିବାକୁ ମିଳେନା । କିଛି ଦର୍ଶକ ସେଠି ବସୁଥିଲେ ଏବଂ
ପଛରେ ଆଉ କେତେକ ଛିଡ଼ା ହୋଇ ଖେଳ ଉପଭୋଗ କରୁଥିଲେ । ନାଁ ତାର ଥିଲା ‘ଗ୍ରୀନ ଷ୍ଟାଣ୍ଡ’
।
କଲେଜର
ଅର୍ଦ୍ଧନିର୍ମିତ ଗ୍ୟାଲେରୀ ବ୍ୟବହୃତ ହେଉଥିଲା ଏବଂ ଚେୟାର ବ୍ୟବସ୍ଥା ବି ହେଉଥିଲା ।
ଗ୍ରୀନଷ୍ଟାଣ୍ଡ, ଗ୍ୟାଲେରୀ ଓ ଚେୟାର ପାଇଁ ଟିକଟ ପଇସା ଦେଇ ଫୁଟବଲ ଖେଳ ଦେଖିବାରେ ଯେତିକି
ଆନନ୍ଦ, ତା’ଠାରୁ ଅଧିକ ରୋମାଞ୍ଚକର
ଥିଲା ଗ୍ରାଉଣ୍ଡ ଚାରିପଟର ବଡ଼ ବଡ଼ ଗଛରେ ଚଢ଼ି ଘଣ୍ଟାକର ଖେଳ ଉପଭୋଗ କରିବାର ଅନୁଭୂତି ।
ବ୍ରହ୍ମପୁର
ଫୁଟବଲ ଟୁର୍ଣ୍ଣାମେଣ୍ଟ ଘେନି ଆସୁଥିଲା ଏକ ଉତ୍ସବମୁଖର ପରିବେଶ । ସହରର ଓକିଲ,
ଅଧ୍ୟାପକଙ୍କଠାରୁ ଆରମ୍ଭ କରି ମାଂସବାଲା, ରିକ୍ସାବାଲା ଯାଏଁ ସଭିଏଁ ଏହି ମୌଳିକ ସାଂସ୍କୃତିକ
ମହୋତ୍ସବରେ ସାମିଲ ହେଉଥିଲେ । ପୁରୁଣା ବନ୍ଧୁଙ୍କ ସହ ଦେଖା ହେଉଥିଲା । ନୂଆ ଅମଳକରା ସିଝା ଭଜା
ଚିନାବାଦାମ ପୁଡ଼ିଆ ସହ ଜମି ଉଠୁଥିଲା ଆନ୍ତରିକତାର ଆଳାପ ଆଲୋଚ଼ନା ।
XX ‘ଫୟାଜ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ’ ‘ଗଞ୍ଜାମ ଜିଲ୍ଲା ଏଥେଲେଟିକ ଏସୋସିଏସନ’ ଆନୁକୂଲ୍ୟରେ ଆୟୋଜିତ ହୋଇଥାଏ । ଦେଶ ସ୍ୱାଧୀନ
ହେବାପରେ ୧୯୪୯ ମସିହାରେ ‘ଗଞ୍ଜାମ
ଜିଲ୍ଲା ଏଥେଲେଟିକ ଏସୋସିଏସନ’ ଗଠିତ
ହୋଇଥିଲା । ସେହି ସମୟରେ ସହରର ବିଶିଷ୍ଟ ଚ଼ିକିତ୍ସକ ଡ଼ାକ୍ତର ଫିରୋଜ ଅଲ୍ଲୀ ଏହି ସଂଘ ଗଠନରେ
ଅନ୍ୟତମ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଡ଼ାକ୍ତର ଅଲ୍ଲୀଙ୍କ ଉଦ୍ୟମ ଓ ପୃଷ୍ଠପୋଷକତାରେ
ତାଙ୍କରି ପିତାଙ୍କ ସ୍ମୃତିରେ ୧୯୫୦ ମସିହାରେ ଆରମ୍ଭ ହୁଏ ଅଲ-ଇଣ୍ଡିଆ ଫୟାଜ ମେମୋରିଆଲ ଫୁଟବଲ
ଟୁର୍ଣ୍ଣାମେଣ୍ଟ
।”
ବ୍ରହ୍ମପୁରରେ
ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କେବଳ ସହର କାହିଁକି ଆଖପାଖ ଅଞ୍ଚଳରେ ମଧ୍ୟ କ୍ରୀଡ଼ା ସଂସ୍କୃତି
ପ୍ରସାରରେ ସହାୟକ ହେଉଥିଲା । ସହରରେ ବିଛୁରିତ ଖେଳପଡ଼ିଆଗୁଡ଼ିକରେ ତ ବର୍ଷସାରା ପିଲାଏ ଫୁଟବଲ
ଖେଳୁଥିଲେ । ସାହୀ ସାହୀ ମଧ୍ୟରେ ମ୍ୟାଚ଼ ଆୟୋଜନ, ଫୁଟବଲ ଚର୍ଚ୍ଚାରେ କିଶୋର ଓ ଯୁବ ପୀଢ଼ି
ନିମଜ୍ଜି ଯାଉଥିଲେ ।
ଏଠାକାର ଫୁଟବଲ
ଟୁର୍ଣ୍ଣାମେଣ୍ଟ ଆୟୋଜନ ବନ୍ଦର ମୁଖ୍ୟକାରଣ ଆର୍ଥିକ ଦୁରାବସ୍ଥା । ଆୟୋଜକମାନଙ୍କ ମତରେ
ଟୁର୍ଣ୍ଣାମେଣ୍ଟ ଆୟୋଜନ ନିମନ୍ତେ ଆବଶ୍ୟକ ଅର୍ଥ ଟିକଟ ବିକ୍ରୀରୁ ଭରଣା ହୋଇପାରୁ ନଥିଲା ।
ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡର ଅର୍ଦ୍ଧେକ ଅଞ୍ଚଳକୁ ଟିଣ ଘେରାଇବାରେ ଖର୍ଚ୍ଚାନ୍ତ ହେବାକୁ
ପଡୁଥିଲା । ତେବେ ୧୯୮୮ରୁ ବ୍ରହ୍ମପୁର ଷ୍ଟାଡ଼ିଏମ ଉଦଘାଟିତ ହେବା ପରେ ପୁରୁଣା ସମସ୍ୟାକୁ
ଏଡ଼ାଇ ଦିଆଯାଇ ପାରିଥାନ୍ତା ! କିନ୍ତୁ ଆଗ୍ରହ
ଅଭାବରୁ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ଭବ ହୋଇପାରୁ ନାହିଁ ।
ଫିରୋଜ ଅଲ୍ଲୀ
କହୁଥିଲେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ବେଳେ ଆୟୋଜନରେ ମୋଟ ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା ।
ବର୍ତ୍ତମାନ ତାହା ପନ୍ଦରରୁ ପଚ଼ିଶି ଲକ୍ଷକୁ
ବୃଦ୍ଧି ପାଇପାରେ । ତେବେ ଆଜିକାଲି ବଡ଼ ଉତ୍ସବାନୁଷ୍ଠାନ ଆୟୋଜନ ଲାଗି ବୃତ୍ତିଭିତ୍ତିକ
ବ୍ୟାବସାୟିକ ସଂସ୍ଥା ‘ଇଭେଣ୍ଟ
ମେନେଜର୍ସ’ଙ୍କ ସୁବିଧା
ମିଳିଲାଣି । ଫୁଟବଲ ଭଳି ଖେଳ ବିପୁଳ ଦର୍ଶକଙ୍କୁ ଆକର୍ଷିତ କରୁଥିବା ହେତୁ ବିଜ୍ଞାପକମାନେ
ଉତ୍ସବଗୁଡ଼ିକର ପ୍ରାୟୋଜକ ହେବାକୁ ଆଗେଇ ଆସୁଛନ୍ତି । ପୁଣି ଥରେ ବ୍ରହ୍ମପୁରରେ ଫୁଟବଲ
ଟୁର୍ଣ୍ଣାମେଣ୍ଟ ଆରମ୍ଭ କରାଯାଇ ପାରିବକି ? ଏଦିଗରେ ବିଚାରବିମର୍ଷ ହେଲେ କେମିତି ହୁଅନ୍ତା ?
( ‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୦ ନଭେମ୍ୱର ୨୦୨୧ / ପୃଷ୍ଠା : ୮)
Photo by Wesley Tingey on Unsplash
No comments:
Post a Comment