Friday, January 14, 2022

Air Travel / ବିମାନ ଯାତ୍ରା

 

ବିମାନ ଯାତ୍ରା ନିମନ୍ତେ #ବ୍ରହ୍ମପୁର ସହରବାସୀ ମୁଖ୍ୟତଃ ଭୁବନେଶ୍ୱର କିମ୍ୱା ବିଶାଖାପାଟଣା ବିମାନ ବନ୍ଦର ଉପରେ ନିର୍ଭର କରନ୍ତି । ବ୍ରହ୍ମପୁରରୁ ଭୁବନେଶ୍ୱର ବିମାନ ବନ୍ଦର ସଡ଼କ ପଥରେ ୧୭୩ କିଲୋମିଟର ଯାତ୍ରା କରିବା ନିମନ୍ତେ ପ୍ରାୟ ଚାରି ଘଣ୍ଟା ଲାଗିଥାଏ । ସେହିପରି ବିଶାଖାପାଟଣା ବିମାନ ବନ୍ଦର ସଡ଼କ ପଥରେ ୨୬୮ କିଲୋମିଟର ଯାତ୍ରା କରିବା ନିମନ୍ତେ ପ୍ରାୟ ପାଞ୍ଚ ଘଣ୍ଟା ଲାଗିଯାଏ । ବ୍ରହ୍ମପୁରରୁ ଭୁବନେଶ୍ୱର ତୁଳନାରେ ବିଶାଖାପାଟଣା ବିମାନ ବନ୍ଦର ଯାତ୍ରା ଲାଗି ଶହେ କିଲୋମିଟର ଅଧିକ ରାସ୍ତା ଏବଂ ଘଣ୍ଟାଏରୁ ଉର୍ଦ୍ଧ୍ୱ ଅଧିକ ସମୟ ଆବଶ୍ୟକ । ବ୍ରହ୍ମପୁରରୁ ଜାତୀୟ ରାଜପଥ ୧୬ରେ ଭୁବନେଶ୍ୱର ନିମନ୍ତେ ଉତ୍ତର ଦିଗରେ ଓ ବିଶାଖାପାଟଣା ନିମନ୍ତେ ଦକ୍ଷିଣ ଦିଗରେ ଯାତ୍ରା କରିବାକୁ ପଡ଼େ । ଉଭୟ ସହର ବ୍ରହ୍ମପୁର ସହ ରେଳପଥ ଯୋଗେ ମଧ୍ୟ ସଂଯୁକ୍ତ ।

 

ବିଶାଖାପାଟଣା ତୁଳନାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ପୁରୁଣା ଏବଂ ଅଧିକ ପରିମାଣରେ ଯାତ୍ରୀ ପରିବହନରେ ସଂପୃକ୍ତ । ଭୁବନେଶ୍ୱର ବିମାନବନ୍ଦର ୧୯୬୨ରୁ ଆରମ୍ଭ ହୋଇଥିବା ସ୍ଥଳେ ବିଶାଖାପାଟଣା ବିମାନ ବନ୍ଦର ୧୯୮୧ରୁ ସ୍ଥାପିତ ହୋଇଥିଲେ ହେଁ ୨୦୦୮ରେ ଯାତ୍ରୀ ପରିବହନ ଆରମ୍ଭ ହୋଇଥିଲା । ସର୍ବଭାରତୀୟସ୍ତରରେ ଭୁବନେଶ୍ୱରର ସ୍ଥାନ ୧୬ ରହୁଥିବା ସ୍ଥଳେ ବିଶାଖାପାଟଣାର ସ୍ଥାନ ୨୧ ନିର୍ଦ୍ଧାରିତ । ମହାମାରୀ ଅବସରରେ ୨୦୨୦ ଏପ୍ରିଲରୁ ୨୦୨୧ ମାର୍ଚ୍ଚ ବର୍ଷକ ମଧ୍ୟରେ ଭୁବନେଶ୍ୱର ବିମାନ ବନ୍ଦରରେ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଓ ବିଶାଖାପାଟଣା ବିମାନ ବନ୍ଦରରେ ୧୧ ଲକ୍ଷରୁ ଉର୍ଦ୍ଧ୍ୱ ଯାତ୍ରୀ ଆତଯାତ ହୋଇଥିଲେ । ଉଭୟ ବିମାନ ବନ୍ଦରରେ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୬୦ ପ୍ରତିଶତ ଯାଏଁ ଯାତ୍ରୀ ପରିବହନ ହ୍ରାସ ଘଟିଥିବା ହିସାବ କରାଯାଇଥିଲା ।

 

ମହାମାରୀ-ପୂର୍ବ ଦୁଇ ଦଶକରେ ଭାରତରେ ବିମାନ ସେବା ସଂପ୍ରସାରଣ ଓ ଯାତ୍ରା ଦର ହ୍ରାସ କାରଣରୁ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଥିଲା ଭୁବନେଶ୍ୱର ବିମାନ ବନ୍ଦରରେ ୨୦୨୨ ଆରମ୍ଭରେ ଦୈନିକ ପ୍ରାୟ ବାର ହଜାର ଯାତ୍ରୀ ପରିବହନ ହେଉଥିବା ପ୍ରକାଶିତ । ଏଠାରୁ ୧୫ ଗୋଟି ସହର ସହ ସିଧାସଳଖ ବିମାନଯାତ୍ରା ସଂଯୋଗ ସ୍ଥାପିତ । କଲିକତା, ଦିଲ୍ଲୀ, ପ୍ରୟାଗରାଜ, ହାଇଦରାବାଦ, ବେଙ୍ଗାଲୁରୁ, ରାୟପୁର, ପୁଣେ, ମୁମ୍ୱାଇ, ଗୋଆ ଓ ଝାରସୁଗୁଡ଼ାରୁ ବିମାନ ଅବତରଣ କରୁଥିବା ସ୍ଥଳେ ସେହିସବୁ ସହର ସମେତ ବାରାଣସୀ, ଜୟପୁର, ଚ଼େନ୍ନାଇ, ରାଞ୍ଚି, ଲକ୍ଷ୍ମୌ, ଅହମ୍ମଦାବାଦ ଓ ସୁରାଟ ଇତ୍ୟାଦି ସହରକୁ ମଧ୍ୟ ବିମାନ ଯାତ୍ରାର ସୁବିଧା ଉପଲବ୍ଧ । ଏଠାରୁ ଏୟାର ଇଣ୍ଡିଆ, ଏଲାଏନ୍ସ ଏୟାର, ଇଣ୍ଡିଗୋ, ବିସ୍ତାରା, ଏୟାର ଏସିଆ, ବ୍ରିଟିଶ ଏୟାୱେସ ଓ ୟୁନାଇଟେଡ଼ ଏୟାରଲାଇନ୍ସ ପ୍ରଭୃତି ପରିବହନ ସଂସ୍ଥାର ବିମାନ ଚଳାଚଳ କରିଥାଏ

 

ବ୍ରହ୍ମପୁରରୁ ବିମାନ ଯାତ୍ରୀ ବିମାନ ବନ୍ଦରରେ ପହଞ୍ଚିବା ପାଇଁ ମହାମାରୀପରଠାରୁ ପ୍ରାୟତଃ ନିଜ ମଟରଗାଡ଼ି କିମ୍ୱା ଭଡ଼ା ଟ୍ୟାକ୍ସି ବ୍ୟବହାର କରିଥାନ୍ତି । ରେଳ ଚଳାଚଳରେ ନିୟମିତତା ଫେରି ନଥିବା ହେତୁ ରେଳଯାତ୍ରା ସୀମିତ । ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ପାଞ୍ଚଟା ବେଳେ ଗୋଆ ବିମାନ ଉଡ଼ାଣ ସମୟ ସ୍ଥିରୀକୃତ ହୋଇଥିବା ସ୍ଥଳେ ରାତି ବାରଟାରେ ପୁଣେରୁ ବିମାନ ଅବତରଣ କରେ । ଏହି କାରଣରୁ ବ୍ରହ୍ମପୁରରୁ ଭୁବନେଶ୍ୱର ତଥା ଭୁବନେଶ୍ୱରରୁ ବ୍ରହ୍ମପୁରକୁ ପ୍ରତିଦିନ ପ୍ରାୟ ଦେଢ଼ଶହ ଟ୍ୟାକ୍ସି ଦିନରାତି ଚଳାଚଳ କରିଥାଏ

 

ବ୍ରହ୍ମପୁରର ଯାତ୍ରୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଛାଡ଼ିବା ତଥା ଭୁବନେଶ୍ୱରରୁ ଯାତ୍ରୀଙ୍କୁ ବ୍ରହ୍ମପୁରରେ ପହୁଞ୍ଚାଇବା ବେଳେ ଗୋଟିଏ ପଟର ଟ୍ୟାକ୍ସି ବିନା ଯାତ୍ରୀରେ ଯାତ୍ରା କରୁଥିଲା । ଏଣିକି ସେହି ଖାଲି ଗାଡିରେ ଯାତ୍ରୀ ପରିବହନ ବ୍ୟବସ୍ଥା ଆରମ୍ଭ ହୋଇଛି । ମହାମାରୀ ପୂର୍ବେ ଉଭୟ ବ୍ରହ୍ମପୁର ଓ ଭୁବନେଶ୍ୱରରୁ ବିମାନଯାତ୍ରୀମାନେ ଟ୍ୟାକ୍ସି ବୁକ କଲାବେଳେ ଯିବା ଆସିବା ଉଭୟ ପଥର ଭଡ଼ା ପ୍ରାୟ ୪,୫୦୦ ଟଙ୍କା ଦେବାକୁ ପଡୁଥିଲା । ତେବେ ମହାମାରୀ ପରଠାରୁ ଏକ ପାଖିଆ ଭଡ଼ା ୨,୦୦୦ ଟଙ୍କାକୁ କମି ଆସିଛି । ଓଲା ଭଳି ଯାତ୍ରୀ ପରିବହନ କମ୍ପାନୀ ଅଢ଼େଇ ହଜାର ଟଙ୍କାରେ ଭୁବନେଶ୍ୱରୁ ବ୍ରହ୍ମପୁର ଦର ଲାଗୁ କରିବାପରେ ସ୍ଥାନୀୟ ଟ୍ୟାକ୍ସି ଅପରେଟରମାନେ ପ୍ରତିଯୋଗିତାର ସମ୍ମୁଖୀନ ହୋଇ ତଦଅନୁରୂପ ଭଡ଼ା ନିର୍ଦ୍ଧାରଣ କରିବାକୁ ବାଧ୍ୟ ହୋଇଛନ୍ତି ।

 

ବିମାନ ଯାତ୍ରା ଲୋକପ୍ରିୟ ହେବା ପରେ ରେଳଯାତ୍ରାରେ ବିମାନଯାତ୍ରା ଅନୁରୂପ ସୁବିଧା ସୁଯୋଗ ବ୍ୟବସ୍ଥା କରିବା ନିମନ୍ତେ ୨୦୧୪ରୁ ନୂତନ କେନ୍ଦ୍ର ସରକାର ଗଠନପରଠାରୁ ଉଦ୍ୟମ ଅବ୍ୟାହତ ରହିଛି ଅପରପକ୍ଷେ ରେଳଯାତ୍ରା ଅବସରରେ ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ଭିଡ଼ ଗୁଣ୍ଡାଗର୍ଦ୍ଦି ମଧ୍ୟ ବିମାନଯାତ୍ରାରେ ପ୍ରତିବିମ୍ୱିତ ହେବାରେ ଲାଗିଲାଣି ସମ୍ୱାଦପତ୍ରରେ ପ୍ରକାଶିତ ଏକ ଖବର ଅନୁଯାୟୀ ୩୦ ଡ଼ିସେମ୍ୱର୨୦୨୧ ଦିନ ଜାମ୍ମୁ-ମୁମ୍ୱାଇ ଇଣ୍ଡିଗୋ ଏକ ଉଡ଼ାଣରେ ଦୁଇଜଣ ବିମାନଯାତ୍ରୀ ମଝି ଆକାଶରେ ପରସ୍ପର ମଧ୍ୟରେ ଗଣ୍ଡଗୋଳ କରିବା କାରଣରୁ ବିମାନ କର୍ମଚାରୀ ଦୁଇଜଣଙ୍କୁ ଅଟକ ରଖି ବିମାନ ଅବତରଣ ପରେ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିଲେ ଘଟଣାରୁ ପ୍ରକାଶ ଯେ ୩ଏ ୪ଏ ଆସନରେ ବସିଥିବା ଦୁଇଜଣ ଯାତ୍ରୀ ଜଣେ ଅନ୍ୟଜଣକୁ ଠେଲି ଦେବା ଅଭିଯୋଗ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା କ୍ରମଶଃ ହାତାହାତି ଯାଏଁ କଥାଗଲା ଶେଷରେ ବିମାନ କର୍ମଚାରୀ ଦିହିଁଙ୍କୁ ବଳପ୍ରୟୋଗ ପୂର୍ବକ ଅଲଗା କରି ଅଟକ ରଖିଥିଲେ ଅନୁସନ୍ଧାନପରେ ହୁଏତ ଦିହିଁଙ୍କୁ ଦୋଷୀ ସାବ୍ୟସ୍ତ କରାଗଲେ ବିମାନ ଯାତ୍ରାରେ ଅଶୋଭନୀୟ ଆଚ଼ରଣ ନିମନ୍ତେ କିଛି କାଳ ବିମାନଯାତ୍ରା ବାରଣ କରାଯିବା ପ୍ରାବଧାନ ରହିଛି ତେବେ ଏଭଳି ଘଟଣା ଆଚ଼ମ୍ୱିତ କରିଥାଏ !


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୫ ଜାନୁୟାରୀ ୨୦୨୨ / ପୃଷ୍ଠା : ୮)


Photo by John McArthur on Unsplash

No comments:

Post a Comment