Friday, January 7, 2022

Road Accidents / ସଡ଼କ ଦୁର୍ଘଟଣା

 


#ବ୍ରହ୍ମପୁର ସହରବାସୀଙ୍କ ପାରସ୍ପରିକ କଥୋପକଥନରେ ଅଳ୍ପାଲୋଚ଼ିତ ବିଷୟ ମଧ୍ୟରେ ସଡ଼କ ଦୁର୍ଘଟଣା ଅନ୍ୟତମ । ସାଧାରଣତଃ ପରିଚ଼ିତବର୍ଗଙ୍କ ମଧ୍ୟରୁ କେହି ଦୁର୍ଘଟଣାଗ୍ରସ୍ତ ହେଲେ କିଛି ସମୟ ସେହି ବିଷୟରେ ଚର୍ଚ୍ଚା ହୋଇଥାଏ । ଦୁର୍ଘଟଣା ତଥା ଚ଼ିକିତ୍ସାର ବିଶଦ ବିବରଣୀକୁ ନେଇ ସଭିଏଁ ଟିପ୍ପଣୀ ପ୍ରଦାନ କରିଥାନ୍ତି । କିନ୍ତୁ ଦୁର୍ଘଟଣାର କାରଣ କିମ୍ୱା ନିରାକରଣ ସଂପର୍କରେ ପ୍ରାୟ ଗୁରୁତ୍ୱ ଆରୋପ କରାଯାଇନଥାଏ । ଅବଶ୍ୟ ବ୍ରହ୍ମପୁରର ଅନୁଭୂତି ଅନ୍ୟତ୍ର ମଧ୍ୟ ସମଭାବେ ପ୍ରତିଫଳିତ । ସଡ଼କ ଦୁର୍ଘଟଣାର ନିରାକରଣ ପ୍ରତି ଜନସାଧାରଣ ସଚ଼େତନ ନଥିବା ହେତୁ ଦେଶରେ ଦୁର୍ଘଟଣା ହାର ବଢ଼ି ଚାଲିଥିବା ଦେଖିବାକୁ ମିଳେ ।
 
ପରିସଂଖ୍ୟାନ ଅନୁଯାୟୀ ଗତ ୨୦୨୧ ଜାନୁୟାରୀରୁ ନଭେମ୍ୱର ୧୧ ମାସର ହିସାବରେ ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ଟ୍ରାଫିକ ଥାନା ଅଧୀନସ୍ଥ ଇଲାକାରେ ୪୮ ଗୋଟି, ସଦର ଥାନା ଅଧୀନରେ ୩୬ ଗୋଟି, ଗୋଳନ୍ଥରା ଥାନା ଅଧୀନରେ ୪୯ ଗୋଟି, ଗୋପାଳପୁର ଥାନା ଅଧୀନରେ ୨୪ ଗୋଟି, ଦିଗପହଣ୍ଡି ଥାନା ଅଧୀନରେ ୨୭ ଗୋଟି ଓ ଜରଡ଼ା ଥାନା ଅଧୀନରେ ୨୪ ଗୋଟି ସଡ଼କ ଦୁର୍ଘଟଣା ମାମଲା ରୁଜୁ କରାଯାଇଥିଲା । ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲାରେ ଏହି ସମୟ ସୀମାରେ ୬୧୯ ଗୋଟି ଦୁର୍ଘଟଣା ଘଟିଥିବା ସ୍ଥଳେ ୨୯୮ ଗୋଟି ଜୀବନହାନୀ ଘଟିଥିଲା । ଏଥିରେ ୩୬୪ ଜଣ ଗୁରୁତର ଭାବେ ଆହତ ହୋଇ ଚ଼ିକିତ୍ସିତ ହୋଇଥିଲେ ।
 
ମଟରଯାନଜନିତ ସଡ଼କ ଦୁର୍ଘଟଣାରେ ଚାଳକ, ଯାନରେ ଉପସ୍ଥିତ ଯାତ୍ରୀ ଓ ରାସ୍ତାଘାଟରେ ଚାଳିତ ଅନ୍ୟାନ୍ୟ ଯାନ ବା ପଥଚାରୀ-ତିନିବର୍ଗର ଲୋକେ ପ୍ରଭାବିତ ହୋଇଥାନ୍ତି । ଦେଖାଯାଏ ଯାନବାହାନ ଚଳାଇବାରେ ଦକ୍ଷତା ଅଭାବ, ବେପରୁଆ ଚାଳନା ଓ ମଦ୍ୟପାନ ଇତ୍ୟାଦି ଅସାବଧାନତା ଦୁର୍ଘଟଣାର କାରଣ । ସଡ଼କ ଦୁର୍ଘଟଣା ଏଡ଼ାଇବା ଲାଗି ଆଇନ ପ୍ରଣୟନ ହୋଇଛି ଏବଂ ପୋଲିସ ପକ୍ଷରୁ ଯାଞ୍ଚରେ ଆଇନ ଖିଲାପକାରୀଙ୍କୁ ଦଣ୍ଡବିଧାନ ଏବଂ ଜରିମାନା ଆଦାୟର ବ୍ୟବସ୍ଥା ରହିଛି । ମହାମାରୀ କାଳରେ ଯାଞ୍ଚ କାର୍ଯ୍ୟାନୁଷ୍ଠାନକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା । ତାହା ସତ୍ତ୍ୱେ ବ୍ରହ୍ମପୁର ସହର ଓ ଆଖପାଖ ଇଲାକାରେ ୨୦୨୧ରେ କୋଭିଡ଼ ସଂକ୍ରମଣର ଦ୍ୱିତୀୟ ତରଙ୍ଗ କାରଣରୁ ଦୀର୍ଘ ସମୟ ଲକଡ଼ାଉନ ଓ ସଟଡ଼ାଉନ ଜାରୀ ରହିଥିବା ଅବସରରେ ସଡ଼କ ଦୁର୍ଘଟଣାରେ ତିନିଶହ ମୁତ୍ୟୁବରଣ କରିଥିବା ତଥା ତାହାଠାରୁ କିଛି ଅଧିକ ଗୁରୁତର ଆହତ ହୋଇଥିବା ଉଦବେଗର କାରଣ । ବିଡ଼ମ୍ୱନାର ବିଷୟ ଗଞ୍ଜାମ ଜିଲ୍ଲାରେ କୋଭିଡ଼-୧୯ ପ୍ରାଦୁର୍ଭାବରେ ଦୁଇ ବର୍ଷ ମଧ୍ୟରେ ପାଞ୍ଚ ଶହ ମୃତ୍ୟୁକୁ ଏତେ ଗୁରୁତ୍ୱ ଦିଆଯାଉଥିବା ସ୍ଥଳେ ସଡ଼କ ଦୁର୍ଘଟଣା ଏଡ଼ାଇବା ପାଇଁ ସେହି ପରିମାଣରେ ଉଦ୍ୟମ ଦେଖିବାକୁ ମିଳେନା ।
 
ବ୍ରହ୍ମପୁର ସହରାଞ୍ଚଳ ତଥା ଗଞ୍ଜାମ ଜିଲ୍ଲାରେ ଯାନବାହାନ ମଧ୍ୟରେ ଦୁଇଚକିଆ ମୋପଡ଼, ମଟର ସାଇକଲ ଓ ସ୍କୁଟର ସଂଖ୍ୟା ଅଧିକଭାରତରେ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ମଧ୍ୟରେ ଦୁଇଚକିଆ ଯାନ ଚାଳକଙ୍କ ସଂଖ୍ୟା ଉଚ୍ଚସ୍ତରରେ ରହିଥାଏ । ବୈଧାନିକ ନିୟମ ଅନୁଯାୟୀ ଦୁଇଚକିଆ ଯାନବାହନର ଚାଳକମାନେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ନିୟମର ଉଲଂଘନ ହୋଇଥାଏ ଏବଂ ଯାନଟି ଦୁର୍ଘଟଣାଗ୍ରସ୍ତ ହେଲେ ଚାଳକ ଗୁରୁତର ଆହତ ହୋଇଥାନ୍ତି । ହେଲମେଟ ଯାଞ୍ଚ ବାବଦରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ପୋଲିସ ଆଇନ ଉଲଂଘନକାରୀଙ୍କ ବିରୋଧରେ ୫୩ ହଜାର ମାମଲା ଋଜୁ କରି ଆଲୋଚ୍ୟ ସମୟସୀମାରେ ଚାରି କୋଟି ୩୭ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିଲା । ସେହିପରି ଅନ୍ୟାନ୍ୟ ମାମଲାରେ ପ୍ରାୟ ପାଞ୍ଚ ହଜାର ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ ହୋଇଥିବା ଜଣାଯାଏ ।
 
ଅତୀତରେ ରାସ୍ତାଘାଟ ଦୁରାବସ୍ଥା ଓ ଯାନବାହାନର ଯାନ୍ତ୍ରିକ ତୃଟି ରାସ୍ତା ଦୁର୍ଘଟଣାର ଅନ୍ୟତମ କାରଣରୂପେ ଗଣାଯାଉଥିଲା । କିନ୍ତୁ ସମକାଳରେ ସହର ଓ ସହରତଳି ଅଞ୍ଚଳରେ ରାସ୍ତାଘାଟର ଅପେକ୍ଷାକୃତ ଉନ୍ନତ ଅବସ୍ଥାରେ ପହଞ୍ଚିଛି ଏବଂ ଆଧୁନିକ କଳାକୌଶଳ ବିକାଶରେ ଯାନବାହନର ଯାନ୍ତ୍ରିକ ତୃଟିର ଭୟ ପ୍ରାୟ ନଥାଏ । ପରିବର୍ତ୍ତିତ ପରିବେଶରେ ଯାନବାହାନ ସଂଖ୍ୟା ବୃଦ୍ଧି, ଉପଯୁକ୍ତ ଚାଳନା ଦକ୍ଷତା ଅଭାବ ଏବଂ ବେପରୁଆ ଚାଳନା ମୁଖ୍ୟ ସମସ୍ୟା । ଏହି କ୍ଷେତ୍ରରେ ପୋଲିସ ଓ ପ୍ରଶାସନିକ କଟକଣା ସୁଫଳ ଦେଇପାରୁ ନଥିବା ସ୍ଥଳେ ଦୁର୍ଘଟଣାଜନିତ ବିପଦ ସଂପର୍କରେ ଯାନବାହାନ ଚାଳକମାନେ ସଚ଼େତନ ହେଲେ ଯାଇ ସମସ୍ୟାର ସମାଧାନ ଆଶା କରାଯାଇପାରେ । ଏହି ଦିଗରେ ବେସରକାରୀସ୍ତରରେ ସୃଜନାତ୍ମକ ଢଙ୍ଗରେ ପ୍ରଚାର ଅଭିଯାନ ପ୍ରଯୋଜନା ସମୟର ଆହ୍ୱାନ ।
 
ସଡ଼କ ଦୁର୍ଘଟଣାରେ ପଥଚାରୀଙ୍କ କ୍ଷତି ସମ୍ୱେଦନଶୀଳ ଘଟଣା । ନିରୀହ ପଥଚାରୀଙ୍କ କୌଣସି ଭୁଲ ନଥାଇ ଯାନବାହାନଚାଳକଙ୍କ ଭୂଲ ହେତୁ କ୍ଷତିଗ୍ରସ୍ତ ହୋଇଥାନ୍ତି । ଆଇନ ଓ ପୋଲିସର କାର୍ଯ୍ୟାନୁଷ୍ଠାନ ସଡ଼କ ଦୁର୍ଘଟଣା ରୋକିବାରେ ସର୍ବୋତ୍ତଭାବେ ସମର୍ଥ ହୋଇପାରୁନଥିବା ସ୍ଥଳେ ସାମାଜିକ ସଂଗଠନ ଓ ସ୍ୱେଚ୍ଛାସେବୀଙ୍କ ଉତ୍ସର୍ଗୀକୃତ ଉଦ୍ୟମର ବିକଳ୍ପ ନାହିଁବର୍ଷକରେ ଥରେ ଅଧେ ଔପଚାରିକଭାବେ ସଡ଼କ ସୁରକ୍ଷାର ସ୍ଳୋଗାନରେ ଅଭିଯାନ ନସାରି ଏଦିଗରେ ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ ଅବଶ୍ୟ ସଫଳ ହେବ ବୋଲି ବିଶ୍ୱାସ କରାଯାଇପାରେ ।

ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୮ ଜାନୁୟାରୀ ୨୦୨୨ / ପୃଷ୍ଠା : ୮)

No comments:

Post a Comment