Friday, January 21, 2022

Queue at Medical College Hospital / ମେଡ଼ିକାଲରେ କ୍ୟୂ’

 


#ବ୍ରହ୍ମପୁର ମେଡ଼ିକାଲ କଲେଜ ହସପିଟାଲ ଆଉଟଡ଼ୋରରେ ଚ଼ିକିତ୍ସା ନିମନ୍ତେ ରେଜିଷ୍ଟ୍ରେସନ ଲାଗି ଲମ୍ୱା କ୍ୟୂର ବିକଳ୍ପ ବ୍ୟବସ୍ଥା ପାଇଁ ପରୀକ୍ଷାମୂଳକଭାବେ ଉଦ୍ୟମ ଆରମ୍ଭ ହୋଇଥିବା ଆଶ୍ୱସ୍ତିର ବିଷୟ । ବ୍ରହ୍ମପୁର ସହରବାସୀ ବିଶେଷଜ୍ଞଙ୍କ ଚିକିତ୍ସା ନିମନ୍ତେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚ଼ିକିତ୍ସାଳୟ ଉପରେ ନିର୍ଭରଶୀଳ । ଅପରପକ୍ଷରେ ସମଗ୍ର ଦକ୍ଷିଣ ଓଡ଼ିଶାରେ ଏହି ପ୍ରତିଷ୍ଠାନ ଏକମାତ୍ର ରେଫରାଲ ହସପିଟାଲ । ଫଳରେ ଦୈନିକ ପ୍ରାୟ ତିନି ହଜାର ନୂଆ ରୋଗୀ ହସପିଟାଲ ଆଉଟଡୋରରେ ପହଞ୍ଚିଥାନ୍ତି ଏବଂ ସମସ୍ତଙ୍କୁ ନାମ ପଞ୍ଜିକରଣ ବା ରେଜିଷ୍ଟ୍ରେସନଲାଗି ଲମ୍ୱା ଧାଡ଼ିରେ ଛିଡ଼ା ହେବାକୁ ପଡିଥାଏ । ସହରବାସୀ କିମ୍ୱା ସହର ବାହାର ଆଗନ୍ତୁକ, ପୁରୁଷ-ମହିଳା, ଶିକ୍ଷିତ-ଅଶିକ୍ଷିତ, ଧନୀ-ଦରିଦ୍ର, ଶାନ୍ତଶିଷ୍ଟ-ଉଦ୍ଦାମ ସମସ୍ତେ କ୍ୟୂରେ ସାମିଲ ହେବାକୁ ବାଧ୍ୟ ।
 
ରୋଗୀଟିଏ ମେଡ଼ିକାଲ କଲେଜ ଆଉଟଡ଼ୋରରେ ପହଞ୍ଚିଲେ ଅନେକ ସମୟରେ ନିଜେ ରେଜିଷ୍ଟ୍ରେସନ କରିବା ସଂଭବ ହୋଇପାରିନଥାଏ । ଏଥିଲାଗି ରୋଗୀର ଜଣେ ସହାୟକ ଆବଶ୍ୟକ ପଡ଼େ । ଅସୁସ୍ଥ ଲମ୍ୱା ଧାଡ଼ିରେ ଠେଲାପେଲାରେ ଦୀର୍ଘ ସମୟ ଛିଡ଼ା ହେବା ସମସ୍ୟା ସୃଷ୍ଟି କରିଥାଏ । ଆଧୁନିକ ବୈଷୟିକ କୌଶଳ ସହାୟତାରେ ଆଉଟ ଡୋର ଚ଼ିକିତ୍ସା ଟିକଟ ପାଇଁ ଅନଲାଇନରେ ରେଜିଷ୍ଟ୍ରେସନ ପଦ୍ଧତି ସୁଲଭ । ତେବେ ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆରମ୍ଭ ଯାଏଁ ସେହି ସୁବିଧା ସୁଯୋଗ ଉପଯୋଗ ହୋଇପାରି ନଥିଲା । ମେଡ଼ିକାଲ କଲେଜ କର୍ତ୍ତୃପକ୍ଷ କିମ୍ୱା ସହରର ନାଗରିକ ସମାଜ କାହାର ଦୃଷ୍ଟି ଏଦିଗରେ ପଡ଼ିନଥିଲା । କୋଭିଡ଼-୧୯  ମହାମାରୀର ଦୁଇଟି ତରଙ୍ଗ ବାଦେ ତୃତୀୟ ବର୍ଷରେ ତୃତୀୟ ତରଙ୍ଗର ପ୍ରାଦୁର୍ଭାବ କାଳରେ ଆଉଟଡୋର ଟିକଟ ପ୍ରଦାନ ଦିଗରେ ସଂସ୍କାର ନିମନ୍ତେ କର୍ତ୍ତୃପକ୍ଷ ଅନଲାଇନ ରେଜିଷ୍ଟ୍ରେସନ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।
 
ମେଡ଼ିକାଲ କଲେଜ ଓ ହସପିଟାଲ ପକ୍ଷରୁ ମାଇଏମକେସିଜି ଡଟ କମ ନାମରେ ଏକ ୱେବସାଇଟ ଖୋଲାଯାଇଛି । ଏଥିରେ ଆଉଟଡ଼ୋର ଚ଼ିକିତ୍ସା ଗ୍ରହଣ କରିବାକୁ ଇଚ୍ଛୁକ ବ୍ୟକ୍ତିବିଶେଷ ଅଗ୍ରୀମ ନାମ ପଞ୍ଜୀକରଣର ବ୍ୟବସ୍ଥା ରହିଛି । ଫର୍ମରେ ନାମ, ପିତା କିମ୍ୱା ସ୍ୱାମୀଙ୍କ ନାମ, ପରିଚୟ ପତ୍ର ନମ୍ୱର, ଲିଙ୍ଗ, ବୟସ, ଜନ୍ମ ବର୍ଷ, ମୋବାଇଲ ନମ୍ୱର, ଠିକଣା ଓ କେଉଁ ବିଭାଗରେ ଚ଼ିକିତ୍ସିତ ହେବାକୁ ଆଗ୍ରହୀ ଇତ୍ୟାଦି ତଥ୍ୟ ଉଲ୍ଲେଖ କରି ମେକ ଏନ ଏପଏଣ୍ଟମେଣ୍ଟ ବଟନ କ୍ଳିକ କଲେ ମୋବାଇଲରେ କନଫରମେସନ ମେସେଜ ଆସିବା ସୁବିଧା ଉପଲବ୍ଧ । ଏତାଦୃଶ ରେଜିଷ୍ଟ୍ରେସନ ଓ କନଫରମେସନ ଆଧାରରେ ରୋଗୀ ଆଉଟଡ଼ୋରରେ ପହଞ୍ଚି ରେଜିଷ୍ଟ୍ରେସନ କାଉଣ୍ଟରରୁ ଟୋକେନ ଗ୍ରହଣ କରି ନିର୍ଦ୍ଧାରିତ ସମୟରେ ଚ଼ିକିତ୍ସା ବିଭାଗକୁ ଯାଇ ଡ଼ାକ୍ତରଙ୍କ ପରାମର୍ଶ ଗ୍ରହଣ କରିପାରିବେ ।
 
ବ୍ରହ୍ମପୁର ମେଡ଼ିକାଲ କଲେଜ ଓ ହସପିଟାଲରେ ଅନଲାଇନ ଆଉଟ ପେସେଣ୍ଟ ଡିପାର୍ଟମେଣ୍ଟସ ରେଜିଷ୍ଟ୍ରେସନ ବ୍ୟବସ୍ଥା ୧୮ ଜାନୁୟାରୀ ୨୦୨୨ରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି । ପ୍ରଥମ ଦିନ ପ୍ରାୟ ଶହେ ଜଣ ରୋଗୀ ସୁବିଧା ଗ୍ରହଣ କରିଥିଲେ । ଏହି ପ୍ରଣାଳୀ ସ୍ଥାୟୀ ହୋଇପାରିଲେ ରୋଗୀମାନେ ବିନା ସହାୟକଙ୍କ ଗହଣରେ ଚ଼ିକିତ୍ସାଲାଗି ଡ଼ାକ୍ତରଙ୍କ ନିକଟରେ ପହଞ୍ଚି ପାରିବେ, ଅସୁସ୍ଥ ବରିଷ୍ଠ ନାଗରିକ ଓ ମହିଳାମାନେ ଧାଡ଼ିବାନ୍ଧି ଛିଡ଼ା ହେବା ସମସ୍ୟାରୁ ମୁକ୍ତି ପାଇପାରିବେ ଏବଂ ସର୍ବୋପରି ଅଯଥା ଭିଡ଼ ନିୟନ୍ତ୍ରଣ ସମ୍ଭବ ହୋଇପାରିବ । ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ । ପ୍ରାରମ୍ଭିକ ତୃଟିବିଚ୍ୟୁତି ଯଦି ଦେଖାଦିଏ ତାହାକୁ ସଜାଡ଼ି କିପରି ଏହି ବ୍ୟବସ୍ଥା ସ୍ଥାୟୀ ହୋଇପାରିବ ସେଦିଗରେ ଉଦ୍ୟମ କରାଯିବା ଆବଶ୍ୟକ ।
 
ମହାମାରୀ ପରିବେଶରେ ଯେଉଁ ସବୁ ସାମାଜିକ ପରିବର୍ତ୍ତନ ସଂଗଠିତ ହୋଇଛି ସେଥି ମଧ୍ୟରେ ଅନଲାଇନ ବାଣିଜ୍ୟ, ମନୋରଞ୍ଜନ, ସ୍ୱାସ୍ଥ୍ୟରକ୍ଷା, ଶିକ୍ଷା ଓ ସାମାଜିକ ସଂପୃକ୍ତି ସୋସିଆଲ ଏଙ୍ଗେଜମେଣ୍ଟ ଇତ୍ୟାଦି ପ୍ରଧାନ । ରୋଗ ଚ଼ିକିତ୍ସା କ୍ଷେତ୍ରରେ ଦୀର୍ଘକାଳରୁ ଟେଲି-ମେଡ଼ିସନ ସେବାର ପ୍ରାବଧାନ ରହିଆସିଥିଲେହେଁ ମହାମାରୀ କାଳରେ ପ୍ରକୃତ ଉପଯୋଗ ହୋଇପାରିଥିଲା । ତୃତୀୟ ତରଙ୍ଗ ଓମିକ୍ରନ ସଂକ୍ରମଣ ଅବସରରେ ମେଡ଼ିକାଲ କଲେଜ ପକ୍ଷରୁ ୭୬୫୫୦ ୫୧୬୦୨, ୭୬୫୫୦ ୫୧୬୦୩ ଏବଂ ସିଟି ହସପିଟାଲ ପକ୍ଷରୁ ୭୬୫୫୦ ୫୦୯୬୨, ୭୬୫୫୦ ୫୦୯୮୩ ଟେଲିଫୋନ ଯୋଗେ ଟେଲିମେଡ଼ିସନ ସେବା ଯୋଗାଇବା ନିମନ୍ତେ ନମ୍ୱର ଜାରୀ କରାଯାଇଛି । ବ୍ରହ୍ମପୁର ପୌର ନିଗମର କୋଭିଡ଼-୧୯ କଣ୍ଟ୍ରୋଲ ରୁମ ଟେଲିଫୋନ ନମ୍ୱର ୭୬୦୮୮ ୮୦୪୮୦ ମଧ୍ୟ ସୂଚ଼ିତ । ନିଜ ବାସଗୃହରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ଟିକାକରଣ ନିମନ୍ତେ ୭୩୨୮୦ ୯୯୩୨୪ ସହ ଯୋଗାଯୋଗ କରିବା ଲାଗି କୁହାଯାଇଛି । ମହାମାରୀର ଟେଲିମେଡ଼ିସନ ଅଭିଜ୍ଞତା ପରବର୍ତ୍ତୀକାଳରେ ଜନଜୀବନକୁ ପ୍ରଭାବିତ କରିବା ଆଶା କରାଯାଇପାରେ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୨ ଜାନୁୟାରୀ ୨୦୨୨ / ପୃଷ୍ଠା :୮)

Photo from MKCG website 

No comments:

Post a Comment