Friday, January 28, 2022

The other Brahmapur / ଭିନ୍ନ ଏକ ବ୍ରହ୍ମପୁର

 

#ବ୍ରହ୍ମପୁର ନାମରେ ଏକାଧିକ ସହର ଓ ଗ୍ରାମ ରହିଛିଏଥି ମଧ୍ୟରେ ପଡ଼ୋଶୀ ପଶ୍ଚିମ ବଙ୍ଗ ରାଜ୍ୟର ମୁର୍ଶିଦାବାଦ ଜିଲ୍ଲାରେ ବ୍ରହ୍ମପୁର (ଇଂଲିଶ ବନାନକ୍ରମେ-ବେରହମପୋର) ଏବଂ ବଙ୍ଗଳା ଦେଶ ପାଟୁଆଖାଲି ଜିଲ୍ଲାର ବ୍ରହ୍ମପୁର (ଇଂଲିଶ ବନାନକ୍ରମେ –ବହରମପୁର) ଅନ୍ୟତମ ।
 
ପଶ୍ଚିମ ବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ସଦର ମହକୁମା ବେରହମପୋର କୋଲକତାଠାରୁ ୨୦୦ କିଲୋମିଟର ଦୂରରେ ଅବସ୍ଥିତ । କୋଲକତା, ଆସନସୋଲ, ସିଲିଗୁଡ଼ି, ଦୁର୍ଗାପୁର, ବର୍ଦ୍ଧମାନ ଓ ମାଲଦା ପରକୁ ବେରହମପୋର ସପ୍ତମ ଜନାକୀର୍ଣ୍ଣ ସହର । ଏଠାକାର ଜନସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ତିନି ଲକ୍ଷରୁ ଉର୍ଦ୍ଧ୍ୱ । ଭାଗିରଥୀ ନଦୀର ପୂର୍ବତଟରେ ଅବସ୍ଥିତ ଏହି ପୌରପାଳିକା ଶାସିତ ସହରରେ ୯୦ ଭାଗ ବାସିନ୍ଦା ହିନ୍ଦୁ ଓ ୯ ଭାଗ ମୁସଲିମ ସଂପ୍ରଦାୟ ଅନ୍ତର୍ଭୁକ୍ତ ।
 
ଇତିହାସ ପୃଷ୍ଠାରୁ ଜଣାଯାଏ ୧୭୫୭ ଖ୍ରୀଷ୍ଟାଦ୍ଦରେ ପଲାସୀ ଯୁଦ୍ଧ ସମୟରେ ବେରହମପୋରଠାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଏକ ସେନାଛାଉଣୀ କଣ୍ଟେନମେଣ୍ଟ ପ୍ରତିଷ୍ଠା କରିଥିଲେ । ଇଷ୍ଟଇଣ୍ଡିଆ କମ୍ପାନୀର ଏହା ପ୍ରଥମ ହେଡ଼କ୍ୱାର୍ଟସଏଥିପୂର୍ବରୁ ଏଠାକାର ଜନପଦରେ ବହୁ ସଂଖ୍ୟକ ବ୍ରାହ୍ମଣ ପରିବାର ବାସ କରୁଥିବା ହେତୁ ବ୍ରହ୍ମପୁର ନାମିତ ହୋଇଥିବା ଜନଶୃତି କହେ । ବ୍ରିଟିଶ ସେନା ବାହିନୀର କଣ୍ଟେନମେଣ୍ଟ ୧୮୭୬ରେ ପୌରପାଳିକାରେ ପରିବର୍ତ୍ତିତ ହୋଇ ମୁର୍ଶିଦାବାଦ ଜିଲ୍ଲାର ସଦରମହକୁମାରେ ପରିଣତ ହୋଇଥିଲା ।
 
ଆମ ବ୍ରହ୍ମପୁର ପାଟବସ୍ତ୍ରଲାଗି ଖ୍ୟାତିଲାଭ କରିଥିବା ସ୍ଥଳେ ପଶ୍ଚିମବଙ୍ଗର ବେରହମପୋର ମୁସଲିନ ବସ୍ତ୍ର ପାଇଁ ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧ । ପାରମ୍ପରିକଭାବେ ଏଠାରେ ମୁସଲିନ ବୟନ, କଂସା-ପିତ୍ତଳ ବାସନ ଓ ହାତୀଦାନ୍ତ କାମ କୁଟୀର ଶିଳ୍ପଭାବେ ପରିଗଣିତ । ବେରହମପୋର ଛେନାବଡ଼ା, ଖଜା ଓ ମନୋହରା ଭଳି ମିଷ୍ଟାନ୍ନ ନିମନ୍ତେ ଅଞ୍ଚଳିକସ୍ତରରେ ପରିଚ଼ିତ । ଇଷ୍ଟ ଇଣ୍ଡିଆ କମ୍ପାନୀର କର୍ମଚାରୀ ଓ ବସ୍ତ୍ର ବ୍ୟବସାୟୀ ସହରର ପ୍ରାଚ଼ୀନ ବାସିନ୍ଦା । ଏଠାକାର ସର୍ବପୁରାତନ କଲେଜ ୧୮୫୩ରୁ ୧୮୮୮ ମଧ୍ୟରେ ପ୍ରତିଷ୍ଠିତ ହୋଇଥିଲା ।
 
ବେରହମପୋର ପୂର୍ବ ରେଳପଥ ସିଆଲଦା-ଲାଲଗୋଲା ଲାଇନରେ ସଂଯୁକ୍ତ । ରେଳ ଷ୍ଟେସନର ନାମ ବେରହମପୋର-କୋର୍ଟଭାଗିରଥୀ ଏକ୍ସପ୍ରେସ, ହଜରଦୂରାଇ ଏକ୍ସପ୍ରେସ ଓ ଧାନୋ ଧନାୟେ ଏକ୍ସପ୍ରେସ ଇତ୍ୟାଦି ଷ୍ଟେସନ ଦେଇ ଚଳାଚଳ କରୁଥିବା ଲୋକପ୍ରିୟ ରେଳଗାଡ଼ି । ସିଆଲଦାରୁ ବେରହମପୋର-କୋର୍ଟକୁ ଏକ ନିତିଦିନିଆ ମେମୁ ପାସେଞ୍ଜର ଟ୍ରେନ ମଧ୍ୟ ଚଳାଚଳ କରିଥାଏ । ସଡ଼କପଥରେ ବେରହମପୋର ଜାତୀୟ ରାଜପଥ ୧୨ ଓ ୩୪ ଦ୍ୱାରା ସଂଯୁକ୍ତ । ଏଠାରେ ଦୁଇଗୋଟି ବସଷ୍ଟାଣ୍ଡ ରହିଛି । ସହର ମଧ୍ୟରେ ଟୁକ-ଟୁକ ବା ଟୋଟୋକାର ନାମିତ ଇ-ରିକ୍ସା ପ୍ରମୁଖ ସର୍ବସାଧାରଣ ଯାନବାହାନ ।
 
ବେରହମପୋର ବାସିନ୍ଦାମାନେ କଳାପ୍ରିୟ । ସହରରେ ନିୟମିତ ନାଟକ ଅଭିନୀତ ହୁଏ, ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ଆଖପାଖ ଅଞ୍ଚଳ ବାସିନ୍ଦାଙ୍କୁ ଆକର୍ଷିତ କରେ । ଏଠାରେ ନାଟକ ଓ ଚଳଚ଼ିତ୍ର ଉତ୍ସବମାନ ଆୟୋଜିତ ହୁଏ । ମୁର୍ଶିଦାବାଦ ବିଶ୍ୱବିଦ୍ୟାଳୟ, ମୁର୍ଶିଦାବାଦ ମେଡ଼ିକାଲ କଲେଜ, ମୁର୍ଶିଦାବାଦ ଇନଷ୍ଟିଟିଉଟ ଅଫ ଟେକନୋଲଜି ଇତ୍ୟାଦି ସହରକୁ ଶିକ୍ଷାକେନ୍ଦ୍ର ଭାବେ ଗଢ଼ି ତୋଳିଥାଏ । ଲେଖିକା ମହାଶ୍ୱେତା ଦେବୀ, ପ୍ରଚ୍ଛଦପଟ୍ଟ ଗାୟିକା ଶ୍ରେୟା ଘୋଷାଲ ଓ ରାଜନୀତିଜ୍ଞ ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖ ମୁର୍ଶିଦାବାଦ ବେରହମପୋର ବାସିନ୍ଦା । ବେରହମପୋରର ପୋଷ୍ଟାଲ ପିନ କୋଡ଼ ୭୪୨୧୦୧ ଓ ଏସଟିଡ଼ି କୋଡ଼ ୩୪୮୨ । ବେରହମପୋର ନାମରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି ।
 
ମୁର୍ଶିଦାବାଦ ଜିଲ୍ଲାରେ ବ୍ରିଟିସ, ଫ୍ରେଞ୍ଚ, ଡଚ ଓ ପର୍ତ୍ତୁଗୀଜ ସେନାବାହିନୀର ଉପସ୍ଥିତି କାଳରେ ନିର୍ମିତ କେତେକ ପୁରାତନ କୋଠାବାଡ଼ି ରହିଛି । ପର୍ଯ୍ୟଟକମାନେ ଏସବୁ ଦେଖିବାଲାଗି ବେରହମପୋର ଯାଇଥାନ୍ତି । ବ୍ରହ୍ମପୁର (ଇଂଲିଶ ବନାନରେ-ବେରମପୁର) ସହ ବେରହମପୋର ସାମଞ୍ଜସ୍ୟ ହେତୁ ଠିକଣାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥାଏ । ତେଣୁ ବେରମପୁର ସହ ଗଞ୍ଜାମ ଜିଲ୍ଲା ବା ଓଡ଼ିଶା ଏବଂ ବେରହମପୋର ସହ ମୁର୍ଶିଦାବାଦ ଜିଲ୍ଲା ବା ପଶ୍ଚିମ ବଙ୍ଗ ଉଲ୍ଲେଖ କରାଯାଏ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୯ ଜାନୁୟାରୀ ୨୦୨୨ / ପୃଷ୍ଠା :

Photo from : https://murshidabad.gov.in/gallery/tourist-places/#



No comments:

Post a Comment