Friday, February 18, 2022

Hara-prasad Paricha-patnaik / ହରପ୍ରସାଦ ପରିଚ୍ଛାପଟ୍ଟନାୟକ

 


ବିଂଶ ଶତାଦ୍ଦୀ ସପ୍ତମ ଦଶକ ପୁରୋଭାଗରେ ବ୍ରହ୍ମପୁର ସହରର ସାମୟିକ ପତ୍ରିକା ଆନ୍ଦୋଳନରେ ହର ପ୍ରସାଦ ପରିଚ୍ଛାପଟ୍ଟନାୟକ ସାମିଲ ହୋଇଥିଲେ । ସେ ‘ପ୍ରବିଟାସ’ ନାମକ ଇଂଲିଶ ପତ୍ରିକାର କେତୋଟି ସଂଖ୍ୟା ପ୍ରକାଶ କରିଥିଲେ । ଏହା ବ୍ରହ୍ମପୁର ପାର୍କ ଷ୍ଟ୍ରୀଟସ୍ଥିତ ଅରୁଣ ପ୍ରିଣ୍ଟିଂ ପ୍ରେସରେ ମୁଦ୍ରିତ ହେଉଥିଲା । ହରପ୍ରସାଦ ବ୍ରହ୍ମପୁରରେ ସ୍ଥାୟୀଭାବେ ବସବାସ କରିନଥିଲେ ମଧ୍ୟ ତାଙ୍କ ପରିବାରବର୍ଗ ସହରର ବାସିନ୍ଦା ଥିବା ଏବଂ ପତ୍ରିକା ମୁଦ୍ରଣ କାର୍ଯ୍ୟ ହେତୁ ଦୀର୍ଘ ସମୟ ସ୍ଥାନୀୟ ସାହିତ୍ୟକଙ୍କ ଗହଣରେ କାଟିଥିଲେ । ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ପ୍ରାୟ ମାସେକାଳ ଚ଼ିକିତ୍ସାଧିନ ରହିବାପରେ ୧୫ ଫେବୃୟାରୀ ୨୦୨୨ରେ ତାଙ୍କରି ପରଲୋକ ଘଟିଥିଲା ।
 
ବ୍ରହ୍ମପୁରରେ ଷଷ୍ଠ ଦଶକ ଶେଷ ପାଦରେ ‘କଳିଙ୍ଗ ସାହିତ୍ୟ ସମାଜ’ ଗଠିତ ହୋଇଥିଲା । ଏହାର ସ୍ଥାୟୀ ଠିକଣା ‘ଉତ୍କଳ ଆଶ୍ରମ’ରେ ଏକ ପାଠାଗାର ପ୍ରତ୍ୟେହ ସଂଧ୍ୟାରେ ଖୋଲୁଥିଲା ଏବଂ ସହରର ସାହିତ୍ୟ ଅନୁରାଗୀମାନଙ୍କ ମେଳନ ଜମୁଥିଲା । ବ୍ରହ୍ମପୁରରେ ଉପସ୍ଥିତି କାଳରେ ହରପ୍ରସାଦଙ୍କ ସେଠି ଦେଖା ମିଳୁଥିଲା । ଅନ୍ୟ ଏକ ସାହିତ୍ୟ ଆଡ୍ଡା ଥିଲା ଖଲ୍ଲିକୋଟ ମହାବିଦ୍ୟାଳୟର ସ୍ନାତକୋତ୍ତର ଇଂଲିଶ ବିଭାଗ । ସେଠି ପ୍ରଫୁଲ୍ଲ କୁମାର ମହାନ୍ତି, ଶରତ ଶତପଥି, ସତ୍ୟ ମିଶ୍ର ପ୍ରମୁଖ ଶିକ୍ଷକଙ୍କ ସମେତ ଉଭୟ ସ୍ନାତକ ଓ ସ୍ନାତକୋତ୍ତରସ୍ତରରେ ରମେଶ ପଟ୍ଟନାୟକଙ୍କ ଭଳି କେତକ ଛାତ୍ରଛାତ୍ରୀ ଓଡ଼ିଆ ସାହିତ୍ୟ ଚର୍ଚ୍ଚାରେ ମସଗୁଲ ରହୁଥିଲେ । ବିଭାଗର ପାଠଚକ୍ର ଗ୍ରନ୍ଥାଗାର ଅଧିକାଂଶ ଦିନ ସଂନ୍ଧ୍ୟା ଓ ଛୁଟି ଦିନମାନଙ୍କରେ ମଧ୍ୟ ଖୋଲୁଥିଲା । ହରପ୍ରସାଦ ସେଠି ପହଞ୍ଚୁଥିଲେ ।
 
‘ପ୍ରବିଟସ’ ମାତ୍ର ଦୁଇ ତିନିଗୋଟି ସଂଖ୍ୟା ପ୍ରକାଶ ପାଇ ବନ୍ଦ ହୋଇଯାଇଥିଲା । ଅବଶ୍ୟ ସେ ସମୟର ସବୁ ସାମୟିକ ପତ୍ରିକାର ଦଶା ସେୟା । ଚାନ୍ଦା-ଭେଦାରେ ପତ୍ରିକାଟିର କେତେଗୋଟି ସଂଖ୍ୟା ପ୍ରକାଶିତ ହୁଏ, ପୁଞ୍ଜି ସରିଗରେ ପ୍ରକାଶନ ବନ୍ଦ ହୋଇଯାଏ । ହରପ୍ରସାଦ ୧୯୭୫ରେ ସରକାରୀ ମହାବିଦ୍ୟାଳୟରେ ଇଂଲିଶ ଅଧ୍ୟାପକଭାବେ ଅବସ୍ଥାପିତ ହୋଇ ବ୍ରହ୍ମପୁର ବାହାରରେ ହିଁ ରହିଥିଲେ । ‘ପ୍ରବିଟସ’ ପ୍ରକାଶନ କାଳରେ ସାହିତ୍ୟରେ ରୁଚି ରଖୁଥିବା କେତେକ ବରିଷ୍ଠ ପ୍ରଶାସକଙ୍କ ସଂସ୍ପର୍ଶରେ ଆସିଥିଲେ । ସେହି ସଂପର୍କ ଜୀବନବ୍ୟାପୀ ବଳବତ୍ତର ରହିଥିଲା ।
 
ଯୁବାବସ୍ଥାରେ ସାହିତ୍ୟ ସଂଗଠନ ଅନୁଭୂତି ବୃତ୍ତିଗତ ଜୀବନରେ ସେ ଇଂଲିଶ ଶିକ୍ଷକଭାବେ କାର୍ଯ୍ୟରତ ଥିଲେ ହେଁ ସରକାରୀସ୍ତରରେ ସାହିତ୍ୟ ସଂଗଠନଗୁଡ଼ିକରେ ଅବସ୍ଥାପିତ ହେବାକୁ ପସନ୍ଦ କରିଥିଲେ । ସେ ଦୁଇ ପର୍ଯ୍ୟାୟରେ ଓଡ଼ିଆ ସାହିତ୍ୟ ଏକାଡ଼େମୀର ସଚିବ ଏବଂ ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ସଂସ୍ଥାର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ ।
 
ଏକାଡ଼େମୀର ମୁଖପତ୍ର ‘କୋଣାର୍କ’ ସହ ନିଜସ୍ୱ ଉଦ୍ୟମରେ ପ୍ରକାଶିତ ‘ଆବର୍ତ୍ତ’ ଏବଂ ‘ଭେର୍ଟେକ୍ସ’ ନାମରେ ଇଂଲିଶ ସାହିତ୍ୟ ପତ୍ରିକା ସମ୍ପାଦନାରେ ସଂପୃକ୍ତ ରହିଥିଲେ । ଦୈନିକ ‘ସମ୍ୱାଦ’ ପ୍ରକାଶନୀର ସହଯୋଗୀ ଇଂଲିଶ ଦୈନିକ ‘ସନ ଟାଇମ୍ସ’ ପ୍ରକାଶନ ସମୟରେ ମୁଖ୍ୟତଃ ସାହିତ୍ୟ ପୃଷ୍ଠା ସଂଯୋଜନା ଦାୟିତ୍ୱ ନିର୍ବାହ କରିଥିଲେ । ସରକାରୀ ଚାକିରୀରୁ ଅବସର ଗ୍ରହଣ ପରେ ‘ସର୍ବସାଧାରଣ’ ଦୈନିକ ସମ୍ୱାଦପତ୍ରର ସମ୍ପାଦକ ରୂପେ ଜୀବନର ଶେଷଯାଏଁ କାର୍ଯ୍ୟରତ ଥିଲେ ।
 
ସାହିତ୍ୟ ସଂଗଠନ, ପତ୍ରିକା ସମ୍ପାଦନା ସହ ହରପ୍ରସାଦ ଆଧୁନିକ ଓଡ଼ିଆ କବି ଭାବେ ଖ୍ୟାତ । ତାଙ୍କରି ପ୍ରକାଶିତ ୨୦ ଗୋଟି ପୁସ୍ତକ ମଧ୍ୟରେ ନଅ ଗୋଟି କବିତା ସଂଙ୍କଳନ ଅନ୍ତର୍ଭୁକ୍ତ । ସେ ‘ନଷ୍ଟ ହୋଇଯିବାର ମୋହ’ କବିତା ସଂକଳନ ନିମନ୍ତେ ୨୦୧୨ରେ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ । ସମସାମୟିକ ଓଡ଼ିଆ କବିତା ଓ ଗଳ୍ପର ଇଂଲିଶ ଅନୁବାଦ କରି ମଧ୍ୟ ପ୍ରକାଶ କରିଥିଲେ ।
 
ହରପ୍ରସାଦ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରି ବୃତ୍ତିଗତ, ପାରିବାରିକ ଓ ସାମାଜିକସ୍ତରରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇପାରିଥିଲେ । ତାଙ୍କରି ପତ୍ନୀ ଜଣେ ଅଧ୍ୟାପିକା ଓ ଦୁଇ ପୁଅ ଆମେରିକାରେ କର୍ମରତ । ତେବେ କାବ୍ୟ ମାନସରେ ହରପ୍ରସାଦ ଶୂନ୍ୟତାବୋଧକୁ ହିଁ ଆବୋରି ବସିଥିଲେ । ପ୍ରଥମ କବିତା ସଂକଳନ ‘ଏକା ଏକା ସନ୍ୟାସୀ’ (୧୯୮୧)ରୁ ଆରମ୍ଭ କରି ୨୦୨୦ ମହାମାରୀ କାଳରେ ‘ଫେସବୁକ’ ମଞ୍ଚରେ ତାଙ୍କରି ପୋଷ୍ଟଗୁଡ଼ିକ ଏକାକୀତ୍ୱ, ଅସଜଡ଼ା ସଂପର୍କ ଓ ନିରାଶବାଦ ପ୍ରସ୍ପୁଟିତ । ହରପ୍ରସାଦ ୧୯୫୩ରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୬୯ ବର୍ଷ ବୟସରେ ମହାମାରୀରେ ଚାଲିଗଲେ । ତାଙ୍କରି ସୁଦୃଢ ଲୋକସଂପର୍କ ବ୍ରହ୍ମପୁରର ବରିଷ୍ଠ ସାହିତ୍ୟିକ ଗୋଷ୍ଠୀକୁ ଦୀର୍ଘକାଳ ଯାଏଁ ମର୍ମାହତ କରିବ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୯ ଫେବୃୟାରୀ ୨୦୨୨/ ପୃଷ୍ଠା :୮)

Photo by Christina Deravedisian on Unsplash 


1 comment:

  1. Nice obituary reference to Hara Prasad and his literary association with Berhampur in the 1970s. Congratulations Pradeep, my friend, who was behind several literary movements of his time!

    ReplyDelete