Friday, February 25, 2022

Debi Patnaik / ଦେବୀ ପଟ୍ଟନାୟକ

 

#ବ୍ରହ୍ମପୁର ସାହିତ୍ୟ ପରିସରରେ ସକ୍ରିୟ କେତେକ ଲେଖକ-ସଂଗଠକଙ୍କ ମହାମାରୀ କାଳରେ ପରଲୋକ ପରେ ମୋବାଇଲ ଫୋନ କଣ୍ଟାକ୍ଟ-ଲିଷ୍ଟରୁ ସେମାନଙ୍କ ନାମ ହଟାଇବା ଆଗରୁ ଆଉ ଜଣେ ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ନିଧନ ଏକ ଦାରୁଣ ଆଘାତ । ବ୍ରହ୍ମପୁରରେ ଓଡ଼ିଆ ଭାଷା, ସାହିତ୍ୟ, ସଂଗୀତ, ନୃତ୍ୟ ଓ ନାଟକ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କ୍ଷେତ୍ରରେ ଉତ୍କଳ ଆଶ୍ରମ ସ୍ଥାୟୀ ଠିକଣା । ଦେବୀ ପଟ୍ଟନାୟକ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କଳିଙ୍ଗ ସାହିତ୍ୟ ସମାଜ ସଂଗଠନରେ ସକ୍ରିୟ ରହିବା ପରେ ଗଞ୍ଜାମ କଳା ପରିଷଦ ଓ ଉତ୍କଳ ଆଶ୍ରମ ଟ୍ରଷ୍ଟର ମଧ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଶିକ୍ଷକତାରୁ ଅବ୍ୟାହତି ପରେ ଅବସର ଜୀବନଟି ପୂର୍ଣ୍ଣପ୍ରାଣରେ ଏହି ତିନି ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପ୍ରସାରିତ କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଅବସର ଗ୍ରହଣର ମାତ୍ର ଦୁଇ ବର୍ଷ ମଧ୍ୟରେ ସଂସାରରୁ ବିଦାୟ ନେବେ ବୋଲି କିଏ ଜାଣିଥିଲା ? ଚ଼ିକିତ୍ସାଧୀନ ଅବସ୍ଥାରେ ହାଇଦରାବଦଠାରେ ୧୯ ଫେବୃୟାରୀ ୨୦୨୨ ପ୍ରଭାତରେ ଦେହାନ୍ତ ଘଟିଥିଲା । ତାଙ୍କରି ଅନୁପସ୍ଥିତିରେ ସହରରେ ସାଂସ୍କୃତିକ ଜାଗରଣ କ୍ଷେତ୍ରରେ କିଛିକାଳ ଶୂନ୍ୟ ସ୍ଥାନ ଅନୁଭୂତ ହେବ ।

 

ଦେବୀ ପଟ୍ଟନାୟକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ୧୯୮୧ରେ ମାଷ୍ଟରର୍ସ ଡ଼ିଗ୍ରୀ ଶେଷ କରି ଦୁଇ ବର୍ଷପରେ ୧୯୮୩ରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇ ୨୦୨୦ରେ ଅବସର ଗ୍ରହଣ କଲାଯାଏଁ ୩୬ ବର୍ଷ ଭଞ୍ଜବିହାରର ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକରେ ବୃତ୍ତିଗତସ୍ତରରେ ସଂପୃକ୍ତ ରହିଆସିଥିଲେ । ତେବେ ପ୍ରବୃତ୍ତିଗତ ଭାବେ ବ୍ରହ୍ମପୁରରେ ସାହିତ୍ୟ ସଂଗଠନରେ ମଧ୍ୟ ନିରବିଚ୍ଛିନ୍ନଭାବେ  ତିନି ଦଶକ ଧରି ସକ୍ରିୟ ରହିଥିଲେ । କଳିଙ୍ଗ ସାହିତ୍ୟ ସମାଜରେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ତାଙ୍କରି ଯୋଗଦାନ ଅନୁଷ୍ଠାନର ନେତୃତ୍ୱ କ୍ଷେତ୍ରରେ ଦେଖା ଦେଇଥିବା ଶୂନ୍ୟସ୍ଥାନ ପୂରଣ କରିଥିଲା ଏକ ପକ୍ଷରେ ପୂର୍ବରୁ ଅନୁଷ୍ଠାନର ସାଂଗଠନିକ କାର୍ଯ୍ୟରେ ଯୋଗଦାନ କରିଥିବା ନେତୃବର୍ଗ କିଛି କିଛିକାଳ କାର୍ଯ୍ୟ କରିବାପରେ ଅପସରି ଯାଇଥିବା ସ୍ଥଳେ ସଭାପତି ବସନ୍ତ କୁମାର ପାଣିଗ୍ରାହୀ ଏକାକୀ ହୋଇପଡ଼ିଥିଲେ । ଅପରପକ୍ଷରେ ୧୯୯୯ ମହାବାତ୍ୟା ଉତ୍କଳ ଆଶ୍ରମ ଓ କବିସୂର୍ଯ୍ୟ ରଙ୍ଗମଞ୍ଚ କୋଠାବାଡ଼ିର ପ୍ରଭୂତ କ୍ଷତି ପହୁଞ୍ଚାଇଥିଲା । ଉତ୍କଳ ଆଶ୍ରମ ଉପର ମହଲାରେ ଅବସ୍ଥିତ କଳିଙ୍ଗ ସାହିତ୍ୟ ସମାଜ କାର୍ଯ୍ୟାଳୟର ଛାତ ସହ ସମସ୍ତ ଆସବାବପତ୍ର ଉଡ଼ି ଯାଇଥିଲା । ଏଥିପୂର୍ବ ବାତ୍ୟାରେ ଅନୁରୂପ କ୍ଷୟକ୍ଷତି ତତ୍ କାଳୀନ ସଂପାଦକ ଦେବରାଜ ସାହୁ ସଜାଡ଼ିବା ଦାୟିତ୍ୱ ଗ୍ରହଣ କରିଥିଲେ । ମହାବାତ୍ୟା ପରେ ପ୍ରାୟ ଏକ ଭଗ୍ନ ସ୍ତୁପରୁ କଳିଙ୍ଗ ସାହିତ୍ୟ ସମାଜ ପୁଣି ଗଢ଼ିବାରେ ଦେବୀ ପଟ୍ଟନାୟକ ଓ ତାଙ୍କରି ଅନ୍ତରଙ୍ଗ ଛାତ୍ରଗୋଷ୍ଠୀଙ୍କ ଉଦ୍ୟମ ସର୍ବଜନବିଦିତ ।

 

ଦେବୀ ପଟ୍ଟନାୟକଙ୍କ ସାହିତ୍ୟ ସଂଗଠନ ସମକାଳୀନ ପ୍ରବାହରେ ପରିଚାଳିତ ହେଉଥିଲା । ଏହା ତାଙ୍କରି ପୂର୍ବ ପୀଢ଼ିର କଠୋରପନ୍ଥୀଙ୍କ ମନମୁତାବକ ନହୋଇ ପାରୁନଥିଲେହେଁ ସେମାନେ ନିଜେ ସାଂଗଠନିକ କ୍ଷେତ୍ରରୁ ଅପସରି ଯାଇଥିବା ଏବଂ ବିକଳ୍ପ ଅଭାବ ହେତୁ ସମର୍ଥନ ଜଣାଉଥିଲେ । ଦେବୀ ଓ ତାଙ୍କରି ସହକର୍ମ୍ମୀଙ୍କ ନମ୍ର ସ୍ୱଭାବ ଓ ସତୀର୍ଥଙ୍କୁ ସମ୍ମାନ ଦୁଇ ଦଶନ୍ଧି ଧରି ସଫଳତାର ଅନ୍ୟତମ କାରଣ । ଦେବୀ ପଟ୍ଟନାୟକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସୂତ୍ରରେ ସମଗ୍ର ଦକ୍ଷିଣ ଓଡ଼ିଶା ଓ ରାଜ୍ୟସ୍ତରୀୟ ସାହିତ୍ୟ ଅନୁଷ୍ଠାନଗୁଡ଼ିକ ସଂସ୍ପର୍ଶରେ ଆସୁଥିବା ହେତୁ ତାଙ୍କରି ସାଂଗଠନିକ ଜୀବନ ପରିବ୍ୟାପ୍ତ ହୋଇପାରିଥିଲା । ବିଡ଼ମ୍ୱନାର ବିଷୟ ସବୁ ପ୍ରଚେଷ୍ଟା, ଅଭିଜ୍ଞତା ଓ ସମ୍ଭାବନା ମାତ୍ର ବର୍ଷକର ସ୍ୱାସ୍ଥ୍ୟାବସ୍ଥା ଅବନତିରେ ଉଭେଇ ଗଲା !

 

ଦେବୀ ପଟ୍ଟନାୟକ ସାହିତ୍ୟ ଅଧ୍ୟୟନର ପ୍ରାକ୍-କାଳରେ ଆଧୁନିକତା ପ୍ରତି ବିମୋହିତ ହୋଇ ପଡ଼ିଥିଲେ । ତାଙ୍କରି ପିଏଚଡ଼ି ନିବନ୍ଧର ଶୀର୍ଷକ ଥିଲା ଉତ୍ତର ଶତକର ନିଃସଙ୍ଗ ଅଭିମନ୍ୟୂ : ଓଡ଼ିଆ ଉପନ୍ୟାସରେ ନାୟକ ପରିକଳ୍ପନାତାଙ୍କରି ଗବେଷଣା ତତ୍ତ୍ୱାବଧାରକ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ନିଜ ବିଦ୍ୟାର୍ଥୀମାନଙ୍କୁ ବିଷୟ ନିର୍ବାଚନଠାରୁ ଆରମ୍ଭ କରି ଅଧ୍ୟୟନର ଆଙ୍ଗିକ, ଶୈଳୀ ଓ ଭାଷା ସମସ୍ତକ୍ଷେତ୍ରରେ ପରୀକ୍ଷା ନିରୀକ୍ଷା କରିବା ନିମନ୍ତେ ଉଦାର ଚିତ୍ତରେ ଅନୁମତି ପ୍ରଦାନ କରୁଥିଲେ । ଦେବୀ ପଟ୍ଟନାୟକଙ୍କ ଅନ୍ୟ ଏକ ପ୍ରକାଶିତ ପୁସ୍ତକର ଶୀର୍ଷକ ବିପୁଳାଚ ପୃଥ୍ୱୀ, ବିଡମ୍ୱିତ ଭାଗ୍ୟମହାମାରୀ-ପର ପରିବେଶରେ ଯୋଗାଯୋଗ କ୍ଷେତ୍ରରେ ବୈଷୟିକ ପ୍ରଗତି, ଉପଭୋକ୍ତାଙ୍କ ଆଚ଼ରଣ ପରିବର୍ତ୍ତନ ଓ ପ୍ରତିବେଶୀ ଭାଷା-ସାହିତ୍ୟ-ସଂସ୍କୃତି ସହ ପ୍ରତିଯୋଗିତାରେ ଓଡ଼ିଆ ଭାଷା ଓ ସାହିତ୍ୟ ଏକ ସଂକଟଜନକ ପରିସ୍ଥିତିର ଦ୍ୱାର ଦେଶରେ ଦଣ୍ଡାୟମାନ । ବ୍ରହ୍ମପୁର, ଗଞ୍ଜାମ ଓ ଦକ୍ଷିଣ ଓଡ଼ିଶାରେ ଏଦିଗରେ ନେତୃତ୍ୱ ନେବା ନିମନ୍ତେ କଳିଙ୍ଗ ସାହିତ୍ୟ ସମାଜରେ ଦେବୀ ପଟ୍ଟନାୟକଙ୍କ ଅନୁପସ୍ଥିତ ବହୁ ସମୟ ଯାଏଁ ସ୍ପଷ୍ଟ ବାରି ହେବ ।


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୬ ଫେବୃୟାରୀ ୨୦୨୨/ ପୃଷ୍ଠା :୮)


Photo by Aron Visuals on Unsplash 


No comments:

Post a Comment