Friday, February 4, 2022

Hot by day, Cold by night / ଦିନରେ ଗରମ, ରାତିରେ ଥଣ୍ଡା

 

ଜଳବାୟୁ ବିଜ୍ଞାନୀଙ୍କ ପୂର୍ବାନୁମାନରେ #ବ୍ରହ୍ମପୁର ସହରରେ ୨୦୨୨ ଫେବୃୟାରୀ ମାସରେ ଦିନରେ ଗରମ ସହ ରାତିର ଥଣ୍ଡା ଅନୁଭବ ସମ୍ଭାବନା ଅଧିକ । ଅବଶ୍ୟ ଏହା ରାଜ୍ୟବ୍ୟପୀ ଆକଳନର ଅଂଶବିଶେଷ । ବ୍ରହ୍ମପୁରରେ କୁମାର ପୂର୍ଣ୍ଣିମା ରାତିରେ ଶୀତର ପ୍ରଥମ ସ୍ପର୍ଶ ଅନୁଭୂତ ହୋଇ ଶିବରାତ୍ରୀରେ ଶେଷ ହୋଇଥାଏ । ଚଳିତ ଋତୁଚ଼କ୍ରରେ ୨୦ ଅକ୍ଟୋବର ୨୦୨୧ରେ କୁମାର ପୂର୍ଣ୍ଣିମା ପାଳିତ ହୋଇଥିବା ସ୍ଥଳେ ମାର୍ଚ୍ଚ ପହିଲା ୨୦୨୨ରେ ଶିବରାତ୍ରୀ ତିଥି ନିର୍ଦ୍ଧାରିତ । ଅର୍ଥାତ, ସାଧାରଣ ବିଚାରରେ ମାର୍ଚ୍ଚ ପହିଲା ଯାଏଁ ଶୀତ ଅନୁଭବ ବଳବତ୍ତର ରହିବା କଥା ।
 
ଓଡ଼ିଶାରେ ମୁଖ୍ୟତଃ ଡ଼ିସେମ୍ୱର ଓ ଜାନୁୟାରୀ ଦୁଇ ମାସରେ ଶୀତ ଅନୁଭୂତ ହୋଇଥାଏ । ହିସାବ ଅନୁଯାୟୀ ଚଳିତ ଶୀତଋତୁରେ ଖୁବ କମ ଦିନ ଥଣ୍ଡା ପଡ଼ିଥିଲା । ଡ଼ିସେମ୍ୱର ମାସ ମଧ୍ୟଭାଗ ଯାଏଁ ବ୍ରହ୍ମପୁର ଭଳି କେତେକ ଅଞ୍ଚଳରେ ଶୀତର ପ୍ରକୋପ ଆରମ୍ଭ ହୋଇ ନଥିଲା । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଡ଼ିସେମ୍ୱରରେ ପାଞ୍ଚ ରାତି ଏବଂ ଜାନୁୟାରୀରେ ପାଞ୍ଚ ରାତି ଶୀତ ଅନୁଭବ ଲକ୍ଷ୍ୟ କରାଯାଇଥିଲା । ଅର୍ଥାତ, ୨୦୨୧-୨୨ର ଶୀତଋତୁରେ ରାଜ୍ୟସ୍ତରରେ ହାରାହାରି ମାତ୍ର ଦଶଗୋଟି ଶୀତରାତିରେ ସୀମିତ ରହିଥିଲା ।
 
ବିଶେଷଜ୍ଞମାନଙ୍କ ସୂଚ଼ନା ପ୍ରକାରେ ଡ଼ିସେମ୍ୱର ମାସରେ ୧୬ ଗୋଟି ରାତିରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ଓ ଜାନୁୟାରୀ ମାସରେ ୧୧ ଗୋଟି ରାତିରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରେକର୍ଡ଼ କରାଯାଇଥିଲା । ଫେବୃୟାରୀ ମାସରେ ତାପମାତ୍ରା ହ୍ରାସ ଅର୍ଥାତ ଥଣ୍ଡା ବଢ଼ିବା ସମ୍ଭାବନା କମ । ଏହି ପୂର୍ବାନୁମାନ ଭାରତୀୟ ଜଳବାୟୁ ବିଭାଗ ନିଜ ଲଙ୍ଗ ରେଞ୍ଜ ଫୋରକାଷ୍ଟରେ ଦର୍ଶାଇଥିବା ଗଣମାଧ୍ୟମରେ ପ୍ରକାଶିତ ।
 
ପଶ୍ଚିମା ଝଡ଼ ବା ୱେଷ୍ଟର୍ଣ୍ଣ ଡ଼ିଷ୍ଟରବାନ୍ସେସ ପ୍ରଭାବରେ ଓଡ଼ିଶାରେ ୨୦୨୧-୨୨ ଶୀତ ଋତୁରେ ବାରମ୍ୱାର ବର୍ଷା ସମ୍ନା କରିବାକୁ ପଡ଼ିଥିଲା । ଏହା ଅଦିନିଆ ବର୍ଷା ପର୍ଯ୍ୟାୟଭୁକ୍ତ ହେଲେ ହେଁ ବ୍ରହ୍ମପୁରରେ କିଛି ବର୍ଷ ଅନ୍ତରରେ ଶୀତଦିନେ ଲଗାଣ ବର୍ଷା ପ୍ରାୟତଃ ଦେଖାଦିଏ । ମହାମାରୀ-ପୂର୍ବାବସ୍ଥାରେ ସାଧାରଣତଃ ଡ଼ିସେମ୍ୱର-ଜାନୁୟାରୀ ମାସରେ ବ୍ରହ୍ମପୁରରେ ନିର୍ମଳ ଆକାଶ ଆଶା କରାଯାଇ ବାହ୍ୟ ଉତ୍ସବାନୁଷ୍ଠାନ ଆଉଟଡ଼ୋର-ଇଭେଣ୍ଟମାନ ଆୟୋଜନ କରାଯାଇଥାଏ । କିନ୍ତୁ ବର୍ଷା ଆସିଲେ ଉଦ୍ୟମ ଫସର ଫାଟିଥାଏ ।
 
ୱେଷ୍ଟର୍ଣ୍ଣ ଡ଼ିଷ୍ଟରବାନ୍ସେସ ଭାରତର ପଶ୍ଚିମ ଦିଗରେ ଅବସ୍ଥିତ ମେଡ଼ିଟେରିଆନ ଅଞ୍ଚଳରୁ ସୃଷ୍ଟି ହୋଇ ଭାରତ ଆଡ଼କୁ ମୁହାଁଏ । ମୁଖ୍ୟତଃ ୟୁକ୍ରେନ ଓ ପଡ଼ୋଶୀ ଅଞ୍ଚଳରେ ମେରୁ ବାହିତ ଥଣ୍ଡା ପବନ ଅପେକ୍ଷାକୃତ ଗରମ ଓ ଆଦ୍ର ଜଳବାୟୁ ସନ୍ଧାନରେ ଉତ୍ତର ଭାରତରେ ପହଞ୍ଚି ବର୍ଷା କରାଏ । ଏହି ଜଳବାୟୁ ଓଡ଼ିଶା ସମେତ ପୂର୍ବଭାରତ, ବାଂଲାଦେଶର ଉତ୍ତରାଞ୍ଚଳ ଓ ନେପାଳର ଦକ୍ଷିଣ-ପୂର୍ବାଞ୍ଚଳରେ ମଧ୍ୟ ଅନୁଭୂତ ହୁଏ । ଅଣ-ମୌସୁମୀ ବର୍ଷା ଦ୍ୱାରା ଉତ୍ତର ଭାରତରେ ଗହମ ଚାଷ ସାଙ୍ଗକୁ ପୂର୍ବଭାରତରେ ରବି ଫସଲ ପ୍ରଭାବିତ ହୋଇଥାଏ ।
 
ୱେଷ୍ଟର୍ଣ୍ଣ ଡ଼ିଷ୍ଟରବାନ୍ସେସ ବ୍ରହ୍ମପୁରରେ ଶୀତ ଲହରି ଓ ଘନ କୁହୁଡ଼ିର କାରଣ । ଆଫଗାନସ୍ଥାନ, ପାକିସ୍ଥାନ ଓ ଉତ୍ତର-ଭାରତ ମଧ୍ୟ ଦେଇ ଏଠାରେ ପହଞ୍ଚିଲା ବେଳେ ପ୍ରାୟତଃ ଦୁର୍ବଳସେହି କାରଣରୁ ଶୀତ ଲହରି ପ୍ରଭାବ ଉତ୍ତର-ଭାରତର ବିଭିନ୍ନ ସହର ତୁଳନାରେ ବ୍ରହ୍ମପୁରରେ କ୍ଷୀଣ । ଶୀତ ଦିନେ ବ୍ରହ୍ମପୁରବାସୀ କାଁ ଭାଁ ଶୀତବସ୍ତ୍ର ପରିଧାନ କରନ୍ତି । ବିଗତ ଦୁଇ ବର୍ଷ ଧରି ମହାମାରୀଜନିତ ରାତି କଫ୍ୟୁ ଯୋଗୁଁ ଜନସାଧାରଣଙ୍କ ଚଳପ୍ରଚଳ ପ୍ରାୟ ବନ୍ଦ ରହିଥିବା ହେତୁ ତାହା ବି କମି ଯାଇଛି ।
 
ବ୍ରହ୍ମପୁରରେ ଶୀତ ଋତୁ ଶେଷ ପାଦରେ ଶ୍ରୀପଞ୍ଚମୀ ଅନ୍ୟତମ । ଶ୍ରୀପଞ୍ଚମୀରେ ଦିନରେ ଗରମ, ରାତିରେ ଥଣ୍ଡା ବେଶ ଅନୁଭୂତ ହୁଏ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୫ ଫେବୃୟାରୀ ୨୦୨୨ / ପୃଷ୍ଠା :୮)

No comments:

Post a Comment