Friday, April 1, 2022

Neelakantha Bhawan / ନୀଳକଣ୍ଠ ଭବନ

 

ଅତୀତରେ ସିନେମା ସାଙ୍ଗକୁ ସାମୟିକଭାବେ ଥିଏଟର ମଧ୍ୟ #ବ୍ରହ୍ମପୁର ସାନ୍ଧ୍ୟ ମନୋରଞ୍ଜନରେ ସାମିଲ ହେଉଥିଲା । ଅଧୂନା ପୁରୁଣାବସଷ୍ଟାଣ୍ଡ ସଂଲଗ୍ନ ସିଟି ମଲ ସାମ୍ନାରେ ନୀଳକଣ୍ଠ ଭବନ ନାମିତ ଏକ ଛୋଟ ପ୍ରେକ୍ଷାଳୟ ଚାଲୁଥିଲା । ଏଥିରେ ଦେଢ଼ରୁ ଅଢ଼େଇ ଶହ ଦର୍ଶକଙ୍କ ବସିବା ବ୍ୟବସ୍ଥା ଥିଲା । ଓଡ଼ିଶାରେ ଅନ୍ନପୂର୍ଣ୍ଣା ଥିଏଟର ଗୃପ ଖ୍ୟାତି ଲାଭ କରିଥାଏ । ସମୟକ୍ରମେ ତାହା ଦୁଇଭାଗରେ ବିଭକ୍ତ ହୋଇ ଗୋଟିଏ ଗୃପ ସ୍ଥାୟୀଭାବେ ପୁରୀ ବଡ଼ଦାଣ୍ଡରେ ବର୍ଷସାରା ନାଟକ ପରିବେଷଣ କରୁଥିବା ସ୍ଥଳେ ଅନ୍ୟ ଏକ ଗୃପ ରାଜ୍ୟର ବିଭିନ୍ନ ସହରକୁ ଯାତ୍ରାକରି ନାଟକ ପରିବେଷଣ କରୁଥିଲେ । ବିଗତ ଶତାଦ୍ଦୀର ଷଷ୍ଠ ଓ ସପ୍ତମ ଦଶକରେ ଅନ୍ନପୂର୍ଣ୍ଣା ବି ଗୃପ ବ୍ରହ୍ମପୁର ନୀଳକଣ୍ଠ ଭବନରେ ବର୍ଷର କିଛି ସମୟ ପାଇଁ ଆସୁଥିଲେରାତି ସାଢ଼େ ସାତରୁ ସାଢ଼େ ଦଶ ଯାଏଁ ନାଟକ ଚାଲେ । ସନ୍ଧ୍ୟାରୁ ନରମ ସ୍ୱରରେ ଲାଉଡ଼ସ୍ପିକରରେ ସିନେମା ଗୀତ ବଜାଯାଏ । ଟାଉନହଲରୁ ବସଷ୍ଟାଣ୍ଡ ରାସ୍ତାରେ ଯିବା ଆସିବା ବେଳେ ନୀଳକଣ୍ଠ ଭବନରେ ଥିଏଟର ଉପସ୍ଥିତି ସନ୍ଧ୍ୟାରେ ଗୀତବାଜଣାରୁ ସ୍ପଷ୍ଟ ବାରିହୁଏ ।
 
ନୀଳକଣ୍ଠ ଭବନ ସଂଲଗ୍ନ ଦୁଇ ମହଲା ବିଶିଷ୍ଟ କୋଠାରେ ଭାରତୀ ବିଳାସ ବୋଡିଂ ଓ ଲର୍ଜିଂ ହାଉସ । ଏହା ବ୍ରହ୍ମପୁର ଏକ ପୁରାତନ ହୋଟେଲ । ଉପରମହଲା ଲର୍ଜିଂରେ ଥିଏଟର କଳାକାରମାନେ ରହନ୍ତି, ତଳ ମହଲାରେ ଖିଆପିଆ କରନ୍ତି । ସେଠାରେ ଜଣେ ସ୍ଥାନୀୟ ହକର ଏକ ଛୋଟିଆ ପତ୍ରିକା ଦୋକାନ ୟୁଅର ବୁକ ସପ ସଂନ୍ଧ୍ୟାରେ ଖୋଲନ୍ତି । ବାମପନ୍ଥୀ ସାହିତ୍ୟ, ବିଶେଷକରି ସୋଭିଏତ ରୁଷର ପ୍ରପଗଣ୍ଡା ଲିଟ୍ରେଚର ମିଳୁଥିଲାସେହି ସମୟରେ କଲେଜ ପଢୁଆ ଯୁବକମାନେ ବାମପନ୍ଥୀ ଆଦର୍ଶ ପ୍ରତି ଆଗ୍ରହ ପ୍ରକାଶ କରିବା ଟ୍ରେଣ୍ଡ ଚାଲୁଥିବା ହେତୁ କେତେକ ଅନିସିନ୍ଧୁତ୍ସୁ ପତ୍ରପତ୍ରିକା କିଣିବାକୁ ସେଠି ପହଞ୍ଚନ୍ତି ଓ ଛୋଟକାଟର ଆସର ଜମେ ।
 
ନୀଳକଣ୍ଠ ଭବନରେ ଅନ୍ନପୂର୍ଣ୍ଣା ବି ଗୃପ ସାଙ୍ଗକୁ ଜନତା ଓ କଳିଙ୍ଗ ରଙ୍ଗମଞ୍ଚ, ଦିନକେତେ ସ୍ଥାନୀୟ ଉଦ୍ୟମରେ ଗଠିତ ଅନୁରୂପ ନାଟ୍ୟ ଦଳଙ୍କ ପକ୍ଷରୁ ନାଟକ ପରିବେଷିତ ହେଉଥିଲା । ସେ ସମୟରେ ଓଡ଼ିଆ ନାଟକର ଏକ ସ୍ୱତନ୍ତ୍ର ଦର୍ଶକବର୍ଗ ଥିଲେଓଡ଼ିଆ ସିନେମା ବର୍ଷରେ ଥରେ ଅଧେ ଚାଲୁଥିଲା ଏବଂ ଦକ୍ଷିଣ ଓଡ଼ିଶାର ଗାଁଗହଳିରେ ବଙ୍ଗପ୍ରଦେଶରୁ ଆଗତ ଯାତ୍ରା ସଂସ୍କୃତି ବିକଶିତ ହୋଇନଥିଲା । ଗ୍ରାମାଞ୍ଚଳରୁ ସହରରେ କାର୍ଯ୍ୟୋପଲକ୍ଷେ ପହଞ୍ଚୁଥିବା ପର୍ଯ୍ୟଟକମାନେ ବିଳମ୍ୱିତ ସଂନ୍ଧ୍ୟାରେ ପରିବେଷିତ ନାଟକ ଉପଭୋଗକୁ ପସନ୍ଦ କରୁଥିଲେ ।
 
ନୀଳକଣ୍ଠ ଭବନ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଥିଲେ ହେଁ ମୂଳ ପ୍ରେକ୍ଷାଳୟରେ ପହଞ୍ଚିବା ପାଇଁ ଏକ ଗଳିରେ କିଛି ବାଟ ଯିବାକୁ ପଡୁଥିଲା । ପ୍ରେକ୍ଷାଳୟ ସାମନାରେ ରୁଚିପୂର୍ଣ୍ଣଭାବେ ପ୍ରଶସ୍ତ ପ୍ରାଙ୍ଗଣଟିଏ ଥିଲା । ପ୍ରେକ୍ଷାଳୟର ଛାତ ଟିଣର ଚଦର ଏବଂ କେବଳ ମଞ୍ଚଟି ସିମେଣ୍ଟ ଚଟାଣ ଦର୍ଶକଙ୍କ ପାଇଁ ଫୋଲଡ଼ିଂ ଟିଣ ଚେୟାର ପଡ଼େ । ନାଟକ ପରିବେଷଣରୁ ଆୟ ସୀମତ ଥିବା ହେତୁ ଚାକଚକ୍ୟ ପ୍ରତି ଧ୍ୟାନ ନଦିଆଯାଇ ଅଭିନୟରେ ପରାକାଷ୍ଠା ପ୍ରତିପାଦନ ପାଇଁ ଚେଷ୍ଟା କରାଯାଉଥିଲା । ପ୍ରତି ଆଠ ଦଶବର୍ଷରେ ବ୍ରହ୍ମପୁରରେ ବାତ୍ୟାର ପ୍ରକୋପହେତୁ ନୀଳକଣ୍ଠ ଭବନ ଭାଙ୍ଗିଗଲେ ପୁଣି ସଜାଡ଼ିବା କଷ୍ଟସାଧ୍ୟ ହେଉଥିଲା । ଆକର୍ଷଣୀୟ ବ୍ୟବସାୟ ଅଭାବରୁ ଅନ୍ନପୂର୍ଣ୍ଣା ଭଳି ପେଷାଦାର ନାଟକ ଦଳ ଆଉ ବ୍ରହ୍ମପୁର ଆସିଲେ ନାହିଁ । କ୍ରମଶଃ ସ୍ଥାନୀୟ ଉଦ୍ୟମରେ ପ୍ରଯୋଜିତ ନାଟକ ପରିବେଷଣ ପ୍ରକାଶମ ହଲ ଓ ଟାଉନ ହଲକୁ ଘୁଞ୍ଚିଗଲା ।
 
ଗଞ୍ଜାମ କଳା ପରିଷଦର କବିସୂର୍ଯ୍ୟ ରଙ୍ଗମଞ୍ଚ ନାଟ୍ୟକଳା ବିକାଶ ପାଇଁ ଗଢ଼ି ଉଠିଥିଲେ ହେଁ ମୂଳରୁ ସେଠି ଲୋକପ୍ରିୟ ନାଟକ ପରିବେଷିତ ହୋଇ ପାରୁ ନଥିଲା । ନିର୍ମାଣଗତ ତୃଟି ଏହାର ପ୍ରମୁଖ କାରଣ । ପ୍ରେକ୍ଷାଳୟଟି ଅତି ବଡ଼ ଶବ୍ଦ ପରିଚାଳନା ଅସଂଭବ ଅତୀତରେ ଉତ୍କଳ ଆଶ୍ରମ ବ୍ୟସ୍ତବହୁଳ ଅଞ୍ଚଳରୂପେ ପରିଗଣିତ ନହେବା ଇତ୍ୟାଦି କାରଣ ମଧ୍ୟ ବାଧକ ସାଜି ଆସିଥିଲା । ନାଟକର ଦର୍ଶକ ସୀମିତ । ଆଜି କୋଲକତା, ମୁମ୍ୱାଇରେ ନିୟମିତ ପରିବେଷିତ ନାଟକଗୁଡ଼ିକର ଦର୍ଶକ ସଂଖ୍ୟା ଦେଢ଼ରୁ ଅଢ଼େଇ ଶହ ହଜାରେ ଦର୍ଶକଙ୍କ ପ୍ରସ୍ତୁତ ପ୍ରେକ୍ଷାୟଳରେ ଦେଢ଼ ଶହ ଦର୍ଶକଙ୍କୁ ନେଇ ନାଟକ ମଞ୍ଚସ୍ଥ କରିବା ଆଶ୍ୱସ୍ତିକର
 
ବ୍ରହ୍ମପୁରରେ ନାଟକ ପରିବେଷଣର ମୁଖ୍ୟ ପ୍ରତିବନ୍ଧକ ଯୁଗୋପଯୋଗୀ ମଞ୍ଚ ଅଭାବ । ନିକଟ ଅତୀତରେ ସଂସ୍କୃତି ଭବନ ନିର୍ମାଣ ତଥା ଟାଉନ ହଲ ଓ କବିସୂର୍ଯ୍ୟ ରଙ୍ଗମଞ୍ଚର ପୂନଃନିର୍ମାଣ କରାଯାଇଛି । କିନ୍ତୁ ସେଠି ଆକାଶଛୁଆଁ ଭଡ଼ା ହେତୁ ନାଟକ ପରିବେଷଣ କେବେହେଁ ସଂଭବପର ହୋଇପାରିବ ନାହିଁ । ନୀତି ନିର୍ଦ୍ଧାରକମାନଙ୍କ ସୀମିତ ଦୃଷ୍ଟିକୋଣ ସହରକୁ ଏହି ବିପର୍ଯ୍ୟୟ ମଧ୍ୟକୁ ଠେଲି ଦେଇଛି ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୬ ମାର୍ଚ୍ଚ ୨୦୨୨/ ପୃଷ୍ଠା :୮)

Photo by Rob Laughter on Unsplash 


No comments:

Post a Comment