Saturday, June 18, 2022

Garbage Processing Project / ଆବର୍ଜନା ପ୍ରକ୍ରିୟାକରଣ ପ୍ରକଳ୍ପ


 #ବ୍ରହ୍ମପୁର ସହରରେ ସ୍ୱଚ୍ଛ ପରିବେଶ ସୃଷ୍ଟି ଉଦ୍ୟମରେ ସହରତଳି ମହୁଡ଼ାଠାରେ ଏକ ଆବର୍ଜନା ପ୍ରକ୍ରିୟାକରଣ ପ୍ରକଳ୍ପ ନିର୍ମାଣ ଏକ ଉଲ୍ଲେଖନୀୟ ଘଟଣା । ଯେକୌଣସି ସହରରେ ଘଞ୍ଚ ଜନବସତି ହେତୁ ବିପୁଳ ପରିମାଣରେ ଆବର୍ଜନା ସୃଷ୍ଟି ହୁଏ । ହିସାବ ଅନୁଯାୟୀ ୨୦୨୨ ଆରମ୍ଭରେ ବ୍ରହ୍ମପୁରରେ ଦୈନିକ ପ୍ରାୟ ୧୪୦ ମେଟ୍ରିକ ଟନ ଆବର୍ଜନା ମହାନଗର ନିଗମ ଦ୍ୱାରା ସାହୀବସ୍ତି ରାସ୍ତାଘାଟରୁ ସଂଗୃହୀତ ହେଉଥିଲା । ସେଗୁଡ଼ିକୁ ସହରତଳି ଅଞ୍ଚଳରେ ଅବସ୍ଥିତ ଚନ୍ଦନିଆ ପାହାଡ଼ ନିକଟରେ ଫୋପାଡ଼ିବା ବ୍ୟବସ୍ଥା ରହିଥିଲା । କିନ୍ତୁ ସମୟକ୍ରମେ ଆବର୍ଜନା ପରିମାଣ ବୃଦ୍ଧି ଘଟିବା ହେତୁ ତାହାର ପ୍ରକ୍ରିୟାକରଣ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିଲା । ତତକାଳୀନ ପୌର ପରିଷଦ ପକ୍ଷରୁ ୨୦୦୮ରେ ବିଧିବଦ୍ଧ ପ୍ରସ୍ତାବ ଗ୍ରହଣ କରାଯାଇ ଆବର୍ଜନା ପ୍ରକ୍ରିୟାକରଣ ନିମନ୍ତେ ପ୍ରକଳ୍ପ ଅନୁମୋଦନ ହୋଇଥିଲେ ସୁଦ୍ଧା ଏହାର ରୂପାୟନ ଲାଗି ଦୀର୍ଘ ୧୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା ।

 

ଘଟଣାକ୍ରମେ ପୌର ପରିଷଦର ୨୦୦୮ ନିଷ୍ପତି କାର୍ଯ୍ୟକାରୀ କରିବା ନିମନ୍ତେ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ ହୋଇ ୨୦୧୩ରେ ଟେଣ୍ଡର କରାଯାଇ ୨୦୧୪ରେ ବରୋଦାର ଏକ କମ୍ପାନୀକୁ କାର୍ଯ୍ୟ ଆଦେଶ ପ୍ରଦାନ କରାଯାଇଥିଲା । ପ୍ରକଳ୍ପ ନିର୍ମାଣ ଆରମ୍ଭ ହେବାପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ଫଳରେ ୧୫ ମାସରେ ସରିବାକୁ ଥିବା ନିର୍ମାଣ କାର୍ଯ୍ୟ ଅଟକି ରହିଲା । ହାଇକୋର୍ଟରେ ମକଦ୍ଦମା ପହଞ୍ଚିବା ପରେ ନିର୍ମାଣକୁ ରହିତାଦେଶ ଜାରି କରିଥିଲେ । ଏହି ପରିସ୍ଥିତିରେ କାର୍ଯ୍ୟାଦେଶ ପାଇଥିବା କମ୍ପାନୀ ମଧ୍ୟ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରୁ ଓହରି ଯାଇଥିଲା । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇ ଯାଇଥିଲା । ତେବେ ପୁନର୍ବାର ୨୦୧୮ରେ ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ୨୦୧୯ରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ୨୦୨୨ ଏପ୍ରିଲରେ ସରିଥିଲା ।

 

ପ୍ରଚଳିତ ବ୍ୟବସ୍ଥାରେ ବ୍ରହ୍ମପୁର ମହାନଗର ନିଗମ ଅଧୀନସ୍ଥ ପ୍ରତ୍ୟେକ ପରିବାରର ଆବର୍ଜନା ଛୋଟିଆ ଗାଡ଼ି ବୁଲାଇ ସଂଗ୍ରହ କରାଯାଇ ନୂଆ ବସଷ୍ଟାଣ୍ଡ ଓ ଆମ୍ୱ ବଜାରଠାରେ ଡ଼ମ୍ପିଂୟାର୍ଡରେ ଗଚ୍ଛିତ ରଖାଯାଏ । ସେଠାରୁ ଆବର୍ଜନା ବଡ଼ ଗାଡିରେ ମହୁଡ଼ା ପ୍ରକଳ୍ପକୁ ଚାଲାଣ କରାଯାଇ ପ୍ରକ୍ରିୟାକରଣ କାର୍ଯ୍ୟ ସମାହିତ ହୋଇଥାଏ । ଡମ୍ପିଂୟାର୍ଡରୁ ମହୁଡାକୁ ବୋହିନେବା ଓ ପ୍ରକ୍ରିୟାକରଣ କାର୍ଯ୍ୟଭାର ଭୁବନେଶ୍ୱର, ଔରଙ୍ଗାବାଦ ଓ ପୁନେର ତିନିଗୋଟି ବୈଷୟିକ ଉଦ୍ୟୋଗର ମିଳିତ ଉଦ୍ୟମରେ ଗଠିତ ସଂସ୍ଥା ଜରିଆରେ ପରିଚାଳିତ

 

ମହୁଡ଼ା ଆବର୍ଜନା ପ୍ରକ୍ରିୟାକରଣ ପ୍ରକଳ୍ପ ୩୩ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଏବଂ ଏହାର ନିର୍ମାଣ ଖର୍ଚ୍ଚ ୪୬ କୋଟି ଟଙ୍କା । ଏଠାରେ କଠିନ ବର୍ଜ୍ୟବସ୍ତୁକୁ ଯାନ୍ତ୍ରିକ ଉପାୟରେ ଅଲଗା କରାଯାଇ ଏକ ରକମ ମେଟାଲ ପ୍ରସ୍ତୁତ ସୁବିଧା ଉପଲବ୍ଧ । ତାହା ବିଭିନ୍ନ କାମରେ ଲାଗିବା କୁହାଯାଉଛି । ପ୍ରକଳ୍ପରେ ପ୍ରତିଦିନ ୩୦୦ ମେଟ୍ରିକ ଟନ ପ୍ରକ୍ରିୟାକରଣ କ୍ଷମତା ରହିଛି । ତେବେ ବର୍ତ୍ତମାନ ପ୍ରାୟ ଅର୍ଦ୍ଧେକ କ୍ଷମତା ଉପଯୋଗରେ ଆବର୍ଜନା ପ୍ରକ୍ରିୟାକରଣ କରାଯାଉଛି ।

 

ଆଧୁନିକ ଆବର୍ଜନା ପ୍ରକ୍ରିୟାକରଣ ପ୍ରକଳ୍ପ ପ୍ରଭାବରେ କ୍ରମଶଃ ବ୍ରହ୍ମପୁର ରାସ୍ତାଘାଟକୁ ଆବର୍ଜନା ମୁକ୍ତ କରିବା ଲକ୍ଷ୍ୟ ଅଭିନନ୍ଦନୀୟ । ମହାନଗର ନିଗମ ପକ୍ଷରୁ ପ୍ରକ୍ରିୟାକରଣ ବାବଦରେ ମେଟ୍ରିକ ଟନ ଆବର୍ଜନା ପିଚ୍ଛା ୧୦୫୦ ଟଙ୍କା ପରିଚାଳନା କରୁଥିବା କମ୍ପାନୀକୁ ଦିଆଯିବା ବ୍ୟବସ୍ଥା ରହିଥିବା ପ୍ରକାଶ । ଏହା ସହରବାସୀଙ୍କଠାରୁ ଆଦାୟ ଟିକସରୁ ଭରଣା କରାଯିବା ସୁସ୍ପଷ୍ଟ । ତେବେ ଆବର୍ଜନା ସଂଗ୍ରହ ଓ ସହରକୁ ଆବର୍ଜନା ମୁକ୍ତ ରଖିବାରେ ପୌର ପ୍ରଶାସନଠାରେ ନାଗରିକମାନେ ଆପତ୍ତି ଅଭିଯୋଗ ଦାଖଲ କରିବା ନିମନ୍ତେ ସ୍ୱଚ୍ଛ ଓ ଉତ୍ତରଦାୟୀ ବ୍ୟବସ୍ଥା ମଧ୍ୟ ସୃଷ୍ଟି କରାଯିବା ଆବଶ୍ୟକ । ସାମୟିକ ଭାବେ ତୃତୀୟପକ୍ଷ ଓ ନାଗରିକ ସମାଜ ଆବର୍ଜନା ସଂଗ୍ରହ ଓ ପ୍ରକ୍ରିୟାକରଣ କାର୍ଯ୍ୟର ସମୀକ୍ଷା କରିବା ନିମନ୍ତେ ପ୍ରାବଧାନ ରଖାଗଲେ ଭୂଲଭଟ୍ଟକା ସୁଧାରିବାଲାଗି ପଥ ଉନ୍ମୁକ୍ତ ରହିବ । ସହରବାସୀ, ମୁଖ୍ୟତଃ ବିଦ୍ୟାଳୟ ଯାଉଥିବା ଶିଶୁ ଓ କିଶୋରବର୍ଗଙ୍କୁ ଆବର୍ଜନା ପ୍ରକ୍ରିୟାକରଣ ସଂପର୍କରେ ସଚ଼େତନ କରାଇଲେ ତଥା ପ୍ରକ୍ରିୟାକରଣ ପ୍ରକଳ୍ପ ବୁଲାଇ ଦେଖାଇବା କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିଲେ ଭବିଷ୍ୟତରେ ସେମାନେ ସହରର ସ୍ୱଚ୍ଛତାସେନାରେ ପରିଣତ ହେବା ଆଶା ରଖାଯାଇପାରିବ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୮ ଜୁନ ୨୦୨୨/ ପୃଷ୍ଠା : ୨)

Photo by Antoine GIRET on Unsplash 


No comments:

Post a Comment