#ବ୍ରହ୍ମପୁରରେ ଜଳଯୋଗାଣ ବ୍ୟବସ୍ଥା
ସ୍ଥାନୀୟ ପୌରପାଳିକା ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ସ୍ଥଳେ ପରବର୍ତ୍ତୀ ସମୟରେ ତାହା ରାଜ୍ୟ
ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ଅଧୀନକୁ ଯାଇଥିଲା । ଜୁନ ପହିଲା ୨୦୨୨ରୁ ସହରର ଜଳଯୋଗାଣ
ଦାୟିତ୍ୱ ଓଡ଼ିଶା ଜଳ ନିଗମ ‘ୱାଟର କରପୋରେସନ ଅଫ ଓଡ଼ିଶା’, ସଂକ୍ଷେପରେ ‘ୱାଟକୋ’କୁ ହସ୍ତାନ୍ତର ପ୍ରକ୍ରିୟା
ଆରମ୍ଭ ହୋଇଥିବା ପ୍ରକାଶ ।
‘ୱାଟକୋ’ ଓଡ଼ିଶା ସରକାରଙ୍କ ଦ୍ୱାରା
ଗଠିତ ଏକ ଅଣ-ଲାଭଦାୟକ ‘ନନ-ପ୍ରଫିଟ’ କମ୍ପାନୀ । ଏହା ୨୦୧୫ରୁ
କାର୍ଯ୍ୟ ଆରମ୍ଭ କରିଛି ଏବଂ ଭୁବନେଶ୍ୱର ସତ୍ୟନଗରଠାରେ ମୁଖ୍ୟକାର୍ଯ୍ୟାଳୟ ଅବସ୍ଥାପିତ । ରାଜ୍ୟ
ସରକାରଙ୍କ ଗୃହନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗର ପ୍ରମୁଖ ଶାସନ ସଚ଼ିବ ଏହାର ଅଧ୍ୟକ୍ଷ ଏବଂ
ପରିଚାଳନା ନିର୍ଦ୍ଦେଶକ ଭାବେ ଜଣେ ବରିଷ୍ଠ ଇଞ୍ଜିନିୟର ଦାୟିତ୍ୱ ତୁଲାଉଛନ୍ତି । ରାଜ୍ୟର
ସହରାଞ୍ଚଳରେ ଜଳଯୋଗାଣ ଓ ନାଳନର୍ଦ୍ଦମା ‘ସୁଏରେଜ’ ପରିଚାଳନା ସଂସ୍ଥାର
କାର୍ଯ୍ୟକ୍ଷେତ୍ର । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା ଓ ବ୍ରହ୍ମପୁର
ଇତ୍ୟାଦି ୧୭ଗୋଟି ସହରାଞ୍ଚଳରେ କାର୍ଯ୍ୟକାରୀ ହେବାପରେ ପର୍ଯ୍ୟାୟକ୍ରମେ ରାଜ୍ୟର ୧୧୪ ଗୋଟି
ସହରାଞ୍ଚଳକୁ ସଂପ୍ରସାରିତ ହେବା ଯୋଜନା ରହିଛି ।
ଜଳଯୋଗାଣ ଓ ଆବର୍ଜନା ନିଷ୍କାସନ ମୌଳିକ ପୌରସେବା ଅନ୍ତର୍ଭୁକ୍ତ । ସ୍ଥାନୀୟସ୍ତରରେ
ଏହାର ସୁପରିଚାଳନା ସଂଭବପର ନହୋଇପାରିବା ହେତୁ ସରକାର ବିକଳ୍ପ ବ୍ୟବସ୍ଥା ଚ଼ିନ୍ତା କରିଥିଲେ ।
ବ୍ରହ୍ମପୁରର ଜଳଯୋଗାଣ ‘ୱାଟକୋ’ ମାର୍ଫତରେ ନ୍ୟସ୍ତ
ହେବାପରେ ରାଜ୍ୟସ୍ତରରେ ପ୍ରଣୀତ ନୀତି ଏଠାରେ ପାଳନ କରାଯିବା ଆଶା କରାଯାଏ । ଦେଢ଼ ବର୍ଷ
ମଧ୍ୟରେ ସହରରେ ବସବାସ କରୁଥିବା ପ୍ରତ୍ୟେକ ପରିବାରଙ୍କ ପାଇଁ ବାସଗୃହରେ ପାଣି ୨୦୨୩ ସୁଦ୍ଧା
ଯୋଗାଇ ଦିଆଯିବା ନିମନ୍ତେ ଉଦ୍ୟମ କରାଯିବ ବୋଲି କୁହାଯାଉଛି । ଏଥି ସହ ପ୍ରତିଟି ଯୋଗାଣ ‘କନେକସନ’ରେ ମିଟର ବସାଇ
ବାଧ୍ୟତାମୂଳକ ଜଳ କର ଆଦାୟ ମଧ୍ୟ ସେହି ସମୟସୀମାରେ ଆରମ୍ଭ କରାଯିବା ସୁସ୍ପଷ୍ଟ ।
ବ୍ରହ୍ମପୁରରେ ଜଳଯୋଗାଣ ବ୍ୟବସ୍ଥାରେ ପାରମ୍ପରିକଭାବେ କେତେଗୋଟି ମୁଖ୍ୟ ସମସ୍ୟା ଲାଗି
ରହିଥାଏ । ପ୍ରଥମତଃ, ସହରକୁ ପର୍ଯ୍ୟାପ୍ତ ପରିମାଣରେ ଜଳଯୋଗାଣ, ମୁଖ୍ୟତଃ ଗ୍ରୀଷ୍ମଋତୁରେ ସଂଭବ
ହୋଇପାରି ନଥାଏ । ଦ୍ୱିତୀୟତଃ, ଅପେକ୍ଷାକୃତ ଉଚ୍ଚ ଅଞ୍ଚଳଗୁଡ଼ିକରେ ଜଳଯୋଗାଣରେ ଅସୁବିଧା
ଉପୁଜିଥାଏ । ତୃତୀୟତଃ, ସହରର ପୁରାତନ ଅଞ୍ଚଳଗୁଡ଼ିକରେ ଦୀର୍ଘଦିନରୁ ଜଳଯୋଗାଣ ବ୍ୟବସ୍ଥା ଆରମ୍ଭ
ହୋଇଥିବା ହେତୁ ବିଛା ଯାଇଥିବା ପାଇପଗୁଡ଼ିକ ପୁରୁଣା ହେବା ତଥା ରକ୍ଷଣାବେକ୍ଷଣ ଅଭାବରୁ ଲିକ
ହୋଇ ବହୁ ଜଳ ନଷ୍ଟ ହେବା ସହ ସମଗ୍ର ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାଏ ।
ଚ଼ତୁର୍ଥତଃ, ଆବଶ୍ୟକୀୟ ମାନର ଜଳ ବିଶୋଧନ ପ୍ରକ୍ରିୟା ନିୟମିତ ଲାଗୁ କରାଯାଇ ନପାରୁଥିବା ହେତୁ
ପ୍ରଦୂଷିତ ଜଳ ଯୋଗାଣ ଅଭିଯୋଗ ଆସିଥାଏ । ପଞ୍ଚମତଃ,
ବ୍ୟକ୍ତିଗତ ହେଉ ବା ସାର୍ବଜନୀନସ୍ତରରେ ଜଳଯୋଗାଣ ସଂପର୍କରେ ଅଭାବ ଅଭିଯୋଗ ସମାଧାନ ଦିଗରେ ସୁସଂହତ
ବ୍ୟବସ୍ଥାର ଅଭାବ ରହିଥାଏ ।
ଏହି ସବୁ ସମସ୍ୟାକୁ ‘ୱାଟକୋ’ ସମାଧାନ କରିବାକୁ କେତେଦୂର
ସମର୍ଥ ହେବ ତାହା ସମୟ କହିବ । ସହରରେ ଉତ୍କଟ ଜଳ ସମସ୍ୟା ଲାଗି ରହିଥିବା ହେତୁ ଉଭୟ ପୌରପାଳିକା
ଓ ଜନସ୍ୱାସ୍ଥ୍ୟ ବିଭାଗ ଜଳକର ଆଦାୟ ନିମନ୍ତେ କଠୋର ପଦକ୍ଷେପ ଗ୍ରହଣ କରିପାରିନଥିଲେ । ଫଳତଃ
ସହରର ବହୁ ଉପଭୋକ୍ତା ଜଳକର ତାଲିକାରେ ଅନିଚ୍ଛାକୃତ ଭାବେ ଖିଲାପୀ ରହିଥିବା ସ୍ୱାଭାବିକ ।
ସେମାନଙ୍କ ସମସ୍ୟାକୁ ଯୁକ୍ତିଯୁକ୍ତ ନୀତିରେ ସମାଧାନ କରିବା ‘ୱାଟକୋ’ ନିମନ୍ତେ ଏକ ଆହ୍ୱାନ ।
ଉପଭୋକ୍ତା-ଅନୁକୂଳ ଏକକାଳୀନ ଜଳକର ସମସ୍ୟା ସମାଧାନ ନିମନ୍ତେ ସ୍ଥାନୀୟ ‘ୱାଟକୋ’ ପ୍ରଶାସନ ରାସ୍ତା ବାହର
କରିବା ଏବଂ ନିଗମ ପକ୍ଷରୁ ସର୍ବକ୍ଷମା ବା ଏକକାଳୀନ ଦେୟ ‘ୱାନ-ଟାଇମ-ସେଟଲମେଣ୍ଟ’ ଯୋଜନା ଲାଗୁ କରାଗଲେ ଅଯଥା
ଜଟିଳ ପରିସ୍ଥିତିକୁ ଏଡ଼ାଇ ଦେଇ ହେବ ।
‘ୱାଟକୋ’ ଏକ ସ୍ୱୟଂଶାସିତ ସଂସ୍ଥାରୂପେ ଗଢ଼ି ଉଠୁଥିବା ହେତୁ ବିଭିନ୍ନ ସମସ୍ୟା ସମାଧାନର ସୂତ୍ର ଅମଳାତାନ୍ତ୍ରିକ ନାଲିଫିତା ତଳେ ଚାପି ହୋଇ ରହିନଯାଇ ତୁରନ୍ତ ସମାଧାନର ରାସ୍ତା ଉନ୍ମୁକ୍ତ ରହିବ ବୋଲି ବିଶ୍ୱାସ । ଆଧୁନିକ ବୈଷୟିକ କୌଶଳ ଅବଲମ୍ୱନରେ ଜଳଯୋଗାଣ, ଜଳର ମାନ ନିର୍ଦ୍ଧାରଣ ଓ ଉପଭୋକ୍ତାଙ୍କ ଅଭାବ ଅଭିଯୋଗ ସମାଧାନ ଦିଗରେ ସ୍ୱଚ୍ଛତା ଅବଲମ୍ୱନ ଲାଗି ନୂତନ କମ୍ପାନୀ ପଦକ୍ଷେପ ନେବା ଆଶା କରାଯାଇପାରେ ।
(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୫ ଜୁନ ୨୦୨୨/ ପୃଷ୍ଠା : ୨)
Photo by Patrick Pahlke on Unsplash
No comments:
Post a Comment