Friday, August 19, 2022

Giri Market / ଗିରି ମାର୍କେଟ

 

#ବ୍ରହ୍ମପୁର ସହରର ମଧ୍ୟଭାଗରେ ଅବସ୍ଥିତ ଗିରି ମାର୍କେଟ ମୁଖ୍ୟତଃ ପନିପରିବା ଓ ମାଛ-ମାଂସ ବଜାର ରୂପେ ପ୍ରସିଦ୍ଧ । ଏଠାରେ ନଡ଼ିଆ, କଦଳୀ, ଆମ୍ୱ ଓ ଅନ୍ୟାନ୍ୟ ଫଳ ମଧ୍ୟ ବିକ୍ରୀ ହୋଇଥାଏ । ଭାପୁର, ଗାନ୍ଧୀ ନଗର, ସାନ ବଜାର ଓ ଆସିକା ରୋଡ଼ ପାର୍ଶ୍ୱରେ ଗଢ଼ି ଉଠିଥିବା ଜନବସତିର ବାସିନ୍ଦା ଏଠାରେ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ସଉଦା କରିଥାନ୍ତି । ଗିରି ମାର୍କେଟ ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ପରିଚାଳିତ । ୧୯୭୪ରେ ତତ୍ କାଳୀନ ପୌରପାଳିକା ପକ୍ଷରୁ ଏଠାରେ ଏକ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଳେକ୍ସ ଉଦଘାଟିତ ହୋଇଥିଲା । ୧୯୯୭ରେ ଉପର ମହଲା ନିର୍ମାଣ ଆରମ୍ଭ ହୋଇ ୨୦୦୦ରେ ବ୍ୟବହାରରେ ଲାଗିଥିଲା । ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଳେକ୍ସ କୋଠା ୨୦୨୧ରୁ ଅସୁରକ୍ଷିତ ଘୋଷିତ ହେବା ପରେ ଏହାକୁ ଭାଙ୍ଗି ନୂତନ କୋଠା ନିର୍ମାଣ ନିମନ୍ତେ ମହାନଗର ନିଗମ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।
 
ବ୍ରହ୍ମପୁର ସହର ଗଢ଼ି ଉଠୁଥିବା ସମୟରେ ଅଧୂନା ଗିରି ମାର୍କେଟ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଏକ ବିରାଟ ଜଳାଶୟ ତାମେୟା ବନ୍ଧ ଆସିକା ରୋଡ଼ ବିଦ୍ୟୁତ ବିଭାଗୀୟ କାର୍ଯ୍ୟାଳୟ ଯାଏଁ ପରିବ୍ୟାପ୍ତ ଥିଲା । ତାମେୟା ବନ୍ଧହୁଡ଼ାରେ ଶନିବାର ଦିନ ସାପ୍ତାହିକ ହାଟ ପ୍ରସିଦ୍ଧି ଲାଭ କରିଥିଲା । ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀଗଣ ଶନିବାର ଦିନ ସକାଳୁ ସକାଳୁ ପସରା ମେଲାଇ ବସୁଥିଲେ ଏବଂ କିଣାବିକା ଅପରାହ୍ନ ବେଳକୁ ସରି ଆସୁଥିଲା । ତାମେୟା ବନ୍ଧ ପୂର୍ବଦିଗ ହୁଡ଼ାରେ ବାଉଁଶ କାରିଗର ମେଦରିମାନଙ୍କ ଏକ ବସ୍ତି ଗଢ଼ି ଉଠିଥିଲା । ବ୍ରହ୍ମପୁର ଉପକଣ୍ଠ କେରାଣ୍ଡିମାଳ ପାର୍ବତ୍ୟାଞ୍ଚଳରୁ ଆଦିବାସୀମାନେ ବାଉଁଶ ଓ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୀ ପାଇଁ ଶନିବାର ହାଟରେ ପହଞ୍ଚୁଥିଲେ । ଅତୀତରେ ପ୍ଳାଷ୍ଟିକ ଅଭାବରେ ବାଉଁଶ ନିର୍ମିତ ଘରକରଣା ସାମଗ୍ରୀର ଆଦର ରହିଥିଲା ଏବଂ ସହରବାସୀଙ୍କ ପାଇଁ ଶନିବାର ହାଟ ବାଉଁଶଜାତ ଦ୍ରବ୍ୟ କିଣାବିକାର କେନ୍ଦ୍ରସ୍ଥଳୀ ପାଲଟିଥିଲା । ମେଦିରି ସାହୀ ପଛରେ ମୋଚ଼ି ସାହୀ ଏବଂ କିଛି ଦୂର ଆଗରେ କାମ୍ପସାହୀ । ଏହିସବୁ ଅଞ୍ଚଳରେ ଦାକ୍ଷିଣାତ୍ୟରୁ ଆଗତ ପରିବାରବର୍ଗ ପାରମ୍ପରିକ ବ୍ୟବସାୟରେ ସଂପୃକ୍ତ ରହି ଦୀର୍ଘ ଅତୀତରୁ ବସବାସ କରିଆସିଛନ୍ତି ।
 
ବ୍ରିଟିଶ ଶାସନ କାଳରେ ମହାରାଣୀ ଭିକ୍ଟୋରିଆଙ୍କ ଶାସନର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ପୌରପାଳିକା ପକ୍ଷରୁ ଶନିବାର ହାଟଠାରେ ସମ୍ମୁଖ ଭାଗରେ ଧାଡ଼ିଏ ଦୋକାନ ଘର ଏବଂ ଆଭ୍ୟନ୍ତରୀଣ ପରିବା, ମାଛମାଂସ ମାର୍କେଟକୁ ଏକ ପ୍ରବେଶ ପଥ ୧୮୯୩ ବେଳକୁ ନିର୍ମାଣ କରାଯାଇଥିଲା । ଦୋକାନ ଘର ମଧ୍ୟରୁ କେତେକରେ କାଠକାରିଗରଙ୍କ ଶାଳ ରହିଥିଲା । ଗତ ଶତାଦ୍ଦୀ ଅଷ୍ଟମ ଦଶକରେ ନୂତନ କମ୍ପ୍ଳେକ୍ସ ନିର୍ମାଣ କାଳରେ କାମ୍ପସାହୀ ଖଲ୍ଲିକୋଟ କଲେଜିଏଟ ଟାଉନ ହାଇସ୍କୁଲ ରାସ୍ତାକୁ କାଠକାରିଗରଙ୍କ ଦୋକାନ ସ୍ଥାନାନ୍ତରିତ କରାଯାଇଥିଲା ।  ସେମାନେ ସେଠି ହିଁ ରହିଗଲେ । ଗ୍ରୀଷ୍ମଋତୁରେ ଆମ୍ୱ ବିକ୍ରୀ ପାଇଁ ଭିକ୍ଟୋରିଆ ମାର୍କେଟ ସମ୍ମୁଖରେ ଧାଡ଼ିଏ ଅସ୍ଥାୟୀ ବାଉଁଶ ଚାଞ୍ଚ ବାଡ଼ରେ ନଡ଼ା ଛପର ଦେଇ ଦୋକାନ ଗଢ଼ି ଉଠୁଥିଲା । ବର୍ଷାଋତୁ ଆରମ୍ଭରେ ସେଗୁଡ଼ିକୁ ଭାଙ୍ଗିଦିଆଯାଇ ପୁଣି ଗ୍ରୀଷ୍ମଋତୁରେ ସଜଡ଼ା ଯାଉଥିଲା । ନୂତନ କମ୍ପ୍ଳେକ୍ସ ନିର୍ମାଣ କାଳରେ ଆମ୍ୱ ବ୍ୟବସାୟୀ କିଛି ଦିନ କର୍ପୋରେସନ ରୋଡ଼, ପରେ ସେଣ୍ଟ ଷ୍ଟିଫେନ୍ସ ଚର୍ଚ୍ଚ ପ୍ରାଙ୍ଗଣ ଓ ଶେଷରେ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ପହଞ୍ଚିଛନ୍ତି ।
 
ଗିରି ମାର୍କେଟ କମ୍ପ୍ଳେକ୍ସରେ ଦୁଇ ମହଲାରେ ସମୁଦାୟ ୧୭୩ ଗୋଟି ଦୋକାନ ଘର ରହିଥିଲା । ତେବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଶନିବାର ହାଟ, ଭିକ୍ଟୋରିଆ ମାର୍କେଟ ହେଉ ବା ଗିରି ମାର୍କେଟ ମୁଖ୍ୟତଃ ପନିପରିବା ଓ ଆମିଷ ବଜାର । ପ୍ରଥମତଃ, ଗିରି ମାର୍କେଟ ଭଙ୍ଗାଯାଇ ନୂତନ ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ କାଳରେ ଏହି ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷପତ୍ର ବିକ୍ରୀ ବଜାର ପ୍ରତି କେତେଟା ଦୃଷ୍ଟି ଦିଆଯିବ ତାହା ଚ଼ିନ୍ତାର ବିଷୟ ।
 
ଦ୍ୱିତୀୟତଃ, ଗିରି ମାର୍କେଟର ଉଭୟ ମହଲା ନିର୍ମାଣ ପାଇଁ ଦୀର୍ଘ ସମୟ, ତଳ ମହଲା ଲାଗି ପାଞ୍ଚ ବର୍ଷ ଓ ଉପର ମହଲା ଲାଗି ତିନି ବର୍ଷ ବିତି ଯାଇଥିବା ଇତିହାସ ରହିଛି । ବର୍ତ୍ତମାନ ପୁନଃ ନିର୍ମାଣ ନିମନ୍ତେ କେତେ ସମୟ ଆବଶ୍ୟକ ପଡ଼ିବ ତାହା ମଧ୍ୟ ପ୍ରଶ୍ନବାଚୀ । ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ କାଳରେ ପନିପରିବା, ଆମିଷ ଓ ଫଳ ଦୋକାନ ପସରା ଯେପରି ପ୍ରଭାବିତ ନହେବ ସେଦିଗରେ ଦୃଷ୍ଟି ଦିଆଯିବା ଆବଶ୍ୟକ ।
 
ତୃତୀୟତଃ, ସହରର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ଏକ ଜନବହୁଳ ଅଞ୍ଚଳ ତଥା ସହରବାସୀ ଦୈନନ୍ଦିନ ସଉଦା ନିମନ୍ତେ ଏକତ୍ରୀତ ହେଉଥିବା ବଜାର ଭଙ୍ଗା ଓ ପୁନଃ ନିର୍ମାଣ ଅବସରରେ ଜନସାଧାରଣ କିପରି ଅସୁବିଧାରେ ନପଡ଼ିବେ ସେଦିଗରେ ଆଗୁଆ ଯୋଜନାବଦ୍ଧ ପଦକ୍ଷେପ ନିଆଯିବା ଉଚ଼ିତ । ଚ଼ତୁର୍ଥତଃ, କଥା ରହିଲା ବ୍ରହ୍ମପୁର ସହରରେ ନିୟନ୍ତ୍ରିତ ବଜାର ବ୍ୟବସ୍ଥା ନଥିବା ସମୟରେ ପୌରପାଳିକା ପକ୍ଷରୁ ଶନିବାର ହାଟକୁ ଭିକ୍ଟୋରିଆ ମାର୍କେଟ ଏବଂ ସହରର ପ୍ରଥମ ସପିଂ କମ୍ପେକ୍ସଭାବେ ଗିରି ମାର୍କେଟ କୋଠା ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ସହର ଆରମ୍ଭରୁ ଶେଷ ଯାଏଁ ମାଳ ମାଳ ଦୋକାନ ବଜାର ଗଢ଼ି ଉଠିଥିବା ସମୟରେ ଜନସାଧାରଣଙ୍କ ଟିକସ ପଇସାରେ ପୁଣି ଥରେ ସପିଂ କମ୍ପ୍ଳେକ୍ସ ନିର୍ମାଣ କେତେଦୂର ଯଥାର୍ଥ ତାହା ମଧ୍ୟ ବିଚାର କରିବା ସମୟ ଉପନୀତ । ପଞ୍ଚମତଃ, ମହାମାରୀ ପରଠାରୁ ଅନଲାଇନ ରିଟେଲ ବଜାର ଆସ୍ଥାନ ଜମାଉଥିବା ଅବସରରେ ପୁରୁଣାକାଳିଆ ମାର୍କେଟ କମ୍ପ୍ଳେକ୍ସରେ ବ୍ୟବସାୟ କେତେଦିନ ବଞ୍ଚିରହିବ ତାହା ବି ବିଚାର୍ଯ୍ୟ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୦ ଅଗଷ୍ଟ ୨୦୨୨/ ପୃଷ୍ଠା : ୨)

Photography by : P.M.Digital Documentation

No comments:

Post a Comment