Friday, August 5, 2022

Women Leaders in Independence Movement / ସ୍ୱାଧୀନତା ସଂଗ୍ରାମରେ ନାରୀନେତ୍ରୀ

 

#ବ୍ରହ୍ମପୁର ରାଜନୀତିକ ଇତିହାସରେ ନାରୀନେତ୍ରୀମାନଙ୍କ ଯୋଗଦାନ ମହୁରି ରାଜପରିବାରକୁ ସୂଚ଼ିତ କରିଥାଏ । ମହୁରି ରାଜ୍ୟ ୧୭୭୬ରେ ବ୍ରିଟିଶ ଶାସନାଧୀନ ହେବାପରେ ୧୭୮୨ରେ ରାଜା ହରିହର ନରେନ୍ଦ୍ର ଦେବ ହତ୍ୟାର ଶୀକାର ହୋଇଥିଲେ । ସେ ନିଃସନ୍ତାନ ଥିବା ହେତୁ ଶାସନଜନିତ ଗଣ୍ଡଗୋଳିଆ ପରିସ୍ଥିତିରେ ୧୭୮୮ରେ ବ୍ରିଟିଶ ପ୍ରଶାସନ ପକ୍ଷରୁ ବିଧବା ରାଣୀ କୃଷ୍ଣପ୍ରିୟା ଦେବୀଙ୍କୁ ରାଜ୍ୟ ପରିଚାଳନା ଭାର ପ୍ରଦାନ କରାଯାଇଥିଲା । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଇତିହାସ ପ୍ରଫେସର ବୀଣା କୁମାରୀ ଶର୍ମା କୃଷ୍ଣପ୍ରିୟା ଦେବୀଙ୍କୁ ସହରର ପ୍ରଥମ ନାରୀ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ଦେଇଥାନ୍ତି । ତାଙ୍କରି ଭାଷାରେ, ଊନବିଂଶ ଶତାଦ୍ଦୀ ପ୍ରାରମ୍ଭରେ ବ୍ରହ୍ମପୁରରେ ମହୁରି ରାଣୀଙ୍କ ନେତୃତ୍ୱରେ ସଂଗଠିତ ହୋଇଥିବା ସ୍ୱାଧୀନତା ଆନ୍ଦୋଳନ ବ୍ରହ୍ମପୁର ମହିଳାମାନଙ୍କୁ ପ୍ରେରଣା ଦେଇଥିଲା । ସେମାନେ ବାପୁଜୀଙ୍କ ଆହ୍ୱାନକ୍ରମେ ଜାତୀୟ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏବଂ ଅନେକ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ମଧ୍ୟ ନେଇଥିଲେ ।
 
ମହାତ୍ମାଗାନ୍ଧୀ ୧୯୨୧ରେ ପ୍ରଥମଥର ସ୍ୱାଧୀନତା ସଂଗ୍ରାମ ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ବ୍ରହ୍ମପୁରରେ ପହଞ୍ଚିଥିଲେ । ସେହି ସମୟରୁ ସ୍ୱାଧୀନତା ସଂଗ୍ରାମ କାର୍ଯ୍ୟକ୍ରମଗୁଡ଼ିକରେ ବ୍ରହ୍ମପୁର ସହର ଓ ଗଞ୍ଜାମ ଜିଲ୍ଲାର ନାରୀ ନେତ୍ରୀମାନେ ଯୋଗ ଦେବା ଆରମ୍ଭ କରିଥିଲେ । ବ୍ରହ୍ମପୁରର ସ୍ୱରାଜ ଆଶ୍ରମଠାରେ ଉତ୍କଳ ମହିଳା ସମ୍ମିଳନୀ୧୯୨୪ରେ ଅନୁଷ୍ଠିତ ହୋଇଥିଲା । ଏହା ସହରରେ ନାରୀଜାଗରଣର ଅନ୍ୟତମ ମାଇଲଖୁଣ୍ଟ ବିବେଚ଼ିତ । ନାରୀନେତ୍ରୀ କୁନ୍ତଳା କୁମାରୀ ସାବତ ୧୯୨୬ରେ ବ୍ରହ୍ମପୁରରେ ସଂସ୍କାର ଓ ସେବାସଂଘ ଦ୍ୱାରା ଆୟୋଜିତ ଏକ ସଭାରେ ଯୋଗ ଦେଇ ସହରର ମହିଳାମାନଙ୍କୁ ଉଦବୋଧନ ଦେଇଥିଲେ । କୁନ୍ତଳାକୁମାରୀଙ୍କ ଏହି ବ୍ରହ୍ମପୁର ଗସ୍ତ ଓ ଭାଷଣ ପ୍ରଭାବ ବ୍ରହ୍ମପୁର ମହିଳାମାନଙ୍କ ଉପରେ ଯଥେଷ୍ଟ ପଡ଼ିଥିଲା ଏବଂ ସେମାନଙ୍କ ମଧ୍ୟରେ ଏକ ନୂତନ ଜାଗରଣ ଦେଖାଦେଇଥିଲା ।
 
ପରବର୍ତ୍ତୀ ପର୍ଯ୍ୟାୟରେ ୧୯୩୦ ମସିହାରେ ଆୟୋଜିତ ଲବଣ ସତ୍ୟାଗ୍ରହରେ ସ୍ଥାନୀୟ ମହିଳାମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କିଶୋରମଣି ଦେବୀ ଓ କୁନ୍ଦଲତା ଦେବୀଙ୍କ ଉଦ୍ୟମରେ ସତ୍ୟାଗ୍ରହୀ ଶିବିର ଉଦ୍ୟୋଗ ମନ୍ଦିର ପରିଚାଳନା ଏକ ଉଲ୍ଲେଖଯୋଗ୍ୟ ଘଟଣା । କିଶୋରମଣି ଦେବୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶାଶୁ ତଥା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ମାତା । ଗାନ୍ଧିଜୀଙ୍କ ପ୍ରେରଣାରେ କୁନ୍ଦଲତା ଦେବୀ ଏତେଦୂର ଅନୁପ୍ରାଣିତ ହୋଇଥିଲେ ଯେ ଉତ୍କଳର ନାରୀନେତ୍ରୀ ସରଳା ଦେବୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଗୋବରା ସଭାରେ ନିଜର ସମସ୍ତ ଅଳଙ୍କାର ସତ୍ୟାଗ୍ରହୀ ପାଣ୍ଠିକୁ ଦାନ କରିଦେଇଥିଲେ । ଓଡ଼ିଶା କଂଗ୍ରେସ ଅଧିବେଶନ ବେଳେ ମହିଳା ସ୍ୱେଚ୍ଛାସେବିକା ବାହିନୀରେ ଯୋଗଦେଇ ସେବାଦଳ ପ୍ରଶିକ୍ଷଣ ଲାଭ କରିବାରେ ସେ ହେଉଛନ୍ତି ବ୍ରହ୍ମପୁର ଅନ୍ୟତମ ମହିଳା ।
 
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ରେ ଗଠିତ ହେବାପରେ ଭି. ଲକ୍ଷ୍ମୀବାଈ ୧୯୩୬ରେ ଓଡ଼ିଶା ବିଧାନସଭାକୁ ବ୍ରହ୍ମପୁରରୁ ପ୍ରତିନିଧି ଭାବେ ମହିଳା ସଂରକ୍ଷିତ ଆସନରୁ ନିର୍ବାଚ଼ିତ ହୋଇଥିଲେ । ପରେ ୧୯୪୬ ନିର୍ବାଚ଼ନରେ ମଧ୍ୟ ସେ ନିଜ ଆସନ ବଳବତ୍ତର ରଖି ଉପ-ବାଚ଼ସ୍ପତି ପଦବୀରେ ଅଧିଷ୍ଠିତ ହୋଇଥିଲେ । କଂଗ୍ରେସର ଭାରତ ଛାଡ଼ ଆହ୍ୱାନରେ କର ବା ମର ମନ୍ତ୍ରରେ ବ୍ରହ୍ମପୁରରେ ଅନେକ ମହିଳା ଭି. ଲକ୍ଷ୍ମୀବାଈଙ୍କ ନେତୃତ୍ୱରେ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ।
 
ପ୍ରଫେସର ଶର୍ମା ଲେଖିଥିଲେ, ବ୍ରହ୍ମପୁର ଅଞ୍ଚଳର ସ୍ୱାଧୀନତା ସଂଗ୍ରାମର ଇତିହାସରେ ତେଲୁଗୁ ମହିଳାମାନଙ୍କ ଅବଦାନ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ସେତେବେଳେ ବ୍ରହ୍ମପୁର ସହରରେ ତେଲୁଗୁଭାଷୀମାନେ ବହୁଳଭାବେ ବାସ କରୁଥିଲେ ଏବଂ କଂଗ୍ରେସ କର୍ମ୍ମୀ ତଥା ନେତାମାନଙ୍କ ମଧ୍ୟରେ ଅନେକ ତେଲୁଗୁ ଥିଲେ । ଏହି ତେଲୁଗୁ ସଂଗ୍ରାମୀମାନେ ମଧ୍ୟ ନିଜ ପତ୍ନୀମାନଙ୍କୁ ସଚ଼େତନ କରାଇ ଦେଶମାତୃକା  ସେବାରେ ଯୋଗଦେବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ ।
 
ସ୍ୱାଧୀନତା ଆନ୍ଦୋଳନ ତୀବ୍ର ଆକାର ଧାରଣ କରିଥିବା ବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା ଦେଖା ଦେଇଥିଲା । ବ୍ରିଟିଶ ସେନା ବାହିନୀରେ ବହୁ ସଂଖ୍ୟକ ଭାରତୀୟ ଅନ୍ତର୍ଭୁକ୍ତ ଥିବା ହେତୁ ଏହି ଆହତ ସୈନ୍ୟମାନଙ୍କୁ ରଣକ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ବ୍ରହ୍ମପୁରର ମହିଳାମାନେ ତତ୍ପରତା ପ୍ରକାଶ କରି ରେଡ଼କ୍ରସ ମାଧ୍ୟମରେ ସମସ୍ତ ପ୍ରକାର ସହଯୋଗ କରିଥିଲେ । ସେତେବେଳେ ବ୍ରହ୍ମପୁରର କୃଷ୍ଣପ୍ରିୟା ରଥ ସାହସର ସହ ମଣିପୁର ଇମ୍ପାଲ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ସେ ତିନିମାସ ରହି ରେଡ଼କ୍ରସର ଅନ୍ୟାନ୍ୟ ସ୍ୱେଚ୍ଛାସେବୀଙ୍କ ସହ ମଣିପୁର ଜଙ୍ଗଲରେ ବୁଲି ବୁଲି କ୍ଷତବିକ୍ଷତ ସୈନ୍ୟଙ୍କୁ ରେଡ଼କ୍ରସ ଶିବିରକୁ ଆଣି ସେମାନଙ୍କ ସେବା କରିଥିଲେ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୬ ଅଗଷ୍ଟ ୨୦୨୨/ ପୃଷ୍ଠା : ୨)

Photo by Miltiadis Fragkidis on Unsplash

No comments:

Post a Comment