Friday, August 26, 2022

Super Mosquito / ସୁପର ମସ୍କିଟୋ

 

#ବ୍ରହ୍ମପୁର ସହରର ମଶା କାମୁଡ଼ାରେ ୨୦୨୨ ଅଗଷ୍ଟ ମାସରେ ନୂଆ ଅନୁଭୂତି ଜନସାଧାରଣରେ ଚର୍ଚ୍ଚାର ପରିସରଭୁକ୍ତ ହୋଇଛି । ଏଣିକି ମଶା କାମୁଡ଼ା ପୂର୍ବାପେକ୍ଷା ପୀଡ଼ା ଦାୟକ ଅନୁଭବ ହେଉଛି ଏବଂ ଶରୀରର ମଶା କାମୁଡ଼ା ସ୍ଥାନରେ ଯନ୍ତ୍ରଣା ଓ ଏଲାର୍ଜି ଦୀର୍ଘ ସମୟ ଯାଏଁ ଲାଗି ରହୁଛି । ଆଜିକାଲିକା ଆଧୁନିକ ନିଡ଼ିଲ ବ୍ୟବହାର ଯୋଗେ ଡ଼ାକ୍ତରୀ ଇଞ୍ଜେକସନ ଫୋଡ଼ାଠାରୁ ମଶାକାମୁଡ଼ା ଅଧିକ ବାଧୁଛି । ସହରର ଜନାକୀର୍ଣ୍ଣ ଭାପୁର ଭଳି ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ମଧ୍ୟ ମଶା କାମୁଡ଼ାଠାରୁ ନିସ୍ତାର ମିଳୁନି । ତେବେ ସ୍ଥାନୀୟ ମଶାବଂଶ ସଂପର୍କରେ ପ୍ରାମାଣିକ ତଥ୍ୟ ଅଭାବରୁ କେବଳ ମଶାକାମୁଡ଼ା ଅନୁଭୂତି ଭିନ୍ନ ଅଧିକ କିଛି ଜାଣିବା ମୁସ୍କିଲ ।
 
ସମକାଳରେ ଗଣମାଧ୍ୟମରେ ପ୍ରକାଶିତ ବିବରଣୀ ଅନୁଯାୟୀ ପଡ଼ୋଶୀ ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲାରେ ଏସୀୟ ବାଘୁଆ ମଶା ଏସିଆନ ଟାଇଗର ମସ୍କିଟୋ ଦେଖା ଦେଇଛନ୍ତି । ଉତ୍ତର ବଙ୍ଗ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗରେ କୀଟ ପତଙ୍ଗ ପ୍ରାଣୀ-ରସାୟନ ପରୀକ୍ଷାଗାର ଇନସେକ୍ଟ ବାୟୋକେମେଷ୍ଟ୍ରୀ ଲେବରେଟରୀରେ ଏହି ଧରଣର ମଶାଗୁଡ଼ିକ ସଂପର୍କରେ ଗବେଷଣା କରାଯାଇଥିଲା । ଏଥିରୁ ଜଣାଗଲା ଯେ ମଶାକାମୁଡ଼ାରୁ ବର୍ତ୍ତିବା ପାଇଁ ବଜାରରେ ଉପଲବ୍ଧ ମଶା ନିବାରକ ବାଘୁଆ ମଶାମାନଙ୍କୁ କାଟୁ ନାହିଁ । ମଶା ତଡ଼ା ଧୂପ ଓ ଲିକ୍ୱିଡ଼ ପ୍ରତି ସହନଶୀଳ ହୋଇଗଲେଣି ମଶା ଧୂପରେ ବ୍ୟବହୃତ ପାରାଲେଥ୍ରୀନ ଓ ଲିକ୍ୱିଡ଼ରେ ବ୍ୟବହୃତ ଟ୍ରାନ୍ସଫ୍ଳୁଥେରିନ ଭଳି ବିଷ ମଶାଙ୍କୁ ତଡ଼ିପାରୁ ନାହିଁ ।
 
ବୈଜ୍ଞାନିକମାନେ ଦାର୍ଜିଲିଂ ଜିଲ୍ଲାର ଚାରିଗୋଟି ସହରରୁ ୫୦ ଗୋଟି କରି ମୋଟ ୨୦୦ ମଶା ପରୀକ୍ଷା ପାଇଁ ସଂଗ୍ରହ କରିଥିଲେ । ରାସ୍ତାଘାଟରେ ଫୋପଡ଼ା ଯାଇଥିବା ଭଙ୍ଗା ଟିଣ ଓ ପ୍ଳାଷ୍ଟିକ ପାତ୍ର, ଟାୟାର, ଫୁଲକୁଣ୍ଡ ଓ ପାଣିକୁଣ୍ଡ ଇତ୍ୟାଦିରେ ଜନ୍ମ ନେଇଥିବା ମଶା ଏଥିରେ ସାମିଲ ହୋଇଥିଲେ । ଗବେଷଣାରୁ ବୈଜ୍ଞାନିକମାନେ ଜାଣିଥିଲେ ଯେ ସାଧାରଣରେ ମଶା ନିବାରକର ମୂଳ ଉପାଦାନ ଡ଼େଲଟାମେଥ୍ରୀନ ଓ ସିନ୍ଥାଟିକ ପାଇରେଥିଏଡ଼ ଜାତୀୟ ସ୍ୱଳ୍ପ ଶକ୍ତି ସମ୍ପନ୍ନ ବିଷ ନୂତନ ପ୍ରଜାତିର ମଶାକୁ କ୍ଷତି ପହୁଞ୍ଚାଇପାରୁନାହିଁ । ଦୀର୍ଘ ବର୍ଷ ଧରି ସମାନ ଧରଣର ମଶା ତଡ଼ା ସାଧନ ବ୍ୟବହୃତ ହେବା ହେତୁ ମଶା ବଂଶରେ ବିଭାଜନ ମ୍ୟୁଟେସନ ଘଟି ସେହିସବୁ ନିବାରକ ପ୍ରତି ସହନଶୀଳ କରି ପକାଉଛି । ଏହାକୁ ନକ-ଡ଼ାଉନ-ରେଜିଷ୍ଟାନ୍ସ କୁହାଯାଏ । ବିଦେଶରେ ବୈଜ୍ଞାନିକମାନେ ୨୦୧୧ରୁ ସିଙ୍ଗାପୁର, ଜାପାନ, ଚୀନ, ଫ୍ରାନ୍ସ, ଇଟାଲୀ ଓ ଯୁକ୍ତରାଷ୍ଟ୍ର ଆମେରିକାରେ କେ-ଡ଼ି-ଆର ମ୍ୟୁଟେସନର ସନ୍ଧାନ ପାଇଥିଲେ । ଭାରତରେ ୨୦୨୦ରେ ବାଙ୍ଗାଲୁରୁଠାରେ ନୂଆଦିଲ୍ଲୀସ୍ଥିତ ଜାତୀୟ ମ୍ୟାଲେରିଆ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ସର୍ବେକ୍ଷଣକରି ଏହି ପ୍ରଜାତି ଠାବ କରାଯାଇଥିଲା ।
 
ଉତ୍ତର ବଙ୍ଗ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କହୁଛନ୍ତି ଯେ ଜନବସତିରେ ମଶା ଦମନ କରିବା ନିମନ୍ତେ ଜନ୍ମ ଅବସ୍ଥାରେ ଲାର୍ଭାସ୍ତରରେ ନିପାତ କରିବାକୁ ପଡ଼ିବ । ଏହା ସର୍ବଜନ ଜ୍ଞାତ ଯେ ଆମ ବାସଗୃହ ଚ଼ତୁର୍ଦ୍ଦିଗରେ ଅଳିଆ-ଆବର୍ଜନା ପଡ଼ି ରହିଲେ ସେଥିରେ ଥିବା ଭଙ୍ଗା ଟିଣ, ପାତ୍ର ଓ ଆସବାବପତ୍ରରେ ବର୍ଷାପାଣି ଜମି ରହେ ଏବଂ ସେହି ସ୍ଥିର ଜଳରେ ମାଈ ମଶା ଅଣ୍ଡା ଦିଏ । ଜନବସତି ସଫା ସୁତୁରା ରଖିବା ପୌର ପ୍ରଶାସନ ଏବଂ ଘରଦ୍ୱାର ସଫାରଖିବା ସଂପୃକ୍ତ ପରିବାରର କର୍ତ୍ତବ୍ୟ । କିନ୍ତୁ ପରିବାର  ଲୋକେ କେବଳ ଘର ଭିତର ସଫାକରି ବର୍ଜ୍ୟବସ୍ତୁ ଘର ବାହାରେ ପକାଇଦେବା ଏବଂ ସେଗୁଡ଼ିକ ସଂଗୃହୀତ ହୋଇ ଜନବସତିର ଦୂର ସ୍ଥାନରେ ଢାଳିବା କିମ୍ୱା ପ୍ରକ୍ରିୟାକରଣ କରାଯିବା ସଂଭବ ନହୋଇ ପାରିଲେ ସମସ୍ୟା ଉପୁଜେ । ମଶା ଉପଦ୍ରବ ଯୋଗୁଁ ପରିବାରର ସଦସ୍ୟମାନେ ପ୍ରଭାବିତ ହୁଅନ୍ତି । ମଶା କାମୁଡ଼ା ଦୈନନ୍ଦିନ ଜୀବନ ବ୍ୟତିବ୍ୟସ୍ତ କରିପକାଏ, କାର୍ଯ୍ୟଦକ୍ଷତା ହ୍ରାସ କରେ ଓ ବିଭିନ୍ନ ରୋଗ ସଂକ୍ରମଣର କାରଣ ପାଲଟେ । ପରିବେଶ ପରିଷ୍କାର ରଖିବା ଦିଗରେ ଜନସାଧାରଣ ଓ ପୌର ପ୍ରଶାସନ ପକ୍ଷରୁ ମିଳିତ ଅଭିଯାନ ଆୟୋଜନ ଆବଶ୍ୟକ । କିନ୍ତୁ ଏହା ସଂଭବ ହୋଇପାରେନା ।
 
ଜନବସତି ଅପରିଷ୍କୃତ ରହିଲେ ଭଙ୍ଗା ଆସବାବପତ୍ରରେ ପାଣି ଜମି ମଶା ବଂଶ ବିସ୍ତାର ଲାଭ କରେ ଏବଂ ସଫାସୁତରା ରଖିବାରେ ଅସଫଳ ହେଲେ ପରିବାରବର୍ଗ ଘର ମଧ୍ୟରେ ମଶା ଧୂପ ବା ଲିକ୍ୱିଡ଼ ବ୍ୟବହାର କରି କିମ୍ୱା ପୌରପ୍ରଶାସନ ପକ୍ଷରୁ ବସ୍ତି, ରାସ୍ତା ଘାଟରେ ମଶାମରା ଧୂଆଁ ଛାଡ଼ି ଆୟତ୍ତ କରିଥାନ୍ତିବ୍ରହ୍ମପୁରରେ ଜୁନ ଦ୍ୱିତୀୟ ସପ୍ତାହରେ ଅସରାଏ ବର୍ଷାର ମାସକ ପରେ ମଶା ବଂଶ ବୃଦ୍ଧି ପାଇଥିଲା । ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷା ଓ ଖରା ଲାଗିରହିଥିବା ହେତୁ ସୃଷ୍ଟ ଆଦ୍ର ପରିବେଶ ମଶାଙ୍କ ବଂଶ ବିସ୍ତାର ନିମନ୍ତେ ସହାୟକ ହୋଇଥିଲା । ଏହି ଅବସରରେ ମଶାଙ୍କ ସଂଖ୍ୟା ଅଧିକ ହୋଇନଥିଲେହେଁ ସଂଭବତଃ ଭିନ୍ନ ପ୍ରଜାତିର ମଶା ଶରୀରରେ ପୀଡ଼ା ଓ ଆଲାର୍ଜି ପହଞ୍ଚାଉଥିବା ଏବଂ ସାଧାରଣ ମଶା ଧୂପ ଓ ଲିକ୍ୱିଡ଼ରେ ଦୂରେଇ ଯାଉନଥିବା ସହରବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ରୋଗ ସଂକ୍ରମଣ ତ ଅଲଗା କଥା । ସେପ୍ଟେମ୍ୱର ମାସରୁ ମଶାଙ୍କ ସଂଖ୍ୟା ବୃଦ୍ଧି ସଙ୍ଗେ ସମସ୍ୟା ଉତ୍କଟ ରୂପ ଧାରଣ କରିବା ଆକଳନ କରାଯାଇପାରେ । ଏହି ସୁପର ମସ୍କିଟୋଙ୍କ କବଳରେ ସହରବାସୀ କଲବଲ । ତେଣୁ ପୌର ପ୍ରଶାସନପକ୍ଷରୁ ମଶା ଧୂଆଁ ଛାଡ଼ିବା ଭିନ୍ନ ଅନ୍ୟ ଉପାୟ ନାହିଁ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୭ ଅଗଷ୍ଟ ୨୦୨୨/ ପୃଷ୍ଠା : ୨)

Photo by Refat Ul Islam on Unsplash 


1 comment: