Friday, September 30, 2022

Durga Puja / ଶାରଦୀୟ ଦୁର୍ଗାପୂଜା

 

#ବ୍ରହ୍ମପୁର ସହରରେ ଦଶହରା ପାଳନ ଏକାଂଶରେ ଜାକଜମକରେ ସଜ୍ଜିତ ଦୁର୍ଗା ମେଢ଼ ଆୟୋଜନକୁ ବୁଝାଏ । ଏଠାକାର ସାର୍ବଜନୀନ ଦୁର୍ଗାପୂଜା ପଶ୍ଚିମବଙ୍ଗ ତଥା କୋଲକତାର ପରମ୍ପରା ସହିତ ଜଡ଼ିତ । ବ୍ରହ୍ମପୁରରେ ୧୮୯୬ରେ ରେଳପଥ ଉନ୍ମୋଚନ ପରେ କ୍ରମଶଃ କୋଲକତା ସହ ସଂଯୁକ୍ତ ହୋଇଥିଲା । ତତ୍କାଳୀନ ବେଙ୍ଗାଲ-ନାଗପୁର-ରେଳପଥର କେତେକ ବଙ୍ଗୀୟ କର୍ମଚାରୀ ବ୍ରହ୍ମପୁର ରେଳଷ୍ଟେସନରେ ଅବସ୍ଥାପିତ ହୋଇଥାନ୍ତି । ସେମାନଙ୍କ ଉଦ୍ୟମରେ ରେଳଷ୍ଟେସନ ପ୍ରାଙ୍ଗଣରେ କୋଲକତାର ସାର୍ବଜନୀନ ଦୁର୍ଗାପୂଜା ଅନୁକରଣରେ ୧୯୩୪ରୁ ଉତ୍ସବାନୁଷ୍ଠାନ ଆୟୋଜନ ହୋଇଥିଲା । ପ୍ରଥମ ପାଞ୍ଚ ବର୍ଷ କୋଲକତାରୁ ରେଳ ଯୋଗେ ମୃଣ୍ମୟ ଦୁର୍ଗା ମୂର୍ତ୍ତି ଅଣାଯାଇଥିବା କୁହାଯାଏ । ଆଜି ସୁଦ୍ଧା ଆଦି ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ବଙ୍ଗୀୟ ଭାଷାଭାଷୀଙ୍କ ସାର୍ବଜନୀନ ଦୁର୍ଗାମେଢ ୮୮ ବର୍ଷ ଧରି ନିର୍ମିତ ହେଉଅଛି ।
 
ମୁଖ୍ୟତଃ କୋଲକତା, କଟକ ଓ ସ୍ଥାନୀୟ ବଙ୍ଗୀୟ ଦୁର୍ଗାପୂଜାରେ ପ୍ରଭାବିତ ହୋଇ ବ୍ରହ୍ମପୁରର କେତେକ ଉତ୍ସାହୀ ବ୍ୟବସାୟୀଙ୍କ ଉଦ୍ୟମରେ ସାନବଜାର-ହନୁମାନ ବଜାର ଛକଠାରେ ୧୯୫୬ରୁ ଦୁର୍ଗା ମେଢ଼ ନିର୍ମାଣ ଆରମ୍ଭ କରାଯାଇଥିଲା । ଏହା ବିଗତ ୬୬ ବର୍ଷ ଧରି ଚାଲିଛି । ପରବର୍ତ୍ତୀ ସମୟରେ ସହରର ବିଭିନ୍ନ ଅଞ୍ଚଳରେ ୨୦୧୯ ସୁଦ୍ଧା ୪୦ ଗୋଟି ଦୁର୍ଗାମେଢ଼ ନିର୍ମିତ ହୋଇଥିଲା । ୨୦୨୦ ଓ ୨୦୨୧ରେ କୋଭିଡ଼ ମହାମାରୀ କାରଣରୁ ପୂଜାତ୍ସୋବ କେବଳ ନୀତିପାଳନ ମଧ୍ୟରେ ସୀମାବଦ୍ଧ ରହିବା ପରେ ୨୦୨୨ରେ ପୁଣି ୪୦ ଗୋଟି ଦୁର୍ଗା ମେଢ଼ ନିର୍ମାଣ କରାଯାଇଛି ।
 
ଐତିହାସିକ ତଥ୍ୟ ଅନୁଯାୟୀ ଅଷ୍ଟାଦଶ ଶତାଦ୍ଦୀ ଶେଷ ଭାଗରେ କୋଲକତାରୁ ୧୦୦ କିଲୋମିଟର ଦୂରବର୍ତ୍ତୀ ହୁଗୁଳି ଜିଲ୍ଲାର ଗୁପ୍ତିପରାଠାରେ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ଏଥି ପୂର୍ବରୁ ଷଷ୍ଠଦଶ ଓ ସପ୍ତଦଶ ଶତାଦ୍ଦୀରେ ବଙ୍ଗୀୟ ରାଜା ଓ ଜମିଦାର ପରିବାରରେ ଏକାଧିକ ଦିବସବ୍ୟାପୀ ଶାରଦୀୟ ଦୁର୍ଗାପୂଜାତ୍ସୋବ ଆୟୋଜନ କରାଯାଉଥଲା । ଦେବୀ ପୂଜା ପାଳନ କଠିନ ରୀତିନୀତି ସମ୍ପନ୍ନ ଓ ବ୍ୟୟ ବହୁଳ ଥିବା ହେତୁ ସାଧାରଣ ପରିବାର ବର୍ଗ ପୂଜା ପାଳନରୁ ଦୂରେଇ ରହୁଥିଲେ । ସଂଭ୍ରାନ୍ତ ପରିବାର ଗୁଡ଼ିକରେ ଅନୁଷ୍ଠିତ ପୂଜା ଉତ୍ସବରେ ସୀମିତ ସଂଖ୍ୟକ ନିମନ୍ତ୍ରିତ ବ୍ୟକ୍ତି ଯୋଗ ଦେଉଥିଲେ । କୋଲକତା ଜମିଦାରଙ୍କ ଦୂର୍ଗାପୂଜା ଉତ୍ସବରେ ଇଂଲିଶ ପ୍ରଶାସକ ରବର୍ଟ କ୍ଳାଇବ ଓ ୱାରେନ ହେଷ୍ଟିଙ୍ଗସ ଯୋଗ ଦେଇଥିବା ପ୍ରମାଣ ମିଳେ । ପୂଜାପାଳନ ସାଙ୍ଗକୁ ଭୋଜିଭାତ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ଆପ୍ୟାୟିତ କରାଯାଉଥିଲା ।
 
ଗୁପ୍ତିପରା ଗ୍ରାମରେ ସ୍ଥାନୀୟ ଜମିଦାରଙ୍କ ଦୁର୍ଗାପୂଜାରେ କେତେକ ଯୁବକଙ୍କୁ ପ୍ରବେଶ ଅନୁମତି ନମିଳିବା ଫଳରେ ସେମାନେ କ୍ଷୁବ୍ଧ ହୋଇ ସମ୍ମିଳିତ ଉଦ୍ୟମରେ ସାର୍ବଜନୀନ ଦୁର୍ଗାପୂଜା ସଂଭବତଃ ୧୭୬୧ କିମ୍ୱା ୧୭୯୦ରେ ଆୟୋଜନ କରିଥିଲେ । ଏଥିରେ ଅନୁପ୍ରାଣିତ ହୋଇ ପଡ଼ୋଶୀ ଅଞ୍ଚଳର ଯୁବକମାନଙ୍କ ଉଦ୍ୟମରେ ସାର୍ବଜନୀନ ଦୁର୍ଗାପୂଜା ପରମ୍ପରା ପ୍ରସାର ଲାଭ କରିଥିଲା । କୋଲକତାରେ ୧୯୧୦ ମସିହାରେ ଭବାନୀପୁରର ବଳରାମ ବସୁ ଘାଟ ରୋଡ଼ଠାରେ ପ୍ରଥମ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ହୋଇଥିବା କୁହାଯାଏ । ପରବର୍ତ୍ତୀ ଅବସ୍ଥାରେ ୧୯୧୫ରେ କଲେଜ ଷ୍ଟ୍ରୀଟ ଓ ୧୯୧୯ରେ ବାଗବଜାରରେ ତଥା ୨୦୨୨ ବେଳକୁ ଦୁଇ ହଜାରରୁ ଉର୍ଦ୍ଧ୍ୱ ଦୁର୍ଗାମେଢ ତଥା ସାର୍ବଜନୀନ ଉତ୍ସବ ପାଳନକୁ ସଂପ୍ରସାରିତ ହୋଇଛି ।
 
ଐତିହାସିକମାନଙ୍କ ମତରେ ଶାରଦୀୟ ଦୁର୍ଗାପୂଜା ପାଳନ ପୂର୍ବରୁ ବାସନ୍ତୀ ଦୁର୍ଗାପୂଜା ପାଳନ ପରମ୍ପରା ରହିଥିଲା । ମାର୍କଣ୍ଡ ପୁରାଣ ଅନୁଯାୟୀ ରାଜା ସୁରଥ ବାସନ୍ତୀ ଦୁର୍ଗା ପୂଜା କରିଥିଲେ । ତେବେ ରାଜସିକ ପୁରାଣରେ ରାଜା ରାମଚ଼ନ୍ଦ୍ର ରାବଣ ସହ ଯୁଦ୍ଧ ଘୋଷଣା ପୂର୍ବରୁ ଆଶ୍ୱିନ ମାସରେ ଦୁର୍ଗାଙ୍କୁ ଆବାହନ କରିଥିବା ଉଲ୍ଲେଖ ରହିଛି ତାହା ଶାରଦୀୟ ଦୁର୍ଗାପୂଜାର କେନ୍ଦ୍ର ବିନ୍ଦୁ । ଅତୀତରେ ବସନ୍ତ ଋୁତୁରେ ସଂକ୍ରାମକ ରୋଗ ବ୍ୟାପୁଥିବା ହେତୁ ବସନ୍ତ ବଦଳରେ ଶରତ ଋତୁରେ ପୂଜା ଉତ୍ସବ ପାଳନକୁ ଅଗ୍ରାଧିକାର ଦିଆଯାଇଥିଲା । ଶାରଦୀୟ ପୂଜାରେ ଦେବୀଙ୍କୁ ମହୀଷାସୁରମର୍ଦ୍ଧନୀ ରୂପେ  ବର୍ଣ୍ଣନା କରାଯାଇଥାଏ । ପୂଜା ଆୟୋଜନରେ ସେ କୈଳାସ ପର୍ବତରୁ ଜନଗଣଙ୍କ ନିକଟରେ ପହଞ୍ଚୁଥିବା କଳ୍ପନା କରାଯାଏ । ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ପରକୁ ଶାରଦୀୟ ଦୁର୍ଗାପୂଜା ବ୍ରହ୍ମପୁରର ଦ୍ୱିତୀୟ ସାର୍ବଜନୀନ ଉତ୍ସାବାନୁଷ୍ଠାନ ରୂପେ ପରିଗଣିତ ।


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧ ଅକ୍ଟୋବର ୨୦୨୨/ ପୃଷ୍ଠା : ୨)


Photo by SAURAV MALI on Unsplash


No comments:

Post a Comment