#ବ୍ରହ୍ମପୁର ସହରରେ ତାରମୟ ଆକାଶ ‘ୱାୟାରଡ଼ ସ୍କାଇ’ ଜନପଦର ସୌନ୍ଦର୍ଯ୍ୟ ପ୍ରସ୍ପୁଟନରେ ଅନ୍ୟତମ ପ୍ରତିବନ୍ଧକ ସାଜିଥାଏ । ସହରର
ରାଜରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ବିଦ୍ୟୁତ ଖୁଣ୍ଟ ଦେଇ ଅସଂଖ୍ୟ ତାର ସମାହାର । ରାସ୍ତାରେ
ପାଦ ଦେବା ମାତ୍ରେ ଏହି କଦର୍ଯ୍ୟ ଦୃଶ୍ୟ ପ୍ରଥମେ ଆଖିରେ ପଡ଼େ । ଏକ ପକ୍ଷରେ ବାତ୍ୟା ପ୍ରକୋପରେ
ଧ୍ୱଂସ୍ତ ଭିତ୍ତିଭୂମିକୁ ଜରୁରିକାଳୀନ ଚେଷ୍ଟାରେ ଅସ୍ଥାୟୀ ଭାବେ ସଜଡ଼ା ଯାଇଥିବା ବିଦ୍ୟୁତ
ସରବରାହ ତାର ଅବ୍ୟବସ୍ଥିତ ହୋଇ ଦୀର୍ଘକାଳରୁ ପଡ଼ିରହିଛି । କାମଚ଼ଳା ଢଙ୍ଗରେ ଚାଲିଛି ।
ଅପରପକ୍ଷେ ବିଂଶ ଶତାଦ୍ଦୀ ଶେଷ ଦଶକରେ କେବଲ ଟେଲିଭିଜନ ସେବା ଏବଂ ଏକବିଂଶ ଶତାଦ୍ଦୀ ଆରମ୍ଭରୁ
ଇଣ୍ଟରନେଟ ସେବା ଯୋଗାଇବା ନିମନ୍ତେ ଶତାଧିକ ଛୋଟବଡ଼ ସଂସ୍ଥା ବିଦ୍ୟୁତ ଖୁଣ୍ଟରେ ତାରଟାଣି ସହରର
ଆକାଶ ‘ସ୍କାଇ ଲାଇନ’କୁ ପ୍ରଦୂଷିତ କରିଚାଲିଛନ୍ତି । ଆଶ୍ଚର୍ଯ୍ୟର ବିଷୟ ଏହି ଯେ ଏସଂପର୍କରେ ସଂପୃକ୍ତ କର୍ତ୍ତୃପକ୍ଷ ନା କୌଣସି
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ନା ନାଗରିକ ସମାଜ ପକ୍ଷରୁ କେବେ ଅଭିଯୋଗ ଉଠେ । ବୋଧହୁଏ
ଏହା ଏକ ସମସ୍ୟା ନୁହ !
ଆଇନାନୁଯାୟୀ
ଯେ କୌଣସି ସହରରେ ବିଦ୍ୟୁତ ବିତରଣ ସଂସ୍ଥା ସ୍ଥାନୀୟ ପୌରପାଳିକାଙ୍କ ଅନୁମତି ନେଇ ବିଦ୍ୟୁତ
ସରବରାହ ନିମନ୍ତେ ତାର ଟାଣିବା ପାଇଁ ଖୁଣ୍ଟ ପୋତିଥାଏ । ସର୍ବସାଧାରଣ ବ୍ୟବହାରଯୋଗ୍ୟ
ରାସ୍ତାଘାଟ ପୌରପାଳିକାର ସମ୍ପତ୍ତି । ଖୁଣ୍ଟ ପୋତିବା ନିମନ୍ତେ ସ୍ଥାନ ବ୍ୟବହାର ଲାଗି ବିଦ୍ୟୁତ
ବିତରଣ ସଂସ୍ଥା ପୌରପାଳିକାକୁ ବାର୍ଷିକ ଭିତ୍ତିରେ ଭଡ଼ା ନେଇଥାଏ । ଅର୍ଥାତ, ସହରରେ ଅବସ୍ଥିତ ବିଦ୍ୟୁତ
ଖୁଣ୍ଟ ନିମନ୍ତେ ପୌରପାଳିକା ଓ ବିଦ୍ୟୁତ ବିତରଣ ସଂସ୍ଥା ମିଳିତ ଭାବେ ଦାୟୀ ।
ପୌରପାଳିକାଠାରୁ
ଅନୁମତି ନେଇ, ଭଡ଼ା ଦେଇ ବିଦ୍ୟୁତ ବିତରଣ ସଂସ୍ଥାର ଖୁଣ୍ଟରେ କେବଲ ଟେଲିଭିଜନ ଓ ଇଣ୍ଟରନେଟ
ସେବା ଯୋଗାଣ ସଂସ୍ଥାଗୁଡ଼ିକ ନିଜ ତାର ଟାଣିବା ନିମନ୍ତେ ବ୍ୟବହାର କରୁଛନ୍ତି । ଏଥି ନିମନ୍ତେ
ନା ପୌରପାଳିକା, ନା ବିଦ୍ୟୁତ ବିତରଣ ସଂସ୍ଥାଠାରୁ ଅନୁମତି ନେଉଛନ୍ତି । ଏହି ଭଳି ଛୋଟ
ସଂସ୍ଥାଗୁଡ଼ିକ ବ୍ୟବସାୟରେ ତିଷ୍ଠି ନରହି ପାରିବା ଯୋଗୁଁ ସେବା ଆରମ୍ଭ କରିଥିବା ସଂଖ୍ୟାରୁ ତିନି
ଚ଼ତୁର୍ଥାଂଶ ବନ୍ଦ ହୋଇଯାଇଛି । କିନ୍ତୁ ବିଦ୍ୟୁତ ଖୁଣ୍ଟରେ ସେମାନେ ଟାଣିଥିବା ତାର ଅବ୍ୟବହୃତ
ଅବସ୍ଥାରେ ପଡ଼ି ରହିଛି । ଏ ସଂପର୍କରେ ପୌରପାଳିକା, ବିଦ୍ୟୁତ ବିତରଣ ସଂସ୍ଥା, ନା କୌଣସି
ତୃତୀୟ ପକ୍ଷ ନିକଟରେ କୌଣସି ତଥ୍ୟ ଉପଲବ୍ଧ ନଥାଏ ।
ପ୍ରଶ୍ନ ଉଠେ,
ବିଦ୍ୟୁତ ଖୁଣ୍ଟରେ ଝୁଲି ରହିଥିବା କେବଲ ଟେଲିଭିଜନ ଓ ଇଣ୍ଟରନେଟ ତାର ଅବରୋଧ କଲେ ସାଧାରଣ
ନାଗରିକ ଅଭିଯୋଗ କରିବେ କାହାଠାରେ ? ଅଧିକାଂଶ ତାର
ରକ୍ଷଣାବେକ୍ଷଣ ଅଭାବରୁ ସମସ୍ୟା ସୃଷ୍ଟି କରୁଥିବା ସ୍ଥଳେ ସହରର ନିର୍ଦ୍ଦିଷ୍ଟ ଅଞ୍ଚଳରେ
ଘୁରିବୁଲୁଥିବା ମାଙ୍କଡ଼ ପଲଙ୍କ ଟଣା ଓଟରା ଯୋଗୁଁ ତାର ରାସ୍ତାରେ ପଡ଼ିରହେ । ଏହି ସମସ୍ୟାର
ସମାଧାନ କାହା ଦାୟିତ୍ୱ ?
ସହରାଞ୍ଚଳ ବିକାଶରେ ସୌନ୍ଦର୍ଯ୍ୟକରଣ ଅନ୍ୟତମ ବିଶିଷ୍ଟ ଅଙ୍ଗ । ଉପଲବ୍ଧ ବ୍ୟବସ୍ଥାର ରକ୍ଷାଣବେକ୍ଷଣ ପୌରପାଳିକାର ପ୍ରାଥମିକ କର୍ତ୍ତବ୍ୟ । ସହରର ରାସ୍ତାଘାଟରେ ପେଭର ବ୍ଳକ ପକାଇବା ଆଗରୁ ନଜର ଟିକିଏ ଉପରକୁ ପକାଇବା ଆବଶ୍ୟକ । ଉଭୟ ପୌରପାଳିକା ଏବଂ ଆଇନ ଅନୁମୋଦିତ ବିଦ୍ୟୁତ ସେବା ଯୋଗାଣ ସଂସ୍ଥା ବିଦ୍ୟୁତ ଖୁଣ୍ଟର ବ୍ୟବହାର ସଂପର୍କରେ ସର୍ବପ୍ରଥମେ ନୀତିଗତ ନିଷ୍ପତ୍ତି ନେବା ଜରୁରୀ । ଏକ ସ୍ୱତନ୍ତ୍ର ଅଭିଯାନରେ ଅନ୍ତତଃ ପକ୍ଷେ ଅବ୍ୟବହୃତ କେବେଲ ଟେଲିଭିଜନ ଓ ଇଣ୍ଟରନେଟ ତାରଗୁଡ଼ିକ ହଟାଇଦେଲେ ସମସ୍ୟା କେତେକାଂଶରେ ଲାଘବ ହୋଇପାରିବା ବିଶ୍ୱାସ କରାଯାଏ ।
(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୨ ନଭେମ୍ୱର ୨୦୨୨/ ପୃଷ୍ଠା : ୨)
No comments:
Post a Comment