Friday, November 18, 2022

Wired Doorsteps / ତାରମୟ ଗୃହଦ୍ୱାର

 

#ବ୍ରହ୍ମପୁର ସହରରେ ବସବାସ କରୁଥିବା ମଧ୍ୟବିତ୍ତ ଓ ନିମ୍ନ-ମଧ୍ୟବିତ୍ତ ପରିବାରଙ୍କ ସଂଖ୍ୟା ଅଧିକ । ପାରମ୍ପରିକଭାବେ ଦୁଇ ବର୍ଗଙ୍କ ବାସଗୃହ ସାହୀମାନଙ୍କରେ ଅବସ୍ଥିତ । ଏହି ଧରଣର ଗୃହ-କୁ-ଗୃହ ପଡ଼ୋଶୀ ଭିତ୍ତିରେ ଧାଡ଼ି-ଧାଡ଼ି ହୋଇ ନିର୍ମିତ ହୋଇଥାଏ ଏବଂ କମ୍ପାଉଣ୍ଡ ନଥାଏ । ସର୍ବସାଧାରଣ ରାସ୍ତା ସହ ଗୃହ ବାରଣ୍ଡା ସଂଯୁକ୍ତ ରହେ । ତେଣୁ ଗୃହଦ୍ୱାର ବ୍ୟାବହାରିକ ଦୃଷ୍ଟିରୁ ଯେତିକି ଗୁରୁତ୍ୱପୂର୍ଣ୍ଣ, ବାସଗୃହର ସୌନ୍ଦର୍ଯ୍ୟବର୍ଦ୍ଧନରେ ସେତିକି ସହାୟକ ।
 
ବିଗତ ଦଶବର୍ଷ ଧରି ସ୍ଥାନୀୟ ବିଦ୍ୟୁତ ଯୋଗାଣ ସଂସ୍ଥାର ଅଯୌକ୍ତିକ ପଦକ୍ଷେପରେ ସହରର ବାସଗୃହଗୁଡ଼ିକର ପ୍ରବେଶ ଦ୍ୱାରଗୁଡ଼ିକରେ ବିଦ୍ୟୁତ ମିଟର ସ୍ଥାପନ ଦ୍ୱାରା କଦାକାର ପରିବେଶ ସୃଷ୍ଟି ହୋଇଛି । ରାଜ୍ୟରେ ବିଦ୍ୟୁତ ବାଟମାରଣା ଯୋଗୁଁ ବିଦ୍ୟୁତ ବଣ୍ଟନରେ କ୍ଷତି ଲାଗି ରହିଥିଲା । ବ୍ୟାପକ ଦୁର୍ନୀତି ଏହି ସମସ୍ୟାର ମୂଳ ଉତ୍ସ ଥିବା ସଂପର୍କରେ ସମସ୍ତେ ଅବଗତ ଥିଲେ । ତେବେ ସାଧାରଣ ଘରୋଇ ବିଦ୍ୟୁତ ଗ୍ରାହକଙ୍କୁ ବିଦ୍ୟୁତ ଚୋରି ପାଇଁ ଦାୟୀ କରି ୨୦୧୩ରେ ନୂତନ ବିଦ୍ୟୁତ ବିତରଣ ପ୍ରକଳ୍ପ ସାଉଥକୋ ଗଠନ ଅବସରରେ ପ୍ରତ୍ୟେକ ବାସଗୃହ ଦ୍ୱାରରେ ବିଦ୍ୟୁତ ମିଟର ସ୍ଥାପନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଗଲା ।
 
ବିଦ୍ୟୁତ ବିତରଣ ନିୟମାନୁଯାୟୀ ଖାଉଟିଙ୍କ ଗୃହରେ ସେମାନଙ୍କ ସମ୍ମତ୍ତି ଅନୁଯାୟୀ ମିଟର ସ୍ଥାପନ ଏବଂ ସ୍ଥାପିତ ମିଟରର ସୁରକ୍ଷା ବିଦ୍ୟୁତ ଗ୍ରାହକଙ୍କ ଦାୟିତ୍ୱ ଥିବା ସ୍ଥଳେ ସେଦିଗରେ ମୋଟରୁ ଦୃଷ୍ଟି ଦିଆଗଲା ନାହିଁ । ବିତରଣ ସଂସ୍ଥାପକ୍ଷରୁ ତୃତୀୟ ପକ୍ଷ ଠିକାଦାର ନିଯୁକ୍ତି କରାଯାଇ ଅସମୟରେ ଘର ଘର ବୁଲି ବାରଣ୍ଡାରେ ଥିବା ପୁରୁଣା ମିଟରକୁ ତୃଟିପୂର୍ଣ୍ଣ ଦର୍ଶାଇ ନୂଆ ମିଟର ଗୃହଦ୍ୱାରରେ ସ୍ଥାପନ କରାଗଲା । ଅଧିକାଂଶ କ୍ଷେତ୍ରରେ ମିଟର ପରିବର୍ତ୍ତନ ବେଳେ ଗୃହସ୍ୱାମୀ ଅନୁପସ୍ଥିତ ଥାଆନ୍ତି ଏବଂ ସେମାନଙ୍କୁ ପ୍ରତିବାଦ କରିବା ନିମନ୍ତେ ସୁଯୋଗ ହିଁ ମିଳିଲା ନାହିଁ । ଖାଉଟି ଅଦାଲତରେ ଅଭିଯୋଗ ପରେ ମିଟର ସ୍ଥାପନ ସାମୟିକ ବନ୍ଦ ରଖି ପୁନର୍ବାର ଅଭିଯାନ ଜାରି ରଖାଗଲା । ଫଳରେ ଦିନ କେତେଟା ମଧ୍ୟରେ ସହରର ପ୍ରାୟ ସମସ୍ତ ବାସଗୃହ ଗୁଡ଼ିକର ଦ୍ୱାରଦେଶରେ ମିଟର ସ୍ଥାପନ କାର୍ଯ୍ୟକ୍ରମ ସରିଲା ।
 
ତେବେ ଆଇନକାନୁନ କିମ୍ୱା ସଚ଼େତନ ବିଦ୍ୟୁତ ଗ୍ରାହକଙ୍କ ପ୍ରତିବାଦକୁ ଭୃକ୍ଷେପ ନକରି ଗ୍ରହଣ କରାଯାଇଥିବା ପଦକ୍ଷେପରୁ ବିଦ୍ୟୁତ ରାଜସ୍ୱ ବୃଦ୍ଧି କ୍ଷେତ୍ରରେ କୌଣସି ସୁଫଳ ମିଳିଲା ନାହିଁ । ୨୦୧୩ରେ ସାଉଥକୋ ୟୁଟିଲିଟି ଗଠିତ ହେବା ସାତବର୍ଷ ପରେ ମଧ୍ୟ ୩୫.୨୯ ପ୍ରତିଶତ କ୍ଷତି କାରଣରୁ ସ୍ଥାନୀୟ ବିଦ୍ୟୁତ ଯୋଗାଣ ଦାୟିତ୍ୱ ନିଲାମରେ ୨୦୨୦ ଡ଼ିସେମ୍ୱର ମାସରେ ଟାଟା ପାୱାର କମ୍ପାନୀକୁ ଟେକି ଦିଆଗଲା । ବିଦ୍ୟୁତ ବାଟମାରଣା ନିମନ୍ତେ ଯଦି ଘରୋଇ ଉପଭୋକ୍ତାମାନଙ୍କୁ ଦାୟୀ କରାଯାଉଥିଲା, ତେବେ ପ୍ରତ୍ୟେକ ପରିବାରଙ୍କ ଘରଦ୍ୱାରରେ ବିଦ୍ୟୁତ ମିଟର ସ୍ଥାପନ କରି ତତ୍ତ୍ୱାବଧାନପରେ ବିତରଣ କ୍ଷତିର ପରିମାଣ କାହିଁକି କମିଲା ନାହିଁ ? କେବଳ ସାଧାରଣ ନାଗରିକଙ୍କୁ ଅପରାଧି ସଜାଇ ସେମାନଙ୍କ ବେକରେ ଚୋର ଫଳକ ଟାଙ୍ଗିଲାଭଳି ବାସଗୃହ ଦ୍ୱାରରେ ବିଦ୍ୟୁତ ମିଟର ସ୍ଥାପନ ସାର ହେଲା !
 
ପରିତାପର ବିଷୟ ଏହିଯେ ଟାଟା ପାୱାର ଭଳି ଏକ ଜାତୀୟସ୍ତରର କମ୍ପାନୀ ବ୍ରହ୍ମପୁର ସହରରେ ବିଦ୍ୟୁତ ବିତରଣ ଦାୟିତ୍ୱ ଗ୍ରହଣ ପରେ ମଧ୍ୟ ଖାଉଟିଙ୍କ ବାସଗୃହ ଦ୍ୱାର ଦେଶରେ ମିଟର ସ୍ଥାପନ ନୀତି ବଳବତ୍ତର ରଖିଛି । ଏତଦ୍ୱାରା ଯେ ବାସଗୃହ ସମେତ ସହରର ସୌନ୍ଦର୍ଯ୍ୟ ହାନୀ ଘଟୁଛି, ଯାତାୟତ ପଥରେ ଓହଳି ରହୁଥିବା ଜୀବନ୍ତ ବିଦ୍ୟୁତ ତାର ଦୁର୍ଘଟଣାର କାରଣ ହୋଇପାରେ, ଏହି ବିଷୟଗୁଡ଼ିକୁ ପୂର୍ବ-ବ୍ୟବସ୍ଥାର ଦ୍ୱାହି ଦେଇ ଚତୁରତାର ସହ ଏଡ଼ାଇ ଦେଉଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବର୍ତ୍ତମାନ ଟାଟା ପାୱାର ପକ୍ଷରୁ ଡ଼ିଜିଟାଲ ମିଟର ବଦଳ କରାଯାଉଛି । ଡିଜିଟାଲ ମିଟର ସ୍ଥାପନ ପରେ ତାହା ପ୍ରି-ପେଡ଼ ପ୍ରଣାଳୀକୁ ପରିବର୍ତ୍ତିତ ହେବ । ଅର୍ଥାତ, ମୋବାଇଲ ଫୋନ ଭଳି ପୂର୍ବରୁ ଅର୍ଥ ପ୍ରଦାନ କଲେ ସେହି ମୂଲ୍ୟରେ ସୀମିତ ଅବଧି ପାଇଁ ବିଦ୍ୟୁତ ଯୋଗାଣ ସେବା ଗ୍ରହଣ କରିହେବ । ପ୍ରଶ୍ନ ଉଠେ, ଡ଼ିଜିଟାଲ ମିଟର ଯଦି ପ୍ରି-ପେଡ଼ ହେବ, ତେବେ ତ ବିଦ୍ୟୁତ ବାଟମାରଣାର ଅବକାଶ ରହିବ ନାହିଁ ଏବଂ ବିତରଣ କମ୍ପାନୀର ମିଟର ରିଡ଼ର ମାସକୁ ମାସ ଉପଭୋକ୍ତାଙ୍କ ଘରେ ପହଞ୍ଚି ଖର୍ଚ୍ଚ ପରିମାଣ ରେକର୍ଡ କରିବେ ନାହିଁ; ତେବେ ବର୍ତ୍ତମାନ କାହିଁକି ନୂଆ ଡ଼ିଜିଟାଲ ମିଟରଗୁଡ଼ିକ ଗୃହଦ୍ୱାରରେ ବସାଯାଉଛି ?
 
ସହର ଓ ସହରବାସୀଙ୍କ ସ୍ୱାର୍ଥ ସୁରକ୍ଷା ନିମନ୍ତେ ବିଭିନ୍ନ ଅତ୍ୟାବଶ୍ୟକ ସେବା ପ୍ରତି ଯେପରି ଧ୍ୟାନ ଦିଆଯିବା ଉଚ଼ିତ, ସେହିକ୍ରମରେ ସହରର ଭୌଗଳିକ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ନାଗରିକଙ୍କୁ ସଚ଼େତନ କରିବା ଆବଶ୍ୟକ । ଏହା ଏକ ସ୍ୱତନ୍ତ୍ର କାର୍ଯ୍ୟଧାରା ଏବଂ କିଛି ନାଗରିକ ସମାଜ ସହରର ସୌନ୍ଦର୍ଯ୍ୟ ସୁରକ୍ଷା ଓ ବୃଦ୍ଧି ଦିଗରେ କାର୍ଯ୍ୟ କରିବା ନଗର-ମାନସିକତା ମେଟ୍ରୋପଲିଟିଆନ ଆଉଟଲୁକର ପରିଚାୟକ । ସହରରେ ଉପଭୋକ୍ତାଙ୍କ ବାସଗୃହରେ, ମୁଖ୍ୟତଃ କମ୍ପାଉଣ୍ଡ ନଥିବା ଗୃହଗୁଡ଼ିକରେ ଗୃହଦ୍ୱାର ପରିବର୍ତ୍ତେ ବାରଣ୍ଡାରେ ଡ଼ିଜିଟାଲ ମିଟର ସ୍ଥାପନ ନିମନ୍ତେ ପଦକ୍ଷେପ ନିଆଯିବା ଜରୁରୀ । ଏହା ଫଳରେ ଦୃଶ୍ୟଗତ ପ୍ରଦୂଷଣ ସାଇଟ ପଲ୍ୟୁସନ ହ୍ରାସ ପାଇବା ଆଶା କରାଯାଇପାରେ ।
 
ଟାଟା ପାୱାର ପକ୍ଷରୁ ମିଟର ପରିବର୍ତ୍ତନ କ୍ଷେତ୍ରରେ ଓଇଆରସି କୋଡ଼ ୨୦୦୪ର ଧାରା ୫୯(୪) ଉଲଂଘନ ଅଭିଯୋଗରେ ବ୍ରହ୍ମପୁର ଖାଉଟି ଅଦାଲତରେ ସେପ୍ଟେମ୍ୱର ୨୦୨୨ ପ୍ରଥମାର୍ଦ୍ଧରେ ଏକ ମାମଲା ଦାୟର ହୋଇଛି । ଓଡ଼ିଶା ଇଲେକ୍ଟ୍ରିସିଟି କମିସନ ପକ୍ଷରୁ ଓଡ଼ିଶା ଗେଜେଟରେ ୨୭ ଅଗଷ୍ଟ ୨୦୧୯ରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ରେଗୁଲେଟରି କମିଶନ ଡ଼ିଷ୍ଟ୍ରିବ୍ୟୁସନ (କଣ୍ଡିସନ ଅଫ ସପ୍ଳାଇ) କୋଡ଼ ୨୦୧୯ର ପଞ୍ଚମ ଅଧ୍ୟାୟ ଧାରା ୯୭ରେ ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଛି ଯେ ବିଦ୍ୟୁତ ଯୋଗାଣ ନିମନ୍ତେ ବାସଗୃହରେ ମିଟର ବସାଇବାରେ ଗୃହସ୍ୱାମୀ ସ୍ଥାନ ଚ଼ିହ୍ନଟ କରିବେ । ସପ୍ଲାଇ କମ୍ପାନୀ ବୈଷୟିକ ଅସୁବିଧା ଥିଲେ ବିକଳ୍ପ ପ୍ରସ୍ତାବ ଦେବେ । ଖାଉଟି ଓ କମ୍ପାନୀ ଇଞ୍ଜିନିୟରଙ୍କ ସହମତିକ୍ରମେ ନୂଆମିଟର ବସାଯିବା କିମ୍ୱା ବଦଳ ପ୍ରାବଧାନ ରହିଛି । ଏଦିଗରେ ମଧ୍ୟ ନ୍ୟାୟିକ ଲଢ଼େଇର ସମୟ ଉପନୀତ ବୋଲି କୁହାଯାଇପାରେ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୯ ନଭେମ୍ୱର ୨୦୨୨/ ପୃଷ୍ଠା : ୨)

No comments:

Post a Comment