ସରକାରୀ ନଥିପତ୍ରରେ #ବ୍ରହ୍ମପୁର ସହରର ଇଂଲିଶ ବନାନ ‘ବ୍ରହ୍ମପୁର’ ବଦଳରେ ମୁଖ୍ୟତଃ ‘ବେରହମପୁର’ ରହି ଆସିଥିବା ସ୍ଥଳେ ଶୁଦ୍ଧ ବନାନ ପରିବର୍ତ୍ତନ
ନିମନ୍ତେ ବିଭିନ୍ନ ସ୍ତରରେ ବିଭିନ୍ନ ସମୟରେ ଉଦ୍ୟମ ହୋଇଛି । ସେହିକ୍ରମରେ ୧୯୯୬ରେ ସହରରେ
ତତକାଳରେ ତତ୍ପରଥିବା ନାଗରିକ ସମାଜ ‘ଓଡ଼ିଶା
ଇଣ୍ଟରନ୍ୟାସନାଲ ସୋସାଇଟି’ର ଏକ ସ୍ୱଳ୍ପ
ଅବଧିର ଅଭିଯାନରେ ବ୍ରହ୍ମପୁର ରେଳଷ୍ଟେସନର ନାମ ‘ବେରହମପୁର’ ରୁ ‘ବ୍ରହ୍ମପୁର’କୁ ପରିବର୍ତ୍ତିତ ହୋଇଥିଲା । ଏହି ଉଦ୍ୟମର ବିସ୍ତୃତ
ବିବରଣୀ ଦୈନିକ ‘ସମାଜ’ରେ ସଂଭବତଃ ଏପ୍ରିଲ-ମେ ୧୯୯୬ରେ ‘ପ୍ରାପ୍ତପତ୍ର’ ସ୍ତମ୍ୱରେ ପ୍ରକାଶିତ । ତାହାର ଅବିକଳ ନକଲ
ନିମ୍ନରେ ପ୍ରଦତ୍ତ ହେଲା :
“ବ୍ରହ୍ମପୁର ପଥ ଦେଖାଉ
ମହାଶୟ,
ବ୍ରିଟିଶ ଶାସନ ଅମଳରୁ ସରକାରୀ ନଥି-ପତ୍ରରେ ବ୍ରହ୍ମପୁର ସହରର ନାମ ଇଂରାଜୀ ଭାଷାର ଅଶୁଦ୍ଧ
ବନାନ ବ୍ୟବହୃତ ହୋଇଆସୁଛି । କେତେକ ସ୍ଥଳରେ ଏହାକୁ ବେରହମପୁର – ଅନ୍ୟତ୍ର ବରହମପୁର, ବରହମପୋର
ବୋଲି ଲେଖାଯାଉଛି । ଗତ କିଛି ବର୍ଷ ଧରି ଆନ୍ତର୍ଜାତିକ ତଥା ରାଷ୍ଟ୍ରୀୟସ୍ତରରେ
ଉପନିବେଶକାରୀଙ୍କ ଦ୍ୱାରା ବିକୃତ କରାଯାଇଥିବା ସହରଗୁଡ଼ିକର ଦେଶୀୟ ନାମ ପୁନଃ ପରିବର୍ତ୍ତନ କରାଯାଉଥିବା
ଅବସରରେ ଏଠାକାର ‘ଓଡ଼ିଶା
ଇଣ୍ଟରନ୍ୟାସନାଲ ସୋସାଇଟି’ ଆନୁକୂଲ୍ୟରେ
ବ୍ରହ୍ମପୁର ସହରର ନାମ ଇଂରାଜୀ ଭାଷାରେ ଶୁଦ୍ଧ ବନାନ ବ୍ୟବହାର ଲାଗି ଆମେ ଉଦ୍ୟମ କରିଥିଲୁ । ଗତ
ଜାନୁୟାରୀ ପହିଲାରେ ଓଡ଼ିଶାର ପ୍ରଥମ ଦୈନିକ ସମ୍ୱାଦପତ୍ର ‘ଦୈନିକ ଆଶା’ର ସଂସ୍ଥାପକ ତଥା ନୂତନ ବ୍ରହ୍ମପୁର ସହରର ଅନ୍ୟତମ
ନିର୍ମାତା ଶଶିଭୂଷଣଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଟାଉନହଲଠାରେ ଏକ ସାଧାରଣ ସଭାର ଆୟୋଜନ
କରାଯାଇଥିଲା ଏବଂ ୫୦ ଜଣ ବିଶିଷ୍ଟ ନାଗରିକଙ୍କ ସ୍ୱାକ୍ଷର ସମ୍ୱଳିତ ଏକ ସ୍ମାରକପତ୍ର
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର
ପୌରପାଳିକା, ଦକ୍ଷିଣାଞ୍ଚଳ ପୋଷ୍ଟମାଷ୍ଟର ଜେନେରାଲ, ରେଳବିଭାଗ ତଥା ଷ୍ଟେଟ ବ୍ୟାଙ୍କ, ଆନ୍ଧ୍ର
ବ୍ୟାଙ୍କ, ଇଣ୍ଡିଆନ ଓଭରସିସ ବ୍ୟାଙ୍କ, ଋଷିକୂଲ୍ୟା ଗ୍ରାମ୍ୟ ବ୍ୟାଙ୍କ କର୍ମକର୍ତ୍ତାଙ୍କୁ
ବ୍ରହ୍ମପୁର ସହରର ନାମ ଶୁଦ୍ଧ ଇଂରାଜୀ ଭାଷାରେ ବ୍ୟବହାର କରିବାଲାଗି ଅନୁରୋଧ କରିଥିଲୁ ।
ଆନନ୍ଦର ବିଷୟ
ଇତି ମଧ୍ୟରେ ଭାରତୀୟ ରେଳ ବିଭାଗର ଉଚ୍ଚତମ କର୍ମକର୍ତ୍ତାଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର
ରେଳଷ୍ଟେସନର ନାମ ଇଂରାଜୀ ଭାଷାରେ ଶୁଦ୍ଧ ବନାନ ବ୍ୟବହାର ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ନୂଆଦିଲ୍ଲୀସ୍ଥ ଆଇଆରସିଏ ସାଧାରଣ ସଂପାଦକଙ୍କ ସୁପାରିଶକ୍ରମେ ଖୋର୍ଦ୍ଧାରୋଡ଼ସ୍ଥ ଦକ୍ଷିଣ-ପୂର୍ବ
ରେଳପଥ ସିନିୟର ଡ଼ିଭିଜିନାଲ କମରସିଆଲ ମ୍ୟାନେଜରଙ୍କ ଗତ ଏପ୍ରିଲ ୧୨ ତାରିଖରେ ସର୍କୁଲାର
ଅନୁଯାୟୀ ରେଳପଥ ସମ୍ୱନ୍ଧୀୟ ଯାବତୀୟ କାଗଜପତ୍ରରେ ତୁରନ୍ତ ଇଂରାଜୀଭାଷାରେ ଶୁଦ୍ଧଭାବରେ
ବ୍ରହ୍ମପୁର ରେଳଷ୍ଟେସନର ନାମ ବ୍ୟବହାର କରାଯିବ ।
ଭାରତୀୟ ରେଳ
ବିଭାଗର ଏହି ଐତିହାସିକ ପଦକ୍ଷେପରେ ଅନୁପ୍ରାଣିତ ହୋଇ ରାଜ୍ୟ ସରକାର ଓ ବ୍ରହ୍ମପୁର
ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ବ୍ରହ୍ମପୁର ସହରର ନାମ ଇଂରାଜୀ ଭାଷାରେ ଶୁଦ୍ଧ ବନାନ
ବ୍ୟବହାର କରିବା ଭଳି ପଦକ୍ଷେପ ନେବା ବାଞ୍ଛନୀୟ । କେରଳ ରାଜ୍ୟ ସରକାର ଏକାଥରକେ ରାଜ୍ୟର
ଅଶୁଦ୍ଧ ବନାନ ଓ ଉଚ୍ଚାରଣ କରାଯାଉଥିବା ସହରଗୁଡ଼ିକର ନାମ ପରିବର୍ତ୍ତନ କରିପାରିଥିଲେ । ଆମ
ରାଜ୍ୟ ସରକାର ବ୍ରହ୍ମପୁର ସମେତ ଅନ୍ୟ ସହରଗୁଡ଼ିକର ତଥା ଖୋଦ ଓଡ଼ିଶାର ଶୁଦ୍ଧ ବନାନ ବ୍ୟବହାର
ଲାଗି ତୁରନ୍ତ ଉଦ୍ୟମ କରନ୍ତୁ ।
ପ୍ରଦୀପ
ମହାପାତ୍ର, ସାମ୍ୱାଦିକତା ଓ
ଗଣଯୋଗାଯୋଗ
ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ,
ଓଡ଼ିଶା
ଇଣ୍ଟରନ୍ୟାସନାଲ ସୋସାଇଟି, ବ୍ରହ୍ମପୁର”
ଉପଲବ୍ଧ ୨୭
ବର୍ଷ ପୁରାତନ ନିଉଜପେପର କ୍ଳିପିଂରେ ପ୍ରକାଶନ ତାରିଖ ନାହିଁ । ଅବଶ୍ୟ ଏ ସଂପର୍କରେ ତଥ୍ୟ
କଟକସ୍ଥିତ ଦୈନିକ ‘ସମାଜ’ର ଲାଇବ୍ରେରୀରେ ସାଇତି ରଖାଯାଇଥିବା ବାର୍ଷିକ
ସଂକଳନଗୁଡ଼ିକରେ ତନଖି କରାଯାଇପାରିବ ।
‘ଓଡ଼ିଶା ଇଣ୍ଟରନ୍ୟାସନାଲ ସୋସାଇଟି’ ପକ୍ଷରୁ ଆରମ୍ଭ କରାଯାଇଥିବା ଅଭିଯାନ କେଉଁ କାରଣରୁ ହଠାତ ବନ୍ଦ ହୋଇଯାଇଥିଲା ତାହା କୌଣସି ପରବର୍ତ୍ତୀ ସଂସ୍କରଣ ‘ବ୍ରହ୍ମପୁର ଡ଼ାଏରୀ’ରେ ଆଲୋଚ଼ନା କରାଯିବ । ତେବେ ୧୮୫୦ରେ ମହୁରି ରାଜ୍ୟ ରାଜଧାନୀ ବ୍ରହ୍ମପୁର ବ୍ରିଟିଶ ଶାସନାଧୀନ ହେବା ପରଠାରୁ ସହରର ଇଂଲିଶ ବନାନ ଅଶୁଦ୍ଧ ହୋଇଆସିଥିବା ସ୍ଥଳେ ଊନବିଂଶ ଶତାଦ୍ଦୀ ଶେଷଭାଗ, ବିଂଶ ଶତାଦ୍ଦୀର ପ୍ରଥମ ଭାଗରେ ବ୍ରହ୍ମପୁରକୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରେ ସାମିଲ ହୋଇଥିବା ସାମାଜିକ ଓ ସାଂସ୍କୃତିକ କର୍ମୀଗଣ ଉଦ୍ୟମ କରିଥିଲେ କି ଏବଂ ଯଦି କରିଥିଲେ କାହିଁକି ସଫଳ ହୋଇପାରିନଥିଲା ସେ ସଂପର୍କରେ ତଥ୍ୟ ଅଭାବ । ସର୍ବୋପରି ଦୁଃଖର ବିଷୟ ସମକାଳୀନ ଯୁବ-ସାଂସ୍କୃତିକ ଓ ରାଜନୀତିକ ନେତୃତ୍ୱ ସହର ସଂପର୍କୀତ ଅର୍ଥହୀନ ଦାବୀ ଉପସ୍ଥାପନରେ ସମୟ ଅପଚ଼ୟ କରୁଥିବା ସ୍ଥଳେ ସହରର ନାମ ଶୁଦ୍ଧ ବନାନ ପ୍ରବର୍ତ୍ତନ ଭଳି ସଂବେଦନଶୀଳ ପ୍ରସଙ୍ଗକୁ କିପରି ଭୂଲିଯାଉଛନ୍ତି ଆଶ୍ଚାର୍ଯ୍ୟାନ୍ୱିତ କରେ ।
(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୫ ନଭେମ୍ୱର ୨୦୨୨/ ପୃଷ୍ଠା : ୨)
No comments:
Post a Comment