Friday, November 25, 2022

Brahmapur Travelog  / ବ୍ରହ୍ମପୁର ଭ୍ରମଣ ବୃତ୍ତାନ୍ତ


#ବ୍ରହ୍ମପୁର ସହରର ଅତୀତ ବର୍ଣ୍ଣନା ସମ୍ୱଳିତ ଆଙ୍ଗୁଠିଗଣତି ପ୍ରକାଶିତ ନଥିପତ୍ର ଉପଲବ୍ଧ । ସୋନପୁର ଗଡ଼ଜାତର ମହାରାଜା ୧୪ ଅଗଷ୍ଟ ୧୯୦୮ରେ ବ୍ରହ୍ମପୁରଗସ୍ତରେ ଆସିଥିଲେ । ତାଙ୍କରି ଗସ୍ତ ବିବରଣୀ ତତ୍କାଳୀନ ସୋନପୁରର ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟ ଗୋପୀନାଥ ପାଣିଗ୍ରାହୀଙ୍କ ଦ୍ୱାରା ଲିଖିତ ୧୯୧୫ ଖ୍ରୀଷ୍ଟାଦ୍ଦରେ ପ୍ରକାଶିତ ବ୍ରତଚରିତ ନାମକ ପୁସ୍ତକରେ ଲିପିବଦ୍ଧ । ବ୍ରହ୍ମପୁର ସ୍ମାଇଲ ପଏଣ୍ଟ ନିବାସୀ ପ୍ରତାପ ଚନ୍ଦ୍ର ପାଢ଼ୀ ସେହି ପ୍ରକାଶିତ ଗସ୍ତ ବିବରଣୀ ଉଦ୍ଧାର କରି ୨୦୦୫ ମେ ମାସରେ ଅନୁପମ ଭାରତରେ ପ୍ରକାଶ କରିଥିଲେ । ବ୍ରତଚ଼ରିତ ପୁସ୍ତକରେ ସୂଚ଼ିତ ତଥ୍ୟ ଅନୁଯାୟୀ ସୋନପୁର ମହାରାଜା ୧୩ ତାରିଖରେ ଶ୍ରୀକ୍ଷେତ୍ରରୁ ଫେରି କଟକରେ ପହଞ୍ଚିଥିଲେ ଏବଂ ସେଠାରୁ ବ୍ରହ୍ମପୁର ଯାତ୍ରା କରିଥିଲେ । ବ୍ରତଚ଼ରିତ ପୁସ୍ତକରେ ୩୧ ପୃଷ୍ଠାରେ ପ୍ରକାଶ ପାଇଥିଲା :

 

ଚ଼ଉଦ ତାରିଖରେ ବ୍ରହ୍ମପୁରରେ ପ୍ରବେଶ ହେଲେ । ଏହି ସ୍ଥାନ ଗଞ୍ଜାମ ଜିଲ୍ଲାର ପ୍ରଧାନ ସହର ଓ ବାଣିଜ୍ୟ ନିମନ୍ତେ ଖ୍ୟାତ । ଏଠାରେ ଡ଼େରା ଜାତୀୟ ଅନେକ ତନ୍ତୁବାୟ ବାସ କରନ୍ତି । ଏ ଦେଶର ଅଧିକାଂଶ ସ୍ତ୍ରୀ ଓ ପୁରୁଷ ସୁନ୍ଦର । ବେଶଭୂଷା ଓ ଅଳଙ୍କାର ଧାରଣ କରିବାର ପ୍ରକାର ଅଧିକ । ଦାକ୍ଷିଣାତ୍ୟ ପ୍ରଦେଶ ସଙ୍ଗୀତ ଚର୍ଚ୍ଚା ନିମନ୍ତେ ପ୍ରସିଦ୍ଧ । ବ୍ରହ୍ମପୁରରେ ଅମର ସୁନ୍ଦରୀ ତୁଲ୍ୟ ଅନେକ ବାର (ବାରଙ୍ଗନା) ବାସ କରନ୍ତି । ସେମାନେ ପ୍ରାୟ ସଙ୍ଗୀତ ବିଦ୍ୟାରେ କୁଶଳୀ ଅଟନ୍ତି । ଦାକ୍ଷିଣାତ୍ୟର ସମସ୍ତ ପ୍ରକାର ଗୃହ ଅନ୍ୟ ସ୍ଥାନ ଅପେକ୍ଷା ବିଶେଷ ପ୍ରଣାଳୀରେ ଗଠିତ । ପକ୍କାଘରଗୁଡ଼ିକ ଦ୍ୱିତଳ ଅବା ତ୍ରିତଳ ହେଲେ ମଧ୍ୟ ଉପରିଭାଗ ଝିକର ଦ୍ୱାରା ଆଚ୍ଛାଦିତ ହୋଇଥାଏ ।

 

ସହର ମଧ୍ୟଭାଗରେ ଧରାକୋଟ ଅଧିପତିଙ୍କ ଗୋଟିଏ ରମଣୀୟ ପୁଷ୍ପୋଦ୍ୟାନ ଅଛି । ସେଥି ମଧ୍ୟରେ ସୁନ୍ଦର ଅଟ୍ଟାଳିକା ସହିତ ବସାଘର । ଆମ୍ଭେମାନେ ମହାରାଜାଙ୍କ ସହିତ ଉକ୍ତ ଗୃହରେ ବସା କଲୁଁ । ଅନରବଲ କାମେଶ୍ୱର ନାଇଡୁ ପ୍ରତ୍ୟେକ ବିଷୟରେ ସାହାଯ୍ୟ ଦାନ କରିଥିଲେ । ଅତଏବ ଆମ୍ଭେମାନେ କଷ୍ଟ ଓ ଅଭାବ କଣ ଜାଣିପାରିଲୁ ନାହିଁ ।

 

ମହାରାଜା ନଗରୀର ସମସ୍ତ ଅଂଶ ପରିଭ୍ରମଣ କଲେ । ଧାନରୁ ଚାଉଳ ପ୍ରସ୍ତୁତ କରିବା, ବସ୍ତ୍ର ବୁଣିବା, ଚିନି ପ୍ରସ୍ତୁତ କରିବା ଯନ୍ତ୍ରମାନ ଦେଖିଲେ । ପରେ ଅନରବଲ କାମେଶ୍ୱର ନାଇଡୁ ଓ କଲେଜ ପ୍ରିନ୍ସପାଲଙ୍କ ଅଭ୍ୟର୍ଥନାକ୍ରମେ ତତ୍ରତ୍ୟ କଲେଜ ପର୍ଯ୍ୟବେକ୍ଷଣ କଲେ । କଲେଜ ଗୃହ ପରିଷ୍କୃତ ଓ ସୁସଜ୍ଜିତ ଥିଲା । ଦେଖିବାକୁ ମନୋହର । ଛାତ୍ରଗଣ ନିଜ ନିଜ ଶ୍ରେମୀମାନଙ୍କରେ ଅଧ୍ୟୟନ କରୁଥିଲେ । ପ୍ରିନ୍ସିପାଲ ମହାଶୟ ଛାତ୍ରମାନଙ୍କ ମଧ୍ୟରେ ପରସ୍ପର କଥୋପକଥନ (ଡ଼ାଇଲଗ) କରାଇ ମହାରାଜାଙ୍କ କୌତୁକ ବର୍ଦ୍ଧନ କଲେ । ଆଉ କଲେଜର ପ୍ରତି ବିଭାଗର କାର୍ଯ୍ୟାବଳୀ ଦେଖାଇ ଦେଲେ । ମହାରାଜା ସେଠାରେ ଛାତ୍ରମାନଙ୍କୁ ଏକଶତ ଟଙ୍କା ପୁରସ୍କାର ଦେଇଥିଲେ ।

 

ଏହି ଭ୍ରମଣ ବୃତ୍ତାନ୍ତରେ ବ୍ରହ୍ମପୁରର ତତ୍କାଳୀନ ଗୃହନିର୍ମାଣ ଶୈଳୀ, ଉଦ୍ୟାନ ସୁସଜ୍ଜିତ ଜମିଦାରମାନଙ୍କ ବଙ୍ଗଳା, ଉଦ୍ୟୋଗ, ଶିକ୍ଷାନୁଷ୍ଠାନ ବର୍ଣ୍ଣନା ସାଙ୍ଗକୁ ସହରବାସୀଙ୍କ ଚ଼ରିତ୍ର ସଂପର୍କରେ ଟୀପ୍ପଣି ଉପଲବ୍ଧ । ବ୍ରହ୍ମପୁରରେ ବାସଗୃହଗୁଡ଼ିକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ହେଉଥିଲା । ସହରଟି ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ପର୍ବତାମାଳା ପାଦ ଦେଶରେ ଅବସ୍ଥିତ ଥିବା ହେତୁ ବର୍ଷରେ ପ୍ରାୟ ଆଠ ମାସ ଉତ୍ତପ୍ତ ରହେ । ଏହାର ମୁକାବିଲା କରିବା ନିମନ୍ତେ ପ୍ରଶସ୍ତ ବାରଣ୍ଡା, ଅଗଣା, ଝରକା ଓ ମୃତ୍ତିକା ନିର୍ମିତ ଝିକର ଗୃହ ଛାତ ପ୍ରତି ଧ୍ୟାନ ଦିଆଯାଉଥିଲା । ସାଧାରଣ ପରିବାରଗୁଡ଼ିକ ସାହୀ ବସ୍ତିରେ ବସବାସ କରୁଥିଲେ ମଧ୍ୟ ବାସିନ୍ଦାଙ୍କ ପରିଚ୍ଛନ୍ନତା ଓ ସ୍ଥାନୀୟ ପୌରପାଳିକାର ଯତ୍ନ ହେତୁ ପରିଷ୍କାର ବୋଧ ହେଉଥିଲା । ଧନୀକ ବ୍ୟକ୍ତିମାନେ ବଙ୍ଗଳାରେ ବସବାସ କରୁଥିଲେ ଏବଂ ସେଗୁଡ଼ିକ ବାଡ଼ି ବଗିଚାରେ ସଜ୍ଜିତ ରହୁଥିଲାମହୁରି ରାଜ୍ୟର ପଡ଼ୋଶୀ ଅଞ୍ଚଳର ଜମିଦାରମାନେ ବ୍ରହ୍ମପୁରରେ ବସା ଘର ବା ସାମୟିକ ବସବାସଯୋଗ୍ୟ ବାସଗୃହ ନିର୍ମାଣ କରିଥିଲେ । ଚାଉଳ ମିଲ, ପାଟ ବସ୍ତ୍ର, ପିତ୍ତଳ ପାତ୍ର ଇତ୍ୟାଦି ଉଦ୍ୟୋଗ ବାଣିଜ୍ୟ ବ୍ୟବସାୟରେ ସହାୟକ ହେଉଥିଲା । ଖଲ୍ଲିକୋଟ ମହାବିଦ୍ୟାଳୟରେ ଶିକ୍ଷାଦାନର ମାନ ଉଚ୍ଚରେ ରହୁଥିଲା । କେବଳ ଛାତ୍ରମାନେ ଅଧ୍ୟୟନ କରୁଥିଲେ । ସେମାନେ ଇଂଲିଶ ଭାଷାରେ କଥୋପକଥନରେ ଦକ୍ଷତା ହାସଲ କରୁଥିଲେ । ସହରବାସୀଙ୍କ ବେଶଭୂଷା, ଅଳଙ୍କାର ପରିଧାନ ଓ ଆଚାର ବ୍ୟବହାରରେ ଆଗନ୍ତୁକ ମୁଗ୍ଧ ହେଉଥିଲେ । ପ୍ରକାଶିତ ବିବରଣୀରେ ବ୍ରହ୍ମପୁରକୁ ନଗର ମାନ୍ୟତା ଦିଆଯାଇଥିଲା । ଏହି ନଗରସଭ୍ୟତା ସ୍ଥାନୀୟ ନାଗରିକଙ୍କ ସହରୀ ଦୃଷ୍ଟିକୋଣ କସମୋପଲିଟିଜିମକୁ ସୂଚ଼ିତ କରିଥାଏ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୬ ନଭେମ୍ୱର ୨୦୨୨/ ପୃଷ୍ଠା : ୨)

No comments:

Post a Comment