କିନ୍ତୁ ୨୦୨୨ ଶେଷ ପର୍ଯ୍ୟାୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନିମନ୍ତେ ଡ଼ିଟେଲ
ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତିରେ ପୂର୍ବ-ନିର୍ଦ୍ଧାରିତ ପ୍ରସ୍ତାବରେ କେତେକ ପରିବର୍ତ୍ତନ
କରାଯାଇ ଗୋପାଳପୁରଠାରୁ ଦୀଘା ପରିବର୍ତ୍ତେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀଠାରୁ ପଶ୍ଚିମବଙ୍ଗର ଦୀଘା
ଯାଏଁ ହାଇୱେ ନିର୍ମାଣ ନିମନ୍ତେ ସ୍ଥିରୀକୃତ ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।
ପ୍ରସ୍ତାବିତ କୋଷ୍ଟାଲ ହାଇୱେ ନିର୍ମାଣରେ ଗଞ୍ଜାମ ଜିଲ୍ଲା ଉପକୂଳକୁ ବାଦ ଦେଇ ଟାଙ୍ଗୀଠାରୁ
ଆରମ୍ଭ ହୋଇ ବ୍ରହ୍ମଗିରି, ପୁରୀ, କୋଣାର୍କ, ଅସ୍ତରଙ୍ଗ,ପାରାଦ୍ୱୀପ ଓ ଧାମରା ବନ୍ଦର, ରତ୍ନପୁର
ଦେଇ ଦୀଘାକୁ ସଂଯୋଗ କରିବା ନିମନ୍ତେ କୋଷ୍ଟାଲ ହାଇୱେର ଦୂରତ୍ୱ ୩୮୨ କିଲୋମିଟରକୁ କମାଇ
ଦିଆଯାଇଛି ।
କୁହାଯାଉଛି ଯେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଏକ୍ସପର୍ଟ
କମିଟି ଚ଼ିଲିକା ହ୍ରଦର ପରିବେଶ ଓ ଋଷିକୂଲ୍ୟା ମୁହାଣରେ ଅଲିଭ ରିଡ଼ଲେ କଇଁଛଙ୍କ ସମୂହ-ଅଣ୍ଡାଦାନର
ସୁରକ୍ଷା ନିମନ୍ତେ ଏହି ଅଞ୍ଚଳରେ ହାଇୱେ ନିର୍ମାଣ ବାରଣ କରିଛନ୍ତି ।
ବ୍ରହ୍ମପୁର ସହରର ବିକାଶ ଚ଼େନ୍ନାଇ କୋଲକତା ରେଳପଥ ଓ ରାଜପଥ ସଂଯୋଗ ସହ
ଅଙ୍ଗାଙ୍ଗୀଭାବେ ଜଡ଼ିତ । ଭାରତମାଳା ପରିଯୋଜନାରେ ପୁରୀ, କୋଣାର୍କ ଭଳି ପର୍ଯ୍ୟଟନ ସ୍ଥଳୀ ଓ
ପାରାଦ୍ୱୀପ, ଧାମରା ଭଳି ବନ୍ଦର ସହ ସଡ଼କପଥରେ ସିଧାସଳଖ ଯୋଡ଼ି ହେଲେ ବ୍ରହ୍ମପୁରର ଅର୍ଥନୀତି,
ଶ୍ରମନିଯୁକ୍ତି, ଗମନାଗମନ, ପରିବହନ ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆଶା
କରାଯାଉଥିଲା । ବ୍ରହ୍ମପୁର ସନ୍ନିକଟରେ ଦୁଇ ବେଳାଭୂମି ଗୋପାଳପୁର ଓ ସୁନପୁର, ଛତ୍ରପୁର
ତାମ୍ପରା ଓ ଚ଼ିଲିକାରେ ପର୍ଯ୍ୟଟନର ବିକାଶ ସହରର ଅର୍ଥନୀତିରେ ଅନୁକୂଳ ପ୍ରଭାବ ପକାଇପାରିବ ।
ତେବେ ଏହି ସବୁ ଅଞ୍ଚଳ ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରକଳ୍ପରୁ ବାଦ ପଡୁଥିବା ଅବସରରେ ଜନମାନସରେ
ହତାଶଭାବ ସୃଷ୍ଟି କରିବା ସ୍ୱାଭାବିକ ।
କେତେକ ସୂତ୍ରରୁ ପ୍ରକାଶ ଯେ ଗୋପାଳପୁର-ଦୀଘା ଭାୟା ଚିଲିକା କୋଷ୍ଟାଲ ହାଇୱେ ନିର୍ମାଣ
ଅବସରରେ ଚ଼ିଲିକା ହ୍ରଦରେ ପାଞ୍ଚ କିଲୋମିଟର ବ୍ୟାପୀ ସେତୁ ନିର୍ମାଣ ନିମନ୍ତେ ପ୍ରସ୍ତାବ ରହିଥିଲା
। ଏହା ଜହ୍ନିକୁଦାକୁ ସାତପଡ଼ା ସହ ସଂଯୋଗ କରିଥାନ୍ତା । ତେବେ ଚିଲିକା ବକ୍ଷରେ ସେତୁ
ନିର୍ମାଣକୁ ସଂଭବତଃ ପରିବେଶବିତମାନେ ପସନ୍ଦ କରିନାହାନ୍ତି ।
ବ୍ରହ୍ମପୁରର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଭାରତମାଳା ପରିଯୋଜନାର
ମୂଳଲକ୍ଷ୍ୟ ସଡ଼କପଥର ବିସ୍ତାର ଦ୍ୱାରା ରାଜପଥ ସଂଯୋଗରେ ଦୂରତ୍ୱ କମାଇବା । ଏଥି ନିମନ୍ତେ
ସେତୁ, ସୁଡ଼ଙ୍ଗ, ଫ୍ଳାଇ ଓଭର, ଓଭରପାସ, ରିଙ୍ଗରୋଡ଼ ଇତ୍ୟାଦି ନିର୍ମାଣ ପ୍ରତି ପ୍ରାଥମିକତା
ଦିଆଯାଇଥାଏ । ଗୋପାଳପୁର-ଦୀଘା ଉପକୂଳ ଜାତୀୟ ରାଜପଥ ପରିଯୋଜନାରେ ଚ଼ିଲିକାରେ ସେତୁ ନିର୍ମାଣ
ହୋଇଥିଲେ ବ୍ରହ୍ମପୁରଠାରୁ ପୁରୀ ମଧ୍ୟରେ ୬୦ କିଲୋମିଟର ଯାଏଁ ସଡ଼କପଥରେ ଦୂରତ୍ୱ କମିଯାଇଥାନ୍ତା
।
No comments:
Post a Comment