ଅନ୍ୟତ୍ର ଭଳି #ବ୍ରହ୍ମପୁର ସହରରେ ଚୋରିହାରି ଲାଗିରହିଥାଏ । ବେଳେ ବେଳେ କେତେକ ଚ଼ୋରି
ଘଟଣା ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟେ । ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ
ଜନାକୀର୍ଣ୍ଣ ବାବାଜୀ ତୋଟା ସାହିରେ ୨୦୨୨ ଡ଼ିସେମ୍ୱର ଶେଷ ସପ୍ତାହରେ ଭୋର ସମୟରେ ଜଣେ ବୟସ୍କ
ମହିଳାଙ୍କ ଘରେ ପଶି ଚ଼ୋର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେବା ସେହି ଭଳି ଏକ ଉଦାହରଣ ।
ବିବରଣୀରୁ ପ୍ରକାଶ ଯେ ଜଣେ ଅବସରପ୍ରାପ୍ତ
ଶିକ୍ଷୟତ୍ରୀ ନିଜ ଘରେ ଶୋଇଥିଲେ । ତାଙ୍କ ପତି ସକାଳୁ ସକାଳୁ ପ୍ରାତଃ ଭ୍ରମଣ ସହ ଫୁଲ ତୋଳିବାକୁ
ଚାଲିଯାଇଥିଲେ । ବୟସ୍କ ମହିଳା ଏକାକୀ ଥିବା ସୁଯୋଗ ଉଣ୍ଡି ଚ଼ୋରମାନେ ଘରେ ପଶିଲେ । ତେବେ ଛାଇ
ନିଦରୁ ଶିକ୍ଷୟତ୍ରୀଜଣକ ଉଠିପଡ଼ି ଆକଟ କରିଥିଲେ । ଦୁର୍ବୃତ୍ତମାନେ ମହିଳାଙ୍କ ମୁହଁରେ କିଛି
ରାସାୟନିକ ପଦାର୍ଥ ଛିଞ୍ଚି ଦେବା ଫଳରେ ସେ ବେହସ ହୋଇ ପଡ଼ିଲେ । ଚ଼ୋରମାନେ ଶିକ୍ଷୟତ୍ରୀ
ପିନ୍ଧିଥିବା ସୁନା ଚ଼େନ, ଚାରିଗୋଟି ସୁନା ଚୁଡ଼ି, ଦୁଇ ଗୋଟି ମୁଦି ଓ ହଳେ କାନଫୁଲ ଖୋଲି
ନେଇଯାଇଥିଲେ । ଭ୍ୟାନିଟି-ବ୍ୟାଗରେ ଥିବା ନଗଦ ଆଠ ହଜାର ଟଙ୍କା ମଧ୍ୟ ଧରି ଚମ୍ପଟ ମାରିଥିଲେ ।
ସମଗ୍ର ଘଟଣା ମାତ୍ର କେଇ ମିନଟରେ ସରିଥିଲା ।
ପୂଜାଫୁଲ
ସଂଗ୍ରହକରି ପତି ଫେରିଲା ବେଳକୁ ପତ୍ନୀ ବେହସ ଅବସ୍ଥାରେ ପଡ଼ିଥାନ୍ତି । ଶରୀରରେ ଅଳଙ୍କାର ଲୁଟ
ହୋଇସାରିଥିଲା । କିଛି ସମୟ ଡ଼କାହକା ପରେ ମହିଳାଙ୍କ ଚ଼େତା ଫେରିଲା । ସେ ସମଗ୍ର ଘଟଣା
ବର୍ଣ୍ଣନା କଲେ । ସାମାନ୍ୟ ସୁସ୍ଥ ଅନୁଭବ କରିବାପରେ ପତିପତ୍ନୀ ବୈଦ୍ୟନାଥପୁର ଥାନାରେ ପହଞ୍ଚି
ଅଭିଯୋଗ କରିଥିଲେ । ତୁରନ୍ତ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ
ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।
ଘଟଣାଟି
ସାଧାରଣ ପ୍ରତୀୟମାନ ହୁଏ । ପ୍ରଥମତଃ, ଭୋରରୁ ପତ୍ନୀ ଶୋଇଥିବା ଅବସ୍ଥାରେ ପତି ହୁଏତ ସୁରକ୍ଷିତ
ଭାବେ କବାଟ ଦୁଆର ବନ୍ଦ କରିବାରେ ଅବହେଳା କରିଥିଲେ । ତେଣୁ ପତି ଭୋରରୁ ଫୁଲ ତୋଳିବାକୁ
ଯିବାପରେ ଚ଼ୋରମାନେ ଅନାୟସରେ ଘରେ ପଶି ପତ୍ନୀଙ୍କୁ ନିଶା ଔଷଧ ଶୁଙ୍ଘାଇ ସୁନା ଟଙ୍କା ଲୁଟ
କରିବାରେ ସକ୍ଷମ ହେଲେ । ଦ୍ୱିତୀୟତଃ, ସଂପୃକ୍ତ ଗୃହରେ ଏକ ବୃଦ୍ଧ ଦମ୍ପତ୍ତି ବସବାସ କରୁଥିବା
ଏବଂ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟସୂଚ଼ୀ ସଂପର୍କରେ ଚ଼ୋର ଦଳ ଆଗୁଆ ତଥ୍ୟ ସଂଗ୍ରହ କରି ଚ଼ୋରି
ସୁଯୋଗ ସୃଷ୍ଟି କରିଥିଲେ । ତୃତୀୟତଃ, ବୃଦ୍ଧ ଦମ୍ପତ୍ତି ନିଜ ସୁରକ୍ଷା କ୍ଷେତ୍ରରେ ଯେତିକି
ତତ୍ପରତା ପ୍ରକାଶ କରିବା କଥା ସେଥିରେ ଅବହେଳା କରିଛନ୍ତି । ମୁଖ୍ୟତଃ, ମହାମାରୀ-ପର ଅବସ୍ଥାରେ
ସୃଷ୍ଟ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଚ଼ୋରିହାରି ଓ ଅପରାଧିକ କାର୍ଯ୍ୟର ମାତ୍ରା ବୃଦ୍ଧି
ପାଇବା ବିଶେଷଜ୍ଞଙ୍କ ଆକଳନକୁ ଅଣଦେଖା କରିବା ଫଳରେ ଦୁର୍ଦ୍ଦଶାଗ୍ରସ୍ତ ହେଲେ । ଏଦିଗରେ
ସାମାଜିକସ୍ତରରେ ବରିଷ୍ଠ ନାଗରିକଙ୍କୁ ସଚ଼େତନ କରିବା ନିମନ୍ତେ ଉଦ୍ୟମ ଅଭାବ ଅନୁଭୂତ ହୁଏ ।
ଏହିଭଳି ଏକ
ଚ଼ୋରି କାହାଣୀରେ ପୋଲିସକୁ ଟାଣି-ଓଟାରି ସଂପୃକ୍ତ କରିବା ଅନ୍ୟାୟ ହେବ । ଚ଼ୋରି ପରେ ପୋଲିସ
ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା, ଉପଲବ୍ଧ ଆଧୁନିକ ପଦ୍ଧତି ଉପଯୋଗ କରିଥିଲା । କ୍ଳୋଜ-ସର୍କିଟ
ଭିଡ଼ିଓ ଫୁଟେଜ ଯାଞ୍ଚ କରିଥିବ, ସେହି ଅଞ୍ଚଳର ପୁରୁଣା ଦାଗୀଙ୍କୁ ପଚ଼ରା ଉଚ଼ରା କରିଥିବ, ତେବେ
ଚ଼ୋର ଧରାପଡ଼ିବ ନା ନାହିଁ ତାହା ଭିନ୍ନ କଥା । କିନ୍ତୁ ପ୍ରଶ୍ନ ଉଠେ, ଏଭଳି ଘଟଣାକୁ କିପରି
ଏଡ଼ାଇ ଦେଇ ହେବ ଏବଂ ଏହି ଦିଗରେ କେଉଁମାନେ ତତ୍ପରତା ପ୍ରକାଶ କରିବା ଉଚ଼ିତ ?
ବ୍ରହ୍ମପୁରରେ
ବହୁ ସଂଖ୍ୟକ ନାଗରିକ ସମାଜ ଓ ସ୍ୱେଚ୍ଛାସେବୀ ସଂଗଠନ କାର୍ଯ୍ୟ କରୁଛନ୍ତି । ଖୋଦ ବରିଷ୍ଠ
ନାଗରିକଙ୍କ ନିମନ୍ତେ ଏକାଧିକ ସଂସ୍ଥା ରହିଛି । ତେବେ ଏ ସମସ୍ତେ ଔପଚାରିକ ଉତ୍ସବାନୁଷ୍ଠାନ ଆୟୋଜନର
ପରିସୀମା ଡ଼େଇଁ ସମାଜର ଅବହେଳିତ ବର୍ଗଙ୍କ ପାଇଁ ରଚ଼ନାତ୍ମକ କାର୍ଯ୍ୟକ୍ରମ ଆୟୋଜନରେ ମନୋନିବେଶ
କଲେ ସମାଜର ମଙ୍ଗଳ ସମ୍ଭବ । ରାଜ୍ୟର ଜନସଂଖ୍ୟାର ୯.୫ ପ୍ରତିଶତ ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକ
ଥିବା ସ୍ଥଳେ ପ୍ରତି ଦଶ ଜଣରେ ଜଣେ ବାର୍ଦ୍ଧକ୍ୟଗ୍ରସ୍ତ । ବ୍ରହ୍ମପୁରର ସାଢ଼େ-ଚାରି ଲକ୍ଷ ଜନ
ସଂଖ୍ୟାରେ ୪୫ ହଜାରରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ବସବାସ କରୁଛନ୍ତି । ଶାରିରୀକ, ମାନସିକ ଓ
ସାମାଜିକସ୍ତରରେ ଏମାନେ ଶୀଥିଳ । ଏହି ବର୍ଗର ସୁରକ୍ଷା ତଥା ଆଧୁନିକ ଜନଜୀବନ
ସଂପର୍କରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ସଚ଼େତନ କରାଇବା ଦିଗରେ ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ
ସୁଚ଼ିନ୍ତିତ ପ୍ରକଳ୍ପମାନ ହାତକୁ ନିଆଯାଇପାରେ । ଫଳରେ ପରିବର୍ତ୍ତିତ ପରିସ୍ଥିତିର ସେମାନେ
ମୁକାବିଲା କରିପାରିବେ । ଯଥା : ଗୋଷ୍ଠୀବଦ୍ଧ
ଜୀବନ, ଡ଼ିଜିଟାଲ ସାକ୍ଷରତା, ପରସ୍ପରକୁ ସହାୟତା ଇତ୍ୟାଦି କାର୍ଯ୍ୟ ପ୍ରୋତ୍ସାହିତ ହେବ ।
ପୋଲିସ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଏକ ସ୍ୱତନ୍ତ୍ର ବର୍ଗ ରୂପେ ଚ଼ିହ୍ନଟ କରାଯାଇ ସେମାନଙ୍କ ସୁରକ୍ଷାଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ସୃଷ୍ଟି କରିବା ନିମନ୍ତେ ନୀତିଗତ ନିଷ୍ପତି ଗ୍ରହଣ କରାଯାଇଛି । ଓଡ଼ିଶା ପୋଲିସ ପକ୍ଷରୁ ୨୦୧୬ ମସିହାରେ ପ୍ରତି ଥାନାରେ ‘ବରିଷ୍ଠ ନାଗରିକ ସେଲ’ ଖୋଲିବା ନିମନ୍ତେ ସମସ୍ତ ପୋଲିସ ଜିଲ୍ଲା ଏସପି ଓ ଡ଼ିଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଏ । ଅବଶ୍ୟ ଆବଶ୍ୟକୀୟ ପୋଲିସ କର୍ମଚାରୀ ଅଭାବ କାରଣରୁ ଏହି ଭଳି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁ ନଥିବା କୈଫିୟତ ମିଳେ । ତେବେ ପ୍ରତି ଥାନାରେ ନହେଲେ ମଧ୍ୟ ବ୍ରହ୍ମପୁର ପୋଲିସ ଜିଲ୍ଲା ଏସପି ଅଫିସ ସ୍ତରରେ ଏକ ‘ବରିଷ୍ଠ ନାଗରିକ ସୁରକ୍ଷା ସେଲ’ ଖୋଲାଯିବା, ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦେବା ଏବଂ ‘ସେଲ’ ସହ ଯୋଗାଯୋଗ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ମୋବାଇଲ ଟେଲିଫୋନ ନମ୍ୱର ସର୍ବସାଧାରଣରେ ବିଜ୍ଞପିତ କରାଇବା ଜରୁରି ମନେହୁଏ ।
Photo by iMattSmart on Unsplash
No comments:
Post a Comment