Friday, January 27, 2023

Festival Season / ଉତ୍ସବର ଋତୁ


 #ବ୍ରହ୍ମପୁର ସହରବାସୀଙ୍କ ନିମନ୍ତେ ୨୦୨୨ ଡ଼ିସେମ୍ୱର-୨୦୨୩ ଜାନୁୟାରୀ ଏକ ଉତ୍ସବର ଋତୁ ଅନୁଭବ ହୋଇଥିଲା । କୋଭିଡ଼-୧୯ଜନିତ ମହାମାରୀରେ ୨୦୨୦, ୨୦୨୧ ଓ ୨୦୨୨ ତିନିବର୍ଷ ଧରି ଉତ୍ସବାନୁଷ୍ଠାନ ଆୟୋଜନରେ ଊଣା-ଅଧିକେ କଟକଣା ଜାରୀ ରହିବା ପରେ ସରକାରୀସ୍ତରରେ ୨୦୨୨ ଡ଼ିସେମ୍ୱର ଶେଷ ସପ୍ତାହରେ ଗୋପାଳପୁର ବେଳାଭୂମି ଉତ୍ସବ ଓ ୨୦୨୩ ଜାନୁୟାରୀରେ ସିଲକ ସିଟି ଫେଷ୍ଟ ସାଙ୍ଗକୁ ପାରିବାରିକସ୍ତରରେ ଯାକଜମକରେ ବିବାହ-ବ୍ରତଘର ଆୟୋଜନ ସହରକୁ ଉତ୍ସବମୁଖର ଗଢ଼ି ତୋଳିଥିଲା । ଦୀର୍ଘଦିନ ଧରି ସାର୍ବଜନୀନ କାର୍ଯ୍ୟକ୍ରମରୁ ସମଗ୍ର ସହରବାସୀ ଦୂରେଇ ରହିବାପରେ ପୁଣି ଥରେ ଉତ୍ସବାନୁଷ୍ଠାନରେ ସାମିଲ ହେବା ସୁଯୋଗ ପାଇଥିଲେ ।

 

ମହାମାରୀର ପ୍ରଥମ ଦୁଇ ତରଙ୍ଗ ପରେ ୨୦୨୧ ଦ୍ୱିତୀୟାର୍ଦ୍ଧ ସୁଦ୍ଧା ଜନଜୀବନ ସ୍ୱାଭାବିକସ୍ତରକୁ ଫେରୁଥିବା କାଳରେ ୨୦୨୨ ଜାନୁୟାରୀରେ ତୃତୀୟ ତରଙ୍ଗ ଉଦବେଗର କାରଣ ପାଲଟିଥିଲା । କିନ୍ତୁ ୨୦୨୨ ଡ଼ିସେମ୍ୱରରେ ପଡ଼ୋଶୀ ଚ଼ୀନରେ ସଂକ୍ରମଣ ବଢ଼ିବାପରେ ସମ୍ଭାବ୍ୟ ଚ଼ତୁର୍ଥ ତରଙ୍ଗ ଆଶଙ୍କା ବାସ୍ତବତାରେ ରୂପ ଗ୍ରହଣ କରିନଥିଲା । ଫଳରେ ବିଭିନ୍ନ ଉତ୍ସବାନୁଷ୍ଠାନ ଆୟୋଜନ, ପର୍ଯ୍ୟଟନ ଇତ୍ୟାଦି ମହାମାରୀ-ପୂର୍ବାବସ୍ଥାକୁ ଫେରି ଯାଉଥିବା ଅନୁମାନ କରାଯାଇଥିଲା । ଅବଶ୍ୟ ମହାମାରୀ-ପୂର୍ବ ଓ ମହାମାରୀ-ପର ଅବସ୍ଥା ମାତ୍ର ତିନିବର୍ଷର ବ୍ୟବଧାନରେ ଆୟୋଜନ ବ୍ୟୟ ସମସ୍ତ କ୍ଷେତ୍ରରେ ଅନ୍ତତଃପକ୍ଷେ ୫୦ ପ୍ରତିଶତ ବୃଦ୍ଧି ଅନେକଙ୍କୁ ଚ଼ିନ୍ତିତ କରିଥିଲା ।

 

ସହରରେ ସରକାରୀସ୍ତରରେ ବୃହତ ଆୟୋଜନ ହେଉ ଅଥବା ପାରିବାରିକସ୍ତରରେ ବିବାହ-ବ୍ରତ ଆୟୋଜନ, ସବୁଠାରେ ଦାୟିତ୍ୱ କ୍ରମଶଃ ବୃତ୍ତିଧାରୀ ପ୍ରଫେସନାଲଙ୍କ ହାତକୁ ଚାଲି ଯାଉଛି । ଅତୀତରେ ଉତ୍ସବାନୁଷ୍ଠାନ ଆୟୋଜନରେ ଜନସାଧାରଣ ବା ପରିବାରବର୍ଗଙ୍କ ଅଂଶଗ୍ରହଣ ମୁଖ୍ୟ ଆକର୍ଷଣ ଥିବା ସ୍ଥଳେ ବର୍ତ୍ତମାନ ଠିକା ସଂସ୍ଥାମାନେ ଦାୟିତ୍ୱ ଗ୍ରହଣ କରୁଛନ୍ତି । ଏହି କାରଣରୁ ଆୟୋଜନ ଖର୍ଚ୍ଚ ବୃଦ୍ଧି ପାଉଛି । କିନ୍ତୁ ଆୟୋଜନଜନିତ ଜଞ୍ଜାଳରୁ ମୁକ୍ତି ପାଇବା ନିମନ୍ତେ ମଧ୍ୟବିତ୍ତ ପରିବାରବର୍ଗ ବିବାହ-ବ୍ରତ ଭଳି ପାରିବାରିକ ଉତ୍ସବ ନିମନ୍ତେ କଲ୍ୟାଣ ମଣ୍ଡପ ବା ହୋଟେଲମୁହାଁ ହେଉଛନ୍ତି । ଏକ ହିସାବ ଅନୁଯାୟୀ ୨୦୨୩ରେ ସ୍ୱଚ୍ଛଳ ଓଡ଼ିଆ ମଧ୍ୟବିତ୍ତ ପରିବାରର  ବିବାହ ଉତ୍ସବରେ ବ୍ୟୟ ହାରାହାରି ୨୭ ଲକ୍ଷ ଟଙ୍କାରେ ପହଞ୍ଚିଥିବା ଜଣାଯାଏ ।

 

ଅପରପକ୍ଷେ ଉଭୟ ସରକାରୀ ଓ ପାରିବାରିକସ୍ତରରେ ମହାମାରୀ-ପର ଅବସ୍ଥାରେ ଆୟ-ବ୍ୟୟରେ ସମତୁଲ ରକ୍ଷା ସମ୍ଭବ ହୋଇପାରୁନଥିବା ହେତୁ ଆର୍ଥିକ ପରିବେଶ କ୍ରମଶଃ ଉତ୍କଟ ଅବସ୍ଥାରେ ପହଞ୍ଚୁଥିବା ଆଶଙ୍କା କରାଯାଏ । ଏକ ସର୍ବେକ୍ଷଣରୁ ଜଣାଯାଇଛି ଯେ ସଂଗଠିତ କ୍ଷେତ୍ରରେ ନିଯୁକ୍ତ କର୍ମଚାରୀଙ୍କ ମଧ୍ୟରୁ ୨୦୨୩ ଆରମ୍ଭରେ ୨୫ ପ୍ରତିଶତ ଛଟେଇ ନେଇ ଭୟଭୀତ ହୋଇପଡ଼ିଥିଲେସେହିପରି କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟରେ ଆୟ ଗତ ତିନିବର୍ଷ ମଧ୍ୟରେ ହାରାହାରି ୫୦ ପ୍ରତିଶତ ଯାଏଁ କମିଥିବା କୁହାଯାଉଛି । ଉତ୍ସବାନୁଷ୍ଠାନରେ ବ୍ୟୟବୃଦ୍ଧି ସାଙ୍ଗକୁ ଆୟହାନୀର ଦୀର୍ଘକାଳୀନ ପ୍ରଭାବ ନକାରାତ୍ମକ ହେବା ସୁସ୍ପଷ୍ଟ । ଆନ୍ତର୍ଜାତିକସ୍ତରରେ ୨୦୨୩ରେ ଆର୍ଥିକ ମାନ୍ଦାବସ୍ଥା ସଂପର୍କରେ ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରୁଥିବା ଅବସରରେ ସର୍ବତ୍ର ଉଦବେଗ ପ୍ରକାଶ ପାଉଛି ।

 

ଶାସ୍ତ୍ରୀୟ ନୀତି ଅନୁଯାୟୀ ମହାମାରୀ ପରେ ସମାଜ ଆର୍ଥିକ ଦୁର୍ଗତିର ଶୀକାର ହୋଇଥାଏ । କିନ୍ତୁ ଶାସନ ଓ ବ୍ୟବସାୟ କ୍ଷେତ୍ରର ଅବସ୍ଥାପିତ ନେତୃବର୍ଗ ଆମ ଦେଶ ଆର୍ଥିକ ମାନ୍ଦାବସ୍ଥାରୁ ଦୂରେଇ ରହିବା ଅଭୟବାଣୀ ଦେଇ ଆସିଛନ୍ତି । ଏହି ଆଶ୍ୱାସନା କେତେଦୂର ଗ୍ରହଣୀୟ ତାହା ଏକ ପ୍ରଶ୍ନ । ଗଣମାଧ୍ୟମ ବିଶେଷଜ୍ଞଙ୍କ ମତରେ ବିଶ୍ୱବ୍ୟାପୀ ଅସତ୍ୟ ଫେକ ନିଉଜର ଯୁଗ ଚାଲିଛି । ସାଧାରଣ ବ୍ୟକ୍ତି ପକ୍ଷେ ଚଳନ୍ତି ସମ୍ୱାଦ ପ୍ରବାହରେ କେଉଁଟି ଠିକ, କେଉଁଟି ଭୂଲ, ତାହା ମୂଲ୍ୟାୟନ କରିବା ଅସଂଭବ । ୨୦୨୨-୨୩ ଶୀତଋତୁରେ ବ୍ରହ୍ମପୁରବାସୀ ଉତ୍ସବ-ମହୋତ୍ସବ ଉନ୍ମାଦନାରେ ମଜ୍ଜି ରହିଲେ ସତ କଥା, କିନ୍ତୁ ଅନେକ ଆଗାମୀ ଅନିଶ୍ଚିତ ଭବିଷ୍ୟତ ନେଇ ଅବଶ୍ୟ ଆଶଙ୍କିତ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୮ ଜାନୁୟାରୀ ୨୦୨୩/ ପୃଷ୍ଠା : ୨)

No comments:

Post a Comment