Friday, February 17, 2023

Four Decades of PREM / ଚାଳିଶି ବର୍ଷରେ ‘ପ୍ରେମ୍’

 

#ବ୍ରହ୍ମପୁର ସହର-କେନ୍ଦ୍ରୀକ ଦୁଇଗୋଟି ଗ୍ରାମ୍ୟ ଉନ୍ନୟନ ସଂଗଠନ ପ୍ରେମ୍ଗ୍ରାମ ବିକାଶ ଓଡ଼ିଶାରେ ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକ ଓ ଏକବିଂଶ ଶତାଦ୍ଦୀର ପ୍ରଥମ ଦଶକରେ ଆୟୋଜିତ ସ୍ୱେଚ୍ଛାସେବୀ ଆନ୍ଦୋଳନରେ ନେତୃତ୍ୱ ଗ୍ରହଣ କରିଥିଲେ । ସହରର ପଶ୍ଚିମ-ଉପକଣ୍ଠ ମହୁଡ଼ାରେ ସ୍ଥାପିତ ଗ୍ରାମ ବିକାଶ ୧୯୭୬ରେ ସାଂଗଠିନକ ପଞ୍ଜୀକୃତ ହୋଇଥିବା ସ୍ଥଳେ ପ୍ରେମ୍ ୧୯୮୨ରେ ପଞ୍ଜୀକୃତ ହୋଇଥିଲାପ୍ରେମ୍ର କାର୍ଯ୍ୟାଳୟ ଗୋସାଇଁ ନୂଆଗାଁ, ଗିରିରୋଡ଼, ଅଯୋଧ୍ୟା ନଗରରେ କିଛି କାଳ ସ୍ଥାପିତ ହୋଇ ବ୍ରହ୍ମପୁରର ପୂର୍ବ-ଉପକଣ୍ଠ ଜଗନ୍ନାଥପୁର ଓ ଭଞ୍ଜବିହାର ସଂଲଗ୍ନ ମାଣ୍ଡିଆପଲ୍ଲୀ ସ୍ଥାୟୀ କାର୍ଯ୍ୟାଳୟ ୧୯୯୨ରେ ନିର୍ମାଣ ପରେ ସ୍ଥାନାନ୍ତରିତ ହୋଇଥିଲା । ଗ୍ରାମ ବିକାଶର କାର୍ଯ୍ୟାଳୟ ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱରକୁ ଘୁଞ୍ଚି ଯାଇଛି ।

 

ବିଂଶ ଶତାଦ୍ଦୀର ସପ୍ତମ ଦଶକରେ ସାମାଜିକ ପରିବର୍ତ୍ତନ ଲକ୍ଷ୍ୟରେ ପୂର୍ବ-ଭାରତରେ ନକସଲପନ୍ଥୀ, ଉତ୍ତର-ଭାରତରେ ଜୟପ୍ରକାଶ ନାରାୟଣ ସମେତ ଦକ୍ଷିଣ ଭାରତରେ ସ୍ୱେଚ୍ଛାସେବୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଦଶକର ମଧ୍ୟଭାଗରେ ଦୁଇ ବର୍ଷ ଧରି ରାଷ୍ଟ୍ରବ୍ୟାପୀ ଜରୁରୀ ପରିସ୍ଥିତି ଜାରି ରାଜନୈତିକ ପୃଷ୍ଟଭୂମିକୁ ଦୋହଲାଇ ଦେଇଥିଲା । ଏହି ସମସ୍ତ ପ୍ରଚ଼େଷ୍ଟାରେ ମୁଖ୍ୟତଃ ଗରିବୀ ହଟାଓ ସ୍ଳୋଗାନ କାର୍ଯ୍ୟକାରୀ କରିବା ନିମନ୍ତେ ଭିନ୍ନ ଭିନ୍ନ ପନ୍ଥା ଅନୁସରଣ କରାଯାଇଥିଲା । ନକସଲପନ୍ଥୀ ଓ ଜୟପ୍ରକାଶ ନାରାୟଣ ଆନ୍ଦୋଳନରେ ରାଜନୀତିକ ପଟ୍ଟପରିବର୍ତ୍ତନ ଓ ପ୍ରଶାସନିକ ସଂସ୍କାରକୁ ଗୁରୁତ୍ୱ ଦିଆଯାଇଥିବା ସ୍ଥଳେ ସ୍ୱେଚ୍ଛାସେବୀ ଆନ୍ଦୋଳନରେ ତୃଣମୂଳସ୍ତରରେ ଅପେକ୍ଷାକୃତ ଅବହେଳିତ ଅଞ୍ଚଳଗୁଡ଼ିକରେ ବିକାଶ କାର୍ଯ୍ୟକ୍ରମ ରୂପାୟନକୁ ପ୍ରାଥମିକତା ଦିଆଯାଇଥିଲା । ସ୍ୱେଚ୍ଛାସେବୀ ବିକାଶ ମଡ଼େଲରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ପର୍ଯ୍ୟାୟରେ ଆନ୍ତର୍ଜାତିକସ୍ତରରେ ଗଢ଼ିଉଠିଥିବା ବଦାନ୍ୟ ସଂସ୍ଥାଗୁଡ଼ିକରୁ ଅନୁଦାନ ସଂଗ୍ରହ କରାଯାଇ ସ୍ୱାଧୀନ ଓ ସୃଜନଶୀଳ ଶୈଳୀରେ ଭାରତର ଗ୍ରାମାଞ୍ଚଳରେ ଅତ୍ୟାଧୁନିକ ବିକାଶ କାର୍ଯ୍ୟକ୍ରମ ପରୀକ୍ଷାମୂଳକଭାବେ ଉପଯୋଗ କରାଯାଉଥିଲା ।

 

ପ୍ରେମ୍ ବା ପିଉପଲସ ରୁରାଲ ଏଜୁକେସନ ମୁଭମେଣ୍ଟର ଉଦ୍ୟୋକ୍ତା ଜାକୋବ ଥୁଣ୍ଡିଲ ଓ ଚାକୋ ପାରଭାନୀ ଏବଂ ଗ୍ରାମ ବିକାଶର ଜୋମାଡ଼ିଏଥ ଓ ଆନ୍ଥିଆ ମାଡ଼ିଏଥ ସପ୍ତମ ଦଶକର ଶେଷଭାଗରେ ବ୍ରହ୍ମପୁର ସହରରୁ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟ ଆରମ୍ଭ କରିଥିଲେ । ଏମାନେ ସମସ୍ତେ କେରଳ ନିବାସୀ । ଜାକୋବ ଓ ଚାକୋ ଖ୍ରୀଷ୍ଟିଆନ ପାଦ୍ରୀଭାବେ କିଛି କାଳ କାର୍ଯ୍ୟକରି ସେଥିରୁ ଅବ୍ୟାହତି ନେଇ ସ୍ୱାଧୀନଭାବେ ସ୍ୱେଚ୍ଛାସେବୀ ସଂଗଠନ ଗଠନ କରିଥିଲେ । ଜୋଚ଼େନ୍ନାଇର ଲଏଲା କଲେଜର ଛାତ୍ର ନେତାଭାବେ ଓଡ଼ିଶାର ରାଜନଗର ବାତ୍ୟା-ପ୍ରପୀଡ଼ିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ବୃତ୍ତିଗତ ସ୍ୱେଚ୍ଛାସେବୀ ଭାବେ ତତ୍କାଳୀନ ସମବାୟ ନେତା ରାମନାଥ ଦାସଙ୍କ ପ୍ରେରଣାରେ ଗ୍ରାମ୍ୟ ଅର୍ଥନୀତି ସୁଦୃଢ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ପ୍ରଣୟନ ଲାଗି ବ୍ରହ୍ମପୁରରେ ପହଞ୍ଚିଥିଲେ । ଆନ୍ଥିଆ ଜୋଙ୍କ ଧର୍ମପତ୍ନୀ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନୁଭୂତି ସମ୍ପନ୍ନ ।

 

ବ୍ରହ୍ମପୁରରେ ପ୍ରାୟୋଜିତ ସ୍ୱେଚ୍ଛାସେବୀ ସଂଗଠନର କାର୍ଯ୍ୟଧାରା ଏହି ଅଞ୍ଚଳରେ ଏକ ନୂତନ ପରମ୍ପରା ଆରମ୍ଭ କରିଥିଲାସଂଯୋଗବଶତଃ ପ୍ରେମ୍ଗ୍ରାମ ବିକାଶ ପରବର୍ତ୍ତୀ ତିନି ଦଶକ ଧରି ସମଗ୍ର ରାଜ୍ୟରେ ଦୁଇ ବୃହତ ସ୍ୱେଚ୍ଛାସେବୀ ସଂଗଠନର ମାନ୍ୟତା ପାଇଥିଲେଏକବିଂଶ ଶତାଦ୍ଦୀର ପ୍ରଥମ ଦଶକ ଶେଷଭାଗରେ ଯୁକ୍ତରାଷ୍ଟ୍ର ଆମେରିକାରେ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଏବଂ ଭାରତ କ୍ରମଶଃ ଏକ ବିକଶିତ ରାଷ୍ଟ୍ର ରୂପେ ମୁଣ୍ଡ ଟେକିବା ଅବସରରେ ଦ୍ୱିତୀୟ ଦଶକ ଆରମ୍ଭରୁ ବୈଦେଶିକ ସହାୟତା ହଠାତ ବନ୍ଦ ହୋଇଗଲା । ମଧ୍ୟଭାଗରେ କେନ୍ଦ୍ର ସରକାର ପରିବର୍ତ୍ତନ ପରେ ବୈଦେଶିକ ଅନୁଦାନ ସଂଗ୍ରହକୁ ନିରୁତ୍ସାହିତ କରାଗଲା ଏବଂ ସ୍ୱଦେଶୀ ନୀତି ଅନୁସୃତ ହେଲା । ଏହି ଅବସରରେ ଉଭୟ ପ୍ରେମ୍ଗ୍ରାମ ବିକାଶର କାର୍ଯ୍ୟଧାରା ଅନୁଦାନ ଅଭାବରୁ ପ୍ରଭାବିତ ହୋଇଥିଲା ।

 

ପ୍ରେମ୍ ମୁଖ୍ୟତଃ ଅନଗ୍ରସରବର୍ଗଙ୍କ ବହୁମୁଖୀ ବିକାଶ ନିମନ୍ତେ ଶିକ୍ଷାର ପ୍ରସାରକୁ ପ୍ରାଥମିକତା ଦେଇଥାଏ । ବିଂଶ ଶତାଦ୍ଦୀ ସପ୍ତମ ଦଶକ ଶେଷଭାଗରେ ତତ୍କାଳୀନ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ମୋହନା ଅଞ୍ଚଳରେ ମାତ୍ର ୧୫ ଗୋଟି ଗ୍ରାମରେ ୧୪ ରୁ ୪୦ ବର୍ଷ ବୟସ୍କଙ୍କ ମଧ୍ୟରେ ପ୍ରୌଢ଼ଶିକ୍ଷାରୁ ଆରମ୍ଭ ହୋଇଥିବା ବିକାଶର ଯାତ୍ରା ୨୦୨୩ ବେଳକୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ଇଂଲିଶ ମାଧ୍ୟମ ମାଧ୍ୟମିକ ଶିକ୍ଷା, ନର୍ସିଂ, ହସପିଟାଲିଟି ଭଳି ବୈଷୟିକ ତାଲିମ ଓ ସ୍ୱାବଲମ୍ୱୀ ଆଦର୍ଶ ଗ୍ରାମ ପରିକଳ୍ପନାରେ ପ୍ରବର୍ତ୍ତିତ ପ୍ରେମ୍ ପକ୍ଷରୁ ମୋହନାରେ ଆରମ୍ଭ ହୋଇଥିବା ବିକାଶ ପର୍ବର ଚାରି ଦଶନ୍ଧିର ସ୍ମୃତି ଚାରଣ ନିମନ୍ତେ ୧୯ ଫେବୃୟାରୀ ୨୦୨୩ରେ ଏକ ଉତ୍ସବ ଆୟୋଜନ କରାଯାଉଛି ।

 

ପ୍ରେମ୍ଗ୍ରାମ ବିକାଶର ବିକାଶ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଲାର ବହୁସଂଖ୍ୟକ ଯୁବକ ଯୁବତୀ ସାମିଲ ହୋଇଥିଲେ । ଏହା ସ୍ଥାନୀୟ ସାମାଜିକ, ରାଜନୀତିକ ଓ ସାଂସ୍କୃତିକ ପରିବେଶକୁ ନିଶ୍ଚିତଭାବେ ପ୍ରଭାବିତ କରିଛି । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ପ୍ରାୟୋଜିତ ବିକାଶ ପ୍ରକ୍ରିୟାରେ କିପରି ସାମାଜିକ ପରିବର୍ତ୍ତନ ସମ୍ଭବପର ତାହାର ପ୍ରତ୍ୟକ୍ଷ ଅନୁଭୂତି ବିକାଶକର୍ମୀମାନେ ସାଉଁଟି ପାରିଛନ୍ତି । ବିକଳ୍ପ ସାମାଜିକ ବିକାଶଧାରାରେ ସ୍ୱେଚ୍ଛାସେବୀ ଆନ୍ଦୋଳନ ଯେ ଦୀର୍ଘକାଳ ଯାଏଁ ଏହି ଅଞ୍ଚଳରେ ଜନମାନସକୁ ପ୍ରଭାବିତ କରିବ ସେଥିରେ ସନ୍ଦେହ ନାହିଁ ।


ପ୍ରେମ ପକ୍ଷରୁ କନ୍ଧମାଳରେ ୨୦୧୭-୧୮ରେ ରୂପାୟିତ ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମ ବର୍ଣ୍ଣିତ ୫ ମିନଟର ୟୁଟ୍ୟୁବ ଭିଡ଼ିଓ ଦେଖିବା ନିମନ୍ତେ ନିମ୍ନ ଲିଙ୍କରେ କ୍ଳିକ କରନ୍ତୁ :

 

https://www.youtube.com/watch?v=DBAI5obB-_w



Photo by Aaron Burden on Unsplash 


No comments:

Post a Comment