“ଗଞ୍ଜାମ ଜିଲ୍ଲା
ଆମ୍ଭେମାନେ ଅତ୍ୟନ୍ତ ଆନନ୍ଦର ସହିତ ପାଠକମାନଙ୍କୁ ଜଣାଉ ଅଛୁଁ ଯେ ଏତେକାଳରେ
ମାନ୍ଦ୍ରାଜ ଗବର୍ଣ୍ଣମେଣ୍ଟ ଗଞ୍ଜାମ ଜିଲ୍ଲା ଓଡ଼ିଶାର ଅଂଶ ବୋଲି ଜ୍ଞାନ କରି ସେ ସ୍ଥାନର
ଗବର୍ଣ୍ଣମେଣ୍ଟ କାର୍ଯ୍ୟାଳୟ ସମସ୍ତର ପ୍ରଚଳିତ ଭାଷା ଓଡ଼ିୟା ହେବାର ଆଜ୍ଞା ଦେଲେ । ପୂର୍ବେ ଏ
ମହକୁମା ସମସ୍ତରେ ତୈଳଙ୍ଗ ଭାଷା ଚଳୁଥିବାରୁ ତେଲଙ୍ଗା ଲୋକେ ଏକା ଗବର୍ଣ୍ଣମେଣ୍ଟ କାର୍ଯ୍ୟ
ପାଉଥିଲେ ଓ ଗଞ୍ଜାମ ନିବାସିମାନଙ୍କର କୌଣସି ଉନ୍ନତି ହେଉନଥିଲା । ଏ ବିଷୟରେ ଯେ ଗଞ୍ଜାମବାସୀ
ଅତ୍ୟନ୍ତ ଦୁଃଖିତ ଥିଲେ ତାହା ଆମ୍ଭେମାନେ କେତେଥର ଏ ପତ୍ରିକାରେ ଜଣାଇ ଅଛୁଁ । ଯାହାହେଉ ଏଥର
ସେମାନଙ୍କର ମନସ୍କାମନା ପୂର୍ଣ୍ଣ ହେଲା ଓ ତହିଁସଙ୍ଗେ ଓଡ଼ିୟା ଭାଷାର ଉନ୍ନତି ମଧ୍ୟ ହେବାର
ବିଶେଷ ଆଶା ହେଲା । ଓଡ଼ିୟା ଭାଷାରେ ଯେତେ ପୁରାତନ ପୁସ୍ତକ ବର୍ତ୍ତମାନ ଦେଖିବାରେ ଆସୁଅଛି
ତହିଁର ଅଧିକାଂଶ ପ୍ରାୟ ଗଞ୍ଜାମ ଜିଲ୍ଲା କିମ୍ୱା ତନ୍ନିକଟ ବାସୀ ରଚନା କରିଥିଲେ ଓ ବର୍ତ୍ତମାନ
ମଧ୍ୟ ଖଲ୍ଲିକୋଟ ପାରଳାଖେମୁଣ୍ଡିରେ ଦୁଇଜଣ ଅସାଧାରଣ ଶ୍ରୁତିଧର ଓ ଉତ୍ତମ କବି ଅଛନ୍ତି । ଏପର
ଶୋରଧା । ଏ ଉତ୍ତାରୁ ଖୋରଧାଠାରୁ ଦକ୍ଷିଣକୁ କ୍ରମଶଃ ବିଶେଷ ଗୀତାର୍ଥୀ ଓ ଗୀତାନୁରାଗୀ ପ୍ରାପ୍ତ
ହୁଅନ୍ତି । ଓଡ଼ିୟା ଭାଷା ପ୍ରତି ସେ ଅଞ୍ଚଳରେ ଗବର୍ଣ୍ଣମେଣ୍ଟଙ୍କର ଆସ୍ଥା ନଥିଲାରୁ ଏମାନଙ୍କ
ପରିଶ୍ରମ ଓ ବୁଦ୍ଧି ବିଫଳ ହେଉଥିଲା । ଏବେ ସେସବୁ କାର୍ଯ୍ୟରେ ଲାଗିବାର ସମ୍ଭାବନା । କିନ୍ତୁ
ଏଲୋକମାନେ ଆଧୁନିକ ପ୍ରଣାଳୀରୁ ଅବଗତ ନୁହନ୍ତି ଓ ଏମାନଙ୍କୁ ବାଟ ଦେଖାଇବା ପାଇଁ ଆବଶ୍ୟକ ଯେ ଏ
ସ୍ଥାନରେ ଜ୍ଞାନାଲୋକ ଓ ଶିକ୍ଷା ସଂକ୍ରାନ୍ତ କର୍ମଚାରୀ ଓ ସେ ସ୍ଥାନର ଉକ୍ତ ପ୍ରକାର ଲୋକଙ୍କ
ମଧ୍ୟରେ ମନୋଭାବ ବିନିମୟ କରିବାର ଗୋଟିଏ ଉପାୟ ସ୍ଥାପନ ହେଉ ଓ ତାହା କେବଳ ସଭା ଓ ସଂବାଦପତ୍ର
ଅଥବା ଏ ଦୁଇରୁ ଏତଦ୍ୱାରା ହୋଇପାରେ ।“
ଦେଢ଼ଶହ ବର୍ଷ ତଳର ମୁଦ୍ରିତ ‘ଓଡ଼ିୟା’ ଭାଷା ଅନେକଙ୍କ ବୋଧଗମ୍ୟ
ନହେବା ସନ୍ଦେହରେ ସମକାଳୀନ ସରଳ ଓଡ଼ିଆରେ ବୁଝାଇ କହିଲେ, (୧) ଇଂଲିଶ ଶାସନର ପ୍ରଥମ କିଛି ବର୍ଷ
ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ତେଲୁଗୁ ଭାଷାଭାଷୀ ସରକାରୀ କାର୍ଯ୍ୟରେ ନିଯୁକ୍ତି
ପାଉଥିଲେ । ମାନ୍ଦ୍ରାଜ ପ୍ରେସିଡ଼େନ୍ସି ୧୮୭୨ରୁ ଗଞ୍ଜାମ ଜିଲ୍ଲାରେ ସରକାରୀ
କାର୍ଯ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ପ୍ରଚଳନ ନିମନ୍ତେ ନିର୍ଦ୍ଦେଶ ଜାରୀ କରିବା ପରେ ଓଡ଼ିଆ
ଭାଷାଭାଷୀ ଜନସାଧାରଣ ଉପକୃତ ହେବା ଆଶା କରାଯାଇଥିଲା । (୨) ଓଡ଼ିଆ ଭାଷାରେ ମୁଦ୍ରିତ ପୁସ୍ତକ
୧୮୩୯ ପରଠାରୁ ପ୍ରକାଶିତ ହେବା ପରେ୧୮୭୨ ଯାଏଁ ପ୍ରାୟ ସମସ୍ତ ମୁଦ୍ରିତ ପୁସ୍ତକର ଲେଖକ ଗଞ୍ଜାମ
କିମ୍ୱା ଏହାର ପଡ଼ୋଶୀ ଅଞ୍ଚଳବାସୀ । ଏହି ଦୃଷ୍ଟିରୁ ଓଡ଼ିଆ
ଭାଷାର ପରମ୍ପରା ଉଚ୍ଚକୋଟୀର ଥିବା ଜଣାଯାଏ । (୩) ସରକାରୀସ୍ତରରେ ଓଡ଼ିଆ ଭାଷା ପ୍ରଚଳନ ସଙ୍ଗେ
ଓଡ଼ିଆ ଭାଷାରେ ବିଦ୍ୟାଳୟମାନଙ୍କରେ ଆଧୁନିକ ଶିକ୍ଷା ପ୍ରଦାନ, ସଭାସମିତି ଆୟୋଜନ ତଥା
ସମ୍ୱାଦପତ୍ର ପ୍ରକାଶନ ଦ୍ୱାରା ସ୍ଥାନୀୟ ଅଧିବାସୀଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇବ ବୋଲି ‘ଉତ୍କଳ ଦୀପିକା’ ସମ୍ୱାଦପତ୍ର ବିବରଣୀରେ
ଅଭିମତ ପ୍ରକାଶ ପାଇଥିଲା ।
ଏହି ସମ୍ୱାଦ ପ୍ରକାଶନ ପରେ ବିଗତ ଦେଢ଼ଶହ ବର୍ଷ ମଧ୍ୟରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର
ମାନ୍ୟତା ପାଇ ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତ ହେଉଛି, ଭାରତ ସ୍ୱାଧୀନତା ଲାଭ କରି ୭୫
ବର୍ଷରେ ଅମୃତ ମହୋତ୍ସବ ପାଳନ କରୁଛି । ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚଳନ ଦେଢ଼ଶହ
ବର୍ଷ ଧରି ଝୁଣ୍ଟି ଝୁଣ୍ଟି ଚାଲିଛି । ସହର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାର
ଅପହଞ୍ଚ ପାର୍ବତ୍ୟାଞ୍ଚଳରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟମାନ ଖୋଲିଛି । କିନ୍ତୁ ଆମ ସମାଜର
ସ୍ୱଚ୍ଛଳବର୍ଗ ନିଜ ସନ୍ତାନ ସନ୍ତତିଙ୍କୁ ଓଡ଼ିଆ ପରିବର୍ତ୍ତେ ଦେଢ଼ଶହ ବର୍ଷ ତଳର ଇଂଲିଶ ପାଠ୍ୟ
ଖସଡ଼ାରେ ପାଠ ପଢ଼ାଇବା ନିମନ୍ତେ ଆଗ୍ରହୀ । ବ୍ରହ୍ମପୁରରେ ଟାଉନ ହଲ, ସଂସ୍କୃତି ଭବନ,
କବିସୂର୍ଯ୍ୟ ରଙ୍ଗମଞ୍ଚ ନାମରେ ତିନିଗୋଟି ସୁଦୃଶ୍ୟ ପ୍ରେକ୍ଷାଳୟ ନିର୍ମିତ ହୋଇଛି । ତେବେ ଭାଷା
ଓ ଜାତି ସଂପର୍କରେ ଆଲୋଚ଼ନା କରିବା ନିମନ୍ତେ ବର୍ଷରେ କେତେ ଥର ଦ୍ୱାର ଖୋଲୁଛି ? ଦଶଗୋଟି ଓଡ଼ିଆ ଦୈନିକ
ସମ୍ୱାଦପତ୍ର ପକ୍ଷରୁ ବ୍ରହ୍ମପୁର ସଂସ୍କରଣ ପ୍ରକାଶ ପାଉଛି । କିନ୍ତୁ ଦେଢ଼ଶହ ବର୍ଷ ତଳର ଜନୈକ
ଅନାମ ସାମ୍ୱାଦିକ (କିମ୍ୱା ଗୌରୀଶଙ୍କର ରାୟ)ଙ୍କ ଭାଷାଭିତ୍ତିକ ବିକାଶ ଦୂରଦୃଷ୍ଟି କେତେଦୂର
ଚ଼ରିତାର୍ଥ ହୋଇପାରିଛି ?
No comments:
Post a Comment