ପାରମ୍ପରିକଭାବେ #ବ୍ରହ୍ମପୁର ସହରରେ
ଶିବରାତ୍ରୀଠାରୁ ଗ୍ରୀଷ୍ମର ପ୍ରକୋପ ଅନୁଭୂତ ହୁଏ ଏବଂ ଶାରଦୀୟ ଉତ୍ସବ କୁମାର ପୂର୍ଣ୍ଣିମା ଯାଏଁ
ବଳବତ୍ତର ରହେ । ସ୍ୱାଭାବିକଭାବେ ଫେବୃୟାରୀ ୨୦୨୩ ମଧ୍ୟ ଭାଗରୁ ରାଜ୍ୟବ୍ୟାପୀ ଦିନ ଓ ରାତି ଉଭୟ
ତାପମାତ୍ରା ବୃଦ୍ଧି ଲକ୍ଷ୍ୟ କରାଯାଇଥିଲା । ଗ୍ରୀଷ୍ମର ପ୍ରଥମ ଅନୁଭବ ଜନଜୀବନରେ ଚର୍ଚ୍ଚିତ
ହୋଇଥାଏ । ଗଣମାଧ୍ୟମରେ ସମ୍ୱାଦ ପାଲଟେ । ଆଗକୁ ଗ୍ରୀଷ୍ମ ଋତୁ କିପରି ରହିବ ତାହା ଜାଣିବା
ନିମନ୍ତେ ଉତ୍ସୁକତା ପ୍ରକାଶ ପାଇଥାଏ ।
ମକର ସଂକ୍ରାନ୍ତି ଜାନୁୟାରୀ ମଧ୍ୟଭାଗରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ହେତୁ ତାପମାତ୍ରା
ବୃଦ୍ଧି ପାଏ । ବ୍ରହ୍ମପୁର ପୂର୍ବଦିଗରେ ସମୁଦ୍ର ପତ୍ତନଠାରୁ ସିଧା ସଳଖ ଦଶ କିଲୋମିଟରରୁ କମ
ଦୂରତ୍ୱ ଏବଂ ପଶ୍ଚିମ ଦିଗରେ କେରାଣ୍ଡିମାଳ ପାର୍ବତ୍ୟାଞ୍ଚଳ ପାଦଦେଶରେ ଅବସ୍ଥିତ ଥିବା ହେତୁ
ଏଠାକାର ଗ୍ରୀଷ୍ମକାଳୀନ ପାଣିପାଗ ଅନ୍ୟ ସହରଗୁଡ଼ିକଠାରୁ ଭିନ୍ନ । ସହରବାସୀ ପ୍ରାୟତଃ
ଦ୍ୱୀପାଞ୍ଚଳ ଜଳବାୟୁ ‘ଆଇଲ୍ୟାଣ୍ଡ ୱେଦର’ ଅନୁଭବ କରିଥାନ୍ତି ।
ଗ୍ରୀଷ୍ମଋତୁରେ ପ୍ରଭାତରୁ ମଧ୍ୟାହ୍ନ ଯାଏଁ ପ୍ରବଳ ଖରା ସାଙ୍ଗକୁ ସମୟାନ୍ତେ ଅପରାହ୍ନରେ ଅଧ
ଘଣ୍ଟାରୁ ଘଣ୍ଟାଏ ଯାଏଁ ମୂଷଳ ଧାରାରେ ବୃଷ୍ଟି ହୁଏ । ଉଭୟ ସମୁଦ୍ର ତରଙ୍ଗ ଓ ବର୍ଷା କାରଣରୁ
ବାୟୁମଣ୍ଡଳରେ ଜଳକଣା ବୃଦ୍ଧି ପାଇ ଆଦ୍ରତା ବଢ଼େ ଏବଂ ଗରମ ସାଙ୍ଗକୁ ଶରୀରରୁ ଝାଳ ବହେ ।
ଗୁଳଗୁଳି ଲାଗି ରହେ ।
ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ‘କ୍ଳାଇମେଟ ଚେଞ୍ଜ’ ପ୍ରଭାବରେ ୨୦୨୨
ଗ୍ରୀଷ୍ମଋତୁରେ ୟୁରୋପ, ବ୍ରିଟେନ ଓ ଉତ୍ତର-ଆମେରିକାରେ ସର୍ବକାଳୀନ ତାପମାତ୍ରା ବୃଦ୍ଧି ଉଦବେଗର
କାରଣ ପାଲଟିଥିଲା । ଏଯାଏଁ ଜଳବାୟୁ ପରିବର୍ତ୍ତନଜନିତ ଆଚ଼ରଣ ଆକସ୍ମିକ ଘଟଣାସ୍ତରରେ ରହିଛି ।
ବୈଜ୍ଞାନିକମାନେ ଦୀର୍ଘ ଅବଧି ପୂର୍ବାନୁମାନ କରିବା ସାମର୍ଥ୍ୟ ହାସଲ କରିପାରି ନାହାନ୍ତି ।
ଅତଏବ, ଗ୍ରୀଷ୍ମ ଋତୁର ପାରମ୍ପରିକ ପ୍ରଭାବ ବ୍ରହ୍ମପୁର କାହିଁକି, ଯେ କୌଣସି ସହରରେ କେଉଁ ରୂପରେ
ଅନୁଭୂତ ହେବ ସେଥିନେଇ ଆଶଙ୍କା ଲାଗି ରହୁଛି ।
ଦ୍ୱିତୀୟତଃ, ଗ୍ରୀଷ୍ମ ବ୍ରହ୍ମପୁରବାସୀଙ୍କ ପାଇଁ ଆମ୍ୱଋତୁ । ସହରରେ ଦୋଳ
ପୂର୍ଣ୍ଣିମାରୁ କଞ୍ଚା ଆମ୍ୱ ଏବଂ ବିଷୁବ ସଂକ୍ରାନ୍ତିଠାରୁ ପାଚ଼ିଲା ଆମ୍ୱ ପସରା ଖୋଲିଯାଏ ।
ବ୍ରହ୍ମପୁରକୁ ଘେରି ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଆମ୍ୱ ତୋଟା ବା ବଗିଚା ସାଙ୍ଗକୁ ପଡ଼ୋଶୀ
ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ବ୍ୟାପକ ଆମ୍ୱଚାଷ ହୁଏ । ବ୍ରହ୍ମପୁର ଆମ୍ୱ କିଣାବିକା
ପାଇଁ ଏକ ବଡ଼ ବଜାର । ଆନ୍ଧ୍ରପ୍ରଦେଶ ସମେତ ଅନ୍ୟାନ୍ୟ ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକରୁ
ବ୍ରହ୍ମପୁର ବଜାରକୁ ଆମ୍ୱ ଆମଦାନୀ ହୁଏ ଏବଂ ରାଜ୍ୟର ବିଭିନ୍ନ ସହରକୁ ରପ୍ତାନୀ ହୁଏ ।
ପ୍ରାକ୍ ଓ ପୂର୍ବ ଗ୍ରୀଷ୍ମଋତୁର ପାଣିପାଗ ସହ ଆମ୍ୱ ଅମଳ ଅଙ୍ଗାଙ୍ଗୀଭାବେ ଜଡ଼ିତ ।
ପାଣିପାଗ ବିଜ୍ଞାନୀଙ୍କ ସୂଚ଼ନା ଅନୁଯାୟୀ ସମଗ୍ର ଓଡ଼ିଶାରେ ୨୦୨୩ର ପାଣିପାଗ ଆମ୍ୱ ଫସଲ
ନିମନ୍ତେ ଅନୁକୂଳ ରହିଥିଲା । ମୁଖ୍ୟତଃ ବର୍ଷା ନହେବା ଏବଂ କମ ସଂଖ୍ୟକ ସକାଳରେ କୁହୁଡ଼ି
ପଡ଼ିବା ଯୋଗୁଁ ଆମ୍ୱବଉଳ ମଉଳି ଯିବାରୁ ବର୍ତ୍ତିଯାଇଥିଲା । ଫଳରେ ସାଧାରଣ ତୁଳନାରେ ୨୦୨୩ରେ
ଦୁଇ ଗୁଣ ଆମ୍ୱ ଫସଲ ଆଶା କରାଯାଇପାରେ । ହିସାବ ଅନୁଯାୟୀ ରାଜ୍ୟରେ ପ୍ରାୟ ଦୁଇ ଲକ୍ଷ ହେକ୍ଟର
ଜମିରେ ଆମ୍ୱ ଚାଷ ହୁଏ । ହେକ୍ଟର ପିଛା ୪ ରୁ ୫ ଟନ ଅମଳ ହେଉଥିବା ସ୍ଥଳେ ୨୦୨୩ରେ ୫ ରୁ ୧୦ ଟନ
ଯାଏଁ ଅମଳ ଆକଳନ କରାଯାଉଛି । କୁହାଯାଏ ଯେ ଗୋଟିଏ ବର୍ଷ ବ୍ୟବଧାନରେ ଆମ୍ୱ ଅମଳ ଭଲ ହୁଏ । ୨୦୨୦
ଓ ୨୦୨୨ରେ ଆମ୍ୱ ଅମଳ ଆଶାନୁରୂପକ ହୋଇନଥିଲା । ୨୦୨୧ରେ ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା
। ତେଣୁ ୨୦୧୯ ପରକୁ ୨୦୨୩ରେ ପ୍ରଚୁର ଆମ୍ୱ ଅମଳ ଆଶା କରାଯାଇପାରେ ।
No comments:
Post a Comment