Friday, February 10, 2023

Virtual High Court  / ଭର୍ଚୁଆଲ ହାଇକୋର୍ଟ

 

#ବ୍ରହ୍ମପୁର ମହାମାରୀ-ପୂର୍ବାବସ୍ଥାରୁ ସମଗ୍ର ଦେଶରେ ପ୍ରବର୍ତ୍ତିତ ଇଣ୍ଟରନେଟଭିତ୍ତିକ ଟେଲି-ଯୋଗାଯୋଗ ଅଗ୍ରଗତିରେ ସାମିଲ ହୋଇଥିବା ସ୍ଥଳେ ମହାମାରୀ କାଳରେ ଭର୍ଚୁଆଲ ସାଧନଗୁଡ଼ିକର ବ୍ୟବହାର ସହରବାସୀଙ୍କ ଜନଜୀବନରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା । ମନୋରଞ୍ଜନଠାରୁ ଆରମ୍ଭ କରି ଦୂରଦୂରାନ୍ତରେ ଅବସ୍ଥାନ କରୁଥିବା ପରିବାରବର୍ଗ, ବନ୍ଧୁ-ପରିଜନ, ବ୍ୟବସାୟ-ସହଯୋଗୀଙ୍କ ସହ ଆଳାପ, ଶିକ୍ଷା, ସ୍ୱାସ୍ଥ୍ୟ ପରାମର୍ଶଠାରୁ ଆରମ୍ଭ କରି ଆର୍ଥିକ ଦେଣନେଣ, ବଜାର ପ୍ରତ୍ୟେକ କ୍ଷେତ୍ରରେ ଡ଼ିଜିଟାଲ ମଞ୍ଚ ଗୁଡ଼ିକରେ ସର୍ବସାଧାରଣଙ୍କ ପ୍ରବେଶ ସୁଗମ ହୋଇପାରିଥିଲା । ମହାମାରୀ-ପର ଅବସ୍ଥାରେ ୪ଜି ଓ ୫ଜି ଟେଲି-ଯୋଗାଯୋଗ ବ୍ୟବସ୍ଥାର ପ୍ରସାର ବିଭିନ୍ନ କ୍ଷେତ୍ରରେ ଭର୍ଚୁଆଲ କର୍ମ ସମ୍ପାଦନର ଧାରା ଅବ୍ୟାହତ ରହିଛି ।
 
ବ୍ରହ୍ମପୁର ସହରର କ୍ରମବିକାଶରେ ଏଠାରେ ଗଞ୍ଜାମ ଜିଲ୍ଲା ଅଦାଲତ ସ୍ଥାପନ ଗୁରୁତ୍ୱପୂର୍ଣ୍ଣ । ଇଂଲିଶ ପ୍ରଶାସନ ବ୍ରହ୍ମପୁର ସମେତ ମହୁରି ରାଜ୍ୟର ପ୍ରତ୍ୟକ୍ଷ ଶାସନ ଭାର ଗ୍ରହଣ କରିବା ୧୫ ବର୍ଷ ପରେ ୧୮୬୫ ମସିହାରେ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲା ଅଦାଲତ ପ୍ରତିଷ୍ଠିତ ହୋଇଥିଲା । ସହରରେ ଦୌରା ଅଦାଲତ କାର୍ଯ୍ୟକ୍ଷମ ଥିବା କାରଣରୁ ଏଠାରେ ଓକିଲ ଓ ଓକିଲ-ଗୁମସ୍ତାମାନେ ସ୍ଥାୟୀଭାବେ ବସବାସ କରିବାକୁ ଲାଗିଥିଲେ । ବ୍ରହ୍ମପୁରର ପୁରାତନ ବାସିନ୍ଦାଙ୍କ ମଧ୍ୟରେ ଏହି ଦୁଇ ବର୍ଗ ସ୍ଥାନୀୟ ସାମାଜିକ ଇତିହାସରେ ପ୍ରମୁଖ ଭୂମିକା ନିର୍ବାହ କରି ଆସିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ସଦର ମହକୁମାଭାବେ ଚ଼ିହ୍ନିତ ହୋଇ ସରକାରୀ ଦପ୍ତରମାନ କ୍ରମଶଃ ସ୍ଥାପିତ ହୋଇଥିଲା । ଅପରପକ୍ଷେ ୧୮୬୫ ରୁ ୧୯୩୬ ସାତ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସହରଟି ବାଣିଜ୍ୟ ପେଣ୍ଠ ସାଙ୍ଗକୁ ଆଇନ-ଅଦାଲତ ନିମନ୍ତେ ଚଳଚଞ୍ଚଳ ରହିଥିଲା ।
 
ବ୍ରହ୍ମପୁର ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନରେ ଶାସିତ ହେଉଥିବା ଏବଂ ଆଇନ ଶିକ୍ଷା ମୁଖ୍ୟତଃ ମାଡ୍ରାସ ନଗର କେନ୍ଦ୍ରୀକ ହୋଇଥିବା ହେତୁ ପ୍ରାଥମିକ ପର୍ଯ୍ୟାୟରେ ସହରରେ ତେଲୁଗୁ ଓ ତାମିଲ ଓକିଲଙ୍କ ଭିଡ଼ ଜମିଥିଲା । ସେମାନେ ମୁଖ୍ୟତଃ ଭାପୁର ଅଞ୍ଚଳରେ ବସବାସ କରୁଥିଲେ । ବିଂଶ ଶତାଦ୍ଦୀ ଆରମ୍ଭରୁ ସ୍ଥାନୀୟ ଉଚ୍ଚ ଶିକ୍ଷିତ ଓଡ଼ିଆ ଯୁବକଗଣ ମାଡ୍ରାସ, କଲିକତା ଓ ପାଟଣା ବିଶ୍ୱବିଦ୍ୟାଳୟରୁ ଆଇନ ଶିକ୍ଷା ସାରି ବ୍ରହ୍ମପୁରରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସହରର ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମ, ଏପରିକି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ଭାରତର ସ୍ୱାଧୀନତା ଆନ୍ଦୋଳନରେ ସ୍ଥାନୀୟ ଆଇନଜୀବୀମାନେ ହିଁ ନେତୃତ୍ୱ ନେଇଥିଲେ ।
 
ଗଞ୍ଜାମ ଜିଲ୍ଲା ଅଦାଲତରେ ବିଚାରଣା ପରେ କଟକସ୍ଥିତ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଅପିଲ କରିବା ବ୍ୟବସ୍ଥା ରହିଆସିଥିଲା । ୨୦୨୩ ପ୍ରାରମ୍ଭର ହିସାବ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦,୫୦୦ ମାମଲା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରଧୀନ ଥିବା ସ୍ଥଳେ ପୁରୀର ୮,୨୦୦, ଭଦ୍ରକର ୫,୩୦୦, ସମ୍ୱଲପୁର ୪,୦୦୦, ବଲାଙ୍ଗୀରର ୩,୮୦୦, କଳାହାଣ୍ଡିର ୩,୪୦୦, ସୁନ୍ଦରଗଡ଼ର ୩,୨୭୮ ଏବଂ କୋରାପୁଟର ୩,୨୦୦ ମାମଲା ବିଚାରଧୀନ ଥିଲା ।
 
ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦାୟର ହେଉଥିବା ଗଞ୍ଜାମ ଜିଲ୍ଲାର ମାମଲା ବିଚାରଣା ନିମନ୍ତେ ସ୍ଥାନୀୟ ଓକିଲ ଓ ମହକିଲ କଟକ ଯିବା ଆସିବାରେ ଅସୁବିଧା ସମ୍ମୁଖୀନ ହେଉଥିବା ତଥା ଏହି ଜିଲ୍ଲାରୁ ସର୍ବାଧିକ ସଂଖ୍ୟକ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ଯୁକ୍ତିକୁ ଆଧାର କରି ବ୍ରହ୍ମପୁରରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଲାଗି ଦୀର୍ଘ ଦିନରୁ ସ୍ଥାନୀୟ ଓକିଲ ସଂଘ ଆନୁକୂଲ୍ୟରେ ଆନ୍ଦୋଳନ ଚାଲିଆସିଥିଲା । ଏପରିକି ପ୍ରତିମାସ ଶେଷରେ ଓକିଲମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଥିବା ହେତୁ ବିଚାର ପ୍ରକ୍ରିୟା କ୍ରମାଗତ ବ୍ୟାହତ ହେଉଥିଲା ।
 
ଏହି ପରିବେଶରେ ୨୦୨୩ ଫେବୃୟାରୀ ୩ ତାରିଖ ଦିନ ବ୍ରହ୍ମପୁରସ୍ଥିତ ଗଞ୍ଜାମ ଜିଲ୍ଲା ଅଦାଲତ ପରିସରରେ ଭର୍ଚୁଆଲ ହାଇକୋର୍ଟ ବ୍ୟବସ୍ଥା ଉଦଘାଟିତ ହୋଇଥିଲା । ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ଉପସ୍ଥିତିରେ ଭର୍ଚୁଆଲ ମାଧ୍ୟମରେ ବ୍ରହ୍ମପୁର ସମେତ ରାଜ୍ୟର ୧୦ ଗୋଟି ଜିଲ୍ଲା: ପୁରୀ, ଭଦ୍ରକ, ସମ୍ୱଲପୁର, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼, କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟର ବ୍ୟବସ୍ଥା କରାଯାଇଛି । ଏହି ସୁବିଧା ସୁଯୋଗ ମାଧ୍ୟମରେ ମାମଲାର ସମୀକ୍ଷା ସ୍କୃଟିନି, ନମ୍ୱରିଂ, ଲିଷ୍ଟିଂ ଏବଂ ମାମଲା ଓ ରାୟର ସାର୍ଟିଫାଏଡ଼ କପି ମିଳିପାରିବ । ଏହି ସବୁ କାର୍ଯ୍ୟ ଲାଗି ଓକିଲ କିମ୍ୱା ମହକିଲମାନଙ୍କୁ କଟକ ଦୌଡ଼ିବାକୁ ପଡ଼ିବ ନାହିଁ । କ୍ରମଶଃ ଭର୍ଚୁଆଲ ମାଧ୍ୟମରେ ଅନ୍ୟାନ୍ୟ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବା କାର୍ଯ୍ୟକ୍ରମ ରହିଛି ।
 
କୁହାଯାଏ ଯେ ଅତ୍ୟାଧୁନିକ ବୈଜ୍ଞାନିକ ଉଦ୍ଭାବନମାନ ବିକଶିତ ତୁଳନାରେ ବିକାଶଶୀଳ ପରିବେଶରେ ସର୍ବାଧିକ ଲାଭ ପହୁଞ୍ଚାଇଥାଏ । କୋଭିଡ଼-୧୯ ମହାମାରୀ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଭର୍ଚୁଆଲ ମାଧ୍ୟମରେ ନ୍ୟାୟ ପ୍ରଦାନ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ପ୍ରଶଂସିତ ହୋଇଥିଲା । ଭାର୍ଚୁଆଲ ହାଇକୋର୍ଟ ମଧ୍ୟ ସମଗ୍ର ଦେଶରେ ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ପ୍ରୟୋଗରେ ନ୍ୟାୟିକ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଆଶା କରାଯାଉଛି । ଓପନ-ଏଆଇଚାଟ-ଜିପିଟି ଓ ଗୁଗୁଲର ବାର୍ଡ ଭଳି ଚାଟ-ବଟ ମୂହୁର୍ତ୍ତକ ମଧ୍ୟରେ ଜଟିଳ ନ୍ୟାୟିକ ସମସ୍ୟା ସମାଧାନ କରିପାରିବା କଳା-କୌଶଳ ବର୍ତ୍ତମାନ ଜନସାଧାରଣଙ୍କ ହାତପାଆନ୍ତାରେ ଉପଲବ୍ଧ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରସ୍ଥିତ ଜିଲ୍ଲା ଅଦାଲତ ଭର୍ଚୁଆଲ ମାଧ୍ୟମରେ ବିଧିବଦ୍ଧ ଭାବେ ଉଚ୍ଚ ନ୍ୟାୟାଳୟ ସହ ସଂଯୋଗ ସ୍ଥାପନ ଏକ ଯୁଗାନ୍ତକାରୀ ଘଟଣା କହିଲେ ଭୂଲ ହେବ ନାହିଁ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୧ ଫେବୃୟାରୀ ୨୦୨୩ / ପୃଷ୍ଠା : ୨)

Photo by Tingey Injury Law Firm on Unsplash 


No comments:

Post a Comment