Friday, March 24, 2023

Death rate in road accidents / ସଡ଼କ ଦୁର୍ଘଟଣା ମୃତ୍ୟୁହାର

 



ଗଞ୍ଜାମ ଜିଲ୍ଲାରେ ସଡ଼କ ଦୁର୍ଘଟଣାଜନିତ ବାର୍ଷିକ ମୃତ୍ୟୁହାର ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ତଥ୍ୟ #ବ୍ରହ୍ମପୁର ସହରବାସୀଙ୍କ ନିମନ୍ତେ ଏକ ଦୁଃସମ୍ୱାଦ । ସରକାରୀସ୍ତରରେ ପ୍ରସ୍ତୁତ ବାର୍ଷିକ ବିବରଣୀ ଅନୁଯାୟୀ ୨୦୨୨ରେ ଗଞ୍ଜାମ ଜିଲ୍ଲାରେ ୪୧୪ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହି ସଂଖ୍ୟା ପୂର୍ବବର୍ଷ ୨୦୨୧ ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ପାଇଥିଲା । ହିସାବରେ ୨୦୨୧ରେ ୩୭୭, ୨୦୨୦ରେ ୩୬୩ ଏବଂ ୨୦୧୯ରେ ୩୮୫ ଜଣଙ୍କ ମୃତ୍ୟୁ ଘଟିଥିଲା ।
 
ଗଞ୍ଜାମ ଜିଲ୍ଲାରେ ସଡ଼କ ଦୁର୍ଘଟଣା ମଧ୍ୟ କ୍ରମାଗତ ବୃଦ୍ଧି ପାଇଚାଲିଥିବା ଲକ୍ଷ୍ୟ କରାଯାଏ । ୨୦୧୯ରେ ୭୩୩ ଗୋଟି ଦୁର୍ଘଟଣା ଘଟିଥିବା ସ୍ଥଳେ ୨୦୨୦ରେ ୬୧୬, ୨୦୨୧ରେ ୭୩୧ ଏବଂ ୨୦୨୨ରେ ୮୩୧ ଗୋଟି ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିଲା । ଗଞ୍ଜାମ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ବୃଦ୍ଧିରେ ବ୍ରହ୍ମପୁର ସହରବାସୀ ସିଧାସଳଖ ଭାବେ ପ୍ରଭାବିତ । ଏକ ପକ୍ଷରେ ବ୍ରହ୍ମପୁର ସହରବାସୀଙ୍କ ମଧ୍ୟରୁ ଅଧିକାଂଶ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଆସି ସ୍ଥାୟୀ ଭାବେ ବସବାସ କରୁଥିବା ହେତୁ ପାରିବାରିକ, ବୃତ୍ତିଗତ ଓ ବ୍ୟାବସାୟିକ କାର୍ଯ୍ୟରେ ବାରମ୍ୱାର ସଡ଼କପଥରେ ଜିଲ୍ଲା ମଧ୍ୟରେ ଯାନବାହାନ ଯୋଗେ ଚଳପ୍ରଚଳ ହୋଇଥାନ୍ତି । ତେଣୁ ବର୍ଦ୍ଧିତ ଦୁର୍ଘଟଣା ଓ ମୃତ୍ୟୁହାର ଚ଼ିନ୍ତାର କାରଣ । ଅପରପକ୍ଷେ ଗ୍ରାମାଞ୍ଚଳରେ ଅବସ୍ଥାପିତ ପରିବାର ସଦସ୍ୟ ଓ ବନ୍ଧୁ ପରିଜନ ଦୁର୍ଘଟଣାଗ୍ରସ୍ତ ହେଲେ ସହରବାସୀମାନେ ମଧ୍ୟ ପରୋକ୍ଷରେ ଦୁରବସ୍ଥାର ଶୀକାର ହୋଇଥାନ୍ତି ।
 
ଗଞ୍ଜାମ ଜିଲ୍ଲା ସମଗ୍ର ରାଜ୍ୟରେ ସଡ଼କ ଦୁର୍ଘଟଣା ମୃତ୍ୟୁ ହାରରେ ଆଗୁଆ ରହୁଥିବା ଅନ୍ତରାଳେ ରାଜ୍ୟସ୍ତରରେ ଏହି ଜିଲ୍ଲା ସର୍ବାପେକ୍ଷା ଜନବହୁଳ ଥିବା ପ୍ରମୁଖ କାରଣଭାବେ ଚ଼ିହ୍ନଟ ହୋଇଥାଏ । ଅନ୍ୟାନ୍ୟ କାରଣ ମଧ୍ୟରେ ଯାନବାହାନ, ମୁଖ୍ୟତଃ ଦୁଇ ଚକିଆ ଯାନର ସଂଖ୍ୟା ବୃଦ୍ଧି, ବେପରୁଆ ଗାଡ଼ି ଚାଳନା, ଅଣ-ଲାଇସେନ୍ସପ୍ରାପ୍ତ ଅନଭିଜ୍ଞ ଅଣ-ତାଲିମସମ୍ପନ୍ନ ଯାନବାହାନ ଚାଳକଙ୍କୁ ଦାୟୀ କରାଯାଇଥାଏ । ଦୁଇ ଚ଼କିଆ ଗାଡ଼ି ଚାଳକମାନଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ କରାଯାଇଥିବା ତଥା ପୋଲିସ ପକ୍ଷରୁ ରୀତିମତ ଯାଞ୍ଚ କରାଯାଇ ଜରିମାନା ଆଦାୟ କରାଯାଉଥିବା ସତ୍ତ୍ୱେ ବ୍ୟାପକ ଅବମାନନା ଦେଖିବାକୁ ମିଳେ । ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଆଇନ ଉଲଂଘନ ହାର ଅଧିକ ।
 
ସଡ଼କ ଦୁର୍ଘଟଣା ସଂପର୍କରେ ସରକାରୀ ହିସାବ ପ୍ରକାଶ କାଳରେ ବ୍ରହ୍ମପୁରରୁ ପ୍ରକାଶିତ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ସ୍ଥାନୀୟ ସଂସ୍କରଣରେ ରୀତିମତ ଢଙ୍ଗରେ ଚର୍ଚ୍ଚିତ ହୋଇଥାଏ । ଟେଲିଭିଜନ ଓ ସୋସିଆଲ ମିଡ଼ିଆରେ ପ୍ରାୟତଃ ସ୍ଥାନ ପାଇନଥାଏ । ପୋଲିସ ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଭା ସମିତି ଆୟୋଜନ କରାଯାଇଥାଏ । ତେବେ ଏତାଦୃଶ କ୍ଷଣିକ ଉନ୍ମାଦନା ଅବିଳମ୍ୱେ ଉଭେଇ ଯାଏ । କ୍ରମବର୍ଦ୍ଧିଷ୍ଣୁ ସଡ଼କ ଦୁର୍ଘଟଣାର ଶୀକାର ହୋଇ ବହୁ ସଂଖ୍ୟକ ବ୍ରହ୍ମପୁରବାସୀ ଆହତ ହେଉଥିବା, ସ୍ଥଳବିଶେଷରେ ପଥଚାରୀଙ୍କ କ୍ଷତି ପହଞ୍ଚାଉଥିବା ଅର୍ଥନୀତି ଉଦବେଗଜନକ ସ୍ଥିତିରେ ପହଞ୍ଚିଥିବା ସତ୍ତ୍ୱେ ନାଗରିକ ସମାଜଗୁଡ଼ିକପକ୍ଷରୁ ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ବ୍ୟାପକ ଚ଼େତନା ପ୍ରସାର ଉଦ୍ୟମରୁ କ୍ଷାନ୍ତ ରହୁଥିବା କ୍ଷୋଭର ବିଷୟ ।
 
ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପରାମର୍ଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମରେ ସଡ଼କ ଦୁର୍ଘଟଣାହାର ହ୍ରାସ ନିମନ୍ତେ ଏକ କାର୍ଯ୍ୟକ୍ରମ ଖସଡ଼ା ଆକସନ ପ୍ଳାନ ପ୍ରସ୍ତୁତ ହୋଇଥିବା ଜଣାଯାଏ । ଏପ୍ରିଲ ୨୦୨୩ଠାରୁ ପ୍ରଚାର ଅଭିଯାନ ଆୟୋଜନ କାର୍ଯ୍ୟକ୍ରମର ଅଂଶବିଶେଷ । ଏତଦ୍ ବ୍ୟତୀତ ଦୀର୍ଘ ସୂତ୍ରୀ କାର୍ଯ୍ୟକ୍ରମରେ ଦୁର୍ଘଟଣାପ୍ରବଣ ସଡ଼କ ପାର୍ଶ୍ୱରେ ସୂଚ଼ନାଫଳକ ଓ ଆଲୋକ ବ୍ୟବସ୍ଥା, ଓଭରବ୍ରିଜ ନିର୍ମାଣ, ମୁଖ୍ୟ ରାସ୍ତାଗୁଡ଼ିକରେ ଆମ୍ୱୁଲାନ୍ସ ସେବା ଓ ଟ୍ରକ ଟର୍ମିନାଲ ନିର୍ମାଣ ଇତ୍ୟାଦି ନିମନ୍ତେ ପ୍ରସ୍ତାବ ରଖାଯାଇଛି । ବ୍ରହ୍ମପୁର ସରକାରୀ ମେଡ଼ିକାଲ କଲେଜ ହସପିଟାଲରେ ଏକ ଟ୍ରମା କେୟାର କେନ୍ଦ୍ର କାର୍ଯ୍ୟ କରୁଛି । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଚ଼ିକିତ୍ସା ସହାୟତା ଯୋଗାଇ ନଦିଆଗଲେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଭାବନା ବଢ଼ିଥାଏ । ଏହି ଦୃଷ୍ଟିରୁ ଭଞ୍ଜନଗର ଓ ଖଲ୍ଲିକୋଟଠାରେ ସ୍ଥାନୀୟ ଚ଼ିକିତ୍ସାଳୟ ଅଧୀନରେ ଅଧିକା ଦୁଇଗୋଟି ଟ୍ରମା କେୟାର କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ମତ ପ୍ରକାଶ ପାଇଛି ।
 
ସଡ଼କ ଦୁର୍ଘଟଣା ରୋକିବା ନିମନ୍ତେ ପ୍ରଚାର ଅଭିଯାନ ଗୁରୁତ୍ୱ ବହନ କରେ । ତେବେ ଯୁବ ସଂପ୍ରଦାୟ ଗାଡ଼ି ଚାଳନାରେ ସଂପୃକ୍ତ ରହୁଥିବା ଏବଂ ଏମାନେ ସମକାଳରେ ସୋସିଆଲ ମିଡ଼ିଆ ଭିନ୍ନ ଅନ୍ୟତ୍ର ମନୋନିବେଶ କରୁନଥିବା କାରଣରୁ ସେମାନଙ୍କ ନିକଟରେ କିପରି ବାର୍ତ୍ତା ପହଞ୍ଚିପାରିବ ଓ ପ୍ରଭାବିତ କରିବ, ସେ ଦିଗରେ ସୃଜନାତ୍ମକ ପଦକ୍ଷେପ ଜରୁରୀ । ଉଦାହରଣରେ, ବ୍ରହ୍ମପୁର ଓ ଗଞ୍ଜାମ ସର୍ଟ-ଭିଡ଼ିଓ କ୍ଷେତ୍ରରେ ନାମ କମେଇଥିବା ଅବସରରେ ସ୍ଥାନୀୟ କଳାକାରମାନଙ୍କ ସହାୟତାରେ ଅସଂଖ୍ୟ ଦୁଇ ଚାରି ମିନିଟର ସର୍ଟ-ଭିଡ଼ିଓ ପ୍ରସ୍ତୁତିକୁ ଅଭିଯାନପକ୍ଷରୁ ଉତ୍ସାହିତ କରାଯାଇପାରେ ।
 
ସେହିପରି ବ୍ରହ୍ମପୁରରେ ସରକାରୀ ମେଡ଼ିକାଲ କଲେଜ ଚ଼ିକିତ୍ସାଳୟ ବ୍ୟତୀତ ଶୀତଳାପଲ୍ଲୀରେ ଘରୋଇ ଉଦ୍ୟୋଗରେ ଏକ ବୃହତ ଚ଼ିକିତ୍ସାଳୟ କାର୍ଯ୍ୟଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା ହେତୁ ପ୍ରଶାସନ ପକ୍ଷରୁ ସେଠାରେ ଟ୍ରମା କେୟାର ୟୁନିଟ ସ୍ଥାପନ ନିମନ୍ତେ ଚାପ ପକାଇଯାଇପାରିଲେ ସଡ଼କ ଦୁର୍ଘଟଣାରେ ଆହତ ବହୁ ବ୍ରହ୍ମପୁରବାସୀ ଉପକୃତ ହୋଇପାରିବେ । କଥା ହେଲା, ସରକାରୀ କାର୍ଯ୍ୟଧାରାକୁ ବାଦ ଦେଇ ବେସରକାରୀସ୍ତରରେ ମଧ୍ୟ ଉଦ୍ୟମ ହେଲେଯାଇ ସୁଫଳ ମିଳିବ !

No comments:

Post a Comment