Friday, May 19, 2023

Electricity Consumers Interest / ବିଦ୍ୟୁତ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା

 

ରାଜ୍ୟରେ ସର୍ବତ୍ର ଭଳି #ବ୍ରହ୍ମପୁର ସହରରେ ମଧ୍ୟ ବିଦ୍ୟୁତ ଯୋଗାଣରେ ଅବ୍ୟବସ୍ଥା ଲାଗି ରହିଥାଏ । ସେଥି ମଧ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ମୁଖ୍ୟ ସମସ୍ୟା । ଏହାର କାରଣ ଓ ନିରାକରଣ ସଂପର୍କର ଗଣମାଧ୍ୟମ ପକ୍ଷରୁ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କୁ ନିକଟ ଅତୀତରେ ପଚ଼ରାଯାଇଥିଲା । ସେ ଦୁଇଗୋଟି କାରଣ ସୂଚାଇଥିଲେ । ପ୍ରଥମତଃ, ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ ସରବହାର ନିମନ୍ତେ ଭିତ୍ତିଭୂମି ଅଭାବ । ଗ୍ରାହକ ସଂଖ୍ୟା ବୃଦ୍ଧି ଓ ବିଦ୍ୟୁତ ବ୍ୟବହାର ପରିମାଣ ବୃଦ୍ଧିକୁ ପରିଚାଳନା ନିମନ୍ତେ ପର୍ଯ୍ୟାପ୍ତ ଟ୍ରାନ୍ସଫର୍ମର ବ୍ୟବସ୍ଥାର ଅଭାବ ରହିଛି । ସେହିପରି ବିଦ୍ୟୁତ ପରିବହନ ନିମନ୍ତେ ଯେତିକି ଦୂରତ୍ୱରେ ସବ-ଷ୍ଟେସନ ରହିବା ଆବଶ୍ୟକ, ତାହା ବି ନାହିଁ । ଦ୍ୱିତୀୟତଃ, ରାଜ୍ୟରେ ବିଦ୍ୟୁତ ବ୍ୟବହାର ପରିମାଣ ବଢ଼ିଚାଲିଛି । ହିସାବ ଅନୁଯାୟୀ ୨୦୦୦ ମସିହାରେ ୧୮ ଶହରୁ ୧୯ ଶହ ମେଗାୱାଟ ବିଦ୍ୟୁତ ଆବଶ୍ୟକ ପଡୁଥିବା ସ୍ଥଳେ ତାହା ୩୪ ଶହ ମେଗାୱାଟକୁ ବୃଦ୍ଧି ପାଇଛି । ପିକ୍ ଆୱାର ଆବଶ୍ୟକତା ବିଗତ ୨୦ରୁ ୨୨ ବର୍ଷ ମଧ୍ୟରେ ୨୧ ଶହ ମେଗାୱାଟରୁ ବଢ଼ି ୪୬ ଶହ ମେଗାୱାଟରେ ପହଞ୍ଚିଲାଣି । ଏହି ଦୁଇ କାରଣକୁ ସଜାଡ଼ିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଥିବା ଏବଂ ପର୍ଯ୍ୟାପ୍ତ ବ୍ୟୟ ବରାଦ ହୋଇଥିବା ଜଣାଯାଏ । ଏହି କ୍ରମରେ ୨୦୨୫ ସୁଦ୍ଧା ଅବସ୍ଥା ସୁଧୁରିଯିବା ଆଶା କରାଯାଏ ।
 
ବିଦ୍ୟୁତ ଉତ୍ପାଦନରେ ବର୍ତ୍ତମାନ ଓଡ଼ିଶା ବଳକା ରାଜ୍ୟ । ଅତୀତରେ କୁହାଯାଉଥିଲା ୨୦୦୦ ମସିହା ବେଳକୁ ବିଦ୍ୟୁତ ଉତ୍ପାଦନ ବୃଦ୍ଧିରେ ଅନ୍ତତଃପକ୍ଷେ ସହରାଞ୍ଚଳରେ ବିଦ୍ୟୁତ ଯୋଗାଣ ସମସ୍ୟା ସମାଧାନ ସଂଭବ । କିନ୍ତୁ ବିଗତ ଦୁଇ ଦଶନ୍ଧିରେ ବିତରଣଜନିତ ସମସ୍ୟା ସ୍ଥିତାବସ୍ଥାରେ ପରିବର୍ତ୍ତନ ଆଣିପାରିଲା ନାହିଁ । ଶକ୍ତି ମନ୍ତ୍ରୀଙ୍କ କୈଫୟତ ବ୍ରହ୍ମପୁର ଭଳି ପୁରାତନ ସହରରେ ଭିନ୍ନ ରୂପ ଧାରଣ କରିଥାଏ । ଏଠାରେ ଟ୍ରାନ୍ସଫରମର ଓ ସବ-ଷ୍ଟେସନ ବ୍ୟବସ୍ଥା ଥିଲେ ହେଁ ଏଗୁଡ଼ିକର ତୃଟିପୂର୍ଣ୍ଣ ରକ୍ଷଣାବେକ୍ଷଣ ବିତରଣ ପ୍ରକ୍ରିୟାରେ ଅନ୍ତରାୟ ସାଜିଥାଏ ।
 
ନିରପେକ୍ଷଭାବେ ଆଲୋଚ଼ନା କଲେ ଏଥିଲାଗି ଦୁଇଗୋଟି କାରଣ ନଜରକୁ ଆସେ । ପ୍ରଥମତଃ, ବ୍ରହ୍ମପୁର ଏକ ବାତ୍ୟାପ୍ରବଣ ସହର । ପ୍ରତି ଆଠ, ଦଶ ବର୍ଷରେ ଥରେ ଘଣ୍ଟାକୁ ଦୁଇ ଶହରୁ ଅଧିକ କିଲୋମିଟର ବେଗରେ ପବନ ବହି ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ଧୂଳିସାତ କରିପକାଏ । ବାତ୍ୟା ପରେ ଜରୁରି ଭିତ୍ତିରେ ଦଶରୁ ପନ୍ଦର ଦିନ ମଧ୍ୟରେ ବିଜୁଳି ତାର ସଜାଡ଼ି ଅସ୍ଥାୟୀ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଆରମ୍ଭ ହୁଏ । ତେବେ ଅସ୍ଥାୟୀ ରକ୍ଷଣାବେକ୍ଷଣ କ୍ୱଚ଼ିତ ସ୍ଥାୟୀ ରକ୍ଷାଣବେକ୍ଷଣ ସ୍ତରରେ ପହଞ୍ଚେ । ଫଳରେ ବ୍ରହ୍ମପୁରର ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ସର୍ବଦା ଦୁର୍ବଳ ରହିଥାଏ । ଦ୍ୱିତୀୟତଃ, ପରିଚାଳନାଗତ ଅପାରଗତା ହେତୁ ବିଦ୍ୟୁତ ବିତରଣ ବ୍ୟବସ୍ଥା କେବଳ ତୃଟିପୂର୍ଣ୍ଣ ନୁହେଁ, ଭୁଷୁଡ଼ି ଯିବାକୁ ବସିଥିଲା । ରାଜ୍ୟ ସରକାର ବାଧ୍ୟବାଧକତାରେ ବିଦ୍ୟୁତ ବିତରଣ ପରିଚାଳନା ଦାୟିତ୍ୱ ଏକ ଘରୋଇ କମ୍ପାନୀକୁ ଟେକିଦେବାକୁ ବାଧ୍ୟ ହେଲେ ।
 
ଶକ୍ତି ମନ୍ତ୍ରୀଙ୍କ ସାର୍ଟିଫିକେଟରେ ଟାଟା ପାୱାର ଗୋଟିଏ ପ୍ରତିଷ୍ଠିତ ସଂସ୍ଥା ଏବଂ ଅନ୍ୟ କମ୍ପାନୀଗୁଡ଼ିକ ଅପେକ୍ଷା ବିଦ୍ୟୁତ କ୍ଷେତ୍ରରେ ଟାଟା ପାୱାରର ପ୍ରଦର୍ଶନ ଭଲ । ଏହି ପରିପ୍ରେକ୍ଷୀରେ ତତ୍ତ୍ୱବିତମାନଙ୍କ ମତ ଟାଟା ପାୱାର ବ୍ରହ୍ମପୁର ଭଳି ସହରରେ ବିଫଳ ପ୍ରମାଣିତ ପୁରୁଣା ବ୍ୟବସ୍ଥାକୁ ଅନୁସରଣ କରିବା ଛାଡ଼ି ବିଜ୍ଞାନ-ସମ୍ମତ୍ତ ବିଦ୍ୟୁତ ପରିବହନ ନିମନ୍ତେ ଉଦ୍ୟମ କରୁ । ପ୍ରଥମତଃ, ସହର ସାରା ରାସ୍ତାଘାଟରେ ଯେଉଁଭଳି ବିପଦପୂର୍ଣ୍ଣ ଭାବେ ମାଳ ମାଳ ତାର ଓହଳି ରହିଛି, ସେଥିରେ ସଂସ୍କାର ଆଣୁ । ପ୍ରତି ଘରଦ୍ୱାରରେ ମିଟର ସ୍ଥାପନ ବାହାନାରେ ଅନୁଚ୍ଚ ଜୀବନ୍ତ ତାର ଅପସାରଣକୁ ପ୍ରାଥମିକତା ଦେଉ । ସାଉଥକୋ ଓ ତାହାର ସହଯୋଗୀ ବିତରକଗୁଡ଼ିକ ରାଜ୍ୟସାରା ପ୍ରତି ବିଦ୍ୟୁତ ଉପଭୋକ୍ତାକୁ ଚୋରଭଳି ସଜାଇ ଘରଦ୍ୱାରରେ ମିଟର ବସାଇ ଆଠ ହଜାର କୋଟି ଟଙ୍କା ବକେୟା ବିଦ୍ୟୁତ ବିଲ ଆଦାୟ ନ କରିପାରି ଯଦି ସତ୍ତା ହରାଇଲେ, ଟାଟା ପାୱାର ପୂର୍ବ ପ୍ରଚଳିତ ବ୍ୟବସ୍ଥାକୁ ବଦଳାଇବାକୁ ଚେଷ୍ଟା କରୁ । ସହର ପୁଣି ଏକ ବାତ୍ୟାର ସମ୍ମୁଖୀନ ହେବା ପୂର୍ବରୁ ଅନ୍ତତଃପକ୍ଷେ ରାସ୍ତାଘାଟ ଓ ଗୃହ ଦ୍ୱାରରେ ପ୍ରତିଷେଧକ ବ୍ୟବସ୍ଥା ପ୍ରଣୟନ ପାଇଁ ବିଚାର ବିମର୍ଷ କରୁ ।
 
ଦ୍ୱିତୀୟତଃ, ବ୍ରହ୍ମପୁର ଭଳି ସହରରେ ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ ବ୍ୟବସ୍ଥା ସଜାଡ଼ିବା ନିମନ୍ତେ ବିଶେଷଜ୍ଞ ଅଭାବ ଏକ ବଡ଼ ସମସ୍ୟା । ତୃଟିପୂର୍ଣ୍ଣ ବିଦ୍ୟୁତ ବ୍ୟବସ୍ଥା ହେତୁ ଉପଭୋକ୍ତା ଅକାରଣେ ବିଦ୍ୟୁତ ଅପଚ଼ୟ କାରଣରୁ ଖର୍ଚ୍ଚାନ୍ତ ହୁଏ ଏବଂ ବିପଦପୂର୍ଣ୍ଣ ବ୍ୟବସ୍ଥାରେ ପରିବାରକୁ ନେଇ ବସବାସ କରେଟାଟା ପାୱାର ନିଜ କର୍ପୋରେଟ ସୋସିଆଲ ରେସପନସିବିଲିଟି କାର୍ଯ୍ୟକ୍ରମରେ ବ୍ରହ୍ମପୁରରେ ବିଦ୍ୟୁତ ବିଶେଷଜ୍ଞ ଓ ତାଲିମପ୍ରାପ୍ତ କର୍ମଚାରୀ ନିଯୁକ୍ତ କରି ଉପଭୋକ୍ତାଙ୍କ ଗୃହରେ ବିଦ୍ୟୁତ ବ୍ୟବସ୍ଥା ସଜାଡ଼ିବାରେ ସହାୟତା ନିମନ୍ତେ ସୁଯୋଗ ସୃଷ୍ଟି କରୁ । ଏହା ଫଳରେ ଉପଭୋକ୍ତା ସହଜରେ ବିଶେଷଜ୍ଞଙ୍କ ପରାମର୍ଶ, ଆଧୁନିକ ସାଜ-ସରଞ୍ଜାମ ବ୍ୟବହାର, ଶକ୍ତି ଅପଚ଼ୟ ରୋକିବା ସଙ୍ଗେ ବିଦ୍ୟୁତ ଦୁର୍ଘଟଣାକୁ ଏଡ଼ାଇଦେଇପାରିବେ । ଏତଦ୍ୱାରା ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ହେବ ।

Photo by Heri Susilo on Unsplash 


No comments:

Post a Comment