Thursday, May 11, 2023

Trouble by French Soldiers / ଫରାସୀ ସେନାବାହିନୀ ଉପଦ୍ରବ

 

#ବ୍ରହ୍ମପୁର ସହରରେ ଫରାସୀ ଶାସନ ଏକ ଲୁକ୍କାୟିତ ଅଧ୍ୟାୟ । ଏହା ସଂପର୍କରେ ପ୍ରାୟତଃ ଚର୍ଚ୍ଚା ହୋଇନଥାଏ । ଏହି କାରଣରୁ ବ୍ରହ୍ମପୁର ଜନଜୀବନ ସଂପର୍କରେ ଋଚ଼ି ରଖୁଥିବା ବହୁ ବ୍ୟକ୍ତି ଅଜ୍ଞ ରହିବା ସ୍ୱାଭାବିକ ।
 
ଐତିହାସିକ ତଥ୍ୟ ଅନୁଯାୟୀ ବ୍ରହ୍ମପୁର ସମେତ ଦକ୍ଷିଣ ଓଡ଼ିଶା ୧୭୫୩ରୁ ୧୭୫୯ ଛଅ ବର୍ଷ କାଳ ଫରାସୀ ଶାସନାଧୀନ ରହିଥିଲା । ଏଥିପୂର୍ବରୁ ବ୍ରହ୍ମପୁର ତଥା ମହୁରି ରାଜ୍ୟ ୧୫୭୧ରୁ ୧୬୬୭ ପର୍ଯ୍ୟନ୍ତ ଗୋଲକୋଣ୍ଡା ଏବଂ ୧୬୬୭ରୁ ୧୭୫୩ ପର୍ଯ୍ୟନ୍ତ ମୋଗଲ ବା ହାଇଦରାବାଦ ନିଜାମଙ୍କ ଅଧୀନରେ ଶାସିତ ହେଉଥିଲା । ହାଇଦରାବାଦ ନିଜାମଙ୍କ ଉତ୍ତର ସରକାରରେ ମହୁରି ରାଜ୍ୟ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଅନ୍ତର୍ଭୁକ୍ତ ଥିଲା । ୧୭୫୩ରେ ନିଜାମ ଫରାସୀ ସେନାବାହିନୀକୁ ଏକ ଚୁକ୍ତି ବଳରେ ଉତ୍ତର ସରକାର ଅର୍ପଣ କରିଥିଲେ । ଫଳରେ ମହୁରି ରାଜ୍ୟରେ ଫରାସୀ ଶାସନ ସୂତ୍ରପାତ ହୋଇଥିଲା । ମହୁରି ରାଜ୍ୟ ଫରାସୀମାନଙ୍କ ସହିତ ଉତ୍ତମ ସଂପର୍କ ସ୍ଥାପନ କରିଥିଲେ । ତେବେ ୧୭୫୯ରେ ମହୁରି ଓ ଫରାସୀ ସେନାଙ୍କ ସଂପର୍କରେ ତିକ୍ତ ହୋଇପଡ଼ିଥିଲା ।
 
ଜଣେ ଫରାସୀ ପ୍ରଶାସକ ଗଞ୍ଜାମରେ ଅବସ୍ଥାପିତ ହୋଇଥାନ୍ତି । ବିଜୟନଗରମ ରାଜା ଆନନ୍ଦରାଜୁଙ୍କ ବିରୋଧରେ ଯୁଦ୍ଧ ନିମନ୍ତେ ଫରାସୀ ପ୍ରଶାସକ ମହୁରି ରାଜା ନାରାୟଣ ଦେବଙ୍କ ସହାୟତା ଲୋଡ଼ିଥିଲେ । ନାରାୟଣ ଦେବ ଏଥିରେ ସହମତ ହୋଇଥିଲେହେଁ ଆନ୍ତରିକତାର ସହ ଯୁଦ୍ଧରେ ଯୋଗ ଦେଇନଥିଲେ । ଫରାସୀ ସେନାବାହିନୀ ୧୭୫୯ ଜୁଲାଇ ମାସରେ ଗଞ୍ଜାମରେ ପହଞ୍ଚିଥିଲେ । ସେମାନଙ୍କ ରହିବା, ଖାଇବା ବ୍ୟବସ୍ଥା ମହୁରି ରାଜା ନକରିପାରିବା ହେତୁ ସେନାବାହିନୀ ଅତିଷ୍ଠ ହୋଇପଡ଼ିଥିଲେ । ସେମାନେ ମହୁରି ରାଜଧାନୀ ବ୍ରହ୍ମପୁରରେ ପଶି ଘରଦ୍ୱାର ଲୁଟ କରିଥିଲେ । ନାରାୟଣ ଦେବ ଏହାର ଦୃଢ ପ୍ରତିରୋଧ କରିବା ସହ ପଡ଼ୋଶୀ ରାଜାମାନଙ୍କଠାରୁ ସହାୟତା ଏକତ୍ରୀତକରି ଫରାସୀ ସୈନ୍ୟଙ୍କୁ ବ୍ରହ୍ମପୁରରୁ ବିତାଡ଼ିତ କରିଥିଲେ ।
 
ଏହି ଘଟଣାପରେ ମହୁରି ସହ ଫରାସୀ ପ୍ରଶାସକଙ୍କ ସୁସଂପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ନାରାୟଣ ଦେବ ଇଷ୍ଟ ଇଣ୍ଡିଆ କମ୍ପାନୀର କର୍ଣ୍ଣେଲ କ୍ଳାଇବଙ୍କୁ ପତ୍ର ଲେଖି ଫରାସୀ ସେନାବାହିନୀଙ୍କୁ ହଟାଇବା ଲାଗି ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । କର୍ଣ୍ଣେଲ କ୍ଲାଇବ ଏଥିରେ ରାଜି ହୋଇ ଇଂଲିଶ ସେନା ପ୍ରେରଣ କରିଥିଲେ । ହାର୍ଡୱିକ ନାମକ ଏକ ଜାହାଜରେ ଇଂଲିଶ ସେନା ହୁଗୁଳି ବନ୍ଦରରୁ ସମୁଦ୍ର ପଥରେ ଗଞ୍ଜାମ ବନ୍ଦର ପହଞ୍ଚି ଫରାସୀ ସେନାଙ୍କ ସହ ଯୁଦ୍ଧ କଲେ । ୧୭୫୯ ଶେଷ ବେଳକୁ ଫରାସୀ ସେନା ପରାସ୍ତ ହୋଇ ଗଞ୍ଜାମ ଛାଡ଼ି ପଳାୟନ କରିଥିଲେ ।
 
ପରବର୍ତ୍ତୀ କାଳରେ ଗଞ୍ଜାମ ଇଂଲିଶ ଶାସନାଧୀନ ହୋଇଥିଲା । ୧୭୯୧ରେ ବ୍ରହ୍ମପୁର ସମେତ ମହୁରି ରାଜ୍ୟକୁ ଗଞ୍ଜାମ ପ୍ରଶାସନ ଅଧୀନରେ ରଖାଯାଇଥିଲା ଏବଂ ୧୮୫୦ ଅକ୍ଟୋବର ୭ ତାରିଖ ଦିନ ମହୁରି ରାଜ୍ୟକୁ ଇଂଲିଶ ସରକାର ବାଜ୍ୟାପ୍ତ କରିଦେଇଥିଲେ ।
 
ଫରାସୀମାନେ ଷୋଡ଼ଶ ଶତାଦ୍ଦୀରେ ମୁଖ୍ୟତଃ ବାଣିଜ୍ୟ ବ୍ୟବସାୟ ଉଦ୍ଦେଶ୍ୟରେ ଭାରତରେ ପହଞ୍ଚିଥିଲେ । ସପ୍ତଦଶ ଶତାଦ୍ଦୀରେ ସେମାନେ ଓଡ଼ିଶାର ଉତ୍ତର ଉପକୂଳ ବାଲେଶ୍ୱରଠାରେ ଏକ କ୍ଷୁଦ୍ର ବ୍ୟାବସାୟିକ କେନ୍ଦ୍ର ଲଜ ପ୍ରତିଷ୍ଠା କରିଥିଲେ । ଏଠାରେ ମୁଖ୍ୟତଃ ଧାନ, ଚାଉଳ, ମାଛ, ଶୁଖୁଆ, ବସ୍ତ୍ର ଓ କଳକବଜା ଆମଦାନୀ-ରପ୍ତାନୀ ବ୍ୟବସାୟ ଚାଲିଥିଲା । ବ୍ରିଟିଶ ଇଣ୍ଟ ଇଣ୍ଟିଆ କମ୍ପାନୀ ସହ ଫ୍ରେଞ୍ଚ ଇଷ୍ଟ ଇଣ୍ଡିଆ କମ୍ପାନୀର ସଂଘର୍ଷ ଲାଗି ରହିଥିଲା । ପ୍ରଥମ ଅବସ୍ଥାରେ ଫରାସୀ ରାଜ ପରିବାର ଭାରତରେ ଫ୍ରେଞ୍ଚ ଇଷ୍ଟ ଇଣ୍ଡିଆ କମ୍ପାନୀର ପ୍ରଭୁତ୍ୱ ବିସ୍ତାର ନୀତିକୁ ପ୍ରୋତ୍ସାହିତ କରୁଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ୧୭୬୯ରେ ଓହରି ଯାଇଥିଲେ । ଫଳରେ ଫରାସୀମାନେ ଭାରତରେ କେବଳ ବାଣିଜ୍ୟ ବ୍ୟବସାୟରେ ନିଜ କାର୍ଯ୍ୟଧାରା ସୀମିତ ରଖିଲେ । ପଣ୍ଡିଚେରୀ, ଚନ୍ଦରନଗର, କରାଇକେଲ, ମାହେ, ୟେନାମ, ମଛଲିପଟ୍ଟନମ, କାଲିକଟ ଓ ସୁରାଟ ପ୍ରଭୃତି ଅଞ୍ଚଳରେ ଭାରତ ସ୍ୱାଧୀନତା ପ୍ରାପ୍ତି ଯାଏଁ ଫରାସୀ ଉପନିବେଶମାନ ବଳବତ୍ତର ରହିଥିବା ଜଣାଯାଏ ।

Photo by Jason Leung on Unsplash 


No comments:

Post a Comment