Friday, June 9, 2023

Bird Census  / ବିହଙ୍ଗ ଗଣନା

 

#ବ୍ରହ୍ମପୁର ସହରାଞ୍ଚଳରେ ୮୮ ପ୍ରକାର ବିହଙ୍ଗ ବା ପକ୍ଷୀ ବସବାସ କରୁଥିବା ଜଣାଯାଏପକ୍ଷୀ ଗଣନା ନିମନ୍ତେ ୨୦୧୯ରୁ ୨୦୨୨ ମଧ୍ୟରେ ଆୟୋଜିତ ଏକ ଅଧ୍ୟୟନରୁ ପ୍ରକାଶ ଯେ ପ୍ରଥମ ବଳୟ ସହର ମଧ୍ୟସ୍ଥ ଜନବସତିରେ କାଉ, ବଣି, ପାରା, ଓରିଏଣ୍ଚାଲ ମ୍ୟାଗପାଇ ରବିନ ଓ କୋଇଲି ଭଳି ପକ୍ଷୀ ଦେଖିବାକୁ ମିଳନ୍ତି । ଦ୍ୱିତୀୟ ବଳୟ ସହରକୁ ଘେରି ରହିଥିବା ଚାଷ ଜମି ଗେଣ୍ଡାଳିଆ ଏସିଆନ ଓପେନବିଲ, କପୋତ ଲାଫିଙ୍ଗ ଡୋଭ, ଟେଣ୍ଟେଇ ରେଡ଼-ୱାଟଲେଡ଼ ଲପୱିଙ୍ଗ ପ୍ରଭୃତିଙ୍କ ଚ଼ରାଭୁମି । ସେହିପରି ତୃତୀୟ ବଳୟ ସହର ମଧ୍ୟରେ ଥିବା ଉଦ୍ୟାନରାଜି ଓ ଜଙ୍ଗଲ ଅଞ୍ଚଳରେ ହଳଦୀ ବସନ୍ତ ଓରିଓଲ, ବୁଲବୁଲ, କୋଚ଼ିଲାଖାଇ ଗ୍ରେ ହର୍ଣ୍ଣବିଲ, ନୀଳକଣ୍ଠ ଇଣ୍ଡିଆନ ରୋଲର, ପାଇଡ଼ ବୁସଚାଟ, ଟ୍ରାଇକଲର ମୁନିଆ ଓ ବ୍ଳୁ ରକ ଥ୍ରସ ପ୍ରଜାତିର ପକ୍ଷୀ ବସବାସ କରନ୍ତି । ସହର ଓ ସହରତଳି ଅଞ୍ଚଳରେ ଦଣ୍ଡାୟମାନ ସୁଉଚ୍ଚ ବୃକ୍ଷରାଜି, ଯଥା ବର, ଓସ୍ତ, ଜାମୁକୋଳି, ଆମ୍ୱ, ପଣସ ଓ ସବୁଜ ବଳୟ ସୃଷ୍ଟି କରିବା ନିମନ୍ତେ ରୋପଣ କରାଯାଉଥିବା ଅନ୍ୟ ଉଚ୍ଚତା ବିଶିଷ୍ଟ ଗଛଗୁଡ଼ିକରେ ପକ୍ଷୀମାନେ ଆଶ୍ରୟ ନେଇଥାନ୍ତି ।
 
ଅଧ୍ୟୟନରୁ ଜଣାଯାଇଛି ଯେ ସହରରେ ଅବସ୍ଥିତ ବେଡ଼ା ବନ୍ଧ, ବିଜିପୁର ବନ୍ଧ, ଲାଞ୍ଜିପଲ୍ଲୀ ବନ୍ଧ ଭଳି ଜଳାଶୟଗୁଡ଼ିକରେ ଶୀତଋତୁରେ ବାହାର ଅଞ୍ଚଳରୁ ପକ୍ଷୀ ଆସି କିଛି ସମୟ କଟାଇ ପୁଣି ଫେରିଯାଆନ୍ତି । ରାମଲିଙ୍ଗ ବନ୍ଧ ନବୀକରଣ ହେବା ପୂର୍ବରୁ ପେଲିକାନ ପକ୍ଷୀ ଆସିଥିବା ଠାବ କରାଯାଇଥିଲା । ଆନ୍ତର୍ଜାତିକସ୍ତରରେ ବିହଙ୍ଗ ସଂରକ୍ଷଣ ନିମନ୍ତେ ପ୍ରଚଳିତ ରେଡ଼ ଡାଟା ବୁକରେ ଉଲ୍ଲେଖଥିବା ନାଈକ ଶୁଆ ଆଲେକଜାଣ୍ଡ୍ରିନ ପାରାକୀଟ ରେଳଷ୍ଟେସନ, ଲଞ୍ଜିପଲ୍ଲୀ, ମେଡ଼ିକାଲ କ୍ୟାମ୍ପସ ଅଞ୍ଚଳରେ ସାମୟିକଭାବେ ଦେଖାଯାଆନ୍ତି । ସେହିପରି ଅନ୍ୟ ଏକ ପ୍ରଜାତିର ସଂକଟାପନ୍ନ ସାପ ପକ୍ଷୀ ଓରିଏଣ୍ଟାଲ ଡ଼ାର୍ଟର ଓ ବ୍ଳାକ ହେଡ଼େଡ଼ ଆଇବିସ କେତେକ ଜଳାଶୟ ନିକଟବର୍ତ୍ତୀ ସନ୍ତସନ୍ତିଆ ଜାଗାରେ ଠାବ କରାଯାଇଥାଏ । ରାତ୍ରୀଚରଙ୍କ ମଧ୍ୟରେ ଦୁଇ ପ୍ରଜାତିର ପେଚା-ଲକ୍ଷ୍ମୀଙ୍କ ପେଚା ବାର୍ଣ୍ଣ ଆଉଲ ଓ ଜଙ୍ଗଲୀ ପେଚା ଜଙ୍ଗଲ ଆଉଲେଟ ସ୍ଥାନୀୟ ବାସିନ୍ଦା ।
 
ବ୍ରହ୍ମପୁରରେ ବିହଙ୍ଗ ଅଧ୍ୟୟନ ଏକ ନିଆରା ଋଚ଼ି । ଏ ଦିଗରେ ଖୁବ କମ ସଂଖ୍ୟକ ଧ୍ୟାନ ଦେଇଥାନ୍ତି । କୋଲକତା ବିଶ୍ୱବିଦ୍ୟାଳୟର ଜଣେ ଗବେଷକ ରାଜେଶ ଲେଙ୍କା ବ୍ରହ୍ମପୁର ସହରରୁ ଦୁଇ ବର୍ଷ ତଥ୍ୟ ସଂଗ୍ରହପରେ ଗଣମାଧ୍ୟମରେ ଏକ ଲଘୁ ପ୍ରବନ୍ଧ ପ୍ରକାଶ କରିଥିଲେ । ସେ ଏଠାରେ ୪୩ ଗୋଟି ବିହଙ୍ଗ ପରିବାରର ୮୮ ପ୍ରକାରର ପକ୍ଷୀ ଗଣନା କରିଥିଲେ । ସହରାଞ୍ଚଳର ଜନବସତି, କୃଷି ଜମି, ଜଙ୍ଗଲ ଜମି ଓ ଆର୍ଦ୍ର ଭୂମି ଚାରି ଭାଗରେ ବିଭକ୍ତ କରି ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ପକ୍ଷୀଙ୍କ ଗତିବିଧି ପ୍ରତି ଧ୍ୟାନ ଦେଇଥିଲେ । ବିଗତ କିଛି ବର୍ଷରୁ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ପକ୍ଷୀ ଗଣନା କରାଯାଇଥାଏ । ବ୍ରହ୍ମପୁର ବନଖଣ୍ଡରେ ୨୦୨୩ରେ ଆୟୋଜିତ ପକ୍ଷୀ ଗଣନା ଅନୁଯାୟୀ ବ୍ରହ୍ମପୁର ସମେତ ଛଅଗୋଟି ସଂରକ୍ଷିତ ଜଙ୍ଗଲ ଓ ୫୪ କିଲୋମିଟର ବ୍ୟାପୀ ସମୁଦ୍ର ଉପକୂଳରେ ୧୨୩ ପ୍ରଜାତିର ପ୍ରାୟ ୩୪,୫୦୦ ପକ୍ଷୀ ଦେଖିବାକୁ ମିଳିଥିବା ପ୍ରକାଶ । ବାହୁଦା ନଦୀ ବେକୱାଟରରେ ଅଧିକ ସଂଖ୍ୟକ ପକ୍ଷୀ ବସବାସ କରନ୍ତିବନଖଣ୍ଡରେ ମୟୁରଙ୍କ ସଂଖ୍ୟା ଦୁଇ ହଜାର ।
 
ଆଧୁନିକ ସଭ୍ୟତାରେ ବିହଙ୍ଗ ଅବଲୋକନ ବାର୍ଡ ୱାଚ଼ ଏକ ସଂଭ୍ରାନ୍ତ ଋଚ଼ି । ମୁଖ୍ୟତଃ ସହରାଞ୍ଚଳରେ ଯୁବବର୍ଗଙ୍କ ମଧ୍ୟରେ ପରିବେଶ ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନ ଦିଗରେ ଆଗ୍ରହ ପ୍ରକାଶ ପାଉଥିବା ସ୍ଥଳେ ବାର୍ଡ଼ ୱାଚ ଭଳି ଋଚ଼ି ଲୋକପ୍ରିୟତା ହାସଲ କରୁଥିବା ଲକ୍ଷ୍ୟ କରାଯାଇପାରେ । ବାର୍ଡ ଫୋଟୋଗ୍ରାଫି ବା ପକ୍ଷୀଙ୍କ ଆଲୋକଚ଼ିତ୍ର ଉତ୍ତୋଳନ ଦିଗରେ ମଧ୍ୟ କେତେକ ଆଗ୍ରହ ପ୍ରକାଶ କରିଥାନ୍ତି । ପ୍ରାକୃତିକ ସନ୍ତୁଳନ ରକ୍ଷାରେ ପକ୍ଷୀ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଉଦାହରଣରେ ଶୁଆଙ୍କ ଆଚ଼ରଣ ଧରାଯାଉ । ଶୁଆ ଯେତିକି ଖାଏ, ତାହାଠାରୁ ଅଧିକ ଖାଦ୍ୟ ଏଣେ ତେଣେ ଫୋପାଡ଼େ । ତେବେ ଫୋପଡ଼ା ଯାଉଥିବା ଖାଦ୍ୟ ପିମ୍ପୁଡ଼ି ଓ ଅନ୍ୟାନ୍ୟ ଛୋଟ କୀଟପତଙ୍ଗଙ୍କ ଖାଦ୍ୟ ପାଲଟେ । ସେମାନଙ୍କ ପିଜୁଳି ଭଳି ବଡ଼ ଫଳ ସଂଗ୍ରହ କିମ୍ୱା ଭାଙ୍ଗିବା ସାମର୍ଥ୍ୟ ନଥିଲେହେଁ ଶୁଆର ଆଚ଼ରଣରୁ ସୁସ୍ୱାଦୁ ଓ ପୁଷ୍ଟିକର ଖାଦ୍ୟ ପାଇପାରନ୍ତି ।
 
ପକ୍ଷୀଙ୍କ ସୁରକ୍ଷା ଲାଗି ମାନସିକତା ସୃଷ୍ଟି ଗୁରୁତ୍ୱପୂର୍ଣ୍ଣ । ବହୁ ସଂଖ୍ୟକ ସହରବାସୀ ପକ୍ଷୀଙ୍କ ସଂପର୍କରେ ଅଧିକ ତଥ୍ୟ ଜାଣିପାରିଲେ ଏଠାରେ ପକ୍ଷୀଙ୍କ ସୁରକ୍ଷା ବଢ଼ିବ । ବ୍ରହ୍ମପୁରରେ ଉପଲବ୍ଧ ୮୮ ଗୋଟି ପକ୍ଷୀଙ୍କ ତାଲିକା ପ୍ରସ୍ତୁତକରି ସମୟକ୍ରମେ ଗୁଗୁଲ ସର୍ଚ୍ଚ ଉପଯୋଗରେ ସେମାନଙ୍କ ଜୀବନ ଚକ୍ର ସଂପର୍କରେ ଅବଗତ ହେବାକୁ ଅଭିଯାନର ପ୍ରଥମ ସୋପାନ ଭାବେ ଧରାଯାଇପାରେ !

Photo by Sonika Agarwal on Unsplash 


No comments:

Post a Comment