Friday, June 2, 2023

Division of Ganjam District  / ଗଞ୍ଜାମ ଜିଲ୍ଲା ବିଭକ୍ତିକରଣ

 


ପ୍ରଶାସନିକ କ୍ଷେତ୍ରରେ ବିଭିନ୍ନ ସ୍ତରରେ ବିଭିନ୍ନ ସୀମା ନିର୍ଦ୍ଧାରଣ ସତ୍ତ୍ୱେ #ବ୍ରହ୍ମପୁର ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ଶ୍ରୀକାକୁଲମ ଜିଲ୍ଲାର ସହର-କେନ୍ଦ୍ର ସିଟି-ସେଣ୍ଟର ବିବେଚ଼ିତ । ଦକ୍ଷିଣ ଓଡ଼ିଶାରେ ବ୍ରଟିଶ ଶାସନ ପ୍ରତିଷ୍ଠିତ ହେବାପରେ ୧୭୬୬ରେ ଗଞ୍ଜାମ ବନ୍ଦର ସହରରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ସ୍ଥାପନ ଏବଂ ଜିଲ୍ଲାର ସୀମା ନିର୍ଦ୍ଧାରଣ ହୋଇଥିଲା । ଏହି ଅଞ୍ଚଳରେ ପାରଳାଖେମୁଣ୍ଡି, ଘୁମୁସର ଓ ମହୁରି ତିନିଗୋଟି ବଡ଼ ଜମିଦାରୀ ରାଜ୍ୟ ଥିଲା
 
ବ୍ରିଟିଶ ଶାସନର ପ୍ରାଥମିକ ପର୍ଯ୍ୟାୟ ୧୭୬୬ରୁ ୧୮୧୫ ଚାରି ଦଶନ୍ଧି ଧରି ଗଞ୍ଜାମ ଜିଲ୍ଲାର ଶାସନ କାର୍ଯ୍ୟ ବନ୍ଦର ସହର ଗଞ୍ଜାମରୁ ପରିଚାଳିତ ହେଉଥିଲା । କୁହାଯାଏ ଯେ ସହରର ଜନସଂଖ୍ୟା ୩୦ ହଜାର ଯାଏଁ ବଢ଼ିଥିଲା ଏବଂ ଗଞ୍ଜାମ ଜିଲ୍ଲାରେ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଜନପଦର ମାନ୍ୟତା ପାଉଥିଲା । ତେବେ ୧୮୧୫ରେ ମହାମାରୀରେ ପ୍ରାୟ ୨୪ ହଜାର ଲୋକ ପ୍ରାଣ ହରାଇବା ପରେ ଜିଲ୍ଲା ସଦର ମହକୁମା ନିକଟସ୍ଥ ସୀତାରାମପଲ୍ଲୀ ବା ଛତ୍ରପୁରକୁ ସ୍ଥାନାନ୍ତରିତ ହୋଇଥିଲା ।
 
ପ୍ରକୃତରେ ବ୍ରିଟିଶ ପ୍ରଶାସକମାନେ ବ୍ରହ୍ମପୁରକୁ ଜିଲ୍ଲା ସଦର ମହକୁମା ରୂପେ ବାଛିଥିଲେ । କିନ୍ତୁ ମହୁରି ରାଜା ନିଜ ରାଜଧାନୀରେ ବ୍ରିଟିଶ କର୍ମଚାରୀ ଓ ସେନା ଉପସ୍ଥିତିରେ ବିପଦ ମଣି ବିରୋଧ କରିଥିଲେ । ଫଳରେ ଗଞ୍ଜାମ ସହରରୁ ଅନତିଦୂର ଛତ୍ରପୁରରେହିଁ ଗଞ୍ଜାମ ଜିଲ୍ଲାର ସଦର ମହକୁମା ସ୍ଥାପିତ ହେଲା ଏବଂ କେତେକ ସରକାରୀ କାର୍ଯ୍ୟାଳୟ କ୍ରମଶଃ ବ୍ରହ୍ମପୁରରେ ଗଢ଼ି ଉଠିଲା । ଐତିହାସିକ ତଥ୍ୟ ଅନୁଯାୟୀ ୧୮୭୧ ଜନଗଣନାରେ ବ୍ରହ୍ମପୁର ସହରର ଜନସଂଖ୍ୟା ୨୨ ହଜାର ଗଣିତ କରାଯାଇଥିଲା । ଅର୍ଥାତ, ୬୬ ବର୍ଷ ପୂର୍ବେ ବ୍ରହ୍ମପୁର ତୁଳନାରେ ବନ୍ଦର ସହର ଗଞ୍ଜାମର ଜନସଂଖ୍ୟା ଢ଼େର ଅଧିକ ଥିଲା ।
 
କାଳକ୍ରମେ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲା ଅଦାଲତ ସାଙ୍ଗକୁ ୧୮୬୫ରେ ନଅଙ୍କ ଦୁର୍ଭିକ୍ଷ ପରେ ଆଧୁନିକ ଇଂଲିଶ ଶିକ୍ଷା ପ୍ରସାର କାଳରେ ଶିକ୍ଷାନୁଷ୍ଠାନମାନ ପ୍ରତିଷ୍ଠା, ଗୋପାଳପୁର ବନ୍ଦର, ରେଳପଥ ସଂଯୋଗ ଫଳରେ ପ୍ରାଚ଼ୀନ ବାଣିଜ୍ୟ ପେଣ୍ଠଟିର ଦୃତ ବିକାଶ ସମ୍ଭବ ହୋଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ରେ ଗଠିତ ହେବାପରେ ପ୍ରଶାସନିକସ୍ତରରେ ବ୍ରହ୍ମପୁରର ଗୁରୁତ୍ୱ ବଢ଼ିବା ସଙ୍ଗେ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରୁ ପରିବାରବର୍ଗ ବ୍ରହ୍ମପୁରରେ ସ୍ଥାୟୀଭାବେ ବସବାସ କରିବାକୁ ଲାଗିଲେ । ବ୍ରହ୍ମପୁର ସହର ଅଦାଲତ, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ପରିବହନ, ବାଣିଜ୍ୟ, ପ୍ରକାଶନ ଶିଳ୍ପ, ମନୋରଞ୍ଜନ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଏକାଠି ବାନ୍ଧି ରଖିଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ସ୍ୱାଧୀନତା ଆନ୍ଦୋଳନରେ ଗଞ୍ଜାମ ଜିଲ୍ଲା ପାଇଁ ବ୍ରହ୍ମପୁର ହିଁ ଯୋଗସୂତ୍ରର କେନ୍ଦ୍ରବିନ୍ଦୁ ସାଜିଥିଲା ।
 
ସ୍ୱାଧୀନୋତ୍ତର ଭାରତରେ ପ୍ରଶାସନିକ ବିକେନ୍ଦ୍ରୀକରଣକୁ ଗୁରୁତ୍ୱ ଦିଆଗଲା । ନୂତନ ରାଜ୍ୟ ଓ ନୂତନ ଜିଲ୍ଲା ଗଠନ ଆଞ୍ଚଳିକ ସ୍ୱାଭିମାନରେ ପର୍ଯ୍ୟବଶିତ ହେଲାଗଞ୍ଜାମ ଜିଲ୍ଲା ଦୁଇ ଭାଗରେ ବିଭକ୍ତ ହେବାପରେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାକୁ ତିନିଭାଗ ଏବଂ ଗଜପତି ଜିଲ୍ଲାକୁ ଦୁଇଭାଗ କରିବା ନିମନ୍ତେ ଦାବୀ ଶୁଣାଯାଉଛି ।
 
ମୁଖ୍ୟତଃ, ସାମାଜିକ ଗଣମାଧ୍ୟମରେ ପ୍ରସାରିତ ବିବରଣୀ ଅନୁଯାୟୀ ଗଞ୍ଜାମ ଜିଲ୍ଲାକୁ ତିନିଗୋଟି ସ୍ୱତନ୍ତ୍ର ଜିଲ୍ଲା (୧) ଗଞ୍ଜାମ ଜିଲ୍ଲା ବା ବ୍ରହ୍ମପୁର ଜିଲ୍ଲା, (୨) ଋଷିକୂଲ୍ୟା ଜିଲ୍ଲା ବା କବିସୂର୍ଯ୍ୟ ଜିଲ୍ଲା ଓ (୩) ଘୁମୁସର ଜିଲ୍ଲା ବା ଭଞ୍ଜ ଜିଲ୍ଲା ଗଠନ ଚର୍ଚ୍ଚା କରାଯାଉଛି । ପ୍ରଥମତଃ, ମୌଳିକ ଗଞ୍ଜାମ ବା ବ୍ରହ୍ମପୁର ଜିଲ୍ଲାରେ ଗଞ୍ଜାମ, ଛତ୍ରପୁର, ରଙ୍ଗେଇଲୁଣ୍ଡା, କୁକୁଡ଼ାଖଣ୍ଡି, ଦିଗପହଣ୍ଡି, ସାନଖେମୁଣ୍ଡି, ଚିକିଟି ଓ ପାତ୍ରପୁର ବ୍ଳକ ସମିଶ୍ରଣରେ ବ୍ରହ୍ମପୁର ସହର ସଦର ମହକୁମା ରଖିବା ପ୍ରସ୍ତାବ ଉପସ୍ଥାପିତଦ୍ୱିତୀୟତଃ, ଋଷିକୂଲ୍ୟା ବା  କବିସୂର୍ଯ୍ୟ ଜିଲ୍ଲାରେ ଆସିକା, ଧରାକୋଟ, ଶେରଗଡ଼, ପୋଲସରା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ହିଞ୍ଜିଳିକାଟୁ, ବେଗୁନିଆପଡ଼ା ଓ ଖଲ୍ଲିକୋଟ ବ୍ଳକ ସମିଶ୍ରଣରେ ଆସିକା ସଦର ମହକୁମା ରଖିବାକୁ କୁହାଯାଉଛିତୃତୀୟତଃ, ଘୁମୁସର ବା ଭଞ୍ଜ ଜିଲ୍ଲାରେ ଭଞ୍ଜନଗର, ବେଲଗୁଣ୍ଠା, ସୋରଡ଼ା, ବୁଗୁଡ଼ା ଓ ଜଗନ୍ନାଥ ପ୍ରସାଦ ବ୍ଳକ ସମିଶ୍ରଣରେ ଭଞ୍ଜନଗର ସଦର ମହକୁମା ରଖାଯାଇପାରେ ବୋଲି ମତ ପ୍ରକାଶ ପାଉଛି
 
ଗଞ୍ଜାମ ଜିଲ୍ଲା ବିଭକ୍ତିକରଣ ପ୍ରସ୍ତାବବଳୀ ଅସମର୍ଥିତ । ଏଥିରେ ବହୁ ବାଦବିବାଦର ଅବକାଶ ରହିଛି ।

Photo by Sandro Schuh on Unsplash 


No comments:

Post a Comment