ଦେଶରେ
ଜନସଂଖ୍ୟା ଦୃଷ୍ଟିରୁ #ବ୍ରହ୍ମପୁର
ଭଳି ତୃତୀୟସ୍ତରର ‘ଟାୟର-୩’ ସହରଗୁଡ଼ିକରେ ବିଭିନ୍ନ ପୌରସେବା ଯୋଗାଇ ଦେବା
ନିମନ୍ତେ ସୂଚନା ପ୍ରଦ୍ୟୋଗୀକି ବୈଷୟିକ କୌଶଳ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ବିଶେଷଜ୍ଞମାନେ
ଆଶା କରନ୍ତି । ଉଦାହରଣରେ ସହର ସଫାସୁତୁରା ରଖିବାରେ ସଫେଇ କର୍ମଚାରୀମାନଙ୍କୁ ନିୟନ୍ତ୍ରିତ
କରିବା ଓ ସର୍ବସାଧାରଣ ସ୍ଥାନଗୁଡ଼ିକରେ ଆବର୍ଜନା ଫିଙ୍ଗାଫୋପଡ଼ାକୁ ଆକଟ କରିବାଠାରୁ ଆରମ୍ଭ କରି
ଆବର୍ଜନା ପ୍ରକ୍ରିୟାକରଣ ଭଳି ଯାବତୀୟ କାର୍ଯ୍ୟ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଉପଯୋଗରେ ଗୁଣାତ୍ମକ ପରିବର୍ତ୍ତନ ଆଣିଦେଇପାରିବ ।
ଅନ୍ୟ ଏକ ଉଦାହରଣରେ ସହରର ବହୁ ଅଞ୍ଚଳରେ ପୌରପ୍ରଶାସନ ପକ୍ଷରୁ ସଫେଇ ନିମନ୍ତେ କର୍ମଚାରୀ
ନିଯୁକ୍ତ ହୋଇନଥାନ୍ତି ଏବଂ ସମୟନ୍ତେ ସେହି ଅଞ୍ଚଳଗୁଡ଼ିକ ସଫେଇ ନିମନ୍ତେ ମଧ୍ୟ ବିଧିବଦ୍ଧ
ଉଦ୍ୟମ ହୋଇନଥାଏ । ଫଳରେ ସହରର ସାମଗ୍ରିକ ପରିଛନ୍ନତା ବ୍ୟାହତ ହୁଏ । ଦୂଷିତ ପରିବେଶରେ ରୋଗ ବ୍ୟାପୀ ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିକରେ । ଏହିଭଳି ଅଞ୍ଚଳଗୁଡ଼ିକ
ଚ଼ିହ୍ନଟ କରିବା ଏବଂ ସଫେଇ ସ୍ଥିତି ପରଖିବାରେ ସ୍ୱଚ୍ଛତା
ଅବଲମ୍ୱନ ନିମନ୍ତେ ବୈଷୟିକ କୌଶଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
କେନ୍ଦ୍ର
ସରକାରଙ୍କ ଅର୍ଥମନ୍ତ୍ରୀ ୨୦୨୩ ବଜେଟ ଅଭିଭାଷଣରେ କୃତ୍ରିମ ବୁଦ୍ଧିମତ୍ତା ଦିଗରେ ଗବେଷଣା
ନିମନ୍ତେ ଦେଶରେ ତିନିଗୋଟି ପ୍ରମୁଖ ଶିକ୍ଷାନୁଷ୍ଠାନ ଚ଼ିହ୍ନଟ କରିବା ଘୋଷଣା କରିଥିଲେ । ଏଠାରେ
ସ୍ୱାସ୍ଥ୍ୟ, କୃଷି ଓ ସ୍ୱାବଲମ୍ୱୀ ସହର ଉନ୍ନୟନ ଦିଗରେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗ ନିମନ୍ତେ
ଗବେଷଣା କରାଯିବା ସ୍ଥିରୀକୃତ ହୋଇଥିଲା । ଦେଶବ୍ୟାପୀ ସହରାଞ୍ଚଳରେ ପୌରସେବାରେ ଜନସାଧାରଣ
ସନ୍ତୁଷ୍ଟ ନଥାନ୍ତି । ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ ନାଗରିକ ସେବା ଯୋଗାଇ ଦେବାରେ
ଆମେ ପଛରେ ରହିଛୁ । ଏହାର ଦୁଇ ମୁଖ୍ୟ କାରଣ ହେଲା ପୌରସେବା ପରିଚାଳନାରେ ସ୍ୱଚ୍ଛତା ଅଭାବ ଓ
ପୁରୁଣା କାଳିଆ ପରିଚାଳନା ପଦ୍ଧତି । ପର୍ଯ୍ୟାପ୍ତ ଅନୁଦାନ ବିନିଯୋଗ ସତ୍ତ୍ୱେ ପାରମ୍ପରିକ
ରୀତିରେ ସହରାଞ୍ଚଳ ବିକାଶରେ ସଫଳତା ମିଳିପାରୁ ନଥିବା ହେତୁ ସେ ଦିଗରେ ପ୍ରଦ୍ୟୋଗୀକି
ଜ୍ଞାନକୌଶଳ ଉପଯୋଗ ଅପରିହାର୍ଯ୍ୟ ହୋଇପଡ଼ିଛି ।
କେନ୍ଦ୍ର
ସରକାରଙ୍କ ପକ୍ଷରୁ ‘ଡ଼ିଜିଟାଲ ଇଣ୍ଡିଆ’ ଯୋଜନାରେ ୧୪,୯୦୦ କୋଟି ଟଙ୍କା ନିବେଶ ନିମନ୍ତେ ଗତ
ଅଗଷ୍ଟ ୨୦୨୩ରେ କ୍ୟାବିନେଟ ମଞ୍ଜୁର କରାଯାଇଥିଲା ।
ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ସମେତ ଇନଫରମେସନ ଟେକନୋଲୋଜି ସିକ୍ୟୁରିଟି ଏଣ୍ଡ ଏଜୁକେସନ
ଏୱାରନେସ, ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ ଓ ବହୁମୁଖୀ ଭାରତୀୟ ଭାଷା ଅନୁବାଦ ପ୍ରକଳ୍ପ ‘ଭାଷୀନି’ ଭଳି ଯୋଜନାରେ ଏହି ଅର୍ଥ ବ୍ୟୟ ହେବ । ଭାରତରେ
ବର୍ତ୍ତମାନ ୧୦ ଗୋଟି ଭାଷାରେ କମ୍ପ୍ୟୁଟରଭିତ୍ତିକ ଅନୁବାଦ ସୁବିଧା ଉପଲବ୍ଧ । ତାହା ୨୨ ଗୋଟି
ଭାରତୀୟ ଭାଷାକୁ ସଂପ୍ରସାରିତ ହେବ । ଏହାର ଅର୍ଥ କମ୍ପ୍ୟୁଟରଭିତ୍ତିକ କୌଣସି କାର୍ଯ୍ୟ ନିମନ୍ତେ
ଇଂରାଜୀ ଭାଷା ଜ୍ଞାନ ଆବଶ୍ୟକ ପଡ଼ିବ ନାହିଁ, ଓଡ଼ିଆ ଭାଷାରେ ମଧ୍ୟ ସମସ୍ତ କାର୍ଯ୍ୟ ତୁଲାଇ ହେବ
। ସର୍ବୋପରି ଓଡ଼ିଆ ଲେଖିବା ବଦଳରେ ଓଡ଼ିଆ ଭାଷା କହି ମଧ୍ୟ ବିଭିନ୍ନ କାର୍ଯ୍ୟ ସାଧନ ସଂଭବ ।
ବ୍ରହ୍ମପୁର
ଭଳି ସହରରେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ପୌରସେବା ଆୟୋଜନ କଠିନ ବିଜ୍ଞାନ ପ୍ରତୀୟମାନ
ହେଉଥିଲେହେଁ ବହୁ କାରିଗରୀ କୌଶଳ ୨୦୨୩ ସୁଦ୍ଧା ଉପଲବ୍ଧ । ଏଦିଗରେ କର୍ତ୍ତୃପକ୍ଷ କିମ୍ୱା
ନିର୍ବାଚିତ ପ୍ରତିନିଧି ଆଗ୍ରହ ପ୍ରକାଶ କରୁନଥିବା ହେତୁ ଉପଯୋଗ ହୋଇପାରୁନାହିଁ ।
ଅତ୍ୟାଧୁନିକ
ପ୍ରଦ୍ୟୋଗୀକି ବିକାଶ ଅବସରରେ ଜନସାଧାରଣ ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ଠକାମୀର ଶୀକାର ହେଉଥିବା
ମଧ୍ୟ ଏକ କ୍ରମବିକଶିତ ସମସ୍ୟା । ରାଜ୍ୟ ପୋଲିସ ପକ୍ଷରୁ ଏଦିଗରେ ଜନସଚ଼େତନ ସୃଷ୍ଟି ନିମନ୍ତେ
୨୦୨୩ ଶାରଦୀୟ ପୂଜା ପୂର୍ବରୁ ଏକ ପ୍ରଚାର ଅଭିଯାନ ଆୟୋଜନ କରାଯାଇଥିଲା । ତେବେ ବ୍ରହ୍ମପୁରରେ
ସାଇବର ଠକାମୀର ଶୀକାର ହେଉଥିବା ପୀଡ଼ିତଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇପାରିନାହିଁ ।
ଅବଶ୍ୟ ଏହି ସ୍ଥିତି ସର୍ବତ୍ର ସମାନ । କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ଦୁଇ ଲକ୍ଷ ୬୫ ହଜାର
ନାଗରିକଙ୍କୁ ଇନଫରମେସନ ଟେକନୋଲଜି ସୁରକ୍ଷା କର୍ମୀ ଭାବେ ତାଲିମ ଦେବା ନିମନ୍ତେ ଅର୍ଥ ବରାଦ
ହୋଇଛି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ସେହିପରି ଇନଫରମେସନ ଟେକନୋଲୋଜି ଜରୁରୀ
ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ‘ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ’ ଗଠନ ମଧ୍ୟ ବିଭିନ୍ନ ବଡ଼ଧରଣର ବିପଦର ମୁକାବିଲା
କରିବା ନିମନ୍ତେ ଭିତ୍ତିଭୂମି ସୃଷ୍ଟି କରିପାରିବ ।
ବ୍ରହ୍ମପୁର ଭଳି ସହରରେ ସ୍ଥାନୀୟ ନାଗରିକ ଦୈନିକ ଅନ୍ୟୂନ ଅଢ଼େଇ ଘଣ୍ଟା ସୋସିଆଲ ମିଡ଼ିଆରେ ୨୦୨୩ ସୁଦ୍ଧା ବିତାଇଥାନ୍ତି । ଏଣିକି ପ୍ରାୟ ସମସ୍ତେ ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ମଞ୍ଚଗୁଡ଼ିକରେ ପହଞ୍ଚୁଛନ୍ତି । ପାରସ୍ପରିକ ଯୋଗାଯୋଗ, ଇ-ବାଣିଜ୍ୟ, ମନୋରଞ୍ଜନ, ସମ୍ୱାଦ ଆହରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପରେ ପୌରସେବାରେ ଇନଫରମେସନ ଟେକନୋଲୋଜିର ବ୍ୟବହାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଏହି କ୍ଷେତ୍ରରେ ସହରବାସୀଙ୍କ ଆଗ୍ରହ ବହୁ ପୌର ସମସ୍ୟା ସମାଧାନରେ ସହାୟକ ହୋଇପାରିବ ।
Image by Gerd Altmann from Pixabay
No comments:
Post a Comment