#ବ୍ରହ୍ମପୁର ରିଂ-ରୋଡ଼ ସ୍ୱପ୍ନ ଦୁଇ ଜାତୀୟ ରାଜପଥ ବାଇପାସକୁ ୧୨ କିଲୋମିଟର ସଂଯୋଗ ରାସ୍ତା ନିର୍ମାଣରେ ତ୍ରି-କୋଣ ବଳୟ ସୃଷ୍ଟିରେ ପର୍ଯ୍ୟବଶିତ । ବ୍ରହ୍ମପୁର ସହର ଦେଇ ମାଡ୍ରାସ-କଲିକତା ପାଞ୍ଚ ନମ୍ୱର ଜାତୀୟ ରାଜପଥ ହଳଦିଆପଦରରୁ ଗୋସାଣି ନୂଆଗାଁ, ବିଜିପୁର, ହିଲପାଟଣା, କମାପଲ୍ଲୀ, ଲାଞ୍ଜିପଲ୍ଲୀ ଦେଇ ଜଗନାଥପୁରରେ ପହଞ୍ଚୁଥିଲା । ଏହି ରାସ୍ତାରେ ଗୋଷାଣୀ ନୂଆଁଗାଁ ଓ ଜଗନ୍ନାଥପୁରଠାରେ ଦୁଇ ବାର ରେଳପଥ ଅତିକ୍ରମ କରିବାକୁ ପଡୁଥିଲା । ହଳଦିଆପଦରରୁ ଜଗନ୍ନାଥପୁର ବାଇପାସ ରାସ୍ତା ନିର୍ମିତ ହେବାପରେ ସହର ମଧ୍ୟକୁ ଭାରୀ ଯାନବାହନ ଭିଡ଼ ଓ ରେଳ ଲେଭଲକ୍ରସିଂ ଝମେଲା ତୁଟିଲା । ପାଞ୍ଚ ନମ୍ୱର ଜାତୀୟ ରାଜପଥ ୧୬ ନମ୍ୱର ଜାତୀୟ ରାଜପଥରେ ପୁନଃନାମିତ ହୋଇଛି ଏବଂ ବ୍ରହ୍ମପୁର ସହରାଞ୍ଚଳରେ ବାସଉପଯୋଗୀ ଜମିବାଡ଼ି ସୀମାକୁ ରାଜପଥ ଯାଏଁ ବଢ଼ାଇ ଦେଇଛି ।
ପରବର୍ତ୍ତୀ ପର୍ଯ୍ୟାୟରେ ସହରର ଦ୍ୱିତୀୟ ରାଜପଥ ଭାବେ ୨୧୭ ନମ୍ୱର ଗୋପାଳପୁର-ରାୟପୁର ରାଜପଥ ଆତ୍ମପ୍ରକାଶ କରିବା ଫଳରେ ଜଗନ୍ନାଥପୁର, ଲାଞ୍ଜିପଲ୍ଲୀ, କମାପଲ୍ଲୀ, ଗିରିରୋଡ଼, ଗେଟବଜାରରୁ ଫାଷ୍ଟ ଗେଟ ଯାଏଁ ଆସିକା ରୋଡ଼ ଦେଇ ଗତି କରିଥିଲା । ଏହା ୫୯ ନମ୍ୱର ରାଜପଥ ରୂପେ ପୁନଃନାମିତ ହୋଇଛି । ସହରାଞ୍ଚଳରେ ଭିଡ଼ କମାଇବା ଉଦ୍ଦେଶ୍ୟରେ ଜାତୀୟ ରାଜପଥ ପ୍ରାଧୀକରଣ ପ୍ରଚ଼େଷ୍ଟାରେ ପ୍ରାୟ ୧୪ କିଲୋମିଟର ଜଗନ୍ନାଥପୁର ସଂଲଗ୍ନ ରଘୁନାଥପରୁ-ରତ୍ନପୁର ବାଇପାସ ରାସ୍ତା ନିର୍ମାଣ ନିମନ୍ତେ ୨୦୨୧ ଏପ୍ରିଲ ମାସରେ ୧୯୭ କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା ।
ହଳଦିଆପଦରରୁ ଜଗନ୍ନାଥପୁର ଜାତୀୟ ରାଜପଥ କାର୍ଯ୍ୟକ୍ଷମ ଥିବା ଓ ଜଗନ୍ନାଥପୁରରୁ ରତ୍ନପୁର ରାଜପଥ ନିର୍ମାଣଧୀନ ଥିବା ଅବସ୍ଥାରେ ଓଡ଼ିଶା ରାଜ୍ୟ ସରକାରଙ୍କ ଉଦ୍ୟମରେ ରତ୍ନପୁରରୁ ହଳଦିଆପଦର ସଂଯୋଗ ରାସ୍ତା ନିର୍ମାଣ ନିମନ୍ତେ ନଭେମ୍ୱର ୨୦୨୩ରେ ୧୫୬ କୋଟି ଟଙ୍କା ମଞ୍ଜୁର ଲାଗି କ୍ୟାବିନେଟ ନିଷ୍ପତ୍ତି ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଏହି ତିନିଗୋଟି ରାସ୍ତା ସଂଯୋଗରେ ବ୍ରହ୍ମପୁର ରିଂ-ରୋଡ଼ ସୃଷ୍ଟି ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ହଳଦିଆପଦରଠାରୁ ରଙ୍ଗିପୁର, ଗଉଞ୍ଜୁ, ମାଣ୍ଡିଆପଲ୍ଲୀ ଦେଇ ୧୭ କିଲୋମିଟର ରାସ୍ତା ନିର୍ମାଣ ପ୍ରସ୍ତାବ ରହିଛି । ପୂର୍ଣ୍ଣାଙ୍ଗ ରିଂ-ରୋଡ଼ର ଦୈର୍ଘ୍ୟ ୪୬ କିଲୋମିଟର ଯାଏଁ ଲମ୍ୱିବ । ଏହି ରିଂ-ରୋଡ଼ ନିର୍ମାଣ ପ୍ରକଳ୍ପ ୨୦୧୩ରେ ଶୁଭ ଦିଆଯାଇଥିଲା ।
ବ୍ରହ୍ମପୁର ସହରକୁ ଜଳଯୋଗାଣ ସହ ସଂଲଗ୍ନ ଗ୍ରାମାଞ୍ଚଳରେ ଚାଷ ଜମି ଜଳସେଚ଼ନ ନିମନ୍ତେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଜାନିବିଲିଠାରେ ଋଷିକୂଲ୍ୟା ନଦୀ ଶଯ୍ୟାରେ ବ୍ୟାରେଜ ନିର୍ମାଣ ନିମନ୍ତେ ନଭେମ୍ୱର ୨୦୨୩ ଓଡ଼ିଶା ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳ ବୈଠକରେ କ୍ୟାବିନେଟ ମଞ୍ଜୁରି ମଧ୍ୟ ଦିଆଯାଇଥିବା ପ୍ରକାଶ । ଏଥିଲାଗି ୮୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବ୍ରହ୍ମପୁର ମହାନଗର ନିଗମରେ ଦୈନିକ ଅଧିକ ୬ କୋଟି ୭୫ ଲକ୍ଷ ଲିଟର ପିଇବା ପାଣି ଉପଲବ୍ଧ ହେବ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ଋଷିକୂଲ୍ୟା ନଦୀର ୮୦ ପ୍ରତିଶତ ଜଳ ସମୁଦ୍ରରେ ବିଲୀନ ହେଉଥିବା ହେତୁ ତାହାର ସଦ୍ ଉପଯୋଗ ନିମନ୍ତେ ସୋରଡ଼ା ବ୍ଳକର ପିପଳପଙ୍କାରେ ଏକ ଡ୍ୟାମ ଓ କଂସାରିଗଣ୍ଡରେ ଅନ୍ୟ ଏକ ବ୍ୟାରେଜ ନିର୍ମାଣ ନିମନ୍ତେ ପ୍ରଶାସନିକ ଅନୁମତି ମିଳିଛି ।
ରିଂ-ରୋଡ଼ ଓ ଜଳଭଣ୍ଡାର ନିର୍ମାଣ ନିମନ୍ତେ କ୍ୟାବିନେଟ ମଞ୍ଜୁରୀ ମିଳିବାପରେ ଏହି ଦୁଇ କାର୍ଯ୍ୟ ଦୁଇ ବର୍ଷ ମଧ୍ୟରେ ସମାପ୍ତ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ରିଂ-ରୋଡ଼ ନିର୍ମାଣ ଲାଗି ଜମି ଅଧିଗ୍ରହଣ ନଭେମ୍ୱର ୨୦୨୩ ସୁଦ୍ଧା ୭୦ ଭାଗ ସରିଥିବା ଏବଂ ଦୁଇ ଗୋଟି ଇଞ୍ଜିନିୟରିଂ ସଂସ୍ଥାର ଟେଣ୍ଡର ଗୃହୀତ ହୋଇଥିବା କୁହାଯାଉଛି । ଜାନିବିଲି ବ୍ୟାରେଜ ନିର୍ମାଣ ପରେ ପରବର୍ତ୍ତୀ ପାଞ୍ଚ ବର୍ଷ ତାହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ପାଇଁ ମଧ୍ୟ କ୍ୟାବିନେଟ ଅନୁମୋଦିତ ହୋଇଥିବା ପ୍ରକାଶ ।
ମାନଚ଼ିତ୍ର ଫୋଟ : ‘ଦି ନ୍ୟୂ-ଇଣ୍ଡିଆନ ଏକ୍ସପ୍ରେସ’ (ଓଡ଼ିଶା ସଂସ୍କରଣ) ତା ୧୯.୦୧.୨୦୧୮
No comments:
Post a Comment