Friday, November 24, 2023

Dream of Corporate Hospital / କର୍ପୋରେଟ ହସପିଟାଲ ସ୍ୱପ୍ନ

 

#ବ୍ରହ୍ମପୁର ସହରରେ ପ୍ରଥମ କର୍ପୋରେଟ ସୁପର ସ୍ପେଶାଲିଟି ହସପିଟାଲ ପ୍ରତିଷ୍ଠା ସ୍ୱପ୍ନ ଦଶ ବର୍ଷ ପରେ ପୁଣି ଉଜ୍ଜୀବିତ ହୋଇଛି । ସହର ଉପକଣ୍ଠ ଶୀତଳାପଲ୍ଲୀଠାରେ ଟାଟା ଅଧିଗୃହୀତ ଶିଳ୍ପାଞ୍ଚଳ ଓ ପ୍ରସ୍ତାବିତ ଇସ୍ପାତ କାରଖାନା ପାଇଁ ବିସ୍ଥାପିତଙ୍କ କଲୋନୀ ନିକଟରେ ଏକ ହସପିଟାଲ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଟାଟା କର୍ତ୍ତୃପକ୍ଷଙ୍କୁ ୪୪ ଏକର ଜମି ପ୍ରଦାନ କରିଥିଲେ । ଟାଟା ଷ୍ଟିଲ-ମେଡ଼ିକା ହସପିଟାଲ ନାମରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିର୍ମାଣ ନିମନ୍ତେ ୨୦୧୪ରେ ଭୂମିପୂଜା ହୋଇଥିଲା । ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାବାସୀ ଏକ ଉଚ୍ଚମାନର ଘରୋଇ ହସପିଟାଲର ଯେଉଁ ସ୍ୱପ୍ନ ଦେଖିଥିଲେ ପରବର୍ତ୍ତୀ ନଅ ବର୍ଷ ଯାଏଁ ସାକାର ହୋଇପାରିନାହିଁ । ତେବେ ଦଶମ ବର୍ଷରେ ଭୁବନେଶ୍ୱର-କେନ୍ଦ୍ରୀକ ସମ ହସପିଟାଲ ପକ୍ଷରୁ ଏକ କର୍ପୋରେଟ ହସପିଟାଲ ଆରମ୍ଭ ହେବା ଆଶା କରାଯାଉଛି । ସମ ହସପିଟାଲ ପକ୍ଷରୁ ଭୁବନେଶ୍ୱରରେ ଦୁଇଗୋଟି ହସପିଟାଲ କାର୍ଯ୍ୟକ୍ଷମ ଥିବା ସ୍ଥଳେ ତୃତୀୟ ହସପିଟାଲ ରୂପେ ସମ-ଗୋପାଳପୁରରେ ଚ଼ିକିତ୍ସକ ଓ କର୍ମଚାରୀ ନିଯୁକ୍ତି ପାଇଁ ନଭେମ୍ୱର ୨୦୨୩ରେ ବିଜ୍ଞାପନ ପ୍ରକାଶ ପାଇଛି ।
 
ବ୍ରହ୍ମପୁରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ୧୯୬୨ରୁ କାର୍ଯ୍ୟ ଆରମ୍ଭ କରିବା ପରେ ନର୍ସିଂ ହୋମ ପର୍ଯ୍ୟାୟର ବହୁ ଛୋଟ ଚ଼ିକିତ୍ସାଳୟ ଗଢ଼ି ଉଠିଥିଲା । ତେବେ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଖଚିତ ବଡ଼ ଘରୋଇ ହସପିଟାଲ ଅଭାବ ହେତୁ ସ୍ଥାନୀୟ ଜନସାଧାରଣ ପ୍ରଥମେ ବିଶାଖପାଟଣା ଓ ପରେ ଭୁବନେଶ୍ୱର ଉପରେ ନିର୍ଭର କରି ଆସୁଛନ୍ତି । ବ୍ରହ୍ମପୁରରେ ଏକ କର୍ପୋରେଟ ମଲଟି-ସ୍ପେଶାଲିଟି ହସପିଟାଲର ଜରୁରି ଆବଶ୍ୟକତା ଅନୁଭୂତ ହେଉଥିଲେହେଁ କୌଣସି ଉଦ୍ୟୋଗୀ ନିବେଶ ନିମନ୍ତେ ଅଗଭର ହୋଇପାରିନଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଭିଜ୍ଞ ଟାଟା ଭଳି ପ୍ରସିଦ୍ଧି ବ୍ରାଣ୍ଡ ଏକ ସୁପର-ସ୍ପେଶାଲିଟି ହସପିଟାଲ ପ୍ରତିଷ୍ଠା ନିମନ୍ତେ ଅଗଭର ହୋଇଥିବା ଏବଂ କୋଠାବାଡ଼ି ନିର୍ମାଣ ଆରମ୍ଭ କରିଦେଇଥିବା ହେତୁ ୨୦୧୪ରୁ ୨୦୨୩ ନଅ ବର୍ଷ ଧରି ଏଦିଗରେ ଆଗ୍ରହ ପ୍ରକାଶ କରିଥିବା ଉଦ୍ୟୋଗୀମାନେ ପଛେଇ ଯାଇଥିଲେ । ଟାଟା ହସପିଟାଲ ଚାଲୁ ହେବାପରେ ପରିସ୍ଥିତି ବିଚାର କରି ପଦକ୍ଷେପ ନେବା ପାଇଁ ଅପେକ୍ଷା କରି ବସିଥିଲେ ।
 
ପ୍ରସ୍ତାବିତ ଟାଟା ଷ୍ଟିଲ-ମେଡ଼ିକା ହସପିଟାଲର ଅଗ୍ରଗତି ଆଶା ଅନୁରୂପ ନଥିଲା । କୋଠାବାଡ଼ି ନିର୍ମାଣ ଲାଗି ପାଞ୍ଚ ବର୍ଷ ଲାଗିଗଲା । ନିର୍ମାଣ କାମ ୨୦୧୯ରେ ସରିବା ପରେ ୨୦୨୦ରେ କାର୍ଯ୍ୟକ୍ଷମ ପାଇଁ ଯୋଜନା କରାଯିବା ବେଳେ କୋଭିଡ଼ ମହାମାରୀ ଆସିଗଲା । ଅବଶ୍ୟ ନବନିର୍ମିତ କୋଠାବାଡ଼ି କୋଭିଡ଼ ହସପିଟାଲ ରୂପେ କାର୍ଯ୍ୟରେ ଆସିଲା । ତାହା ସ୍ଥାନୀୟ ଅଧିବାସୀଙ୍କ ନିମନ୍ତେ ବରଦାନ ସାଜିଥିଲା । ତେବେ ମହାମାରୀ ପରେ ହସପିଟାଲ କାର୍ଯ୍ୟକାରୀ ନିମନ୍ତେ ତତ୍ପରତା ପ୍ରକାଶ ପାଇଲା ନାହିଁ ପ୍ରକଳ୍ପରୁ ମେଡ଼ିକା ଅପସରି ଗଲାଟାଟା କର୍ତ୍ତୃପକ୍ଷ ହସପିଟାଲ ସ୍ଥାପନ ନିମନ୍ତେ ନୂଆ ଉଦ୍ୟୋଗୀ ଖୋଜିଲେ । ଶୁଣା ଯାଉଥିଲା ଯେ ବିଶାଖପାଟଣା ଓ ଭୁବନେଶ୍ୱରର କେତେକ ପ୍ରତିଷ୍ଠିତ ହସପିଟାଲ ଏଥିଲାଗି ଅନୁସନ୍ଧାନ କରିଥିଲେ । ଶେଷରେ ସମ ହସପିଟାଲ ପକ୍ଷରୁ କର୍ମଚାରୀ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପରେ ଆପାତତଃ ସମ ହସପିଟାଲ ଗୋପାଳପୁରକୁ ଆସୁଥିବା ସୁସ୍ପଷ୍ଟ ।
 
ସମ-ଗୋପାଳପୁରରେ ନ୍ୟୂରୋ ସର୍ଜରୀ, ୟୁରୋଲଜି, ସର୍ଜିକାଲ ଅଙ୍କୋଲଜି, ମେଡ଼ିକାଲ ଗ୍ୟାଷ୍ଟ୍ରୋଏଣ୍ଟୋରଲଜି, ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟୋରଲଜି, ନେଫ୍ରୋଲଜି, କାର୍ଡିଓଲୋଜି, ଏଣ୍ଡ୍ରୋକ୍ରୋନୋଲଜି, ନ୍ୟୂରୋଲଜି, ରୁମାଟୋଲଜି, କ୍ଳିନିକାଲ ହେମାଟୋଲଜି, ମେଡିକାଲ ଅଙ୍କୋଲଜି, ପେଡ଼ିଆଟିକ ଅଙ୍କୋଲଜି, ନିଓନେଟୋଲଜି ଏବଂ କ୍ରିଟିକାଲ କେୟାର ମେଡିସିନ ଇତ୍ୟାଦି ସୁପସ୍ପେଶାଲିଟି ବିଭାଗ କାର୍ଯ୍ୟକାରୀ ନିମନ୍ତେ ସ୍ଥିର କରାଯାଇଥିବା ପ୍ରକାଶ । ତେବେ ସଂଭବତଃ ପ୍ରାଥମିକସ୍ତରରେ ମାତ୍ର କେତେ ଗୋଟି ବିଭାଗରେ ଚ଼ିକିତ୍ସା ଆରମ୍ଭ ହୋଇ ପର୍ଯ୍ୟାୟକ୍ରମେ ବୃଦ୍ଧି ହେବ ।
 
ପ୍ରଥମତଃ, ସମ-ଗୋପାଳପୁର ହସପିଟାଲ କାର୍ଯ୍ୟକ୍ଷମ ହେବାରେ ତତ୍ପରତା ଆଶା କରାଯାଇପାରେ । ବିଜ୍ଞପିତ ଚିକିତ୍ସକ ଓ କର୍ମଚାରୀଙ୍କ ଆବେଦନ ଶେଷ ତାରିଖ ଡ଼ିସେମ୍ୱର ୨୦୨୩ ସୀମାଧାର୍ଯ୍ୟ ହୋଇଥିବାରୁ ଜାନୁୟାରୀରେ ନିଯୁକ୍ତି ଆଦେଶ ଦିଆଗଲେ ୨୦୨୪ ମଧ୍ୟଭାଗ ସୁଦ୍ଧା ହସପିଟାଲ କାର୍ଯ୍ୟକ୍ଷମ ହୋଇପାରିବ । ରାଜ୍ୟ ବିଧାନସଭା ନିର୍ବାଚନ ଆଗରୁ ହସପିଟାଲ ଆରମ୍ଭ ଏକରକମ ସୁସ୍ପଷ୍ଟ ବିଚାର କରାଯାଇପାରେ । ସମ ହସପିଟାଲ ଅଧୀନରେ ଭୁବନେଶ୍ୱରରେ ଦୁଇଗୋଟି ହସପିଟାଲ କାର୍ଯ୍ୟକ୍ଷମ ଥିବା ହେତୁ ଜରୁରି ଭିତ୍ତିରେ ଚ଼ିକିତ୍ସକ ଓ କର୍ମଚାରୀ ଅଭାବ ସମସ୍ୟାକୁ ସହଜରେ ଏଡ଼ାଇ ଦିଆଯାଇ ପାରିବ । ଦ୍ୱିତୀୟତଃ, ବ୍ରହ୍ମପୁର ଜନ୍ମିତ ବହୁ ଡ଼ାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ଦେଶ ବିଦେଶରେ ଅବସ୍ଥାପିତ । ସେମାନଙ୍କ ମଧ୍ୟରୁ କାର୍ଯ୍ୟରତ କିମ୍ୱା ଅବସରପ୍ରାପ୍ତ କେତେଜଣ ସୁବିଧା ସୁଯୋଗ ପାଇଲେ ହୁଏତ ବ୍ରହ୍ମପୁର ମାଟିକୁ ଫେରିବାକୁ ଆଗ୍ରହ ପ୍ରକାଶ କରିପାରନ୍ତି । ଏଦିଗରେ ହସପିଟାଲ କର୍ତ୍ତୃପକ୍ଷ ଅନୁସନ୍ଧାନ ଓ ଯୋଗାଯୋଗ କରିବାକୁ ଚେଷ୍ଟା କରିବେ ବୋଲି ବିଶ୍ୱାସ କରାଯାଇପାରେ । ସେ ଯାହା ହେଉ, ଦଶ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି  ବ୍ରହ୍ମପୁରବାସୀଙ୍କ ପାଇଁ ତାହା ଏକ ଆଶ୍ୱସ୍ତି !!

Image by 1662222 from Pixabay


No comments:

Post a Comment