Friday, January 12, 2024

Swachh Survekshan 2023 / ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩

 

ଜାତୀୟସ୍ତରରେ ସ୍ୱଚ୍ଛ ସର୍ବେକ୍ଷଣ ବିବରଣୀ ୨୦୨୩ରେ #ବ୍ରହ୍ମପୁର ପୌର ନିଗମର ସ୍ଥିତି ପଛୁଆ ରହିଥିବା ହେତୁ ଗଣମାଧ୍ୟମରେ ସମାଲୋଚ଼ିତ ହୋଇଥିଲା । କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ୨୦୧୬ରୁ ଦେଶବ୍ୟାପୀ ବାର୍ଷିକ ସହରାଞ୍ଚଳ ସ୍ୱଚ୍ଛ ସର୍ବେକ୍ଷଣ ଆୟୋଜିତ ହୋଇଥାଏ । ପ୍ରକାଶିତ ୨୦୨୩ ବିବରଣୀରେ ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ସ୍ୱଚ୍ଛତା ସମୀକ୍ଷାରେ ବ୍ରହ୍ମପୁରର ସ୍ଥାନ ୧୧୧ ନିର୍ଦ୍ଧାରିତ ହୋଇଛି । ରାଜ୍ୟସ୍ତରରେ ଚ଼ତୁର୍ଥ ସ୍ଥାନ ଅଧିକାର କରିଛି । ସମାଲୋଚକମାନଙ୍କ ଯୁକ୍ତି ହେଲା ୨୦୧୯ରେ ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟରେ ରାଜ୍ୟସ୍ତରରେ ବ୍ରହ୍ମପୁର ପ୍ରଥମ ସ୍ଥାନ ଅଧିକାର କରିଥିଲା । ୨୦୨୦ ଓ ୨୦୨୧ରେ ମଧ୍ୟ ପ୍ରଥମ ସ୍ଥାନ ବଜାୟ ରହିଥିଲା । ଜାତୀୟସ୍ତରରେ ବ୍ରହ୍ମପୁର ୨୦୨୦ରେ ୮୯ତମ ସ୍ଥାନ ଓ ୨୦୨୧ରେ ୫୬ ତମ ସ୍ଥାନରେ ପହଞ୍ଚିଥିଲା । କିନ୍ତୁ ୨୦୨୨ରେ ରାଜ୍ୟସ୍ତରରେ ଚ଼ତୁର୍ଥ ସ୍ଥାନକୁ ଖସି ଆସିଥିଲା । ତେଣୁ ସହରର ପରିମଳ ବ୍ୟବସ୍ଥା ସୁଚାରୁରୂପେ ପରିଚାଳନା ହୋଇପାରୁ ନାହିଁ ।
 
ସମାଜତତ୍ତ୍ୱବିତମାନେ ସହରାଞ୍ଚଳ ସ୍ୱଚ୍ଛ ସର୍ବେକ୍ଷଣ ପଦ୍ଧତି ତୃଟିପୂର୍ଣ୍ଣ ବିବେଚ଼ନା କରିଥାନ୍ତି । ସେମାନଙ୍କ ମତରେ ସ୍ୱଚ୍ଛତା ପରିମାପରେ ଉପଭୋକ୍ତାଙ୍କ ସନ୍ତୁଷ୍ଟି ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ । ପୌର ନିଗମର ମୂଳ ଉଦ୍ଦେଶ୍ୟ ନାଗରିକଙ୍କୁ ସେବା ଯୋଗାଇବା । ପ୍ରତ୍ୟେକ ପୌର ନିଗମର ସେବା କ୍ଷେତ୍ରରେ ସଂପୃକ୍ତ ସହରାଞ୍ଚଳର ନାଗରିକଗଣ କେତେଦୂର ଉପକୃତ ହେଉଛନ୍ତି ବା ସନ୍ତୋଷ ପ୍ରକଟ କରୁଛନ୍ତି ତାହା ହିଁ ସ୍ୱଚ୍ଛତାର ପରିମାପ । ତେବେ ପୌର ନିଗମର ସ୍ୱଚ୍ଛତା କାର୍ଯ୍ୟକ୍ରମ କେତେଦୂର ଉପଭୋକ୍ତା-କେନ୍ଦ୍ରୀକ ହୋଇପାରୁଛି, ତାହା ମପା ଯାଇ ନପାରିଲେ ଆଳଙ୍କରିକ ପରିସଂଖ୍ୟାନରେ ପ୍ରତିଫଳିତ ହୋଇନଥାଏ । ସହରର ସାଧାରଣ ନାଗରିକଟିଏ ଯଦି ପରିମଳ ସଂକ୍ରାନ୍ତୀୟ କୌଣସି ସମସ୍ୟା ବା ଅବହେଳାର ଶୀକାର ହେଉଛି, ତାହା ସର୍ବସାଧାରଣରେ ପ୍ରକାଶ କରିବାର ସୁଯୋଗ ପାଇବା ଏବଂ ପୌର ନିଗମ କର୍ତ୍ତୃପକ୍ଷ କଣ ସମାଧାନ କରିପାରୁଛନ୍ତି ତାହା ସାର୍ବଜନୀନସ୍ତରରେ ଘୋଷିତ ହେଲେ ସହରର ସ୍ୱଚ୍ଛତା କ୍ଷେତ୍ରରେ ଗୁଣାତ୍ମକ ବିକାଶ ସଂଭବ । ଆଧୁନିକ ପ୍ରଯୁକ୍ତି କୌଶଳ ପ୍ରୟୋଗରେ ସାଧାରଣ ସୋସିଆଲ ମିଡ଼ିଆ ଉପଯୋଗରେ ଏହି ଭଳି ଦ୍ୱିପାକ୍ଷିକ ମଞ୍ଚ ପ୍ରସ୍ତୁତି ସଂଭବ ଥିବା ସ୍ଥଳେ ଅଣଦେଖା କରାଯାଇଥାଏ । ପୌର ନିଗମ ୱେବସାଇଟରେ ନାଗରିକ ଅଭିଯୋଗ ଦରଜ କଲେ ତାହା ସାର୍ବଜନୀନ ଦୃଶ୍ୟମାନ ହୋଇପାରି ନଥାଏ କିମ୍ୱା ସମାଧାନର ପ୍ରତ୍ୟୁତ୍ତର ମିଳିନଥାଏ ।
 
କେତେକ ଗଣମାଧ୍ୟମ ରିପୋର୍ଟରେ ବ୍ରହ୍ମପୁର ପୌର ନିଗମର ସ୍ୱଚ୍ଛତା ପରିମାପରେ ର୍ୟାଙ୍କ ହ୍ରାସ ନିମନ୍ତେ ପରିମଳ ସଜାଡ଼ିବା ଲାଗି ଠିକା ଘରୋଇ ସଂସ୍ଥା ପଦ୍ଧତିକୁ ତୃଟିପୂର୍ଣ୍ଣ ଦର୍ଶାଇଥିଲେ । ଦେଶବ୍ୟାପୀ ପୌର ସେବା ଘରୋଇକରଣ ଜାରୀ ରହିଛି ଏବଂ ବିଭିନ୍ନ କାରଣରୁ ଭବିଷ୍ୟତରେ ମଧ୍ୟ ସଂପ୍ରସାରିତ ହେବ । ପ୍ରଶ୍ନ ଉଠେ, ସହରର ପରିମଳ ବ୍ୟବସ୍ଥା ଘରୋଇକରଣପରେ ଆବର୍ଜନା ନିଷ୍କାସନ ଓ ପ୍ରକ୍ରିୟାକରଣ ଦିଗରେ କାର୍ଯ୍ୟଦକ୍ଷତାରେ କିପରି ଗୁଣାତ୍ମକ ଅଭିବୃଦ୍ଧି ସଂଭବପର । ସାଧାରଣ ବିଚାରରେ ଉପଭୋକ୍ତାଙ୍କ ସମୀକ୍ଷା ପ୍ରତି ପୌର ନିଗମ କର୍ତ୍ତୃପକ୍ଷ ପ୍ରାଥମିକତା ଦେବାକୁ ପଡ଼ିବ । ଉଦାହରଣରେ କୌଣସି ଅଞ୍ଚଳରେ ଆବର୍ଜନା ଠୁଳ କରିବା ପରେ ତାହା ପ୍ରକ୍ରିୟାକରଣ ସ୍ଥଳୀକୁ ସ୍ଥାନାନ୍ତରିତ କରିବା ପରିବର୍ତ୍ତେ ନିଆଁ ଲଗାଇ ଦିଆଯାଉଛି । ଏକଥା ସଂପୃକ୍ତ ଅଞ୍ଚଳର ଜନସାଧାରଣ ଜାଣନ୍ତି । ସେମାନେ ପୌରନିଗମକୁ ଜଣାଇଲେ ଯଦି ସଙ୍ଗେ ସଙ୍ଗେ ସରଜମିନ ତଦନ୍ତ କରି ଦୋଷୀକୁ ଖୋଜା ଯାଆନ୍ତା, ତେବେ ଦିନ କେତେଟାରେ ସମସ୍ୟାର ସ୍ଥାୟୀ ସମାଧାନ ସଂଭବପର ହୁଅନ୍ତା । ତଥ୍ୟ ସାର୍ବଜନୀନ ମଞ୍ଚରେ ସ୍ଥାନୀତ ହେଲେ ଅସାଧୁ ଠିକାଦାର ବା କର୍ମଚାରୀ କେହି ଖସିଯାଇପାରନ୍ତେ ନାହିଁ । ଏହି ଭଳି ବହୁ ନାଗରିକ ସମସ୍ୟା ଉପଲବ୍ଧ ପ୍ରଯୁକ୍ତି କୌଶଳ ଉପଯୋଗରେ ସଂଭବ । କିନ୍ତୁ ଏ ଦିଗରେ କିଏ ଦୃଷ୍ଟି ଦେଉଛି ?
 
ବଡ଼ ସହରଗୁଡ଼ିକରେ ସ୍ଥାନୀୟ ସ୍ୱଚ୍ଛତା ପ୍ରତି ନାଗରିକ ସମାଜ ଗୁଡ଼ିକ ତତ୍ପର । ରାଜ୍ୟସ୍ତରୀୟ ଓ ଜାତୀୟ ସ୍ୱଚ୍ଛ ସର୍ବେକ୍ଷଣ ଭଳି ଉତ୍ସାହୀ ସହରବାସୀ ସାମୟିକଭାବେ ଲିଖିତ ଆକାରରେ ବେସରକାରୀ ସ୍ୱଚ୍ଛତା ରିପୋର୍ଟ ପ୍ରସ୍ତୁତ କରନ୍ତି । ସ୍ଥାନୀୟ ଗଣମାଧ୍ୟମରେ ତାହା ଚର୍ଚ୍ଚା ହୁଏ । ଅବଶ୍ୟକସ୍ଥଳେ ନ୍ୟାୟିକ ପଦକ୍ଷେପ ମଧ୍ୟ ନିଆଯାଏ । ହୁଏତ ବ୍ରହ୍ମପୁର ସେହି ସ୍ତରର ନାଗରିକ ସଂପୃକ୍ତି ସିଟିଜେନ ଏଙ୍ଗେଜମେଣ୍ଟରେ ପହଞ୍ଚିବା ନିମନ୍ତେ ଆହୁରି ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ !


Image by Andreas Lischka from Pixabay


No comments:

Post a Comment