#ବ୍ରହ୍ମପୁର ୧୯୮୪ରେ ଏକ
ସ୍ୱତନ୍ତ୍ର ପୋଲିସ ଜିଲ୍ଲାରେ ପରିଣତ ହେବା ପୂର୍ବରୁ ସହରର ଜନଜୀବନରେ ‘ରାତ୍ରୀ ବଜାର’ର କାଟତି ଥିଲା । କେତେକ
ଗହଳିଆ ଛକ, ମୁଖ୍ୟତଃ ବଡ଼ ବଜାର ଛକରେ ବିଳମ୍ୱିତ ରାତି ଯାଏଁ ଜଳଖିଆ ବଜାରରେ ଭିଡ଼ ଜମୁଥିଲା ।
ସହରରେ ୧୯୬୪ ଛାତ୍ର ଆନ୍ଦୋଳନ ପରଠାରୁ କ୍ରମଶଃ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶ ସଂଭାଳିବା
ପାଇଁ ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନକୁ ଦୁଇ ଭାଗ କରି ସ୍ୱତନ୍ତ୍ର ବ୍ରହ୍ମପୁର ପୋଲିସ ଜିଲ୍ଲା
ଗଠନପରେ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଥିଲା ସେଥି ମଧ୍ୟରେ ରାତି ଦଶ ସୁଦ୍ଧା ଦୋକାନ ବଜାର
ବନ୍ଦ ଓ ସାର୍ବଜନୀନ ସ୍ଥାନଗୁଡ଼ିକରେ ଜନ ସମାଗମ ବାରଣ କରାଗଲା । ଫଳରେ ବ୍ରହ୍ମପୁରର ରାତ୍ରୀ
ବଜାର କ୍ରମଶଃ ସାଂଧ୍ୟ ବଜାରରେ ପରିବର୍ତ୍ତିତ ହୋଇଥିଲା ।
ଦେଶ ବିଦେଶରେ ରାତ୍ରୀ ବଜାର କେତେକ ସହରର ଆକର୍ଷଣ । ବ୍ରହ୍ମପୁର ପ୍ରାୟ ନଅ ଦଶକ ଧରି
ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଶାସିତ ହୋଇଥିବା ହେତୁ ମାଡ୍ରାସ ନଗରୀର ଜୀବନଶୈଳୀରେ
ପ୍ରଭାବିତ ହେବା ସ୍ୱାଭାବିକ । ମାଡ୍ରାସର ଟି-ନଗର ରାତ୍ରୀ ବଜାର ଦୀର୍ଘ ଅତୀତରୁ ଖ୍ୟାତ ।
ଏଠାରେ ଖାଦ୍ୟପେୟ ସାଙ୍ଗକୁ କପଡ଼ା ଓ ଗହଣା ମଧ୍ୟ ବିକ୍ରୀ ହୁଏ । ଦେଶରେ ଅନ୍ୟାନ୍ୟ ରାତ୍ରୀ
ବଜାର ମଧ୍ୟରେ ମୁମ୍ୱାଇର ଗିରଗାଓଁ ଚୌପାଟୀ ଓ କ୍ରାଫୋର୍ଡ ମାର୍କେଟ, ଗୋଆର ଅଞ୍ଜୁନା ଫ୍ଳିଆ
ମାର୍କେଟ, ହାଇଦରାବାଦର ଚାରମିନାର ବଜାର ତଥା ଦିଲ୍ଲୀର ସରୋଜିନୀ ନଗର ମାର୍କେଟ ଉଲ୍ଲେଖନୀୟ ।
ତେବେ ବ୍ରହ୍ମପୁରରେ ରାତ୍ରୀ ବଜାର କେବଳ ଅସ୍ଥାୟୀ ଜଳଖିଆ ଦୋକାନ ଦେଖିବାକୁ ମିଳୁଥିଲା ।
ବ୍ରହ୍ମପୁରର ପାଣିପାଗ ସହରବାସୀଙ୍କ
ଗଭୀର ରାତ୍ରୀ ଯାଏଁ ଉଜାଗର ଅଭ୍ୟାସ ସୃଷ୍ଟି କରିଥିଲା । ସହରରେ ମାର୍ଚ୍ଚରୁ ଅକ୍ଟୋବର ଆଠ ମାସ
ଗରମ ଅନୁଭୂତ ହୁଏ । ବାୟୁମଣ୍ଡଳରେ ଆଦ୍ରତା ହେତୁ ଝାଳ ବହେ । ତେଣୁ ଗଭୀର ରାତ୍ରୀ ପୂର୍ବରୁ
ନିଦ୍ରା ଯିବା ସଂଭବ ହୁଏ ନାହିଁ । ଏଥି ସହ ସାଧାରଣ ନାଗରିକ ବସବାସ କରୁଥିବା ଘରକୁ ଘର ଲାଗି
ରହିଥିବା ଧାଡ଼ି ସାହିରେ ଚ଼ର୍ତୁଦିଗରୁ କବାଟ ଝରକାର ସୁବିଧା ନଥିବା ହେତୁ ବାୟୁ ଚଳାଚଳରେ
ସମସ୍ୟା କାରଣରୁ ଅଧିକ ଗରମ ଅନୁଭୂତ ହୁଏ । ବୟସ୍କମାନେ ବାରଣ୍ଡାରେ ବସିବା ସହ ଯୁବକୁଳ ଆଖପାଖ
ଅଞ୍ଚଳ ବୁଲାଚଲା କରିବାରେ ରାତିରେ କିଛି ସମୟ ଅତିବାହିତ କରନ୍ତି । କେବଳ ଛାତ୍ରଛାତ୍ରୀ
ଅଧ୍ୟୟନରତ ଥାନ୍ତି ।
ବ୍ରହ୍ମପୁରରେ ୧୯୨୮ରୁ ସ୍ଥାୟୀ ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନ ଆରମ୍ଭ ହୋଇଥିଲା ।
ଦୈନିକ ଅନ୍ତତଃପକ୍ଷେ ତିନିଗୋଟି ଶୋ’ ହୁଏ । ମ୍ୟାଟନୀ, ଫାଷ୍ଟ ଶୋ’ ଓ ସେକଣ୍ଡ ଶୋ’
। ଅତୀତରେ ଚଳଚ଼ିତ୍ରଗୁଡ଼ିକର ଅବଧି ତିନି
ଘଣ୍ଟା ରହୁଥିବା ହେତୁ ଅପରାହ୍ନ ୩ରୁ ମ୍ୟାଟନୀ, ସଂଧ୍ୟା ୬ରୁ ଫାଷ୍ଟ ଶୋ’ ଓ ରାତ୍ରି ୯ରୁ ସେକେଣ୍ଡ
ଶୋ’ର ବ୍ୟବସ୍ଥା ରହୁଥିଲା । ସେକେଣ୍ଡ ଶୋ’ ମଧ୍ୟରାତ୍ରୀରେ ସରୁଥିଲା
। ସହରର ଜନାକୀର୍ଣ୍ଣ ଅଞ୍ଚଳରେ ସେକେଣ୍ଡ ଶୋ’ ସରିବା ଯାଏଁ
ରାସ୍ତାଘାଟରେ ଗହଳଚ଼ହଳ ଲାଗି ରହୁଥିଲା । ଛକ ଗୁଡ଼ିକରେ ସାଧାରଣ ପରିବହନ ସାଇକଲ ରିକ୍ସା
ମିଳିଯାଉଥିଲା । ସେକେଣ୍ଡ ଶୋ’ ସରିବା ପରେ ରାତ୍ରୀ ବଜାର ବନ୍ଦ ହେଉଥିଲା ।
ବ୍ରହ୍ମପୁର ରାତ୍ରୀ ବଜାରରେ ଦକ୍ଷିଣ ଭାରତୀୟ ଜଳଖିଆ ଇଡ଼ଲି, ଉପମା, ଚକୁଳି, ଗାରି, ଭାଜି, ହାଲୁଆ ଇତ୍ୟାଦିର କାଟତି ଥିଲା । ଅଷ୍ଟମ ଦଶକ ଶେଷରେ ରାସ୍ତାକଡ଼ ଖାଦ୍ୟ ବଜାରରେ ଆମିଷ ଓ ଚାଇନିଜ ଅନ୍ତର୍ଭୁକ୍ତ ହେଲା । ସ୍ଥାନୀୟ ବାସିନ୍ଦାଙ୍କ ସହ ପର୍ଯ୍ୟଟକ କମ ଖର୍ଚ୍ଚରେ ସୁସ୍ୱାଦୁ ଭଳି-କି-ଭଳି ଗରମ ଖାଦ୍ୟ ପାଇଁ ରାତ୍ରୀ ବଜାରକୁ ପସନ୍ଦ କରୁଥିଲେ । ଚର୍ତୁଦ୍ଦିଗରୁ କାଚ଼ ବାଡ଼ରେ ଆବଦ୍ଧ ଟ୍ରଲି ରାତ୍ରୀ ବଜାରର ଦୃଷ୍ଟି ଆକର୍ଷଣକାରୀ ବିପ୍ପଣୀ । ଏଥିରେ ମୁଖ୍ୟତଃ ଖାରମପୁଷା (ସେଉ), ନରମ ଓ ଟାଣ ପକୋଡ଼ି, ଉଲ୍ଲିଗାରି (ପିଆଜ ବରା), ମସଲା ଗାରି (ମସଲା ବରା), ଶୁଖୁଲା ଆଳୁଦମ, ଭଜା ଆପଡାଲୁ (ପାମ୍ପଡ଼), ବୁନ୍ଦି, ହାଲୁଆ ଇତ୍ୟାଦି ବିକ୍ରୀ ହୁଏ । ଦୋକାନୀ ଟ୍ରଲି ଛାତରେ ଏକ ପିତ୍ତଳ ଘଣ୍ଟି ରଖିଥାଏ । ଗରାଖ ନିମନ୍ତ୍ରଣ ଲାଗି ବେଳେ ବେଳେ ଘଣ୍ଟି ବଜାଏ । କେହି କେହି ଏହାକୁ ‘ମିଶା ପେଡ଼ି’ ନାମିତ କରିଥିଲେ । ମିଶା ପେଡ଼ିରେ ବିକ୍ରୀ ଖାଦ୍ୟ ପଦାର୍ଥ ପ୍ରତିଦିନ ତିଆରି ହୁଏ । ମିଶା ପେଡ଼ି ଭିତରେ ଏକ ପେଟ୍ରୋମାକ୍ସ ଲଣ୍ଠନ ଜଳୁଥିବା ହେତୁ ଖାଦ୍ୟ ସାମଗ୍ରୀ ସାମାନ୍ୟ ଗରମ ମଧ୍ୟ ରହେ । ଦୋକାନୀ କାହାଳି ପତ୍ର (ଜଙ୍ଗଲରୁ ସଂଗୃହୀତ ହଳଦିଆ-ପାଉଁଶିଆ ରଙ୍ଗର ଏକ ଟାଣ ଶୁଖିଲା ପତ୍ର) କିମ୍ୱା କଞ୍ଚା ଶିଆଳିପତ୍ରରେ ଖାଦ୍ୟ ପରଷେ । କେତେକ କାଚ଼ ପେଡ଼ି ବିଭିନ୍ନ ସାହି ସନ୍ଧ୍ୟାରେ ବୁଲି ବିକେ । ଉତ୍କଳ, ଏସଏସଭିଟି, ବିଜୟା ଓ ଜ୍ୟୋତି ସିନେମା ସମ୍ମୁଖରେ ମଧ୍ୟ କାଚ଼ ପେଡ଼ି ଦେଖିବାକୁ ମିଳୁଥିଲା । ଜଳଖିଆ ପାଇଁ ସ୍ଥାୟୀ ଦୋକାନ ସଂଖ୍ୟା ବଢି ଯିବାରୁ ଅସ୍ଥାୟୀ ଦୋକାନ ସଂଖ୍ୟା କମି ଆସିଲା । ବିଗତ ଚାରି ଦଶକ ଧରି ବ୍ରହ୍ମପୁର ରାତ୍ରୀ ବଜାର କ୍ରମଶଃ ସାଂଧ୍ୟ ବଜାରରେ ପରିଣତ ହୋଇଛି ।
Image by Sharon Ang from Pixabay
No comments:
Post a Comment