Friday, February 16, 2024

Transparency in Sanitation Auditing / ପରିମଳ ତନଖିରେ ସ୍ୱଚ୍ଛତା

 

#ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରର ପରିମଳ ବ୍ୟବସ୍ଥାରେ ସୁଧାର ନିମନ୍ତେ କ୍ରମାଗତ ଦାବୀ ହୋଇଥାଏ । ଅବଶ୍ୟ ଏହି ଧରଣର ଅସନ୍ତୋଷ ପ୍ରତ୍ୟେକ ସହରରେ ଲାଗି ରହିଥାଏ । ପୌରପାଳିକାଗୁଡ଼ିକ ପକ୍ଷରୁ ପରିମଳ ରକ୍ଷା ନିମନ୍ତେ ସଂପୃକ୍ତ ଅଞ୍ଚଳରେ ଆଦାୟ ହେଉଥିବା ଟିକସ ଅର୍ଥର ସିଂହ ଭାଗ ବିନିଯୋଗ କରିଥାନ୍ତି ଏବଂ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଥାଏ । ତେବେ କାର୍ଯ୍ୟକ୍ଷେତ୍ରରେ ତାହା ଆଶା ଅନୁରୂପ ସେବା ପ୍ରଦାନରେ ବିଫଳ ହେଉଥିବାର ତିନି ମୁଖ୍ୟ କାରଣ ମଧ୍ୟରେ ପରିମଳ ତନଖି ନିମନ୍ତେ ସ୍ୱଚ୍ଛ ବ୍ୟବସ୍ଥା ଲାଗୁ ନ ହେବା, ପରିମଳ ତନଖିର ତଥ୍ୟ ସର୍ବସାଧାରଣରେ ପ୍ରକାଶିତ ନ ହେବା ଏବଂ ପରିମଳ ତନଖିରେ ଉପଭୋକ୍ତାଙ୍କୁ ସାମିଲ କରାନଯିବା ଗୁରୁତ୍ୱ ବହନ କରେ
 
ବ୍ରହ୍ମପୁର ମହାନଗର ନିଗମର ୪୨ ଗୋଟି ୱାର୍ଡ ସଫେଇ କାର୍ଯ୍ୟକ୍ରମ ପାଇଁ ବାର୍ଷିକ ବଜେଟ ପ୍ରାୟ ୩୦ କୋଟି ଟଙ୍କା । ଇତି ମଧ୍ୟରେ ସହରର ସମସ୍ତ ୱାର୍ଡର ସଫେଇ ଘରୋଇକରଣ କରାଯାଇଛି । ସହରାଞ୍ଚଳକୁ ପାଞ୍ଚଗୋଟି ଜୋନରେ ବିଭକ୍ତ କରାଯାଇ ତିନିଗୋଟି ବେସରକାରୀ ସଂସ୍ଥାକୁ ପରିଚାଳନାଭାର ବଣ୍ଟନ ହୋଇଛି । ଗତ ୨୬ ଜାନୁୟାରୀ ୨୦୨୪ରୁ ପରିମଳ ବ୍ୟବସ୍ଥାରେ ସଂସ୍କାର ଅଣାଯିବା ନିମନ୍ତେ ଅଧିକ ସଂଖ୍ୟକ ସଫେଇ କର୍ମଚାରୀ ଓ ଅଳିଆ ବୁହା ଗାଡ଼ି ନିୟୋଜନ ନିମନ୍ତେ ନୀତିଗତ ନିଷ୍ପତି ନିଆଯାଇଛି । ପୂର୍ବରୁ ୯୮୬ ଜଣ ସଫେଇ କର୍ମଚାରୀ ଓ ୫୩ ଗୋଟି ଅଳିଆବୁହା ଗାଡ଼ି ଥିବା ସ୍ଥଳେ ଏଣିକି ୧୩୩୬ ଜଣ ସଫେଇ କର୍ମଚାରୀ ଓ ୧୩୨ ଗୋଟି ଅଳିଆବୁହା ଗାଡ଼ି ନିୟୋଜନ କରିବାଲାଗି ସ୍ଥିର ହୋଇଛି । ଅର୍ଥାତ, ସହରରେ ଅଧିକ ୩୫୦ ଜଣ ସଫେଇ କର୍ମଚାରୀ ଓ ୭୯ ଗୋଟି ଅଳିଆବୁହା ଗାଡ଼ି ବ୍ୟବହୃତ ହେବ । ଏହି ଅତିରିକ୍ତ କର୍ମଚାରୀ ଓ ଆବର୍ଜନା ନିଷ୍କାସନ ବାହନ ବ୍ୟବସ୍ଥାରେ ଉନ୍ନତି ଆଣିବା ଆଶା କରାଯିବା ସ୍ୱାଭାବିକ ।
 
ତେବେ ଦୁଃଖର କଥା ସ୍ୱଚ୍ଛ ତନଖି ଅଭାବରୁ ନୂତନ ବ୍ୟବସ୍ଥା ପ୍ରତି ଉପଭୋକ୍ତା ଅଭିମତ ପ୍ରଦାନ ପୂର୍ବରୁ କର୍ପୋରେଟରମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ଫେବୃୟାରୀ ୨୦୨୪ ଦ୍ୱିତୀୟ ସପ୍ତାହରେ ସହରର ବିଭିନ୍ନ ୱାର୍ଡରେ ନିୟୋଜିତ ବର୍ଦ୍ଧିତ ମାନବ ସମ୍ୱଳ ଓ ସାଜସରଞ୍ଜାମର ହିସାବ ସାର୍ବଜନୀନ କରିବା ନିମନ୍ତେ ମହାନଗର ନିଗମ କାର୍ଯ୍ୟାଳୟରେ କେତେକ କର୍ପୋରେଟର ପହଞ୍ଚି ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିବା କୁହାଯାଉଛି । ଅଶାନ୍ତ ବାତାବରଣରେ ପ୍ରଭାବିତ ହୋଇ କର୍ତ୍ତୃପକ୍ଷ ସଫେଇ ଠିକା ନେଇଥିବା ଏକ ଘରୋଇ ସଂସ୍ଥାଠାରୁ କୈଫିୟତ ତଲବ କରିଥିବା ମଧ୍ୟ ପ୍ରକାଶ ପାଇଛି ।
 
ପୌରପାଳିକା ଗୁଡ଼ିକର ପରିମଳ ଘରୋଇକରଣ ହେବା ପରେ ବ୍ୟବସ୍ଥାର ତଦାରଖରେ ସ୍ୱଚ୍ଛତା ଅଣାଯିବା କଥା । ପୂର୍ବରୁ ପୌରପାଳିକା ନିଯୁକ୍ତ କର୍ମଚାରୀମାନଙ୍କ କାର୍ଯ୍ୟ ବୁଝିବା ସକାଶେ କର୍ମଚାରୀ ନିଯୁକ୍ତ ହେଉଥିଲେ । ଉପଭୋକ୍ତାମାନେ ସୁବିଧା ଅସୁବିଧା ସେମାନଙ୍କ ନଜରକୁ ଆଣୁଥିଲେ ଏବଂ ତୃଣମୂଳ ସ୍ତରରେ ଆବଶ୍ୟକତା ଅନୁଯାୟୀ ସଫେଇ କାମ ସମାପନ ହେଉଥିଲା । ତେବେ ଘରୋଇକରଣପରେ ସହରବାସୀ ଆଖପାଖରେ ଅଳିଆ ଆବର୍ଜନା ନିଷ୍କାସନ ନିମନ୍ତେ କାହାକୁ କହିବେ ବୁଝିପାରୁ ନାହାନ୍ତି । ମହାନଗର ନିଗମ ୱେବସାଇଟ ଅଭିଯୋଗ ସାର୍ବଜନୀନ ଦୃଶ୍ୟମାନ ନୁହେଁ । ଅବସ୍ଥା ଅସଂଭାଳ ହେଲେ ସ୍ଥାନୀୟ କର୍ପୋରେଟରଙ୍କ ଉପରେ ରାଗ ସୁଝାଇ ଚୁପ ରହନ୍ତି ।
 
ପୌରପାଳିକା ପରିମଳ ତନଖି ବ୍ୟବସ୍ଥାରେ ସଂସ୍କାର ଲୋଡ଼ା । ଆଧୁନିକ ପ୍ରଯୁକ୍ତି କୌଶଳ ଉପଯୋଗରେ ଯେକୌଣସି ନାଗରିକ ଯେକୌଣସି ସମୟରେ ଆଖ ପାଖର ଆବର୍ଜନା ସଂପର୍କରେ ସାର୍ବଜନୀନ ମଞ୍ଚରେ ଚ଼ିତ୍ର ସହ ଅଭିଯୋଗ କଲେ ତାହାର ସମାଧାନ ସଂପର୍କରେ କର୍ତ୍ତୃପକ୍ଷଙ୍କ ମନ୍ତବ୍ୟ ମଧ୍ୟ ସର୍ବସାଧାରଣରେ ପ୍ରକାଶ ସୁବିଧା ସୁଯୋଗ ଉପଲବ୍ଧ । ପୌରପାଳିକାଗୁଡ଼ିକ ଏହି ଭଳି ସ୍ୱଚ୍ଛ ବ୍ୟବସ୍ଥା ତୁରନ୍ତ ଆରମ୍ଭ କରିବା ଉଚ଼ିତ । ଟିକସ ପଇସାରେ ପରିମଳ ବ୍ୟବସ୍ଥା ଚାଲୁଥିବା ସ୍ଥଳେ ଟିକସ ଦାତାଙ୍କ ଅଭାବ ଅଭିଯୋଗକୁ ପ୍ରାଥମିକତା ଦେବା କଥା । ଉପଭୋକ୍ତା ଟିକସ ଦେଉଛନ୍ତି ଏବଂ ଘରୋଇ କର୍ମଚାରୀ ସଫେଇ କରୁଛନ୍ତି । ପୌର କର୍ମଚାରୀମାନେ ପରିମଳ ବ୍ୟବସ୍ଥାରେ ତୃଟିକୁ ସୁଧାରିବା ନିମନ୍ତେ ଗୋପନ ବଦଳରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଲେ ବହୁ ସମସ୍ୟା ସମାଧାନ ସଂଭବ ।
 
ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ କର୍ପୋରେଟରମାନେ ମହାନଗର ନିଗମରେ ପହଞ୍ଚି ପରିମଳ ତନଖିରେ ସ୍ୱଚ୍ଛତା ଦାବୀ କରିଥିବା ବେଳେ ବିଏମସି କମିଶନର ଓ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଭାବେ ଦୁଇ ଜଣ ନୂତନ ଅଧିକାରୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ନୂତନ ବିଏମସି କମିଶନର ପୂର୍ବରୁ ଛଅ ବର୍ଷ ଧରି କୁକୁଡ଼ାଖଣ୍ଡି ତହସିଲଦାର ଭାବେ ନିଯୁକ୍ତ ଥିଲେ । ନୂତନ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପୂର୍ବରୁ ରାଉରକେଲା ମହାନଗର ନିଗମର ଡ଼େପୁଟି କମିଶନର ଥିଲେ । ଅର୍ଥାତ, ଦୁଇ ଅଧିକାରୀ ସହରାଞ୍ଚଳ ପ୍ରଶାସନ ସଂପର୍କରେ ଅଭିଜ୍ଞ । ବ୍ରହ୍ମପୁର ମହାନଗର ନିଗମ କିପରି ସ୍ଥାନୀୟ ନାଗରିକଙ୍କ ସୁବିଧା ଅସୁବିଧା ପ୍ରତି ଧ୍ୟାନ ଦେଇପାରିବ ସେହି ଦିଗରେ ସ୍ୱଚ୍ଛତା ଆଣିପାରିଲେ ଜନସାଧାରଣ ଉପକୃତ ହୋଇପାରନ୍ତେ ।


Image by Lutz Peter from Pixabay


No comments:

Post a Comment