ଦେଶବ୍ୟାପୀ ସହରାଞ୍ଚଳରେ ରାତିରେ ଅପେକ୍ଷାକୃତ ଗରମ ଅନୁଭୂତ ହେଉଥିବା ହେତୁ ପାଣିପାଗ ବିଜ୍ଞାନୀମାନେ ଉଦବେଗ ପ୍ରକାଶ କରିଥିବା ଗଣମାଧ୍ୟମରେ ଚର୍ଚ୍ଚିତ । ‘ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭରମେଣ୍ଟ’କର୍ତ୍ତୃକ ମେ’ ୨୦୨୪ରେ ପ୍ରକାଶିତ ଏକ ବିବରଣୀରେ କଂକ୍ରିଟ କୋଠାବାଡ଼ି – ରାସ୍ତାଘାଟ, ବାୟୁ ମଣ୍ଡଳରେ ଆଦ୍ରତା ବୃଦ୍ଧି ଓ ବିଶ୍ୱ ତାପାୟନ ’ଗ୍ଳୋବାଲ ୱାର୍ମିଂ’ ତିନି ମୁଖ୍ୟ କାରଣ ରୂପେ ଦର୍ଶାଯାଇଛି । ଦେଶର ପ୍ରମୁଖ ସହରଗୁଡ଼ିକରେ ୨୦୦୧ରୁ ୨୦୧୦ ଦଶ ବର୍ଷ ତୁଳନାରେ ୨୦୧୧ ରୁ ୨୦୨୦ ମଧ୍ୟରେ ତାପମାତ୍ରା ‘ହିଟ ଇନଡ଼େକ୍ସ’ ବୃଦ୍ଧି ପାଇଥିବା ଜଣାଯାଇଛି । ଉଦାହରଣରେ ୧୯୮୧ରୁ ବାୟୁମଣ୍ଡଳର ତାପମାତ୍ରା ୨୦୨୩ରେ ଶୂନ୍ୟ ଦଶମିକ ୬୫ ପ୍ରତିଶତ ବଢ଼ିଥିବା ତଥ୍ୟ ହସ୍ତଗତ ହୋଇଛି । ବାୟୁମଣ୍ଡଳର ତାପମାତ୍ରା ସହ ଆଦ୍ରତା ପରିମାଣ ଯୋଗ କଲେ ମନୁଷ୍ୟ ଯେଉଁ ମାତ୍ରାରେ ଉତ୍ତାପ ଅନୁଭବ କରେ ତାହାକୁ ‘ହିଟ ଇନଡ଼େକ୍ସ’ କୁହାଯାଏ । ଉଦାହରଣରେ ବ୍ରହ୍ମପୁରରେ ମେ ୨୯ ତାରିଖରେ ଦିବା ତାପମାତ୍ରା ୩୯ ଡ଼ିଗ୍ରୀ ସେଲସିଏସ ରହିଥିବା ବେଳେ ବାୟୁମଣ୍ଡଳରେ ଆଦ୍ରତା ୭୨ ପ୍ରତିଶତ କାରଣରୁ ଗରମ ୫୩ ଡ଼ିଗ୍ରୀ ସେଲସିଏସ ଅନୁଭୂତ ହୋଇଥିଲା । ସହରର ସର୍ବାଧିକ ତାପମାତ୍ରା ୪୨ ଡ଼ିଗ୍ରୀରେ ପହଞ୍ଚୁଥିବା ସ୍ଥଳେ ୨୦୨୪ ଗ୍ରୀଷ୍ମ ଋତୁରେ ସେହି ସ୍ତରକୁ ପହଞ୍ଚି ସାରିଥିବା ପ୍ରକାଶ ।
‘ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭରମେଣ୍ଟ’ର ବିବରଣୀ ‘ଡ଼ିକୋଡ଼ିଂ ଦି ଅର୍ବାନ ହିଟ ଷ୍ଟ୍ରେସ ଏମଙ୍ଗ ଇଣ୍ଡିଆନ ସିଟିସ’ରେ ଦର୍ଶାଯାଇଛି ଯେ ଦେଶର ଜନାକୀର୍ଣ୍ଣ ସହରାଞ୍ଚଳଗୁଡ଼ିକରେ ୨୦୦୧ରୁ ୨୦୧୦ ଦଶକରେ ଗ୍ରୀଷ୍ମଋତୁରେ ଦିନ ଓ ରାତି ତାପମାତ୍ରାରେ ୬.୨ ରୁ ୧୩.୨ ପ୍ରଭେଦ ରହିଥିବା ବେଳେ ୨୦୨୩ ତାହା ୬.୨ ରୁ ୧୧.୫ସେଲସିଏସ, ଅର୍ଥାତ ଦୁଇ ଡ଼ିଗ୍ରୀ ଯାଏଁ ହ୍ରାସ ପାଇଛି । ବହୁ ଗବେଷଣାରୁ ଜଣାଯାଇଛି ଯେ ସହରାଞ୍ଚଳରେ ତାପ ପ୍ରକୋପରୁ ରକ୍ଷା ପାଇବା ଲାଗି ବହୁଳ ମାତ୍ରାରେ ଏୟାରକଣ୍ଡିସନର ବ୍ୟବହାର ସ୍ଥାନୀୟ ବାୟୁମଣ୍ଡରେ ତାପ ବୃଦ୍ଧିର ଅନ୍ୟତମ କାରଣ ।
ଉଦବେଗର ବିଷୟ ଏହି ଯେ ଏସିଆ ମହାଦେଶରେ ତାପମାତ୍ରା ଆନ୍ତର୍ଜାତିକସ୍ତରରେ ତାପମାତ୍ରାଠାରୁ ଅଧିକ ରହୁଛି । ତେବେ ବିଶ୍ୱ ତାପାୟନ ସଂପର୍କରେ ଆଲୋଚନା କଲେ ବ୍ରହ୍ମପୁରବାସୀ ହୁଏତ କହିବେ “ଆମେ ବୁଝୁଛୁ, କିନ୍ତୁ ନିଜେ କ’ଣ କରିପାରିବୁ ?” ଏହାର ସରଳ ଉତ୍ତର ହେଲା ବ୍ୟକ୍ତିଙ୍କ ସମଷ୍ଟିରେ ପରିବାର, ସମାଜ, ରାଜ୍ୟ, ରାଷ୍ଟ୍ର ଓ ବିଶ୍ୱର ସୃଷ୍ଟି । ପ୍ରତ୍ୟେକ ବ୍ୟକ୍ତି ବିଶ୍ୱ-ତାପାୟନ ରୋକିବା ଲାଗି ଉଦ୍ୟମ କଲେ ଯାଇ ପରିବର୍ତ୍ତନ ସମ୍ଭବ । ବ୍ୟକ୍ତିଗତ ଉଦ୍ୟମ ସ୍ଥୁଳ ସ୍ତରରେ ଅଲୋଡ଼ା ପ୍ରଭାବହୀନ ପ୍ରତୀୟମାନ ହୋଇପାରେ । କିନ୍ତୁ ଆନ୍ତର୍ଜାତିକ ତାପାୟନ ପ୍ରତିରୋଧ ଅଭିଯାନରେ ଅଂଶୀଦାର । ଆମେ ପରିବାର ପିଛା ଏକରୁ ଅଧିକ ମଟର ସାଇକଲ, ରେଫ୍ରିଜେରେଟର, ଏୟାରକଣ୍ଡିସନର କ୍ରୟକୁ ପ୍ରଗତିର ଅଂଶ ଭାବିବା ଆରମ୍ଭ କରିଥିବା ସ୍ଥଳେ ୟୁରୋପ ବାସିନ୍ଦା ସାଇକଲରେ ସହରର ଘୁରି ବୁଲୁଛନ୍ତି । ବର୍ଲିନରେ ରାସ୍ତାଘାଟରୁ ୨୦୩୦ ସୁଦ୍ଧା ମଟରଗାଡ଼ି ହଟାଇ ଦେବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ଆମ ମାନସିକତାରେ ପରିବର୍ତ୍ତନ ନହେବା ଯାଏଁ ତାପମାତ୍ରା ହାର ବଢ଼ି ଚାଲିଥିବ । ଏଥିରେ ସନ୍ଦେହ ନାହିଁ । ଏହି କ୍ଷେତ୍ରରେ କୌଣସି କୈଫୟତ କାମ ଦେବ ନାହିଁ ।
ତାପମାତ୍ରା ହ୍ରାସ ଅଭିଯାନରେ ସାମିଲ ହେବା ନିମନ୍ତେ ଭାରତରେ ପରିବେଶ ସଚ଼େତନ ସମାଜର ଉଚ୍ଚବର୍ଗସ୍ତରରେ କାଁ ଭାଁ ଉଦ୍ୟମ ଆରମ୍ଭ ହୋଇଛି । ନିକଟରେ ‘କାଉନସିଲ ଅଫ ସାଇଣ୍ଟିଫିକ ଏଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ’ରେ ନିଯୁକ୍ତ କର୍ମଚାରୀମାନଙ୍କୁ ସପ୍ତାହରେ ଥରେ ସୋମବାର ଦିନ ବିନା ଇସ୍ତ୍ରୀ କରା ପୋଷାକରେ ଅଫିସ ଆସିବାକୁ ପ୍ରବର୍ତ୍ତା ଯାଇଛି । ପୋଷାକପତ୍ର ଇସ୍ତ୍ରୀ ‘ଆଇରନ’ କରିବା ନିମନ୍ତେ କୋଇଲା କିମ୍ୱା ବିଦ୍ୟୁତ ବ୍ୟବହାର ହୁଏ । ବିଭିନ୍ନ ସଂଗଠିତ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତ କର୍ମଚାରୀମାନେ ଦିନେ ସୁଦ୍ଧା ବିନା ଇସ୍ତ୍ରୀରେ ପୋଷାକ ପରିଧାନ ଅଭ୍ୟାସ ବଳବତ୍ତର ରଖିଲେ ଏକ ପକ୍ଷରେ ବ୍ୟାପକ ପରିମାଣରେ ଶକ୍ତି ସଞ୍ଚିତ ହେବ, ଅପରପକ୍ଷରେ ଦୈନନ୍ଦିନ ଜୀବନଚର୍ଯ୍ୟାର ବିଭିନ୍ନ ସ୍ତରରେ ଶକ୍ତି ସଂରକ୍ଷଣ ନିମନ୍ତେ ଆଗ୍ରହ ସୃଷ୍ଟି ହେବ । ଏଥିରୁ ଆମର ଯଥେଷ୍ଟ ଶିଖିବାର ନାହିଁ କି ?
Image by Bruno from Pixabay