#ବ୍ରହ୍ମପୁର ଲୋକସଭା ଆସନ ନିମନ୍ତେ ୧୧ ଜଣ ପ୍ରାର୍ଥୀ
ଏବଂ ବ୍ରହ୍ମପୁର ବିଧାନସଭା ନିମନ୍ତେ ୧୭ ଜଣ ପ୍ରାର୍ଥୀ ୨୦୨୪ ନିର୍ବାଚନରେ ଅବତୀର୍ଣ୍ଣ
ହୋଇଛନ୍ତି । ବ୍ରହ୍ମପୁର ଲୋକସଭା ଅଧୀନରେ ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ଦିଗପହଣ୍ଡି,
ଚିକିଟି, ମୋହନା ଓ ପାରଳାଖେମୁଣ୍ଡି ସାତଗୋଟି ବିଧାନସଭା କ୍ଷେତ୍ର ଅନ୍ତର୍ଭୁକ୍ତ । ଓଡ଼ିଶାରେ
ଚାରିଗୋଟି ପର୍ଯ୍ୟାୟରେ ମତଦାନ ଆୟୋଜନ କରାଯାଉଥିବା ସ୍ଥଳେ ବ୍ରହ୍ମପୁର ସମେତ ଗୋପାଳପୁର,
ଛତ୍ରପୁର, ଦିଗପହଣ୍ଡି ଓ ଚିକିଟି ପାଞ୍ଚଗୋଟି ବିଧାନସଭା କ୍ଷେତ୍ରରେ ମେ’ ୧୩ ତାରିଖ ସୋମବାର ଦିନ ଭୋଟ ଗ୍ରହଣ କାର୍ଯ୍ୟକ୍ରମ
ଅନୁଷ୍ଠିତ ହେବ ।
ବ୍ରହ୍ମପୁର
ବିଧାନସଭା ଆସନ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ୧୭ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଆଠ ଜଣ
ସ୍ୱାଧୀନ ପ୍ରାର୍ଥୀ ଅନ୍ତର୍ଭୁକ୍ତ । ଏତଦ୍ ବ୍ୟତୀତ ବିଜେଡ଼ି, ବିଜେପି, କଂଗ୍ରେସ, ଆମ ଆଦମୀ
ପାର୍ଟି, ବହୁଜନ ସମାଜ ପାର୍ଟି, ଭାରତୀୟ ବିକାଶ ପରିଷଦ, ଫରୱାର୍ଡ ବ୍ଳକ, ଏସୟୁସିଆଇ
(କମ୍ୟୁନିଷ୍ଟ) ଓ ନବ ଭାରତ ନିର୍ମାଣ ସେବା ଦଳ ରାଜନୀତିକ ଦଳ ପକ୍ଷରୁ ପ୍ରାର୍ଥୀ ଅବତୀର୍ଣ୍ଣ ।
ବ୍ରହ୍ମପୁର
ଲୋକସଭା ଆସନ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ତିନି ଜଣ
ସ୍ୱାଧୀନ ପ୍ରାର୍ଥୀ ଅନ୍ତର୍ଭୁକ୍ତ । ଏତଦ୍ ବ୍ୟତୀତ ବିଜେଡ଼ି, ବିଜେପି, କଂଗ୍ରେସ, ବହୁଜନ ସମାଜ
ପାର୍ଟି, ନବ ଭାରତ ନିର୍ମାଣ ସେବା ଦଳ, ଭାରତୀୟ ବିକାଶ ପରିଷଦ, ଫରୱାର୍ଡ ବ୍ଳକ ଓ ଏସୟୁସିଆଇ
(କମ୍ୟୁନିଷ୍ଟ) ରାଜନୀତିକ ଦଳ ପକ୍ଷରୁ ପ୍ରାର୍ଥୀ ଅବତୀର୍ଣ୍ଣ ।
ବ୍ରହ୍ମପୁର
ସହର ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ, ପ୍ରଶାସନିକ, ସାଂସ୍କୃତିକ, ସ୍ୱାସ୍ଥ୍ୟ ଓ ଶିକ୍ଷା
କ୍ଷେତ୍ରରେ ପ୍ରାଣକେନ୍ଦ୍ର ହୋଇଥିଲେ ହେଁ ସ୍ୱାଧୀନୋତ୍ତର ଅବସ୍ଥାରେ ରାଜନୀତିକସ୍ତରରେ
କର୍ତ୍ତୃତ୍ୱ ଜାହିର କରିପାରେ ନାହିଁ । ଦୀର୍ଘ ୪୪ ବର୍ଷ ପୂର୍ବେ ୧୯୮୦ ବିଧାନସଭା ନିର୍ବାଚନରେ
କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚରଣ ପଟ୍ଟନାୟକ ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ୟ
ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ଏଥି ପୂର୍ବରୁ ୧୯୭୪ ବିଧାନସଭା ନିର୍ବାଚନରେ କଂଗ୍ରେସ
ପ୍ରାର୍ଥୀ ବିନାୟକ ଆଚାର୍ଯ୍ୟ ବିଧାୟକଭାବେ ନିର୍ବାଚିତ ହୋଇ ମନ୍ତ୍ରୀମଣ୍ଡଳରେ ସାମିଲହୋଇଥିଲେ ।
ତାହାପରଠାରୁ ବ୍ରହ୍ମପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚିତ କେହି ବିଧାୟକ ରାଜ୍ୟ
ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରି ନାହାନ୍ତି ।
ବ୍ରହ୍ମପୁର
ଲୋକସଭା ନିର୍ବାଚନ ମଣ୍ଡଳୀରୁ ୨୦୦୪ ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇ କଂଗ୍ରେସ
ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ । ଇତି ମଧ୍ୟରେ ୨୦
ବର୍ଷରେ ଅନ୍ୟ କେହି ବ୍ରହ୍ମପୁର ସାଂସଦ କେନ୍ଦ୍ରରେ ମନ୍ତ୍ରୀ ପଦ ପାଇପାରି ନାହାନ୍ତି ।
ସ୍ୱତନ୍ତ୍ର
ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରେ ବ୍ରହ୍ମପୁର ଓଡ଼ିଆ ଭାଷାଭାଷୀଙ୍କ ରାଜନୀତିକ ନେତୃତ୍ୱରେ ଆଗ୍ରଣୀ
ରହିଥିଲା । ଉତ୍କଳ ସମ୍ମିଳନୀର ପରିକଳ୍ପନା ୧୯୦୩ରେ ବ୍ରହ୍ମପୁରରୁ ହିଁ ସୂତ୍ରପାତ ହୋଇଥିଲା ।
କିନ୍ତୁ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ରାଜ୍ୟ ରାଜନୀତିକ ନେତୃତ୍ୱ କ୍ରମଶଃ କଟକ
ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେଲା । ବ୍ରହ୍ମପୁର ତଥା ଦକ୍ଷିଣ ଓଡ଼ିଶାର ରାଜନୀତିକ
ନିଷ୍ପତି କେନ୍ଦ୍ରୀୟ ସ୍ତରରୁ ହିଁ ନିର୍ଦ୍ଧାରିତ ହୋଇଥାଏ । ଏହି ଦୁଃଭାର୍ଗ୍ୟପୂର୍ଣ୍ଣ
ପରିସ୍ଥିତି ନିମନ୍ତେ କେତେଗୋଟି କାରଣ ଚ଼ିହ୍ନଟ କରାଯାଇପାରେ ।
ପ୍ରଥମତଃ,
ସ୍ୱାଧୀନୋତ୍ତର ଅବସ୍ଥାରେ ଜାତୀୟ ତଥା ରାଜ୍ୟ ସ୍ତରରେ ରାଜନୀତିକ ଦଳଗୁଡ଼ିକରେ ଗଣତାନ୍ତ୍ରିକ
ପ୍ରକ୍ରିୟାର ମୂଳ-ଉତ୍ପାଟନ ଘଟିଛି । ରାଜନୀତିକ ନେତୃତ୍ୱ ବ୍ୟକ୍ତି-କେନ୍ଦ୍ରୀକ ହେବା ଫଳରେ
ଶୀର୍ଷ ନେତୃବର୍ଗଙ୍କ ଇଚ୍ଛା ଅନୁଯାୟୀ ଦଳ ପରିଚାଳିତ ଏବଂ ରାଜଧାନୀ ବ୍ୟତିତ ଅନ୍ୟାନ୍ୟ ଅଞ୍ଚଳର
ରାଜନୀତିକ ନେତୃତ୍ୱ ପ୍ରଭାବହୀନ । ବ୍ରହ୍ମପୁରର ରାଜନୀତିକ ଅପଭ୍ରଂଶର ଏହା ମୁଖ୍ୟ କାରଣ ।
କେନ୍ଦ୍ରୀୟ ଚାପରେ ସ୍ଥାନୀୟ ନେତୃତ୍ୱ ମୌଳିକ ଭାବେ ପ୍ରସ୍ପୁଟିତ ହୋଇପାରେ ନାହିଁ ।
ଦ୍ୱିତୀୟତଃ,
ବିଗତ ୬୦ ବର୍ଷର ଇତିହାସ ଅନୁଧ୍ୟାନ କଲେ ୧୯୬୪ ଛାତ୍ର ଆନ୍ଦୋଳନରେ ବ୍ରହ୍ମପୁରର ଯେଉଁ
ଛାତ୍ରନେତାମାନେ ଜନମାନସରେ ପ୍ରତିଷ୍ଠା ଲାଭ କରିଥିଲେ ପରବର୍ତ୍ତୀ ଅବସ୍ଥାରେ ମଉଳି ଗଲେ । ୧୯୭୫-୭୭
ଜରୁରିକାଳୀନ ପରିସ୍ଥିତିରେ ସୃଷ୍ଟ ନେତୃବର୍ଗ ସ୍ଥାନୀୟ ରାଜନୀତିରେ ଅସ୍ତିତ୍ୱ ସ୍ଥାପନ କରିପାରିଲେ
ନାହିଁ । ଶେଷରେ ୧୯୯୮ ଗୋପାଳପୁର ଇସ୍ପାତ ପ୍ରକଳ୍ପ ବିରୋଧୀ ଆନ୍ଦୋଳନରେ ବ୍ରହ୍ମପୁରର ନେତୃବର୍ଗଙ୍କ
ପ୍ରତିନିଧିତ୍ୱ ହିଁ ରହିଲା ନାହିଁ । ୧୯୬୬ରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନ ପରଠାରୁ ସହରରେ
କୌଣସି ବଡ଼ ଧରଣ ଜନଜାଗରଣ ସଂଭବ ହୋଇପାରିନାହିଁ । ବିବାହ, ଶୁଦ୍ଧିକ୍ରିୟା ଭଳି ପାରିବାରିକ ମେଳନରେ
ସମବେତ ଜନତାଙ୍କୁ କୁଶଳ ଜିଜ୍ଞାଷାକୁ ହିଁ ଲୋକସଂପର୍କ
ବୋଲି ଧରି ନିଆଗଲା !
No comments:
Post a Comment