#ବ୍ରହ୍ମପୁର ସହରବାସୀ ପ୍ରଥମ ଥର ନିମନ୍ତେ ୧୯୨୦
ନିର୍ବାଚନରେ ଅଂଶଗ୍ରହଣ କରି ଜନପ୍ରତିନିଧି ମନୋନୀତ କରିବା ସୁଯୋଗ ପାଇଥିଲେ । ବିଂଶ ଶତାଦ୍ଦୀର
ପ୍ରଥମ ଦୁଇ ଦଶକରେ ଦେଶବ୍ୟାପୀ ବ୍ରିଟିଶ ସରକାର ବିରୋଧୀ ଆନ୍ଦୋଳନ ଦାନା ବାନ୍ଧିବା ପରେ
ଜନସାଧାରଣଙ୍କ ଆସ୍ଥାଭାଜନ ହେବା ନିମନ୍ତେ ୧୯୧୯ରେ ପ୍ରାଦେଶିକ ବ୍ୟବସ୍ଥା ସଭା ନିର୍ବାଚନ ଆୟୋଜନ
ଆଇନ ପ୍ରଣୟନ କରିଥିଲେ । ସେହି ସମୟରେ ବ୍ରହ୍ମପୁର ମାନ୍ଦ୍ରାଜ ବିଧାନ ପରିଷଦ ଅନ୍ତର୍ଭୁକ୍ତ
ଥିଲା । ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ୧୯୨୦, ୧୯୨୩, ୧୯୨୬ ଓ ୧୯୩୦ରେ
ଚାରି ଥର ମାନ୍ଦ୍ରାଜ ବିଧାନ ପରିଷଦ ନିର୍ବାଚନ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥିଲା ।
ଭାରତୀୟ ଜାତୀୟ
କଂଗ୍ରେସ ବ୍ରିଟିଶ ସରକାରଙ୍କ ଦ୍ୱାରା ୧୯୨୦ରେ ଆୟୋଜିତ ପ୍ରଦେଶିକ ବ୍ୟବସ୍ଥା ସଭା ନିର୍ବାଚନ
ବିରୋଧ କରିଥିଲେ । କଂଗ୍ରେସ କର୍ମୀଙ୍କ ଅସହଯୋଗ ଫଳରେ ଦେଶର କେତେକ ଅଞ୍ଚଳରେ ନିର୍ବାଚନ ବର୍ଜନ
ହୋଇଥିବା ସ୍ଥଳେ ବ୍ରହ୍ମପୁର ଭଳି କେତେକ ଅଞ୍ଚଳରେ ଅନୁଷ୍ଠିତ ନିର୍ବାଚନରେ ସ୍ଥାନୀୟ
ପ୍ରତିନିଧିମାନେ ନିର୍ବାଚିତ ହୋଇଥିଲେ । ୧୯୨୦ରେ ଅନୁଷ୍ଠିତ ମାନ୍ଦ୍ରାଜ ବିଧାନ ପରିଷଦ
ନିର୍ବାଚନରେ ଶଶିଭୂଷଣ ରଥ, ବିଶ୍ୱନାଥ ଦାସ ଓ ଏ. ପର୍ଶୁରାମ ପାତ୍ର ତିନି ଜଣ ନିର୍ବାଚିତ ହୋଇ
ତିନି ବର୍ଷ ପାଇଁ କାର୍ଯ୍ୟଭାର ତୁଲାଇଥିଲେ । ୧୯୨୩ ନିର୍ବାଚନରେ ପୁନର୍ବାର ଶଶିଭୂଷଣ ରଥ ଓ
ବିଶ୍ୱନାଥ ଦାସ ଏବଂ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ନିର୍ବାଚିତ ହୋଇଥିଲେ । ୧୯୨୬ ନିର୍ବାଚନରେ
ପୁନର୍ବାର ବିଶ୍ୱନାଥ ଦାସ ଓ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ସହ ଶ୍ରୀନିବାସ ରାଜମଣି
ନିର୍ବାଚିତ ହୋଇଥିଲେ । ୧୯୩୦ରେ ଅନୁଷ୍ଠିତ ଚତୁର୍ଥ ମାନ୍ଦ୍ରାଜ ବିଧାନ ପରିଷଦ ନିର୍ବାଚନରେ
ବ୍ରହ୍ମପୁରରୁ ଏ. ପର୍ଶୁରାମ ପାତ୍ର, କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓ ମାନ୍ଧାତା ଗୋରାଚାନ୍ଦ
ପଟ୍ଟନାୟକ ପ୍ରତିନିଧିତ୍ୱ କରିଥିଲେ ।
୧୯୨୩ରେ
ମାନ୍ଦ୍ରାଜ ବିଧାନ ପରିଷଦ ନିର୍ବାଚନରେ ବ୍ରହ୍ମପୁର ଆସନ ନିମନ୍ତେ ଶଶିଭୂଷଣ ରଥଙ୍କ ସହ
ପି.ଭେଙ୍କେଟସ୍ୱରଲୁ ପ୍ରତିଦ୍ୱନ୍ଦିତା କରୁଥିଲେ । ପି. ଭେଙ୍କେଟସ୍ୱରଲୁ ବ୍ରହ୍ମପୁରର ଜଣେ
ଖ୍ୟାତାନାମା ଓକିଲ ରୂପେ ପରିଚ଼ିତ ଥିଲେ । କୁହାଯାଏ ଯେ ସେ ବିଜୟ ଲାଭ କରିବା ଏକ ରକମ ନିଶ୍ଚିତ
ଥିଲା । ତେବେ ନିର୍ବାଚନ ନିମନ୍ତେ ଭୋଟଗ୍ରହଣ ପୂର୍ବ ରାତ୍ରିରେ ତାଙ୍କର ପରଲୋକ ଘଟିଲା । ଫଳରେ
ନିର୍ବାଚନ ବନ୍ଦ ରହିଲା ଏବଂ କିଛି ଦିନ ଅନ୍ତେ ପୁନର୍ବାର ଆୟୋଜିତ ହେଲା । ଏହି ନିର୍ବାଚନରେ
ଶଶିଭୂଷଣ ରଥ ବିଜୟ ଲାଭ କରିଥିଲେ ।
ବିଂଶ ଶତାଦ୍ଦୀ
ଆଦ୍ୟଭାଗରେ ବ୍ରହ୍ମପୁର ଜନସଂଖ୍ୟାର ଅର୍ଦ୍ଧେକ ଓଡ଼ିଆ ଓ ଅର୍ଦ୍ଧେକ ତେଲୁଗୁ ଭଷାଭାଷୀ
ଅନ୍ତର୍ଭୁକ୍ତ ଥିବା ହେତୁ ନିର୍ବାଚନରେ ଭାଷାଗତ ବିରୋଧ ବେଶ ଉଲ୍ଲେଖନୀୟ ସ୍ତରରେ ରହୁଥିଲା ।
ମହାତ୍ମା ଗାନ୍ଧୀ ୧୯୨୧ରେ ପ୍ରଥମ ଥର ନିମନ୍ତେ ବ୍ରହ୍ମପୁର ଆଗମନ କାଳରେ ଓଡ଼ିଆ ଓ ତେଲୁଗୁ
ଭାଷାଭାଷୀଙ୍କ ମଧ୍ୟରେ ବିବାଦ ସଂପର୍କରେ ଅବଗତ ହୋଇ ଉଭୟ ଗୋଷ୍ଠୀର ନେତୃବର୍ଗଙ୍କୁ ସ୍ୱାଧୀନତା
ଆନ୍ଦୋଳନରେ ଏକତ୍ର କାର୍ଯ୍ୟ କରିବା ନିମନ୍ତେ ନିବେଦନ କରିଥିଲେ ।
ବିଶ୍ୱନାଥ ଦାସ
କଲିକତାରେ ଆଇନ ଅଧ୍ୟୟନ ପରେ ଉପାଧିଲାଭ କରି କଟକରେ ବାରିଷ୍ଟର ମଧୁସୂଦନ ଦାସଙ୍କ ଜୁନିୟର ଭାବେ
କିଛି କାଳ କାର୍ଯ୍ୟ କରି ୧୯୧୮ରେ ବ୍ରହ୍ମପୁର ପହଞ୍ଚି ଓକିଲାତି ଆରମ୍ଭ କରିଥିଲେ । ସେହି ସମୟରେ
ଦେଶବ୍ୟାପୀ କୃଷକ ଜାଗରଣ ଦେଖାଯାଇଥିଲା ଏବଂ ବିଶ୍ୱନାଥ ଦାସ ଗଞ୍ଜାମ ଜିଲ୍ଲାରେ ଚାଷୀମାନଙ୍କୁ
ସଂଗଠିତ କରିଥିଲେ । ସେ ନିଜେ ‘ରୟତ ସଂଘ’ର ସଭାପତି ଏବଂ ସେହି ସମୟରେ ବ୍ରହ୍ମପୁରରେ ଓକିଲାତି
କରୁଥିବା ଭି.ଭି.ଗିରିଙ୍କୁ ସଂପାଦକ ମନୋନୀତ କରିଥିଲେ । ଚାଷୀ ଆନ୍ଦୋଳନରେ ରାଜା ଓ
ଜମିଦାରମାନଙ୍କୁ ବିରୋଧ କରାଯାଉଥିଲା । ଖଲ୍ଲିକୋଟ ଜମିଦାରୀ ଅଞ୍ଚଳରେ ରୟତ ସଂଗଠନ ପକ୍ଷରୁ
ଆନ୍ଦୋଳନକୁ ସର୍ବଭାରତୀୟ ସ୍ତରରେ ପ୍ରଥମ କୃଷକ ଆନ୍ଦୋଳନ କୁହାଯାଏ । ବିଶ୍ୱନାଥ ଦାସ ରୟତ
ସଂଗଠନର ନେତୃତ୍ୱ ନେଉଥିବା ହେତୁ ସ୍ୱାଭାବିକ ଭାବେ ଖଲ୍ଲିକୋଟ ଜମିଦାରୀ ବିରୋଧି ଥିଲେ । ତେବେ
୧୯୨୩ ଓ ୧୯୨୭ରେ ଅନୁଷ୍ଠିତ ମାନ୍ଦ୍ରାଜ ବିଧାନ ପରିଷଦ ନିର୍ବାଚନରେ ଉଭୟ ବିଶ୍ୱନାଥ ଦାସ ଓ
ରାମଚନ୍ଦ୍ର ମର୍ଦ୍ଦରାଜ ନିର୍ବାଚିତ ହୋଇ ଏକତ୍ର କାର୍ଯ୍ୟ କରିଥିଲେ । ପ୍ରାବନ୍ଧିକ ପଦ୍ମଚରଣ ସାହୁ
ନିଜ ‘ବ୍ରହ୍ମପୁର ରାଜନୈତିକ
ଧାରା ଓ ଲୋକ ପ୍ରତିନିଧି’ ରଚନାରେ ଏହି ବିଷୟ
ବର୍ଣ୍ଣନା କରିଛନ୍ତି ।
୧୯୩୬ରେ
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ୧୯୩୭ରେ ଅନୁଷ୍ଠିତ ଓଡ଼ିଶା ବିଧାନସଭାକୁ ବ୍ରହ୍ମପୁରର
ପ୍ରତିନିଧି ଭାବେ ଦିବାକର ପଟ୍ଟନାୟକ, ରାମଚନ୍ଦ୍ର ଦେବ, କାଶୀ ବିଶ୍ୱନାଥ ରାଜୁ (ସମସ୍ତେ
ସାଧାରଣ), ଭି. ଲକ୍ଷ୍ମୀବାଈ (ମହିଳା ସଂରକ୍ଷିତ) ଓ ଲତିଫୁର ରହମାନ (ମୁସଲମାନ ସଂରକ୍ଷିତ) ନିର୍ବାଚିତ
ହୋଇଥିଲେ । ସେହିପରି ୧୯୪୬ ନିର୍ବାଚନରେ ଉମାଚ଼ରଣ ପଟ୍ଟନାୟକ, ସୋମନାଥ ପଣ୍ଡା, ଗାଦି ନାରାୟଣ
ମୂର୍ତ୍ତି (ସମସ୍ତେ ସାଧାରଣ), ଭି. ଲକ୍ଷ୍ମୀ ବାଈ (ମହିଳା ସଂରକ୍ଷିତ) ଓ ଲାଲମୋହନ ପଟ୍ଟନାୟକ
(ଖ୍ରୀଷ୍ଟିୟାନ ସଂରକ୍ଷିତ) ନିର୍ବାଚିତ ହୋଇଥିଲେ ।
୧୯୪୭ରେ ଭାରତ ସ୍ୱାଧୀନତା ଲାଭ ପରେ ୧୯୫୨ ଲୋକସଭା ସାଧାରଣ ନିର୍ବାଚନରେ ଉମାଚ଼ରଣ ପଟ୍ଟନାୟକ ଏବଂ ବିଧାନସଭା ସାଧାରଣ ନିର୍ବାଚନରେ ରାମଚନ୍ଦ୍ର ମିଶ୍ର ଓ ଦଣ୍ଡପାଣି ଦାସ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ବ୍ରହ୍ମପୁରର ସମସ୍ତ ତିନିଜଣ ନିର୍ବାଚିତ ପ୍ରତିନିଧି ସ୍ୱାଧୀନଭାବେ ନିର୍ବାଚନ ଲଢ଼ି କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ ।
No comments:
Post a Comment