Monday, April 24, 2017

Tiger Dance in Thakurani Yatra / ଠାକୁରାଣୀ ଯାତ୍ରାରେ ବାଘ ନାଚ

#ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବାଘ ନାଚ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ l ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ ବାଘ ନାଚ ପ୍ରଚଳିତ ଥିଲେ ହେଁ ଏଠାକାର ବାଘ ନାଚର ସାଜସଜ୍ଜା, ନୃତ୍ୟ ଓ ବାଦ୍ୟ ବିଭିନ୍ନ ଦିଗରୁ ଅପେକ୍ଷାକୃତ ମନମୁଗ୍ଧକର ହୋଇଥାଏ l ସାଧାରଣତଃ ଯାତ୍ରା ଅବସରରେ ପୂର୍ବ-ମାନସିକ କିମ୍ୱା ବ୍ୟକ୍ତିବିଶେଷ ନିଜ ଆଗ୍ରହ ଜନିତ କାରଣରୁ ବେଶ ଧାରଣ କରିଥାନ୍ତି l ବାଘ ନାଚ କରିବା ନିମନ୍ତେ ବ୍ୟକ୍ତିବିଶେଷଙ୍କୁ ନୃତ୍ୟରେ ପରଙ୍ଗମତା ହାସଲ କରିବାକୁ ପଡ଼ିଥାଏ ଏବଂ ଏହି ଦୃଷ୍ଟିରୁ ଅନଭିଜ୍ଞ ବ୍ୟକ୍ତି ବାଘ ବେଶ ଧାରଣ କରିବା ସମ୍ଭବପରେ ହୁଏ ନାହିଁ l

ବ୍ୟାଘ୍ର ଠାକୁରାଣୀଙ୍କ ବାହାନ ହୋଇଥିବା ହେତୁ ଠାକୁରାଣୀ ଯାତ୍ରାରେ ବାଘ ବେଶ ଗୁରୁତ୍ୱ ବହନ କରିଥାଏ l ବାଘ ବେଶ ଧାରଣ କରିବା ପୂର୍ବରୁ ନୃତ୍ୟ ପ୍ରଶିକ୍ଷଣ ଓ ଅଭ୍ୟାସ ଆବଶ୍ୟକତା ପଡ଼ିଥାଏ l ବାଘନାଚ ଶିଖାଇବା ନିମନ୍ତେ ସହରରେ ଗୁରୁ ମଧ୍ୟ ମିଳିଥାନ୍ତି l ଅତୀତରେ ଅଭ୍ୟାସ କରିବା ଲାଗି ବାଦ୍ୟବାଜଣା ଆବଶ୍ୟକ ପଡୁଥିବା ବେଳେ ଆଜିକାଲି ଅଡିଓ ସିଡ଼ିରେ  କାମ ଚଳିଯାଉଛି l ସ୍ଥଳ ବିଶେଷରେ ଦୁଇରୁ ଚାରିମାସ ଏଭଳି ଅଭ୍ୟାସ ଜାରୀ ରହିଥାଏ l

ଆଜକୁ ୪୦ / ୫୦ ବର୍ଷ ପୂର୍ବେ କେବଳ ଠାକୁରାଣୀ ଯାତ୍ରା କାହିଁକି ବର୍ଷତମାମ ବାଘ ନାଚିଲାବାଲାଙ୍କ ସାମାଜିକ ପ୍ରତିଷ୍ଠା ବଳବତ୍ତର ରହୁଥିଲା l ଜଣେ ଭଲ କ୍ରିକେଟର, ଫୁଟବଲର ବା ଚିତ୍ରତାରକାଙ୍କୁ ଯେପରି ପ୍ରାଧାନ୍ୟ ଦିଆଯାଏ, ଜଣେ ଭଲ ବାଘ ନାଚ ନାଚିଲାବାଲା ମଧ୍ୟ ଅନୁରୂପ ଲୋକପ୍ରିୟତା ହାସଲ କରିପାରୁଥିଲେl ସେ ସମୟରେ ହୁଏତ ଆଜିକା ତୁଳନାରେ ଖୁବ୍ କମ୍ ସଂଖ୍ୟକ ବ୍ୟକ୍ତି ବାଘ ବେଶ ଧାରଣ କରୁଥିଲେ ଏବଂ ଏଥିପାଇଁ ସେମାନଙ୍କୁ ରୀତିମତ ପୂର୍ବ-ପ୍ରସ୍ତୁତି ବା ରିହରସାଲ କରିବାକୁ ପଡୁଥିଲା l କେଉଁ ସାହୀର ନାଚିଲାବାଲା କେଉଁ ତାରିଖରେ ବାଘ ବେଶରେ ନାଚିବ ସେଥିପାଇଁ ଲୋକେ ତାରିଖ ଗଣି ଅପେକ୍ଷା କରୁଥିଲେ l ପ୍ରତ୍ୟେକ ବାଘ ସହ ଅନ୍ୟୂନ ୬୦ ରୁ ୧୦୦ ବସ୍ତିବାଲା ତଥା ସାଖା-ସହୋଦର ସହର ପରିଭ୍ରମଣ କରୁଥିଲେ l ବସ୍ତିବାଲାଙ୍କ ମଧ୍ୟରେ ସହଯୋଗ ମନୋଭାବ ଏତାଦୃଶ୍ୟ ନୃତ୍ୟ ଆୟୋଜନରେ ପରିସ୍ଫୁଟିତ ହେଉଥିଲା l ଆଜିକାଲି ତ ଯିଏ ପଇସା ଯୋଗାଡ଼ କରିପାରୁଛି ସେ ବାଘ ନାଚ ପାଇଁ ଆଗେଇ ଆସୁଛି l ନା ପୂର୍ବପ୍ରସ୍ତୁତି ନା ନାଚିବା ଶୈଳୀରେ ପରିପକ୍ୱତା, ନା କୌଣସି ସାମୂହିକ ପ୍ରଚେଷ୍ଟା ବାଘ ନାଚ କ୍ଷେତ୍ରରେ ଦେଖିବାକୁ ମିଳୁଛି l

ବାଘ ନାଚ ଏକ ବ୍ୟୟ ବହୁଳ ବ୍ୟାପାର l ୨୦୧୭ ଯାତ୍ରାବେଳକୁ ବାଘବେଶ ଧାରଣ ନିମନ୍ତେ ଅନ୍ୟୂନ ୧୫ ରୁ ୨୦ ହଜାର ଟଙ୍କା ବ୍ୟୟ ହେଉଥିବା ଜଣାଯାଏ l ବାଘ ନାଚ ପାଇଁ ଅନ୍ତତଃ ପକ୍ଷେ ଦୁଇରୁ ଚାରିଗୋଟି ଚାଙ୍ଗୁ ବାଦ୍ୟର ଆବଶ୍ୟକତା ପଡ଼ିଥାଏ l ଡ଼ଜନେ ବାଜଣା ଶୈଳୀରୁ ପ୍ରାୟ ଆଠ ଗୋଟି ବହୁଳ ଭାବେ ବ୍ୟବହୃତ ହୋଇଥାଏ l ବାଦ୍ୟଗୁଡ଼ିକୁ ପ୍ରତି ଘଣ୍ଟାକରେ ଥରେ ନିଆଁ ସେକ ଦେବା ନିମନ୍ତେ ଗୋଟିଏ ସାଇକଲ ରିକ୍ସାରେ ପାଳ ବୋଝେଇ ନାଚ ଦଳ ସହ ସହର ଘୁରି ବୁଲୁ ଥାଏ l ପୂର୍ବେ ପେଟ୍ରୋମାକ୍ସ ଲଣ୍ଠନ ବ୍ୟବହୃତ ହେଉଥିବାବେଳେ ବର୍ତ୍ତମାନ ଜେନେରେଟର ଯୋଗେ ଉଜ୍ଜଳ ଆଲୋକର ବ୍ୟବସ୍ଥା କରାଯାଉଛିl ବାଘର ଶରୀରରେ ବାର୍ଣ୍ଣିସ ଚିତ୍ରଣ, ମୁଣ୍ଡ, ପୋଷାକ, ଫୁଲ ତଥା ଚିତ୍ରକରର ମଜୁରି ବାବଦରେ ଖର୍ଚ୍ଚ ହୁଏ l ଶେଷରେ ବାଘ ନାଚ ସହ ରାତି ତମାମ ଘୁରି ବୁଲିବା ନିମନ୍ତେ ଅନ୍ତତଃ ପକ୍ଷେ କୋଡ଼ିଏ ଏକାଠି ହୁଅନ୍ତି l ବାଘକୁ ଚିତ୍ରିତ କରିବା, ମନ୍ଦିରକୁ ମୁଖା ନେଇ ପୂଜା କରିଆସିବା କାମରେ ମଧ୍ୟ ସେମାନେ ସାମିଲ ହୋଇଥାନ୍ତି l ଏହି ସମସ୍ତଙ୍କ ଦିନକର ଖାଦ୍ୟପେୟ ବାବଦରେ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିଥାଏ l

ବାଘବେଶ ପାଇଁ ଚିତ୍ରଣ କାର୍ଯ୍ୟ ପୂର୍ବାହ୍ନରୁ ଆରମ୍ଭ ହୋଇଯାଏ l ଶରୀରର ଲୋମ ଖିଅର ହୋଇ ସ୍ନାନାଦି କାର୍ଯ୍ୟ ପରେ ବାର୍ଣ୍ଣିସର ପ୍ରଲେପ ଦିଆଯାଇଥାଏ l ଠାକୁରାଣୀଙ୍କଠାରେ ମୁଖା ପୂଜା ହୋଇଆସିବା ପରେ ବାଦ୍ୟ ବାଦକଙ୍କସହ ବାଘ ପ୍ରଥମେ ଅସ୍ଥାୟୀ ମନ୍ଦିର ଆସି ଦେବୀଙ୍କ ଦର୍ଶନ କରିଥାଏ l ତତ୍ପରେ ନିଜ ପରିଚିତ ପରିବାରଗୁଡ଼ିକୁ ବୁଲି ନାଚିଥାଏ l ଅତୀତରେ ବାଘ ନାଚ ସାରା ରାତି ଚାଲୁଥିଲା l ତେବେ ପୋଲିସ କଟକଣା ଅନୁଯାୟୀ ଆଜିକାଲି ରାତି ୧୧ ରୁ ସକାଳ ୫ ଯାଏଁ ବାଘ ନାଚ ପ୍ରଦର୍ଶନ ବାରଣ କରାଯାଇଛି l

ବାଘ ବେଶ ମୁଖ୍ୟତଃ ଏକକ ନୃତ୍ୟ ରୂପେ ବିକଶିତ ହୋଇ ଆସିଥିଲା l ଖୁବ୍ କମ୍ ସଂଖ୍ୟାରେ ଏକାଧିକ ବ୍ୟକ୍ତି ଏକାଠି ବାଘ ନାଚ କରୁଥିଲେ l ତେବେ ବିଗତ କିଛି ବର୍ଷ ଧରି ବହୁ ସଂଖ୍ୟକ ବ୍ୟକ୍ତି ବାଘବେଶ ଧାରଣ କରି ଏକାଠି ନୃତ୍ୟରେ ଭାଗନେବା ପରମ୍ପରା ଦେଖିବାକୁ ମିଳୁଛି l ଗତ ୨୦୧୫ ଯାତ୍ରା ଅବସରରେ ଅନ୍ୟାନ୍ୟ ବାଘ ଦଳଙ୍କ ସହ କାମ୍ପ ସାହୀର ୯ ଜଣ ଓ ତୁଳସୀନଗରର ୩୧ ଜଣିଆ ବାଘ ନାଚଦଳ ଦୃଷ୍ଟି ଆକର୍ଷଣ କରିଥିଲା l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୨୩ ଏପ୍ରିଲ ୨୦୧୭

Sunday, April 23, 2017

Group role-play in Yatra / ଯାତ୍ରାରେ ସାମୂହିକ ବେଶ

#ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଏକକ ବେଶ ବ୍ୟତୀତ କେତେକ ବସ୍ତି ଆନୁକୂଲ୍ୟରେ ସାମୂହିକ ବେଶମାନ ଆୟୋଜନ କରାଯାଏ l ବାଲାଜୀପେଣ୍ଠ ସାହୀ କପିଳେଶ୍ୱର ବ୍ୟାୟାମଶାଳା ପକ୍ଷରୁ ସର୍କସ, ବାଲୁଙ୍କେଶ୍ୱର ସାହୀରୁ ଚନ୍ଦ୍ରଲେଖା ନୃତ୍ୟ, ଶଙ୍କରପୁର ସାହୀର କୁସ୍ତିକସରତ, ଦଳୁଆ ସାହୀର ପାଇକ ନାଚ, କୁମ୍ଭାର ସାହୀର ଘଣ୍ଟ ଆଖଡ଼ା ତଥା ଶଗଡ଼ିଆ ସାହୀ, ମାର୍ଥା ସାହୀ ଓ ବାଉରି ସାହୀ ଇତ୍ୟାଦି ଆନୁକୂଲ୍ୟରେ ବାଡ଼ି ଆଖଡ଼ା ଆୟୋଜନର ନଜିର ରହିଛି l ଏହି ଧରଣର ସାମୂହିକ ବେଶମାନଙ୍କରେ ୨୦ ରୁ ୨୦୦ ଜଣ ଯାଏଁ ବ୍ୟକ୍ତି ଅଂଶଗ୍ରହଣ କରିଥାନ୍ତି l ପୂର୍ବରୁ ଆୟୋଜିତ ସର୍କସ, ଚନ୍ଦ୍ରଲେଖା ନୃତ୍ୟଭଳି କେତେକ ସାମୂହିକ ବେଶ ବର୍ତ୍ତମାନ ଆଉ ବାହାରୁ ନାହିଁ l ତେବେ ଯାତ୍ରା ଅବସରରେ ବିଜିପୁର ବାସିନ୍ଦାମାନଙ୍କ ଦ୍ୱାରା ଆୟୋଜିତ ଦରିଦ୍ର ପଞ୍ଚାକ୍ଷର ପାର୍ଟିବୁଦ୍ଧଂ ଶରଣଂ ଗଚ୍ଛାମି ବେଶ ସହରବାସୀଙ୍କ ମଧ୍ୟରେ ବେଶ୍ କୌତୁହଳ ସୃଷ୍ଟି କରିଥାଏ l
୧୯୩୬ ମସିହାରୁ ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶ ପ୍ରତିଟି ଠାକୁରାଣୀ ଯାତ୍ରା ଅବସରରେ ନିୟମିତ ବାହାରୁଛି l ବିଜିପୁର ଅଞ୍ଚଳର ଜଣେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସାଂଗଠନିକ ପ୍ରଚେଷ୍ଟାରେ ଏହିଭିଳି ଏକ ସାମୂହିକ ବେଶର ପରିକଳ୍ପନା କରାଯାଇଥିଲା l ଆଧୁନିକ ଯୁଗରେ ମଠ ମନ୍ଦିରରେ ଅବସ୍ଥାପିତ କେତେକ ମହନ୍ତଙ୍କ ବିଧର୍ମୀ କାର୍ଯ୍ୟକଳାପର ସମାଲୋଚନା ଏହି ବେଶ ମାଧ୍ୟମରେ ପ୍ରଦର୍ଶନ କରାଯାଇଥାଏ l ‘ଦରିଦ୍ର ପଞ୍ଚାକ୍ଷର ପାର୍ଟି ଶୋଭାଯାତ୍ରାରେ ଜଣେ ମହନ୍ତ ବେଶଧାରୀ ବ୍ୟକ୍ତି ଦଳେ ଆଧୁନିକ ବେଶଭୂଷା ପରିହିତା ନାରୀ ବେଶଧାରୀ ପୁରୁଷଙ୍କ ମଧ୍ୟରେ ରଥାରୁଢ ହୋଇ ମଉଜ ମଜଲିସରେ ବ୍ୟସ୍ତ ରହନ୍ତି l ତାଙ୍କରି ଚେଲାମାନେ ମହନ୍ତଙ୍କ ରଥ ସହ ସହରର କେତେକ ନିର୍ଦ୍ଦିଷ୍ଟ ମୁଖ୍ୟରାସ୍ତା ପରିଭ୍ରମଣ କରି ଠାକୁରାଣୀ ଯାତ୍ରାସ୍ଥଳ ଦେଶୀବେହେରା ସାହୀରେ ପହଞ୍ଚି ଦେବୀଙ୍କ ଦର୍ଶନ ସାରି ପୁଣି ବିଜିପୁର ଫେରିଥାଆନ୍ତି l ଏହି ଶୋଭାଯାତ୍ରାରେ ହାସ୍ୟରସାତ୍ମକ ତଥା ସମାଲୋଚନାମୂଳକ କେତୋଟି ଗୀତ ଅନବରତ ବୋଲାଯାଇଥାଏ l
ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶରେ ଯୋଗ ଦେବା ନିମନ୍ତେ ବିଜିପୁର ଅଞ୍ଚଳର ବାସିନ୍ଦାମାନେ ପୂର୍ବରୁ ମାନସିକ କରିଥାଆନ୍ତି l ତେବେ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କୁ ଏଥିରେ ଅଂଶଗ୍ରହଣ କରିବା ନିମନ୍ତେ ବାରଣ ନାହିଁ l ବିଜିପୁର ଅଞ୍ଚଳର ସ୍ଥାୟୀ ବାସିନ୍ଦାମାନେ କାର୍ଯ୍ୟକ୍ଷେତ୍ରରେ ସହର ବାହାରେ ଅବସ୍ଥାପିତ ହୋଇଥିଲେ ହେଁ ଯାତ୍ରାରେ ବେଶଧାରଣ କରିବା ନିମନ୍ତେ ଆସୁଥିବା ଦେଖାଯାଏ l ସାଧାରଣତଃ ଠାକୁରାଣୀ ଯାତ୍ରା ଶେଷ ହେବା ୩ / ୪ ଦିନ ପୂର୍ବରୁ ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶ ବାହାରିଥାଏ l ଏହି ବେଶରେ ଅଂଶଗ୍ରହଣ କରିବା ନିମନ୍ତେ ଇଚ୍ଛୁକ ବ୍ୟକ୍ତିମାନେ ପାର୍ଟିର ସଭାପତିଙ୍କ ନେତୃତ୍ୱରେ ଏକତ୍ରର ହୋଇ ଲଣ୍ଡା ହୋଇଥାନ୍ତି ଏବଂ ସାମାନ୍ୟ ଜଳଯୋଗ ପରେ ସନ୍ଧ୍ୟାରେ ନଗର ପରିକ୍ରମାରେ ବାହାରି ପ୍ରଥମେ ବିଜିପୁରର ସମସ୍ତ ସାହୀ ବୁଲି ସହରର ରାଜରାସ୍ତାଦେଇ ଠାକୁରାଣୀଙ୍କ ଦର୍ଶନ ପାଇଁ ଯାଇଥାନ୍ତି l ଏମାନେ କାହାଠାରୁ କୌଣସି ଉପହାର ଗ୍ରହଣ କରନ୍ତି ନାହିଁ l
ବୁଦ୍ଧଂ-ଶରଣଂ-ଗଚ୍ଛାମି ବେଶରେ ୨୦ ବା ୨୧ ଜଣ ମଧ୍ୟବୟସ୍କ ବ୍ୟକ୍ତି ବୌଦ୍ଧଭିକ୍ଷୁ ବେଶ ଧାରଣ କରି ଶୋଭାଯାତ୍ରାରେ ସହରର ରାଜରାସ୍ତା ପରିକ୍ରମା କରି ଠାକୁରାଣୀଙ୍କ ଦର୍ଶନ ଲାଗି ଯାଇଥାନ୍ତି l ସେମାନେ ଭିକ୍ଷା ପାତ୍ର ଧରିଥାନ୍ତି ଏବଂ ସମ୍ପୂର୍ଣ୍ଣ ନୀରବତା ପାଳନ କରି ଶୋଭାଯାତ୍ରାରେ ଅଂଶଗ୍ରହଣ କରନ୍ତି l ଯେଉଁମାନେ ଦରିଦ୍ର ପଞ୍ଚାକ୍ଷର ପାର୍ଟି  ବେଶରେ ଅଂଶଗ୍ରହଣ କରି ଲଣ୍ଡା ହୋଇଥାନ୍ତି ସେମାନଙ୍କ ମଧ୍ୟରୁ ସୁସ୍ଥ ସବଳ ଚେହେରା ଥିବା କୋଡିଏ ଜଣଙ୍କୁ ନିର୍ବାଚନ କରି ହିଁ ଏହି ବେଶ ବାହାର କରାଯାଇଥାଏ l କୌଣସି ନୂଆ ବ୍ୟକ୍ତିକୁ ଗ୍ରହଣ କରାଯାଏ ନାହିଁ l ଏହି ବେଶ ସହ ୧୯୪୫ ମସିହା ବେଳକୁ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚିତ୍ର ଅଙ୍ଗୁଳିମାଳାର ଏକ ଗୀତ ଗାନ କରାଯାଉଛି l ଏହି ବେଶ ସାଧାରଣତଃ ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶ ବାହାରିବା ପରଦିନ ଆୟୋଜିତ ହୋଇଥାଏ l ‘ବୁଦ୍ଧଂ-ଶରଣଂ-ଗଚ୍ଛାମି ବେଶ ଦର୍ଶକଙ୍କ ମଧ୍ୟରେ ବେଶ୍ ଆଗ୍ରହ ସୃଷ୍ଟି କରିଥାଏ l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୨୧ ଏପ୍ରିଲ ୨୦୧୭

Saturday, April 22, 2017

Duration of Thakurani Yatra / ଠାକୁରାଣୀ ଯାତ୍ରା ଅବଧି

କିମ୍ବଦନ୍ତୀ ଅନୁଯାୟୀ ପ୍ରଥମ ଦେଶୀବେହେରା ଠାକୁରାଣୀ ଯାତ୍ରା ଆରମ୍ଭ କରିଥିଲେ l ଏହି ଦ୍ୱି-ବାର୍ଷିକ ଲୋକମହୋତ୍ସବ ଆୟୋଜନ ପରବର୍ତ୍ତୀ ଦେଶୀବେହେରାମାନଙ୍କ ତତ୍ୱାବଧାନରେ ହୋଇଆସୁଛି l ଏଥିଲାଗି ତେଲୁଗୁ ପୁରୋହିତ (ସିଦ୍ଧାନ୍ତି)ଙ୍କ ପରାମର୍ଶକ୍ରମେ ଶୁଭତିଥି ନିର୍ଣ୍ଣୟପରେ ଦେଶୀବେହେରା ପ୍ରଥମେ ନିଜ କୁଳର ସେନାପତି ଓ ପରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ସମର୍ଥନରେ ଯାତ୍ରା ଆୟୋଜନ ଘୋଷଣା କରିଥାନ୍ତି l
ତେବେ ଏହି ଭଳି ମହୋତ୍ସବ ଆୟୋଜନଲାଗି ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ ପଡିଥାଏ l ଦେଶୀବେହେରା ପ୍ରଶାସନ ନିକଟରେ ଦରଖାସ୍ତ ପେଶ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଠାକୁରାଣୀ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥାନ୍ତି l
ଗତ ୨୦୧୫ ମସିହାରେ ୨୮ ମାର୍ଚ୍ଚରୁ ୨୭ ଏପ୍ରିଲ ୩୧ ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଥିଲା l ପ୍ରଶାସନ ପକ୍ଷରୁ ପ୍ରଥମେ ୨୦ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ଦେଇଥିବା ବେଳେ ପରେ ପୁଣି ୧୧ ଦିନ ଯାତ୍ରାର ଅବଧି ବଢାଇଥିଲେ l ୨୦୧୩ ମସିହାରେ ଠାକୁରାଣୀ ଯାତ୍ରା ୫ ଏପ୍ରିଲରୁ ୨୯ ଏପ୍ରିଲ ୨୫ ଦିନ ଧରି ଅନୁଷ୍ଠିତ ହୋଇଥିଲା l ୨୦୧୧ ମସିହାରେ ଠାକୁରାଣୀ ଯାତ୍ରା ମଧ୍ୟ ୨୯ ଦିନ ଅନୁଷ୍ଠିତ ହୋଇଥିଲା l
ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକାଥରକେ ୩୦ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥିବା ଜଣାଯାଇଛି l ଗତ ୧୭ ମାର୍ଚ୍ଚ ରାତିରେ ଦେଶୀବେହେରା ନିଜ ବାସଗୃହ ସାମନାରେ ଆୟୋଜିତ ବୈଠକରେ ୨ ଏପ୍ରିଲରୁ ୧ ମେ ଯାଏଁ ୩୦ ଦିନ ଯାତ୍ରା ପାଇଁ ନିଷ୍ପତ୍ତି ଘୋଷଣା କରିଥିଲେ l ଏହିମତେ ସେ ପ୍ରଶାସନର ଅନୁମତି ଲୋଡିଥିଲେ l ପୂର୍ବରୁ ଯାତ୍ରା ପାଳନ ଲାଗି ପ୍ରଶାସନ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଅନୁମତି ଦିଆଯାଉଥିବାବେଳେ ଚଳିତ ବର୍ଷ ସେଥିରେ ବ୍ୟତିକ୍ରମ ଘଟିଛି l ଏକାଥରକେ ଯାତ୍ରାର ଅବଧି ନିର୍ଦ୍ଧାରଣ ଆୟୋଜନ ତଥା ଜନସାଧାରଣଙ୍କ ଯୋଗଦାନଲାଗି ସ୍ୱଚ୍ଛନ୍ଦ ପରିବେଶ ସୃଷ୍ଟି କରିବ l
ବ୍ରହ୍ମପୁର ଠାକୁରାଣୀ ଯାତ୍ରା କେତେ ଦିନ ପାଇଁ ପାଳିତ ହୁଏ ତାହା ପାରିପାରର୍ଶ୍ୱିକ ପରିସ୍ଥିତି ଉପରେ ନିର୍ଭର କରିଥାଏ l ତେବେ ତିନି ସପ୍ତାହ ବା ୨୧ ଦିନରୁ କେବେ କମ୍ ସମୟ ଯାତ୍ରା ଆୟୋଜିତ ହୁଏନା l ନିକଟ ଅତୀତରେ ହିସାବ ଖୋଜିବସିଲେ ଅନେକ ବର୍ଷ ଯାତ୍ରା ତିନି ସପ୍ତାହ ପାଳିତ ହୋଇଥିବା ଜଣାଯାଏ l ତେବେ ଅତୀତରେ ଠାକୁରାଣୀ ଯାତ୍ରା ଦେଢ ମାସରୁ ଦୁଇମାସ ଯାଏଁ ପାଳିତ ହେଉଥିବାର ସୂଚ଼ନା ମିଳେ l
#ବ୍ରହ୍ମପୁର ସହର ଏକ ବାଣିଜ୍ୟ ପେଣ୍ଠରୂପେ ଗଢି ଉଠିବା ପରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ଅବିଭକ୍ତ କୋରାପୁଟ, ଫୁଲବାଣୀ, କଳାହାଣ୍ଡି, ପୁରୀ ଓ ଶ୍ରୀକାକୁଲମ ଜିଲ୍ଲାର ଜନସାଧାରଣ କିଣାବିକା ପାଇଁ ଏଠାକୁ ଆସିବାକୁ ଲାଗିଲେ l ବିଶେଷ କରି ଲୁଗାପଟା, ପିତ୍ତଳ ବାସନକୁସନ ଓ ସୁନା ଗହଣା କିଣିବା ନିମିତ୍ତ ଗ୍ରାହକ ଏଠି ଏକତ୍ରୀତ ହେଉଥିଲେ l ଅତୀତରେ ଏହି ଅଞ୍ଚଳର ମୁଖ୍ୟ ଫସଲ ଧାନ କଟା, ମଳା ଓ ଖଣିପକା ପରେ ଚୈତ୍ର ମାସରେ ଚାଷୀ ହାତରେ କିଛି ପଇସା ଆସିଯାଇଥାଏ ଏବଂ ବିଲବାଡିରେ ବିଶେଷ କାମ ନଥାଏ l ଏହି ଅବସରରେ ସପରିବାର ସେ ଯାତ୍ରାରେ ଯୋଗ ଦେବା ନିମନ୍ତେ ଦୁଇବର୍ଷରେ ଥରେ ବ୍ରହ୍ମପୁରରେ ଆସିବା, ଠାକୁରାଣୀ ଯାତ୍ରା ଉପଭୋଗ ଏବଂ ବ୍ରହ୍ମପୁର ବଜାରରେ କିଣାବିକା ସେସମୟରେ ପ୍ରଚଳିତ ଧାରା ଥିଲା l ଏହି କାରଣରୁ ଦୀର୍ଘ ଦିନ ଧରି ଯାତ୍ରା ପାଳନ ନିମନ୍ତେ ଏଠାକାର ବ୍ୟବସାୟୀମାନଙ୍କ ପକ୍ଷରୁ ଆୟୋଜକଙ୍କୁ ପ୍ରୋତ୍ସାହିତ କରାଯାଉଥିଲା l
କ୍ରମଶଃ ଗମନାଗମନ ବ୍ୟବସ୍ଥାର ଉନ୍ନତି ତଥା ବ୍ରହ୍ମପୁର ସହରକୁ ଯିବା ଆସିବା ଏକ ଦୈନନ୍ଦିନ ବ୍ୟାପାର ହୋଇପଡିବା ପରେ ବ୍ୟବସାୟୀ ବା ଗ୍ରାହକ ଆଉ ଠାକୁରାଣୀ ଯାତ୍ରାକୁ ପ୍ରାଧାନ୍ୟ ଦେଲେ ନାହିଁ l ତେବେ ସମ୍ୱାଦପତ୍ରଗୁଡ଼ିକର ଆଞ୍ଚଳିକ ସଂସ୍କରଣ ପ୍ରକାଶନ ଓ ଟେଲିଭିଜନ ପ୍ରସାରଣ ପରିବ୍ୟାପ୍ତ ହେବାପରେ ବିଗତ ଦୁଇ ଦଶନ୍ଧୀ ଧରି ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପୁନଃ ଲୋକପ୍ରିୟତା ଫେରି ପାଉଥିବା ଲକ୍ଷ୍ୟ କରାଯାଇପାରେ l ଜଗତୀକରଣ ପରବର୍ତୀ ଅବସ୍ଥାରେ ବ୍ରହ୍ମପୁରର ତଥା ଆଖପାଖ ଅଞ୍ଚଳର ଜନସାଧାରଣ, ମୁଖ୍ୟତଃ ନିମ୍ନ ଆୟକାରୀବର୍ଗଙ୍କ ଆର୍ଥିକ ସ୍ୱଚ୍ଛଳତା ସେମାନଙ୍କୁ ବିଭିନ୍ନ ପର୍ବପର୍ବାଣୀରେ ଯୋଗଦାନକୁ ପ୍ରୋତ୍ସାହନ ଯୋଗାଇଛି l
ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ରୀତିନୀତି ଟେଲିଭିଜନ କାର୍ଯ୍ୟକ୍ରମରୁ ଅବଗତ ହୋଇ ବ୍ରହ୍ମପୁରବାସୀ ଏଠାକାର ଠାକୁରାଣୀ ଯାତ୍ରାରେ ତାହା ସନ୍ନିବେଶିତ କରାଉଥିବା ଦେଖିବାକୁ ମିଳୁଛି l ଉଦାହରଣ ସ୍ୱରୂପ ୨୦୦୯ ଯାତ୍ରାରେ ଯାତ୍ରା ଦର୍ଶକମାନଙ୍କୁ ଖାଦ୍ୟ ଓ ପାନୀୟ ପରିବେଷଣ ଧାରା ଆରମ୍ଭ ହୋଇଥିଲା l ୨୦୧୧, ୨୦୧୩ ଓ ୨୦୧୫ ଯାତ୍ରା ଅବସରରେ ଏହି ଧାରା ବ୍ୟାପକ ଆକାର ଧାରଣ କରିଛି l ଏହା ୨୦୦୫ ମୁମ୍ୱାଇର ରାଜରାସ୍ତାରେ ବନ୍ୟା ତଥା ବିଭିନ୍ନ ଧାର୍ମିକସ୍ଥଳରେ ପ୍ରସାଦ ବଣ୍ଟନର ନକଲ ବୋଲି କୁହାଯାଇପାରେ l ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକଉତ୍ସବ ରୂପେ ଗଢି ଉଠିଥିବା ହେତୁ ସର୍ଜନଶୀଳତା ଏଥିରେ ଭରି ରହିଥାଏ l ସ୍ଥାନୀୟ ଜନସାଧାରଣ ଉତ୍ସବ ପାଳନରେ ନୂଆ ନୂଆ ଫର୍ଦ୍ଦ ଯୋଗ କରିଥାନ୍ତି l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୨୦ ଏପ୍ରିଲ ୨୦୧୭

Friday, April 21, 2017

Thanks Giving carnival / କୃତଜ୍ଞତାଜ୍ଞାପନର ପର୍ବ

ହିନ୍ଦୁ ଧର୍ମାବଲମ୍ବୀମାନେ ଦେବଦେବୀଙ୍କଠାରେ କୃତଜ୍ଞତାଜ୍ଞାପନ ପାଇଁ ବିଭିନ୍ନ ତୀର୍ଥ ଭ୍ରମଣ ତଥା ଧାର୍ମିକ ଉତ୍ସବରେ ଅଂଶ ଗ୍ରହଣ କରିଥାନ୍ତି l ସାଧାରଣ ଜୀବନଯାତ୍ରାରେ ଝଡ଼ଝଞ୍ଜାର ସମ୍ମୁଖୀନ ହେବାବେଳେ ଅନେକେ ଦେବଦେବୀଙ୍କ କୃପା ଲାଭଲାଗି ପ୍ରାର୍ଥନା କରି ଶରଣାପନ୍ନ ହୋଇଥାନ୍ତି l ସମୟାନ୍ତେ ସ୍ଥିତାବସ୍ଥାକୁ ଫେରିବା ପରେ ବିଭିନ୍ନ ଧାର୍ମିକ ପର୍ବପର୍ବାଣୀରେ ଅଂଶ ଗ୍ରହଣ କରି କୃତଜ୍ଞତା ଜ୍ଞାପନ ମଧ୍ୟ କରିଥାନ୍ତି l ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକମହୋତ୍ସବ ଭାବେ ଗଢ଼ି ଉଠିଥିବାସ୍ଥଳେ ମୁଖ୍ୟତଃ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ ତଥା ମାନସିକ ବେଶ ଧାରଣକୁ ବିଚାରକୁ ନେଲେ ଏହାକୁ ଏକ କୃତଜ୍ଞତା ଜ୍ଞାପନର ପର୍ବ ରୂପେ ବିବେଚନା କରାଯାଇପାରେ l
ଠାକୁରାଣୀ ଯାତ୍ରାରେ ବେଶ ଧାରଣ ପାଇଁ ଜଣେ ନିଜେ ମାନସିକ କରିପାରେ କିମ୍ବା ଅନ୍ୟ ଜଣକ ପାଇଁ ମଧ୍ୟ ମାନସିକ କରାଯାଇ ପାରେ l ବୟସ୍କ ପୁରୁଷମାନେ ନିଜେ ମାନସିକ କରୁଥିବା ବେଳେ କମ ବୟସର ବାଳକମାନଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା ବା ପରିବାରର ଗୁରୁଜନମାନେ ମାନସିକ କରିଥାନ୍ତି l ପାରମ୍ପରିକଭାବେ ଗଞ୍ଜାମ ଜିଲ୍ଲାରେ ଶକ୍ତିପୂଜା ବହୁଳଭାବେ ପ୍ରଚଳିତ ଏବଂ ବ୍ରହ୍ମପୁରରେ ବଡ ଠାକୁରାଣୀ ଅଧିଷ୍ଠାତ୍ରୀ ଦେବୀରୂପେ ପୂଜିତ l ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ୨୪୦ରୁ ଅଧିକ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ହେତୁ ଏହି ଭଳି ଏକ ଧାର୍ମିକ ମହୋତ୍ସବରେ ବେଶ ଧାରଣଲାଗି ମାନସିକ କରିବା ଧାରା ଲୋକଆଦୃତ ହୋଇପାରିଛି l ବେଶଧାରଣ କେବଳ ପୁରୁଷମାନଙ୍କ କ୍ଷେତ୍ରରେ, ମୁଖ୍ୟତଃ ବାଳକଙ୍କଠାରୁ ଯୁବକଙ୍କ ମଧ୍ୟରେ ସୀମିତ ଥିବାବେଳେ ମହିଳାମାନେ ଘଟଧାରଣ ଲାଗି ମାନସିକ କରିଥାନ୍ତି l ପୁରୁଣା ବ୍ରହ୍ମପୁରର ଅନେକ ପରିବାରରେ ଏହା ଏକ ପରମ୍ପରା ରୂପେ ପ୍ରବର୍ତ୍ତି ହୋଇଆସିଛି l
ଠାକୁରାଣୀ ଯାତ୍ରା ଆୟୋଜନରେ ବିଭିନ୍ନ ନୀତି ରୂପାୟନ ଲାଗି କେତେକ ନିର୍ଦ୍ଦିଷ୍ଟ ପରିବାର ପୁରୁଷାନୁକ୍ରମିକ ଭାବେ ସେବା ଯୋଗାଇ ଆସୁଥିବା ଲକ୍ଷ୍ୟ କରାଯାଇପାରେ l ଯାତ୍ରା ଆୟୋଜନ ନିମନ୍ତେ ନିଷ୍ପତି ଗ୍ରହଣ ପରେ ଶୁଭଖୁଣ୍ଟି ସ୍ଥାପନଠାରୁ ଆରମ୍ଭ କରି, ଅସ୍ଥାୟୀ ମଣ୍ଡପ ନିର୍ମାଣ, ଗୋବର ଲେପନ ଓ ଝୋଟି ଦିଆ, ଘଟ ନିର୍ମାଣ, ଘଟ ଚିତ୍ରଣ, ଫୁଲ ସଂଗ୍ରହ, ବାଉଁଶ ଚାଙ୍ଗୁଡ଼ି ପ୍ରଦାନ, ଛାମୁଣ୍ଡିଆ ନିର୍ମାଣ, ଘଟ ପରିକ୍ରମାରେ ସୁରକ୍ଷା ଏବଂ ପୂଜା ପଦ୍ଧତି ପରିଚାଳନା ଲାଗି ବଂଶାନୁକ୍ରମିକଭାବେ କାର୍ଯ୍ୟ କରି ଆସୁଛନ୍ତି l
ଦ୍ୱି-ବାର୍ଷିକ #ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ଦେଶୀବେହେରା ନିଜ କୁଳର ସେନାପତି ଓ ସର୍ବସାଧାରଣଙ୍କ ସମ୍ମତି ହାସଲ କରିବାପରେ ବଡ ଠାକୁରାଣୀଙ୍କଠାରୁ ଆଜ୍ଞା ପାଇ ଶୁଭଖୁଣ୍ଟ ସ୍ଥାପନ ମାଧ୍ୟମରେ ଯାତ୍ରା ତିଥି ଘୋଷଣା କରିଥାନ୍ତି l ଶୁଭଖୁଣ୍ଟ ପ୍ରସ୍ତୁତି ନିମନ୍ତେ ବାଉଁଶ ଆଗାସାହୀସ୍ଥିତ ପୃଷ୍ଟି ବଂଶ ପୁରୁଣା ବାଉରି ସାହୀରୁ କାଟି ଆଣିଥାନ୍ତି l ପୃଷ୍ଟି ପରିବାରଙ୍କ କୌଳିକ ବୃତ୍ତି ତୁଳାଭିଣା l ସେ ବାଉଁଶ ନିଜ ଘରେ ଇଷ୍ଟଦେବୀଙ୍କଠାରେ ପୂଜା କରି ଗେରୁ ଲିପି ଚନ୍ଦନ, ସିନ୍ଦୁର ଲଗାଇ ଦେଶୀବେହେରାଙ୍କ ଘର ସାମନାରେ ଆୟୋଜିତ ସଭାସ୍ଥଳକୁ ଆଣିଥାନ୍ତି l ଏହି ଶୁଭଖୁଣ୍ଟ ଶୋଭାଯାତ୍ରାରେ ବଡ ଠାକୁରାଣୀ ମନ୍ଦିରକୁ ନିଆଯାଇ ଆଜ୍ଞାମାଳ ସହ ଫେରିବା ପରେ ଅସ୍ଥାୟୀ ମଣ୍ଡପ ନିର୍ମାଣସ୍ଥଳରେ ସ୍ଥାପନ କରାଯାଇଥାଏ l
ଅସ୍ଥାୟୀ ପୂଜା ମଣ୍ଡପ ନିର୍ମାଣ ପାଇଁ ଜଣେ କୌଳିକ ମହାରଣା ସ୍ୱତଃପ୍ରବୃତଭାବେ ସେବା ଯୋଗାଉଥିବା ବେଳେ ପାରମ୍ପରିକଭାବେ ଶଙ୍କରପୁର ସାହୀର ବାଉରି ସଂପ୍ରଦାୟର ଅବିବାହିତ କନ୍ୟା ଓ ମହିଳାମାନେ ଅସ୍ଥାୟୀ ମଣ୍ଡପରେ ଗୋବର ଲିପା ଓ ଝୋଟି ଦିଆ କାର୍ଯ୍ୟ ସମାପନ କରିଥାନ୍ତି l ଅସ୍ଥାୟୀ ମଣ୍ଡପ କଞ୍ଚା ବାଉଁଶ ଓ ନଡ଼ାରେ ନିର୍ମିତ ହେବା ବେଳେ ଝୋଟି ପାଇଁ ଧଳା ଖଡି ପାଣିରେ ଘୋରି ପିଠଉ ତିଆରି କରାଯିବା ନୀତି ରହିଛି l ଠାକୁରାଣୀଙ୍କୁ ନିମନ୍ତ୍ରଣ କରିବାପାଇଁ ଫୁଲସୁନ୍ଦରୀ ସାହୀରୁ ଫୁଲ ଚାଙ୍ଗୁଡି ଅଣାଯାଉଥିବା ବେଳେ ଷଣ୍ଢ ମହାନ୍ତି ସାହୀରେ ବସବାସ କରୁଥିବା ଅନ୍ୟଏକ ରାଉଳ ପରିବାର ଇଟାମଲ୍ଲୀ ଫୁଲ ହାର ଯୋଗାଇଥାନ୍ତି l
ବଡ ବଜାରରେ ଆୟୋଜିତ ଠାକୁରାଣୀ ଯାତ୍ରା ପାଇଁ ଅନ୍ୟୂନ ସାତ କିଲୋମିଟର ଦୂରବର୍ତ୍ତୀ ଲାଞ୍ଜିପଲ୍ଲୀର କୁମ୍ଭାରମାନେ ଘଟ ନିର୍ମାଣ କରି ଆସୁଛନ୍ତି l ଶୁଭ ତିଥି ଚୟନ କରି କୁମ୍ଭାରମାନେ ଘଟ ତିଆରି କାମ ଆରମ୍ଭ କରିଥାନ୍ତି l ମଧ୍ୟରାତ୍ରୀରେ କୁମ୍ଭାର ପରିବାରର ଜଣେ ପୁରୁଷ ସଦସ୍ୟ ମୃତିକା ପୂଜା କରି ଏକ ନିର୍ଦ୍ଦିଷ୍ଟସ୍ଥାନରୁ କାଠରେ ତାଡି ମାଟି ସଂଗ୍ରହ କରିଥାନ୍ତି l ମାଟି ହାଣ୍ଡି ନିର୍ମାଣ ପରେ ତାହାକୁ ଯେଉଁ ସ୍ଥାନରେ ପୋଡ଼ା ଯାଇଥାଏ ତାହାକୁ ପୋତି ଦିଆଯାଏ l ଅପର ପକ୍ଷେ ଯାତ୍ରାର ଶେଷ ଦିବସରେ ସାଧାରଣ ମହିଳାମାନେ ମଣ୍ଡନ କରୁଥିବା ଘଟ ଲାଠୀ ଓ ଚିକରଡା ଗ୍ରାମର କୁମ୍ଭକାରମାନଙ୍କ ଦ୍ୱାରା ନିର୍ମିତ ହୋଇଥାଏ l ଲାଞ୍ଜିପଲ୍ଲୀର କୁମ୍ଭକାରମାନେ ଦେଶୀବେହେରାଙ୍କ ଘରେ ଘଟ ଯୋଗାଇ ଦେବା ପରେ ମୁଖ୍ୟ ଘଟ ସହ ଆଠଗୋଟି ପାର୍ଶ୍ୱଘଟକୁ ଆଇନାବନ୍ଧ ସାହୀର ଏକ ପରିବାରର ମହିଳାମାନେ ଚିତ୍ରିତ କରିଥାନ୍ତି l ଘଟରେ ବ୍ୟବହୃତ ଟାହିଆ ଶଙ୍କରପୁର ସାହୀର ମେଦିରିମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ l ସେହିପରି ଠାକୁରାଣୀଙ୍କୁ ନିମନ୍ତ୍ରଣ ଶୋଭାଯାତ୍ରାରେ ପାଣ୍ଡବ ନଗରର ବାଦ୍ୟକାର ଓ ଷଣ୍ଢ ମହାନ୍ତି ସାହୀର ବୀରକାହାଳି ବାଦକ ସାମିଲ ହୋଇ ଆସୁଛନ୍ତି l ଘଟ ପରିକ୍ରମା କାଳରେ ମୁଖ୍ୟଘଟ ପାର୍ଶ୍ୱରେ ଦଳେଇ ବଂଶଜ ସାହାୟତା ପ୍ରଦାନର ପରମ୍ପରା ରହିଛି l ସେମାନେ ପ୍ରସାଦ ବିତରଣ ଓ ଅସ୍ଥାୟୀ ମଣ୍ଡପରେ ପରିଚ୍ଛନ୍ନତା ଇତ୍ୟାଦି କାର୍ଯ୍ୟ ମଧ୍ୟ ତତ୍ୱାବଧାନ କରିଥାନ୍ତି l ଯାତ୍ରା ପାଇଁ ଛାମୁଣ୍ଡିଆ ନିର୍ମାଣ କାମର ଦାୟିତ୍ୱ ପ୍ରତିବର୍ଷ ଦେଶୀବେହେରା ସାହୀ ବ୍ୟବସାୟୀ ସଂଘ, ଦେଶୀବେହେରା ସାହୀ ପଟ୍ଟା ରିକ୍ସା ସଂଘ, ତ୍ରିନାଥ ଠାକୁର ପଟ୍ଟା ରିକ୍ସା ସଂଘ, ନଡିଆ ଗୋର୍ଜୀ ବ୍ୟବସାୟୀ ସଂଘ ପ୍ରମୁଖ ଗ୍ରହଣ କରିଥାନ୍ତି l ଠାକୁରାଣୀ ଯାତ୍ରାରେ ଭୋଗ ରୂପେ ପ୍ରସିଦ୍ଧ ଗଜା ମୁଆଁ ପୁରୁଣା ବ୍ରହ୍ମପୁରର ଗୁଡିଆ ସଂପ୍ରଦାୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ବିକ୍ରୀ କରାଯାଇଥାଏ l
ଠାକୁରାଣୀ ଯାତ୍ରା ଆୟୋଜନ କାଳରେ ଦେଶୀବେହେରାଙ୍କ ପକ୍ଷରୁ ବିଭିନ୍ନ ସେବା ପ୍ରଦାନକାରୀ ପରିବାର ଓ ସଂପ୍ରଦାୟଙ୍କୁ ଯାତ୍ରାରେ ଯୋଗଦାନ ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯିବା ପରମ୍ପରା ରହିଛି l ଏହିପରି ସାମୂହିକ ଉଦ୍ୟମ ହେତୁ ଯାତ୍ରା ପରିଚାଳନା ସମ୍ଭବପର ହୋଇଥାଏ l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୧୯ ଏପ୍ରିଲ ୨୦୧୭

Thursday, April 20, 2017

Tradition of Thakurani Jatra in Berhampur / ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଐତିହ୍ୟ

#ବ୍ରହ୍ମପୁର ସହରର ପାରମ୍ପରିକ ଠାକୁରାଣୀ ଯାତ୍ରା ସମଗ୍ର ଦକ୍ଷିଣ ଓଡ଼ିଶା ଓ ଉତ୍ତରପୂର୍ବ ଆନ୍ଧ୍ରପ୍ରଦେଶରେ ପ୍ରସିଦ୍ଧ l ପ୍ରତି ବର୍ଷକ ଅନ୍ତରରେ ଥରେ ଚୈତ୍ର ଓ ବୈଶାଖ ମାସରେ ପାଳିତ ହେଉଥିବା ଏହି ଯାତ୍ରା ସହରର ସାମାଜିକ, ସାଂସ୍କୃତିକ ତଥା ଅର୍ଥନୀତିକ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଥାଏ l ବ୍ରହ୍ମପୁର ସହରର ଅଧିଷ୍ଠାତ୍ରୀଦେବୀ ବଡ଼ଠାକୁରାଣୀଙ୍କ ଏହି ଯାତ୍ରା ମହୋତ୍ସବ ପାଳନ ଅବସରରେ ଗ୍ରାମାଞ୍ଚଳରୁ ଅଗଣିତ ଦର୍ଶନାଭିଳାଷୀ ଆକର୍ଷିତ ହୋଇଥାନ୍ତି l
ଠାକୁରାଣୀ ଯାତ୍ରା କେଉଁ ସମୟରୁ ଆରମ୍ଭ ହୋଇଛି ସେ ସମ୍ପର୍କରେ ନିର୍ଦ୍ଧିଷ୍ଟ ପ୍ରାମାଣିକ ତଥ୍ୟ ଉପଲବ୍ଧ ନଥିଲେ ହେଁ କିମ୍ୱଦନ୍ତୀକୁ ପାଥେୟ କରି ଏ ସମ୍ପର୍କରେ ଆଲୋଚନା କରାଯାଇପାରେ l ଠାକୁରାଣୀ ଯାତ୍ରା ସହ ଆଜି ସୁଦ୍ଧା ଦେବାଙ୍ଗ ବା ଡ଼େରା ବୁଣାକାର ସଂପ୍ରଦାୟ ଓ ମହୁରି ରାଜପରିବାରଙ୍କ ସଂଶ୍ଲିଷ୍ଟତାକୁ ବିଚାରକୁ ନେଇ ମହୁରି ରାଜାଙ୍କ ରାଜମହେନ୍ଦ୍ରୀ ଭ୍ରମଣ କିମ୍ୱଦନ୍ତୀକୁ ପ୍ରାଧାନ୍ୟ ଦିଆଯାଇପାରେ l
କୁହାଯାଏ ଯେ, ମହୁରି ରାଜା ହରିହର ନରେନ୍ଦ୍ର ଦେବ ଏକଦା ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିଲେ ଏବଂ ସେଠାକାର ବୁଣାକାରମାନଙ୍କ ଶିଳ୍ପଚାତୁର୍ଯ୍ୟରେ ମୁଗ୍ଧ ହୋଇଥିଲେ l ରାଜାଙ୍କ ସହ ପରିଚିତ ହେବା ପରେ ରାଜକୃପା ଲାଭ କରି ରାଜମହେନ୍ଦ୍ରୀରୁ କେତେକ ବୁଣାକାର ମହୁରି ରାଜ୍ୟକୁ ଆସି ନୂଆ କରି ଗଢ଼ି ଉଠିଥିବା ମହୁରି ରାଜବାଟୀ ନିକଟରେ ବସତି ସ୍ଥାପନ କରିଥିଲେ l ବଂଶାନୁକ୍ରମିକଭାବେ ସେହିମାନେ ହିଁ ଆଜିକାର ଡ଼େରା ବୁଣାକାର ସଂପ୍ରଦାୟରୂପେ ପରିଚିତ l
ବୁଣାକାର ସଂପ୍ରଦାୟଙ୍କ ମହୁରି ରାଜ୍ୟକୁ ଆଗମନ ଓ ବ୍ୟବସାୟ ଆରମ୍ଭ ପରେ ପରେ ସେମାନେ ଘଟପୂଜା ପଦ୍ଧତି ଏଠାରେ ପ୍ରଚଳନ କରିଥିଲେ l ‘ଡ଼େରାମାନଙ୍କ ପାଟମଠା ବସ୍ତ୍ରର ଖ୍ୟାତି ବଢ଼ିଚାଲିଲା ଏବଂ ସେମାନେ ଆର୍ଥିକ ଦୃଷ୍ଟିକୋଣରୁ ଖୁବ୍ ସ୍ୱଚ୍ଛଳ ହେଲେ l ବ୍ୟାବସାୟିକ ତଥା ଆର୍ଥିକ ସଫଳତା ଆଡ଼ମ୍ବରପୂର୍ଣ୍ଣ ଓ ବ୍ୟୟବହୁଳ ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ପ୍ରଶସ୍ତ କ୍ଷେତ୍ର ଯୋଗାଉଥିଲା ବୋଲି ବିଶ୍ୱାସ କରାଯାଇପାରେ l
ତତ୍ ପରବର୍ତ୍ତୀ ଅବସ୍ଥାରେ ବ୍ରହ୍ମପୁର ବ୍ୟାବସାୟିକ କ୍ଷେତ୍ରରେ କୁମୁଟି ବୈଶ୍ୟ ସଂପ୍ରଦାୟଙ୍କ ପ୍ରାଧାନ୍ୟତା ଅନୁଭବ ହୋଇଥିଲା ଏବଂ ସେମାନଙ୍କପକ୍ଷରୁ ମଧ୍ୟ ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ସହଯୋଗ ଜାରୀ ରହିଥିଲା l ତେବେ ମୂଳତଃ ଧାର୍ମିକ ତଥା ପାରମ୍ପରିକ ଧାରାକୁ ବାଦ ଦେଇ ବିଶ୍ଲେଷଣ କଲେ ଫସଲ ଆମଦାନୀପର ଗ୍ରୀଷ୍ମଋତୁରେ ଏଭଳି ଏକ ଯାତ୍ରା ଆୟୋଜନ ଫଳରେ ଗ୍ରାମାଞ୍ଚଳରୁ ଜନସାଧାରଣ ବ୍ରହ୍ମପୁର ବଜାର ପ୍ରତି ଆକୃଷ୍ଟ ହେବା ଏବଂ ବ୍ୟବସାୟୀଗଣ ଏଥିରୁ ବ୍ୟାବସାୟିକ ଫାଇଦା ପାଇଁ ଏକ ସୁଯୋଗ ସୃଷ୍ଟି କରିବା ଉଦ୍ୟମରେ ଯାକଜମକରେ ଯାତ୍ରା ପାଳନ ଲାଗି ପୃଷ୍ଠପୋଷକତା ଯୋଗାଇଥିବା ସ୍ପଷ୍ଟ ବାରି ହୁଏ l
ଭାରତବର୍ଷରେ ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ସ୍ୱାଧୀନତା ପ୍ରାପ୍ତିର ପ୍ରାକ୍ କାଳରେ ଦେଶରେ ସର୍ବତ୍ର ଏଭଳି ଧାର୍ମିକ ମେଳନଗୁଡ଼ିକୁ ବ୍ୟାବସାୟିକ ଉନ୍ନତି ପାଇଁ ପ୍ରକୃଷ୍ଟ କ୍ଷେତ୍ର ରୂପେ ବ୍ୟବହାର କରାଯାଉଥିଲା l ଅତୀତରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏହି ଅଞ୍ଚଳର ଜନସମାଗମ ପାଇଁ ଏକ ବିଶିଷ୍ଟ ଉତ୍ସବ ରୂପେ ବିବେଚିତ ହେଉଥିବା ଯୋଗୁ ସ୍ଥାନୀୟ ବ୍ୟାବସାୟିକ ଆଭିବୃଦ୍ଧି ନିମନ୍ତେ ଏକ ମୁଖ୍ୟ ଆକର୍ଷଣ ପାଲଟିଥିବା ଲକ୍ଷ୍ୟ କରାଯାଇପାରେ l
୧୯୩୬ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନପରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକ ନିମନ୍ତେ ପ୍ରଶାସନିକ ମହକୁମା ତଥା ୧୯୧୮ରେ ବ୍ରହ୍ମପୁର ରେଳଷ୍ଟେସନ କାର୍ଯ୍ୟକ୍ଷମପରେ ଏହା ଏକ ବ୍ୟାବସାୟିକ କେନ୍ଦ୍ରରୂପେ ଗଢ଼ି ଉଠିବା ଅବସରରେ ସହରର ଜନସଂଖ୍ୟା ବୃଦ୍ଧି ପାଇଥିଲା l ଅପରପକ୍ଷରେ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ସମାଜରେ ଆର୍ଥିକ ସ୍ୱଚ୍ଛଳତା ଆଡ଼ମ୍ୱର ସହକାରେ ଉତ୍ସବଅନୁଷ୍ଠାନ ପାଳନ ନିମନ୍ତେ କ୍ରମଶଃ ସୁଯୋଗ ସୃଷ୍ଟି କରିଥିଲା l ଏହିସବୁ କାରଣ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଯାକଜମକରେ ଆୟୋଜନ ନିମନ୍ତେ ପରିବେଶ ସୃଷ୍ଟି କରିଥିବା ଜଣାଯାଏ l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୧୦ ଏପ୍ରିଲ ୨୦୧୭

Friday, October 7, 2016

Berhampur Durga Puja in the pages of history / ଇତିହାସରେ ବ୍ରହ୍ମପୁର ଦୁର୍ଗାପୂଜା

ବ୍ରହ୍ମପୁରରେ ସାର୍ବଜନୀନ ଦୁର୍ଗା ପୂଜା ସହରର ପାର୍ବଣ ପଞ୍ଜିକାର ଅନ୍ୟତମ ଆକର୍ଷଣ l ଠାକୁରାଣୀ ଯାତ୍ରା ଓ ଗଣେଶ ପୂଜା ସାଙ୍ଗକୁ ଦଶହରା ପୂଜା ଏଠାରେ ସାମୂହିକ ଉଦ୍ୟମରେ ଜାକଜମକରେ ପାଳିତ ହୋଇଥାଏ l କାଳୀ, ଲକ୍ଷ୍ମୀ, ସରସ୍ୱତୀ ଓ ବିଶ୍ୱକର୍ମା ପୂଜା ତଥା ଗହ୍ମା ଡ଼ିଆଁ, ଭୋଗି ଧୂନୀ ଇତ୍ୟାଦି ଅଞ୍ଚଳଭିତ୍ତିକ ବା ଗୋଷ୍ଠୀ ମଧ୍ୟରେ ସୀମିତ ରହିଥାଏ l
          ଏଠାକାର ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ତୁଳନାତ୍ମକ ଭାବେ ନିକଟ ଅତୀତର ପରମ୍ପରା l କୋଲକତାରୁ କଟକ ମଧ୍ୟ ଦେଇ ଏହିଭଳି ଏକ ସାମୂହିକ ପୂଜା ଅର୍ଚ୍ଚନା ପ୍ରଥା ଆମ ସହରରେ ଗତ ଶତାଦ୍ଦୀର ପଞ୍ଚମ ଓ ଷଷ୍ଠ ଦଶକରେ ଲୋକପ୍ରିୟ ହୋଇଥିଲା l ଅବଶ୍ୟ ଏଥିପୂର୍ବରୁ ବଙ୍ଗଭାଷାଭାଷୀଙ୍କ ଦ୍ୱାରା ଦୁର୍ଗାପୂଜା ଆୟୋଜନର ପରମ୍ପରା ରହିଥିଲା l 1934 ମସିହାରୁ ବିଧିବଦ୍ଧଭାବେ ଆଦି ଦୁର୍ଗାପୂଜା ସମିତିଆନୁକୂଲ୍ୟରେ ବଙ୍ଗଭାଷୀଙ୍କ ଦୁର୍ଗାପୂଜା ଅନୁଷ୍ଠିତ ହୋଇ ଆସୁଛି l
          ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥାରେ ବେଙ୍ଗାଲ ନାଗପୁର ରେଳୱେ କମ୍ପାନୀରେ ସଂଖ୍ୟାଧିକ ବଙ୍ଗଳା କର୍ମଚାରୀ କାର୍ଯ୍ୟକରୁଥିବା ଅବସରରେ ବ୍ରହ୍ମପୁର ରେଳଷ୍ଟେସନରେ ମଧ୍ୟ କିଛି ଅବସ୍ଥାପିତ ହୋଇଥାନ୍ତି l ସେମାନଙ୍କ ଉଦ୍ୟମରେ ବଙ୍ଗଳାର ପ୍ରସିଦ୍ଧ ଶାରଦୀୟ ପର୍ବ ସାର୍ବଜନୀନ ଦୁର୍ଗାପୂଜା ପ୍ରଥମ ପାଞ୍ଚବର୍ଷ ଧରି ସ୍ଥାନୀୟ ରେଳୱେ ଇନଷ୍ଟିଟିଉଟରେ ଆୟୋଜନ କରାଯାଇଥିବା ଜଣାଯାଏ l ସ୍ୱାଧୀନତା ପ୍ରାପ୍ତି ଅବସରରେ ଦେଶ ବିଭାଜନ କାଳରେ ବହୁ ବଙ୍ଗଭାଷୀ ପରିବାର ତତ୍ କାଳୀନ ପୂର୍ବ-ପାକିସ୍ଥାନ ବା ଆଜିର ବଙ୍ଗଳାଦେଶରୁ ଆସି ବ୍ରହ୍ମପୁରରେ ବସବାସ ଆରମ୍ଭ କରିଥିଲେ l ଫଳତଃ ସହରରେ ବଙ୍ଗଭାଷୀଙ୍କ ସଂଖ୍ୟା ବଢ଼ିଥିଲା ଏବଂ ପୂଜା ଆୟୋଜନ ପରିବ୍ୟାପ୍ତ ହୋଇଥିଲା l
          ସହରର ପ୍ରାଚ଼ୀନତମ ଦୁର୍ଗାମେଢ଼ମାନଙ୍କ ମଧ୍ୟରେ ସାନବଜାର-ହନୁମାନବଜାର ଦୁର୍ଗାପୂଜା ଅନ୍ୟତମ l ସ୍ୱାଧୀନୋତ୍ତର ଅବସ୍ଥାରେ ସେ ଅଞ୍ଚଳରେ କୁଆଡ଼େ ପ୍ରବଳ ମାତ୍ରାରେ ଜୁଆଖେଳ ଚାଲିଥାଏ l ମଫସଲ ଅଞ୍ଚଳରୁ କିଣାବିକା ଉଦ୍ଦେଶ୍ୟରେ ସହରରେ ଆସି ପହଞ୍ଚୁଥିବା ଗାଉଁଳି ଲୋକେ ଏଠାକାର ତିନିପତ୍ତା ହାତସଫେଇ ତାସଖେଳରେ ସର୍ବସ୍ୱାନ୍ତ ହୋଇ ଗ୍ରାମକୁ ଫେରିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଥାଏ l ଏଭଳି ଜୁଆଖେଳରେ ଗରାଖମାନେ ଶିକାର ହେଉଥିବା ହେତୁ ସ୍ଥାନୀୟ ବ୍ୟବସାୟରେ ମାନ୍ଦାବସ୍ଥା ଦେଖା ଦେଇଥିଲା ଏବଂ ବ୍ୟବସାୟୀମାନେ ସାନବଜାର ଅଞ୍ଚଳରୁ ଜୁଆଖେଳକୁ ମୂଳପୋଚ୍ଛ କରିବା ନିମନ୍ତେ ସଂଗଠିତ ହୋଇପଡ଼ିଥିଲେ l ଏହି ଅଞ୍ଚଳର ପ୍ରତ୍ୟେକ ବ୍ୟବସାୟୀ ଦୈନିକ ଦଶ ପଇସା ହିସାବରେ ଚାନ୍ଦା ସଂଗ୍ରହ କରି ଜୁଆଖେଳ ବିରୁଦ୍ଧରେ ବିଦ୍ରୋହ ଘୋଷଣା କଲେ l ତେବେ ପରବର୍ତ୍ତୀ ଅବସ୍ଥାରେ ପ୍ରଶାସନିକ ତତ୍ପରତା ହେତୁ ଜୁଆଖେଳ ଆପତତଃ ବନ୍ଦ ହୋଇଯିବା ଫଳରେ ଗଚ୍ଛିତ ଚାନ୍ଦାର ସଦ୍ ବିନିଯୋଗ କରିବା ନିମନ୍ତେ ସାନବଜାର ହନୁମାନ ବଜାର ଛକରେ 1956 ମସିହାରୁ ସାମୂହିକ ଦୁର୍ଗାପୂଜାର ପରିକଳ୍ପନା କରାଯାଇଥିଲା l

          #ବ୍ରହ୍ମପୁର ସହରରେ ଗତବର୍ଷ 2015ରେ 38 ଗୋଟି ସାମୂହିକ ଦୁର୍ଗପୂଜା ଅନୁଷ୍ଠିତ ହୋଇଥିଲା l ମୁଖ୍ୟତଃ ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ଓ ଯୁବକ ସଂଘଗୁଡ଼ିକ ତତ୍ତ୍ୱାବଧାନରେ ଦୁର୍ଗାମେଢ଼ ଆୟୋଜନ କରାଯାଇଥାଏ l ଭିନ୍ନଭିନ୍ନ ଅଞ୍ଚଳର ଦୁର୍ଗାପୂଜାକୁ ନେଇ ବିଭିନ୍ନ ଘଟଣା ଯୋଡ଼ି ହୋଇ ରହିଥାଏ l

          ଇଞ୍ଜିନିଅରିଂ ସ୍କୁଲ ଛକରେ 1965 ମସିହାରୁ ମାଜୟଦୁର୍ଗା ନବରାତ୍ର ପୂଜା ଅବସରରେ ପ୍ରତିପଦା ତିଥି ପୂର୍ବାହ୍ନରେ ମନ୍ଦିରରୁ ଆସି ଅସ୍ଥାୟୀ ମଣ୍ଡପରେ ପୂଜିତ ହୋଇଥାନ୍ତି l ଦଶହରା ପୂଜା ଶେଷ ରାତିରେ ଦେବୀ ସାହୀ ପରିକ୍ରମା କରି ମନ୍ଦିର ଫେରନ୍ତି l ଏଠାକାର ପୂଜା ପଦ୍ଧତି ନିଆରା l ପ୍ରତିବର୍ଷ ତୋରଣ ନିର୍ମିତ ହୁଏ, ତେବେ ମୃଣ୍ମୟ ମୂର୍ତ୍ତି ଗଠନ ହୁଏନାହିଁ l କୁହାଯାଏ ଯେ ସହରର ତତ୍ କାଳୀନ ପ୍ରବେଶ ପଥ ଇଞ୍ଜିନିୟରିଂ ସ୍କୁଲ ଛକରେ ବାରମ୍ୱାର ମୋଟର ଦୁର୍ଘଟଣା ଘଟୁଥିଲା l ତେବେ ସେଠାରେ ମନ୍ଦିର ନିର୍ମିତ ହେବା ପରେ ଦୁର୍ଘଟଣାର ହାର କମିଗଲା l ମନ୍ଦିର ପ୍ରତିଷ୍ଠା ସମୟରୁ ଦଶହରା ଉତ୍ସବ ଆୟୋଜିତ ହୋଇଚାଲିଛି l
ସମ୍ୱାଦ (ବ୍ରହ୍ମପୁର ସଂସ୍କରଣ) 3 ଅକ୍ଟୋବର 2016

Sunday, August 28, 2016

No protest for rise in city bus fare / ସିଟିବସ ଭଡ଼ା ବୃଦ୍ଧିର ବିରୋଧ ନାହିଁ

ମକାଳୀନ #ବ୍ରହ୍ମପୁର ମୌଳିକ ପୌରସେବାଗୁଡ଼ିକ ମଧ୍ୟରେ ସହରତଳି ଅଞ୍ଚଳଗୁଡ଼ିକସହ ସିଟିବସ ସଂଯୋଗସ୍ଥାପନ ଉଲ୍ଲେଖଯୋଗ୍ୟ ବିଷୟ | ବ୍ରହ୍ମପୁର ତଥା ସହରତଳି ଅଞ୍ଚଳ ଗୁଡ଼ିକରେ ସାର୍ବଜନୀନ ପରିବହନ ବା ପବ୍ଳିକ ଟ୍ରାନ୍ସପୋର୍ଟ କ୍ଷେତ୍ରରେ ଅସୁବିଧା ଲାଗି ରହିଥିଲା | ଘରୋଇ ଟ୍ରେକର ଓ କ୍ୟାଣ୍ଟର ପରିବହନରେ ବିପଦପୂର୍ଣ୍ଣ ଯାତ୍ରୀବୁହା ଓ ତ୍ରୁଟିପୂର୍ଣ୍ଣ ଯାତ୍ରା ପରିଚ଼ାଳନାରେ ଜନସାଧାରଣ ଅତିଷ୍ଠ ହୋଇପଡ଼ିଥିଲେ ହେଁ ବିକଳ୍ପ ବ୍ୟବସ୍ଥା ନଥିଲା | ଅତୀତରେ ବ୍ରହ୍ମପୁରରେ ଦୁଇଥର ଘରୋଇ ଉଦ୍ୟମରେ ଓ ଆଉଥରେ ପୌରପାଳିକା ଉଦ୍ୟମରେ ଟାଉନବସ ସେବା ଆରମ୍ଭ କରାଯାଇଥିଲେହେଁ ଚ଼ାଲିପାରି ନଥିଲା | ସରକାରୀ ଉଦ୍ୟମରେ ଗଞ୍ଜାମ ଆର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ଼ ଗଠନ ହୋଇ ଦୁଇଡ଼ଜନ ନୂଆ ବସ ସହରରେ ପହଞ୍ଚିବା ପରେ ମଧ୍ୟ ସେଗୁଡ଼ିକୁ ଚଳାଇବା ଲାଗି ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଥିଲା | ଓଡ଼ିଶା ରୋଡ଼ ଟ୍ରାନ୍ସପୋର୍ଟ କରପୋରେସନ ବାଧ୍ୟବାଧକତାରେ ବର୍ଷେ ଚଳାଇବା ପରେ ତାହା ଘରୋଇ ମାଲିକନାକୁ ଗଲା |
          ବର୍ତ୍ତମାନ ସହରତଳି ଅଞ୍ଚଳ ଗୋପାଳପୁର, ଛତ୍ରପୁର, ହିଞ୍ଜିଳିକାଟୁ ଇତ୍ୟାଦିକୁ ସଂଯୋଗକରି 10 ଗୋଟି ରୁଟରେ 32 ଗୋଟି ସିଟି ବସ ଚ଼ାଲିଛି | ଗଟସେଲ ଟାଉନବସ ସେବା ଆରମ୍ଭ କରିବା ଅବସରରେ ବସଭଡ଼ା ଧାର୍ଯ୍ୟ କରିଥିଲେ | ଖବରକାଗଜରେ ହୋହଲ୍ଲା ହେବା କାରଣରୁ ତାହାକୁ ସାମାନ୍ୟ କମାଇ ଦିଆଯାଇଥିଲା | ତେବେ ଘରୋଇ ସିଟିବସ ଅପରେଟର ଗତ ଜୁନ-ଜୁଲାଇରୁ ତାହାକୁ ପୁଣି ପୂର୍ବାବସ୍ଥାକୁ ଫେରାଇ ଆଣିଛନ୍ତି | ଉଦାହରଣ ସ୍ୱରୂପ ପୁରୁଣା ବସଷ୍ଟାଣ୍ଡରୁ ସେଲ୍ସଟ୍ୟାକ୍ସ ଛକ ପୂର୍ବରୁ 5 ଟଙ୍କା ଥିବା ବେଳେ ବର୍ତ୍ତମାନ 6 ଟଙ୍କା ଦେବାକୁ ପଡୁଛି କିମ୍ୱା ବ୍ରହ୍ମପୁରରୁ ଭଞ୍ଜବିହାର 10 ଟଙ୍କା ଭଡ଼ା ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ଯାତ୍ରୀଙ୍କୁ 12 ଟଙ୍କା ଗଣିବାକୁ ପଡୁଛି | ଏଥି ନେଇ ଗତ ଜୁନ 15 ତାରିଖରେ ଅନୁଷ୍ଟିତ ଗଟସେଲ ବୈଠକରେ ପୂର୍ବାନୁମୋଦିତ ବସଭଡ଼ା ଲାଗୁ କରାଯିବା ପାଇଁ ପ୍ରସ୍ତାବ ପାରିତ କରିଦିଆ ଯାଇଥିବା କଥା ମଧ୍ୟ ପ୍ରକାଶିତ ହୋଇଛି |
ପ୍ରଶ୍ନ ଉଠେ, ଗତ ଥର ଓଏସଆରଟିସିର ପରିଚ଼ାଳନାଧୀନ ସିଟିବସ ଭଡ଼ାକୁ ବିରୋଧ ହୋଇଥିବା ବେଳେ ଏଥରର ଘରୋଇ ଅପରଟେରଙ୍କ ଭଡ଼ାବୃଦ୍ଧି କିପରି ସର୍ବସାଧାରଣରେ ଚର୍ଚ୍ଚାର ପରିସରକୁ ମଧ୍ୟ ଆସିପାରିଲା ନାହିଁ ? ଗତ ଜାନୁୟାରୀ, ଫେବୃୟାରୀ, ଜୁଲାଇ ଓ ଚଳିତ ଅଗଷ୍ଟ ମାସରେ କ୍ରମାଗତ ଚ଼ାରିଥର ତୈଳଦର କମିଥିବା ଏବଂ ତଦ୍ଅନୁଯାୟୀ ଆଟୋମେଟିକ ମେକାନିଜମ ନୀତିରେ ରାଜ୍ୟରେ ଚଳାଚଳ କରୁଥିବା ରୁଟବସ ଭଡ଼ା କମିଥିବା ଅବସରରେ ବ୍ରହ୍ମପୁରରେ ସିଟିବସ ଭଡ଼ା ପରିବର୍ତ୍ତନରେ ଯଥାର୍ଥତା କେତେ ?

ଅପରପକ୍ଷରେ ବ୍ରହ୍ମପୁରରେ ସିଟିବସ ସେବାରେ 32 ଗୋଟି ବସ ସାମିଲ ହୋଇଥିଲେ ହେଁ ଖାସ ବ୍ରହ୍ମପୁର ସହରରେ ଯାତ୍ରୀ ପରିବହନ ନିମନ୍ତେ ଗୋଟିଏ ହେଲେ ବସ ନିୟୋଜିତ ହୋଇ ପାରିନାହିଁ | କୁହାଯାଉଛି ଯେ ଏଥି ନିମନ୍ତେ ପ୍ରସ୍ତାବ ରହିଛି ଏବଂ ରାଜ୍ୟ ସରକାରଙ୍କୁ ଅଧିକା 18 ଗୋଟି ମିନିବସ ଯୋଗାଇ ଦେବା ନିମନ୍ତେ ଅନୁରୋଧ କରାଯାଇଛି | ପ୍ରଶ୍ନ ଉଠେ ବ୍ରହ୍ମପୁରରେ ସିଟିବସ ସେବା ପ୍ରଚଳନର ଦେଢ଼ବର୍ଷ ପରେ ମଧ୍ୟ ସହରର ବିଭିନ୍ନ ଅଞ୍ଚଳ ମଧ୍ୟରେ ଗମନାଗମନ ସୁବିଧାଲାଗି କାହିଁକି ବସସେବା ଯୋଗାଇବା ଲାଗି କର୍ତ୍ତୃପକ୍ଷ ପରାଂମୁଖ ହେଉଛନ୍ତି ? ମୋଟ 32 ଗୋଟି ବସ ମଧ୍ୟରୁ ଅନ୍ତତଃ 4 ଗୋଟି ଯଦି ସହରର ମୁଖ୍ୟରାସ୍ତାଗୁଡ଼ିକରେ ଚଳାଚଳ କରନ୍ତା ତେବେ ସହରବାସୀ ଉପକୃତ ହୋଇପାରନ୍ତେ | ଆଗାମୀ ଗଟସଲ ବୈଠକରେ ଏ ସଂପର୍କରେ  ଆଲୋଚନା ହେବା ଉଚ଼ିତ | ନଚେତ ସିଟିବସ ସେବା ସବ୍-ଆର୍ବନ ବସସେବା ସ୍ତରରେ ହିଁ ରହିଯିବ |