Monday, June 15, 2020

Pandemic update / ମହାମାରୀ ଆପଡ଼େଟ

ମହାମାରୀ କୋଭିଡ଼-୧୯ ସଂପର୍କରେ ବ୍ରହ୍ମପୁରବାସୀ ଅପେକ୍ଷାକୃତଭାବେ ଏଣିକି ଅଧିକ ସଚ଼େତନ । ଚଳିତ ଜୁନ ପ୍ରଥମ ସପ୍ତାହରୁ ଶନି ରବିବାର ଦୁଇ ଦିନ ଧରି ସଟଡ଼ାଉନ ପରକୁ ଦ୍ୱିତୀୟ ସପ୍ତାହରୁ ସପ୍ତାହକୁ ପାଞ୍ଚଦିନ ଦୈନିକ ୧୯ ଘଣ୍ଟା ଲକଡ଼ାଉନ ଡ଼ାକରାକୁ ସ୍ୱତଃସ୍ପୃତଭାବେ ସହରବାସୀ ସମର୍ଥନ କରିଥିବା ଏହାର ପ୍ରମାଣ । ବିଶ୍ୱବ୍ୟାପୀ ମହାମାରୀର ପ୍ରକୋପ, ସର୍ବାଧିକ ରୋଗାକ୍ରାନ୍ତ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଉନ୍ନୀତ ହେବା, ଓଡ଼ିଶାରେ ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନପରେ ସଂକ୍ରମଣ ବୃଦ୍ଧି ତଥା ଗଞ୍ଜାମ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ସର୍ବାଗ୍ରେ ସ୍ଥାନୀତ ହେବା ତଥ୍ୟାବଳୀ ସହରବାସୀଙ୍କୁ ସଚ଼େତନ କରାଇବା ସାଙ୍ଗକୁ ସଂକ୍ରମଣରୁ ନିଜକୁ ମୁକ୍ତ ରଖିବା ନିମନ୍ତେ ପଦ୍ଧତି ଅବଲମ୍ୱନଲାଗି ପ୍ରୋତ୍ସାହିତ କରିବାରେ ସମର୍ଥ ହୋଇଛି ବୋଲି କୁହାଯାଇପାରେ ।

ମୋଟାମୋଟିଭାବେ ୨୦୨୦ ବର୍ଷ ଆରମ୍ଭରୁ ନୂତନ କରୋନା ଭୂତାଣୁ ସଂକ୍ରମଣରେ ଜୁନ ମାସ ମଧ୍ୟଭାଗ ସୁଦ୍ଧା ପାଞ୍ଚମାସରେ ସମଗ୍ର ବିଶ୍ୱରେ ପ୍ରାୟ ୭୬ ଲକ୍ଷ ଆକ୍ରାନ୍ତ ହୋଇଥିବା ସ୍ଥଳେ ଚାରି ଲକ୍ଷ ୨୮ ହଜାର ମୃତ୍ୟୁମୁଖରେ ପଡ଼ିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ ଓ ରୁଷିଆ ପରେ ସର୍ବାଧିକ ରୋଗାକ୍ରାନ୍ତଙ୍କ ହିସାବରେ ଭାରତ ଚ଼ତୁର୍ଥ ସ୍ଥାନରେ ପହଞ୍ଚିଛି । ଦେଶରେ ପ୍ରାୟ ତିନି ଲକ୍ଷ ୫୦ ହଜାର ରୋଗାକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଦଶ ହଜାର ଛୁଇଁବାକୁ ଯାଉଛି । ପ୍ରଥମ ଦୁଇମାସର ଲକଡ଼ାଉନ କୋହଳ ପରେ ପ୍ରାୟ ଏକ କୋଟି ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ଅବସରରେ ସଂକ୍ରମଣ ବ୍ୟାପିଥିଲା ଏବଂ ବିଗତ ସପ୍ତାହ ଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣ ବଢ଼ିଛି ।

ଗଞ୍ଜାମ ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବାପରେ ମେ ମାସ ୨ ତାରିଖରୁ ସଂକ୍ରମଣ ହାର ବଢ଼ିଚାଲିଲା । ଜିଲ୍ଲାକୁ ପ୍ରାୟ ଦେଢ଼ ଲକ୍ଷ ଶ୍ରମିକ ଫେରିଛନ୍ତି ଏବଂ ଏକ ଲକ୍ଷ ବର୍ତ୍ତମାନ ନିଜ ବାସଗୃହରେ ପୃଥକବାସ ହୋମ କ୍ୱାରେଣ୍ଟାଇନରେ ଅଛନ୍ତିଏହି ପରିପ୍ରେକ୍ଷୀରେ ଜିଲ୍ଲାବାସୀ ମୁଖ୍ୟତଃ ନିଜ ପରିବାରର ସଦସ୍ୟଙ୍କ ଭିନ୍ନ ଅନ୍ୟମାନଙ୍କ ସହ ମିଳାମିଶାବେଳେ ସାବଧାନତା ଗ୍ରହଣ ତଥା ଘର ବାହାରକୁ ଯିବାବେଳେ ମାସ୍କ ପିନ୍ଧିବା, ଘରେ ପହଞ୍ଚିଲେ ସାବୁନ ଓ ପାଣିରେ ଗୋଡ଼ହାତ, କହୁଣୀ, ମୁହଁ ଇତ୍ୟାଦି ପରିଷ୍କାର କରିବା ଅଭ୍ୟାସ ଜାରୀ ରଖିଲେ ସଂକ୍ରମଣକୁ ଏଡ଼ାଇ ଦିଆଯାଇ ପାରିବ ବୋଲି ବିଶେଷଜ୍ଞମାନେ ପରମର୍ଶ ଦେଉଛନ୍ତି । ତେବେ ମହାମାରୀ କାଳରେ ଏହି ବିଧି ପାଳନ କରିବା ଆବାଳବୃଦ୍ଧବନିତାଙ୍କ ବ୍ୟକ୍ତିଗତ ଆଚ଼ରଣରେ ନିର୍ଭର କରିଥାଏ ।

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୬ ପ୍ରତିଶତ ପୁରୁଷ ଅନ୍ତର୍ଭୁକ୍ତ ଥିବା ପରିସଂଖ୍ୟାନରୁ ଜଣାଯାଏ । ବୟସବର୍ଗରେ ୧୫ ରୁ ୪୦ ବର୍ଷ ମଧ୍ୟରେ ସର୍ବାଧିକ ଥିବାବେଳେ ୪୧ ରୁ ୬୦ ବର୍ଷ ମଧ୍ୟରେ ଦ୍ୱିତୀୟ, ୬୦ ବର୍ଷରୁ ଉର୍ଦ୍ଧ୍ୱ ତୃତୀୟ ଓ ୧୪ ବର୍ଷରୁ କମ ଚ଼ତୁର୍ଥ ସ୍ଥାନ ଅଧିକାର କରିଥାନ୍ତି । ଆନ୍ତର୍ଜାତିକସ୍ତରରେ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ କରୋନା ଆକ୍ରାନ୍ତ ମୃତ୍ୟୁହାର ଅଧିକ ରହୁଥିବା ହେତୁ ରାଜ୍ୟରେ ଜୁନ ପ୍ରଥମ ସପ୍ତାହ ଯାଏଁ ଆକ୍ରାନ୍ତ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଶହେରୁ କମ ରହିଥିଲେ ହେଁ ସେମାନଙ୍କୁ ସର୍ବାଧିକ ସାବଧାନତା ଅବଲମ୍ୱନ କରିବା ନିମନ୍ତେ ଗୁରୁତ୍ୱ ଦିଆଯାଉଛି ।

ଗତ ମେ ଶେଷ ସପ୍ତାହରୁ ପର୍ଯ୍ୟାୟକ୍ରମେ ବ୍ରହ୍ମପୁରରୁ ଲକଡ଼ାଉନ ପ୍ରତ୍ୟାହାର କରାଯିବା ତଥା ଜୁଲାଇ ଆରମ୍ଭରୁ ଅନ୍ୟାନ୍ୟ କଟକଣା କୋହଳ କରାଯିବା ଅବସରରେ ଭୂତାଣୁ ସଂକ୍ରମଣ ଭୟକୁ ଏଡ଼ାଇ ଦେବା ସମ୍ଭବପର ନୁହେଁ । ତେବେ ଜନସାଧାରଣଙ୍କ ସଂକ୍ରମଣ ପ୍ରତିରୋଧ ଆଚ଼ରଣକୁ ନେଇ ସଂଖ୍ୟା ଯେ ନିରୂପିତ ହେବ ଏଥିରେ ସନ୍ଦେହ ନାହିଁ ।

ବିଶେଷଜ୍ଞଙ୍କ ମତରେ ଓଡ଼ିଶାରେ ଦେଢ଼ ଲକ୍ଷ ନମୂନା ମଧ୍ୟରୁ ମାତ୍ର ଦୁଇ ହଜାର କରୋନା ପଜିଟିଭ ଚ଼ିହ୍ନଟ ହେବା ରାଜ୍ୟରେ ସଂକ୍ରମଣ ଏବଂ ମୃତ୍ୟୁହାର ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଯଥେଷ୍ଟ କମ । ଅପରପକ୍ଷେ ଆକ୍ରାନ୍ତଙ୍କ ମଧ୍ୟରେ ୯୫ ପ୍ରତିଶତ ପ୍ରବାସୀଙ୍କ ଅସ୍ଥାୟୀ ବାସସ୍ଥଳୀ କ୍ୱାରେଣ୍ଟାଇନ ସେଣ୍ଟରଗୁଡ଼ିକରୁ ଚ଼ିହ୍ନଟ କରାଯାଉଛିଏହି ଦୁଇ କାରଣରୁ କୋଭିଡ଼-୧୯ ସଂକ୍ରମଣରେ ରାଜ୍ୟର ସ୍ଥିତି ଭଲରେ ରହିଛି ବୋଲି କୁହାଯାଇପାରେ । ତେବେ ଭୂତାଣୁର ଗୁଣ ହେଲା ଯେ ସେ ଖୁବ୍ ଶୀଘ୍ର ବ୍ୟାପିଥାଏ । ନୂତନ କରୋନା ଭୂତାଣୁ ସଂପର୍କରେ ସବିଶେଷ ତଥ୍ୟ ଉଦ୍ଭାବିତ ନହୋଇଥିବା ହେତୁ କେତେବେଳେ କେଉଁ ରୂପରେ ସଂକ୍ରମିତ ହେବ ତାହା ଚ଼ିକିତ୍ସା ବିଜ୍ଞାନରେ ଅଜଣା । ଏହି ପରିପ୍ରେକ୍ଷୀରେ ଯେକୌଣସି ସହରରେ ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ପାରସ୍ପରିକ ସଂପର୍କ କମ ରଖିବା ଅଭ୍ୟାସ ହିଁ ସେଠାରେ ସଂକ୍ରମଣ ରୋକିବାରେ ମୁଖ୍ୟ ସାଧନ

ନୂତନ କରୋନା ଭୂତାଣୁର ଗତିବିଧି ସଂପର୍କରେ ଆନ୍ତର୍ଜାତିକସ୍ତରରେ ଅସଂଖ୍ୟ ଗବେଷଣା ଚାଲିଛି । ଏହାର ପ୍ରତିଷେଧକ ଓ ଉପଚାର ନିମନ୍ତେ ଔଷଧ ପ୍ରସ୍ତୁତିରେ ପ୍ରାରମ୍ଭିକ ସଫଳତା ମିଳିଥିବା କୁହାଯାଉଛି । ଏଥିଲାଗି ଅନ୍ତତଃପକ୍ଷେ ବର୍ଷେରୁ ଦେଢ଼ବର୍ଷ ଯାଏଁ ଅପେକ୍ଷା କରିବା ସମୟତକ ବିଶ୍ୱବାସୀଙ୍କୁ ବ୍ୟକ୍ତିଗତ ଓ ସାମୂହିକସ୍ତରରେ ସଂକ୍ରମଣ ଏଡ଼ାଇ ଦେବା ନିମନ୍ତେ ଉଦ୍ୟମ ଅବ୍ୟାହତ ରଖିବାକୁ ପଡ଼ିବ । ସେଥିରୁ #ବ୍ରହ୍ମପୁର ମଧ୍ୟ ବାଦ ଯିବନି । ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ଶାରିରୀକ ଦୂରତ୍ୱ ବଜାୟ ରଖିବା ନିମନ୍ତେ ତିନିମାସ ଗୃହାବଦ୍ଧ ଅବସ୍ଥାରେ ରହିବାପରେ ଅଧ ଘଣ୍ଟାଏ ଜନଗହଳିରେ ପହଞ୍ଚିଲେ ଭୂତାଣୁ ସଂକ୍ରମଣ ଆଶଙ୍କା ଟାଳିଦେଇ ହେବନାହିଁ ତେଣୁ ସଟଡ଼ାଉନ ଓ ଲକଡ଼ାଉନ ଘରେ କଟାଇବା ପରେ ଆଗାମୀ କିଛି ମାସ କାର୍ଯ୍ୟକ୍ଷେତ୍ର ଓ ସାମାଜିକ ଜୀବନ କିପରି ଦୂରବସ୍ଥାନରେ କଟିବ ସେ ଦିଗରେ ବ୍ରହ୍ମପୁରବାସୀଙ୍କୁ ସଜାଗ ରହିବାକୁ ପଡ଼ିବ ।                         

ଅନୁପମ ଭାରତ ତା ୧୬/୦୬/୨୦୨୦ ପୃ. ୨


Thursday, January 23, 2020

Academia centered Berhampur / ଶିକ୍ଷାୟତନକେନ୍ଦ୍ରୀକ ବ୍ରହ୍ମପୁର

#ବ୍ରହ୍ମପୁର ସହର ସପ୍ତଦଶ ଶତାଦ୍ଦୀ ମଧ୍ୟଭାଗରେ ମହୁରି ରାଜପ୍ରସାଦ ପ୍ରତିଷ୍ଠାକୁ କେନ୍ଦ୍ରକରି ଗଢ଼ିଉଠିଥିବା ପ୍ରମାଣ ମିଳେ । ଏଥିପୂର୍ବରୁ ସହରର ଉପକଣ୍ଠ ହରିଡ଼ାଖଣ୍ଡିଠାରେ ଲକ୍ଷ୍ମୀନୃସିଂହ ମନ୍ଦିର ତଥା ଆଖପାଖ ଅଞ୍ଚଳରେ ବହୁସଂଖ୍ୟକ ମଠ ମନ୍ଦିର ନିର୍ମାଣ କାରଣରୁ ଜନପଦଟିକୁ ଦେବତାମାନଙ୍କ ବିଚ଼ରଣ ସ୍ଥଳ ବ୍ରହ୍ମପୁର ନାମିତ ହୋଇଥିବା କେତେକ ଐତିହାସିକ ମତ ପୋଷଣ କରିଥାନ୍ତି । ମହୁରି ଶାସନ ଅବସରରେ ଅଧୁନା ପୁରୁଣା ବ୍ରହ୍ମପୁର ଓ ହରିଡ଼ାଖଣ୍ଡି ଅଞ୍ଚଳରେ ଜନବସତି ସ୍ଥାପିତ ହୋଇଥିଲା । ପରେ ବଡ଼ବଜାର, ସାନବଜାର ଓ ହନୁମାନ ବଜାର ଅଞ୍ଚଳରେ ବ୍ୟବସାୟ ପ୍ରତିଷ୍ଠାନମାନ ଗଢ଼ି ଉଠିଲା । ତେବେ ୧୮୫୦ ମସିହାରେ ମହୁରି ରାଜ୍ୟର ଶାସନ ଭାର ବ୍ରିଟିଶ ସରକାର ବହନ କରିବା ପରେ ଭାପୁର, ଗେଟବଜାର ଓ କୋର୍ଟପେଟା ଅଞ୍ଚଳରେ ସରକାରୀ କାର୍ଯ୍ୟାଳୟମାନ ସ୍ଥାପିତ ହେଲା ଏବଂ ସହରର ସୀମା ବଢ଼ି ଚାଲିଲା ।

ଊନବିଂଶ ଶତାଦ୍ଦୀର ମଧ୍ୟଭାଗରେ ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ଅବସ୍ଥାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ବ୍ରିଟିଶ ପ୍ରଶାସନ ବିଦ୍ୟାଳୟଭିତ୍ତିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ପ୍ରତି ଗୁରୁତ୍ୱ ଆରୋପ କରିଥିଲେ ଏବଂ ସେହି ଧାରାରେ କ୍ରମବର୍ଦ୍ଧମାନ ବ୍ରହ୍ମପୁର ସାମିଲ ହୋଇଥିଲା । ବିଂଶ ଶତାଦ୍ଦୀର ଷଷ୍ଠ ଦଶକ ଯାଏଁ ଗଞ୍ଜାମ ଜିଲ୍ଲା କାହିଁକି ସମଗ୍ର ଦକ୍ଷିଣ ଓଡ଼ିଶାରେ ଉଚ୍ଚଶିକ୍ଷାର ପ୍ରସାର ହାତଗଣତି ଅନୁଷ୍ଠାନ ମଧ୍ୟରେ ସୀମିତ ରହିଥିଲା । କଲେଜ ଶିକ୍ଷା ନିମନ୍ତେ ଅଭିଭକ୍ତ ଗଞ୍ଜାମ, କୋରାପୁଟ, ଫୁଲବାଣୀ ଓ କଳାହାଣ୍ଡି ଜିଲ୍ଲାରୁ ଛାତ୍ରମାନେ ବ୍ରହ୍ମପୁରରେ ପହଞ୍ଚୁଥିଲେ । ନାରୀ ଶିକ୍ଷା ମଙ୍ଗ ଧରିନଥିଲା । ସମସ୍ତଙ୍କ ଭାଗ୍ୟରେ ଛାତ୍ରାବାସରେ ସୁବିଧା ଯୁଟୁନଥିଲା । ସାଧାରଣତଃ ବାହାରୁ ଆସିଥିବା ଛାତ୍ରମାନେ ଖଲ୍ଲିକୋଟ କଲେଜ ସନ୍ନିକଟସ୍ଥ ସାହୀଗୁଡ଼ିକରେ ମେସ କରି ରହୁଥିଲେ ।

ମେସର ଅର୍ଥ ଏକ ଭଡ଼ାଘରେ ଏକାଧିକ ଛାତ୍ର ଏକତ୍ର ବସବାସ କରିବା ତଥା ସ୍ଥଳବିଶେଷରେ ନିଜେ କିମ୍ୱା ରୋଷେୟା ନିଯୁକ୍ତ କରି ଖାଇବା ପିଇବା ବ୍ୟବସ୍ଥାକୁ ବୁଝାଉଥିଲା । ଖଲ୍ଲିକୋଟ କଲେଜ ସାଙ୍ଗକୁ ଇଞ୍ଜିନିୟରିଂ ସ୍କୁଲରେ ଅଧ୍ୟୟନରତ ଅଧିକାଂଶ ଗ୍ରାମାଞ୍ଚଳ ଛାତ୍ରଙ୍କ ମଧ୍ୟରେ ଏଭଳି ବନ୍ଦୋବସ୍ତ ତତ୍ କାଳୀନ ସହରର ଅନ୍ୟତମ ପରିଚିତିରେ ସାମିଲ ହୋଇଥିଲା । ବ୍ରହ୍ମପୁରର ସାମାଜିକ ଓ ସାଂସ୍କୃତିକ ପରିଧିରେ କଲେଜ ଷ୍ଟୁଡ଼େଣ୍ଟ ଗୁରୁତ୍ୱ ବହନ କରୁଥିଲେ ।

୧୯୬୪ରେ ସଂଘଟିତ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ସ୍ଥାନୀୟ ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର ସାଜିଥିଲା । ପରବର୍ତ୍ତୀ ଅବସ୍ଥାରେ ଗ୍ରାମାଞ୍ଚଳରେ ବେସରକାରୀ କଲେଜମାନ ଆରମ୍ଭ ପରେ ଦୂରଦୂରାନ୍ତରୁ ଉଚ୍ଚଶିକ୍ଷା ନିମନ୍ତେ ବ୍ରହ୍ମପୁର ଆଗମନ ଧାରାକୁ କ୍ରମଶଃ ବନ୍ଦ କରିଦେଇଥିଲା । ନିଜ ଅଞ୍ଚଳରେ କଲେଜ ଶିକ୍ଷା ଉପଲବ୍ଧ ହେବାପରେ ପିଲାଏ ସେଠି ନାମ ଲେଖାଇଲେ ।

୧୯୬୪ ଛାତ୍ର ଆନ୍ଦୋଳନରେ ପ୍ରଭାବିତ ବ୍ରହ୍ମପୁରର ଛାତ୍ରଗୋଷ୍ଠୀ ୧୯୬୭ରେ ଦକ୍ଷିଣାଞ୍ଚଳରେ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବୀ କରି ପୁଣି ଆନ୍ଦୋଳନ କଲେ । ସେତେବେଳ ଯାଏଁ ସାରା ଓଡ଼ିଶାର ଉଚ୍ଚଶିକ୍ଷା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ପରିଚାଳିତ ହେଉଥିଲା । ପଶ୍ଚିମାଞ୍ଚଳ ସମ୍ୱଲପୁରରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇ ସାରିଥିବା ହେତୁ ଦକ୍ଷିଣାଞ୍ଚଳ ଛାତ୍ରମାନଙ୍କ ଦାବୀ ମାନିବାକୁ ବାଧ୍ୟ ହେଲେ । ତିନିଗୋଟି ଅବିଭକ୍ତ ଜିଲ୍ଲାର ମାତ୍ର ୧୮ ଗୋଟି ମହାବିଦ୍ୟାଳୟ ଅନୁବନ୍ଧନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୨ ଜାନୁୟାରୀ ୧୯୬୮ରେ ପ୍ରତିଷ୍ଠା ହେଲା । ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ୫୪ ତମ ବାର୍ଷିକୀ ପାଳିତ ହେଉଛି ।

୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପରେ ରାଜଧାନୀ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବରେ ବ୍ରହ୍ମପୁର ଗୋପାଳପୁର ମଧ୍ୟସ୍ଥ ରଙ୍ଗେଇଲୁଣ୍ଡା ବିଚାର ପରିସରକୁ ଆସିଥିଲା । ତିନି ଦଶନ୍ଧି ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କାଳରେ ରଙ୍ଗେଇଲୁଣ୍ଡାରେ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣ କ୍ୟାମ୍ପସ ନିରୂପିତ ହେଲା ।

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଥମେ କଟକରୁ କାର୍ଯ୍ୟ କରୁଥିଲା । ଭୁବନେଶ୍ୱରରେ ରାଜଧାନୀ ସ୍ଥାପନ ପରେ ବାଣୀବିହାରକୁ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଉଠି ଆସିଥିଲା । ସେହି ଅଭିଜ୍ଞତାରେ ପ୍ରଭାବିତ ହୋଇ ରଙ୍ଗେଇଲୁଣ୍ଡାରେ ଭଞ୍ଜବିହାର ପ୍ରତିଷ୍ଠାରେ ସ୍ଥାନୀୟ ନେତୃବର୍ଗ ବିରୋଧ କଲେନି । କିନ୍ତୁ ବ୍ରହ୍ମପୁରରେ ଭୁବନେଶ୍ୱର ଭଳି ବିକାଶର ଚିତ୍ର ଦେଖିବାକୁ ମିଳିଲାନାହିଁ । ଫଳତଃ ସହରଠାରୁ ଦଶ କିଲୋମିଟର ଦୂରବର୍ତ୍ତୀ ଭଞ୍ଜବିହାର ବ୍ରହ୍ମପୁର ସହରର ସାମାଜିକ ଓ ସାସ୍କୃତିକ ପରିଧିରେ ଆଶାନୁପୂରକଭାବେ ସାମିଲ ହୋଇପାରିଲାନି ।

ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଗରୁ ମେଡ଼ିକାଲ କଲେଜ ସହର ମଧ୍ୟରେ ସ୍ଥାପିତ ହୋଇସାରିଥିଲା । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଓ ଆଇଜର କ୍ୟାମ୍ପସ ଚୟନ କ୍ଷେତ୍ରରେ ତାହା ସମ୍ଭବପର ହେଲାନାହିଁ । ଘରୋଇ ମାଲିକାନାରେ ପ୍ରତିଷ୍ଠିତ ଇଂଞ୍ଜିନିୟରିଂ କଲେଜଗୁଡ଼ିକରେ ଛାତ୍ରଛାତ୍ରୀ ସଂଖ୍ୟା କମିଯିବା ଅବସରରେ ସହରଠାରୁ ଦୂରଦୂରାନ୍ତରେ ଅବସ୍ଥିତି କାରଣରୁ ସେଗୁଡ଼ିକର କୋଠାବାଡ଼ି ଅବ୍ୟବହୃତ ଅବସ୍ଥାରେ ଆସି ପହଞ୍ଚିଲାଣି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପ୍ରତିଷ୍ଠାରେ ସହରଠାରୁ ଦୂରତ୍ୱର ତୃଟି ବର୍ତ୍ତମାନ ଏଠାରେ ପ୍ରତିଷ୍ଠିତ ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ପୁନରାବୃତ୍ତି ଘଟିଛି ।

ସହର ମଧ୍ୟରେ କ୍ୟାମ୍ପସ କାର୍ଯ୍ୟକଲେ ଶିକ୍ଷାୟତନ ଓ ସହରବାସୀଙ୍କ ମଧ୍ୟରେ ଗଭୀର ସଂପୃକ୍ତି ସୃଷ୍ଟି ହୁଏ । ତାହା ଆନୁଷ୍ଠାନିକ ଶୈକ୍ଷିକ ପରିବେଶ ସମୃଦ୍ଧିରେ ସହାୟତା କରେ । କିନ୍ତୁ ଶିକ୍ଷାନୁଷ୍ଠାନଗୁଡ଼ିକର ଅବସ୍ଥିତିରେ ଦୂରତ୍ୱ କାରଣରୁ ସହରରେ ଛାତ୍ର ସମାଜର କୋଳାହଳ କ୍ରମଶଃ ହଜି ଆସିଲାଣି । ମହୁରି ଶାସନ କାଳରେ ମଠ-ମନ୍ଦିର-ପୁଷ୍କରଣୀକୁ ନେଇ ଗଢ଼ି ଉଠିଥିବା ବ୍ରହ୍ମପୁର ସ୍ୱାଧୀନୋତ୍ତର ଅବସ୍ଥାରେ ଶିକ୍ଷାୟତନକେନ୍ଦ୍ରୀକ ସହରରେ ପରିଣତ ହୋଇଥିବା ଅବସରରେ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଶେଷବେଳକୁ ଉଭୟ ବିଭବ ଗୁରୁତ୍ୱ ହରାଇବା ଉଦ୍ ବେଗର ବିଷୟ ।
(ଅନୁପମ ଭାରତ / ୨ ଜାନୁୟାରୀ ୨୦୨୦ / ପୃ. ୨)
---

Thursday, October 31, 2019

A different Deepavali / ବାଣଫୁଟାର ନିଆରା ଅନୁଭୂତି

ପାରମ୍ପରିକ ଭାବେ ଦୀପାବଳିରେ ବାଣ ଫୁଟାଯାଏ । ଯେହେତୁ ବର୍ଷର ଅନ୍ୟ କୌଣସି ଦିନ ସଭିଏଁ ବାଣଫୁଟାନ୍ତି ନାହିଁ, ତେଣୁ ଦୀପାବଳିରେ ବାଣଫୁଟା ଗୁରୁତ୍ୱ ବହନ କରିଥାଏ । ପାରିବାରିକସ୍ତରରେ ବାଣଫୁଟା ସାଙ୍ଗକୁ ସାଙ୍ଗସାଥିଙ୍କ ମେଳରେ ବାଣଫୁଟା ଆନନ୍ଦମୁଖର ପରିବେଶ ସୃଷ୍ଟିକରେ । ବଡ଼ ସହରରେ ବହୁତଳ ଅଟ୍ଟାଳିକା ଆପାର୍ଟମେଣ୍ଟରେ ବସବାସ କରୁଥିବା ପରିବାରବର୍ଗଙ୍କ ପାଇଁ ନିଜ ବାସଗୃହ ସାମ୍ନାରେ ବାଣଫୁଟାର ସୁବିଧା ନଥିବା ହେତୁ ସେମାନେ ଆପାର୍ଟମେଣ୍ଟ ପ୍ରାଙ୍ଗଣରେ ପଡ଼ିଶାଅଡ଼ିଶାଙ୍କ ସହ ସମବେତ ହୋଇ ନିର୍ଦ୍ଧିଷ୍ଟ ସମୟ ପାଇଁ ବାଣ ଫୁଟାନ୍ତି । ଆପାର୍ଟମେଣ୍ଟ ସଂସ୍କୃତି କ୍ରମଶଃ ବ୍ରହ୍ମପୁରକୁ ଆକ୍ରାନ୍ତ କରିଚାଲିଛି । ତେବେ ଅତୀତରେ ନିଆରା ଢ଼ଙ୍ଗରେ ସହରରେ ସାମୂହିକସ୍ତରରେ ବାଣଫୁଟା ପ୍ରଥା ପ୍ରଚଳିତ ଥିଲା ।

ପଚ଼ାଶ ବର୍ଷ ତଳର କଥା । ଗତ ଶତାଦ୍ଦୀର ପଞ୍ଚମ ଓ ଷଷ୍ଠ ଦଶକରେ କିଛି କାଳ ପାଇଁ #ବ୍ରହ୍ମପୁର ବିଜୟା ଟକିଜ ଛକରେ ଏକ ଛୋଟକାଟର ସାର୍ବଜନୀନ ବାଣଫୁଟା ସ୍ୱତଃପ୍ରବୃତ୍ତଭାବେ ଅନୁଷ୍ଠିତ ହେଉଥିଲା । ସନ୍ଧ୍ୟାର ପ୍ରଥମ ପ୍ରହରରେ ଘରେ ଶ୍ରାଦ୍ଧକର୍ମ ସାରି ପ୍ରସାଦ ସେବନପରେ ଆଖପାଖ ଅଞ୍ଚଳର ଯୁବକମାନେ ବିଜୟା ଟକିଜ ଛକରେ ରାତ୍ରର ଦ୍ୱିତୀୟ ପ୍ରହରରେ ଏକତ୍ରୀତ ହେଉଥିଲେ । ବିଜୟା ଟକିଜ ତ କୋଡ଼ିଏ ବର୍ଷ ତଳୁ ଅସ୍ଥିତ୍ୱ ହରାଇଲାଣି । ସେହି ଛକ ଆଜିକାଲି ଗିରିମାର୍କେଟ ଛକ ନାମରେ ପରିଚିତ ।

ବିଜୟା ଟକିଜ ଛକରେ ଚାରିଗୋଟି ରାସ୍ତା ସଂଯୋଜିତ-ସତ୍ୟ ନାରାୟଣ ମନ୍ଦିର ରାସ୍ତା, ପାନବିକା ସାହୀ, ଗୋଲିଲା ସାହୀ ଓ ଭିକ୍ଟୋରିଆ ବା ଗିରି ମାର୍କେଟ ରାସ୍ତା । ଅନତିଦୂରରେ କର୍ପୋରେସନ ରାସ୍ତା ବା ବିଜୁ ପଟ୍ଟନାୟକ ପାର୍କ ରାସ୍ତା । ଦୀପାବଳି ରାତି ଆଠ-ନଅ ବେଳକୁ ଛକ ସଂଲଗ୍ନ ରାସ୍ତାଗୁଡ଼ିକରେ ଯୁବକମାନେ ଏକତ୍ରୀତ ହେବାପରେ ଛକ ମଧ୍ୟସ୍ଥଳ ଟ୍ରାଫିକ ଷ୍ଟାଣ୍ଡରେ ବିଭିନ୍ନ ଧରଣର ଆତସବାଜି ପ୍ରଦର୍ଶନ କରାଯାଉଥିଲା । ଗୋଟିଏ ପଟର ବାଣଫୁଟା ପରେ ଅପର ପଟର ବାଣ ଫୁଟା ଏକ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତାତ୍ମକ ପରିବେଶରେ ବେଶ କିଛି ସମୟ ଧରି ଚାଲୁଥିଲା ।

ପ୍ରାୟ ଘଣ୍ଟାଏ-ଦୁଇଘଣ୍ଟା ଆତସବାଜି ପ୍ରଦର୍ଶନ ପରେ ରାସ୍ତାଗୁଡ଼ିକରେ ଉପସ୍ଥିତ ବିଭିନ୍ନ ପକ୍ଷର ବାଣ ସରିଆସିଲେ ଗୋଟିଏ ରାସ୍ତାରେ ସମବେତ ଦର୍ଶକ ଚୁଚୁନ୍ଦ୍ରା ବା କ୍ଷୁଦ୍ରାକୃତି ଚିନାବାଦାମ ଖୋଳରେ ପ୍ରସ୍ତୁତ ଚ଼େଙ୍ଗା ବାଣ ସମ୍ମୁଖ ରାସ୍ତାର ଦର୍ଶକ ମଣ୍ଡଳୀ ଆଡ଼କୁ ଫୋପଡ଼ା ଆରମ୍ଭ କରିଦିଅନ୍ତି । ଫଳରେ ବାଣ ଭୟରେ ଦର୍ଶକମାନେ ଏଣେତେଣେ ଦୌଡ଼ନ୍ତି । ତେବେ କାହାରି ମନରେ ବିଦ୍ୱେଷଭାବ ନଥାଏ । କାରଣ କେଉଁ ରାସ୍ତାରେ କିଏ ଛିଡ଼ା ହେବ ଏଥିପାଇଁ କୌଣସି ବାଛବିଚାର ନଥାଏ । ବିଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ଉପସ୍ଥିତ ପୋଲିସ ହଲପଟା କରେ ଏବଂ ସଭିଏଁ ଛତ୍ରଭଙ୍ଗ ଦିଅନ୍ତି ।

ରାଜ୍ୟବ୍ୟାପୀ ୧୯୬୪ ଛାତ୍ର ଆନ୍ଦୋଳନରେ ବ୍ରହ୍ମପୁରର ଛାତ୍ରମାନେ ସାମିଲ ହୋଇ ମାସାଧିକକାଳ ଶିକ୍ଷାନୁଷ୍ଠାନ ବର୍ଜନ କରିଥିଲେ । ଏହି ଆନ୍ଦୋଳନ ସହରର ଯୁବମାନସରେ ବିଶୃଙ୍ଖଳିତ ଆଚରଣର କାରଣ ପାଲିଟିଗଲା । ସପ୍ତମ ଦଶକରେ କ୍ରମବର୍ଦ୍ଧମାନ ଶିକ୍ଷିତ ବେକାର ସମସ୍ୟା ତଥା ରାଜନୀତିକ, ସାଂସ୍କୃତିକ ଓ ସାମାଜିକ ଅବକ୍ଷୟର ଧାରା ଶାନ୍ତ ପରିବେଶକୁ ଆନ୍ଦୋଳିତ କରିଥିଲା । ପଡ଼ୋଶୀ ପଶ୍ଚିମ ବଙ୍ଗ ଓ ଆନ୍ଧ୍ର ପ୍ରଦେଶରେ ଉଗ୍ରବାଦୀ କାର୍ଯ୍ୟକଳାପର ପ୍ରାଦୁର୍ଭାବ ବ୍ରହ୍ମପୁରରେ ପ୍ରତିଫଳିତ ହୋଇଥିଲା । ଅଶାନ୍ତ ପରିବେଶ ହେତୁ ଦୀପାବଳି ଅବସରରେ ବିଜୟା ଟକିଜ ଛକର ସାମୂହିକ ବାଣଫୁଟା ପରମ୍ପରାର ଯବନିକାପାତ ହେଲା । ପୋଲିସ ପକ୍ଷରୁ ଶାନ୍ତିରକ୍ଷା ଉଦ୍ଦେଶ୍ୟରେ ଏହି ପ୍ରଥାକୁ ନିଷେଧ କରାଗଲା । ସହରର ଭାଇଚାରାର ଏକ ସଂସ୍କୃତି ବିଦ୍ୱେଷ ଆଶଙ୍କାରେ ହଜିଗଲା ।

ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ପ୍ରମୁଖ ବାଣ ବଜାର । ତାମିଲନାଡୁର ଶିବକାଶୀରୁ ବାଣ ଆମଦାନୀ କରି ବିକ୍ରୀରେ ଏଠାକାର ଏକ ସ୍ୱତନ୍ତ୍ର ବ୍ୟବସାୟୀ ଗୋଷ୍ଠୀ ସକ୍ରିୟ । ସହର ନିକଟସ୍ଥ ଆସିକାର ନଳବଣ୍ଟା ଗ୍ରାମରେ ପ୍ରସ୍ତୁତ ବାଣ ମଧ୍ୟ ବ୍ରହ୍ମପୁର ବଜାରର ଅନ୍ୟତମ ଆକର୍ଷଣ । ଦୀପାବଳି ସାଙ୍ଗକୁ ବିବାହବ୍ରତ ଓ ଭସାଣି ଶୋଭାଯାତ୍ରାରେ ବାଣଫୁଟା ଯାଏ । କାର୍ତ୍ତିକ ପୂର୍ଣ୍ଣିମା, ନାଗପଞ୍ଚମୀ, ଇଂଲିଶ ନବବର୍ଷ ଓ କ୍ରିକେଟରେ ଭାରତ ବିଜୟ ଲାଭ କଲେ କାଁ ଭାଁ ବାଣଫୁଟାର ଶବ୍ଦ ଶୁଭେ । ତେବେ ବାଣଫୁଟା ନେଇ ପ୍ରଦୂଷଣ ଯୁକ୍ତି, ନ୍ୟାୟିକ ହସ୍ତକ୍ଷେପ, ପ୍ରଶାସନିକ କଟକଣା ଓ ବାଣର ଚ଼ଢ଼ାଦର ହେତୁ ବାଣଫୁଟା କମି ଆସି ନଗନ୍ୟସ୍ତରରେ ପହଞ୍ଚିଲାଣି ।

ଆନ୍ତର୍ଜାତିକସ୍ତରରେ ଅଙ୍ଗାରକାମ୍ଳ ପ୍ରଦୂଷଣ କାରବନ ଏମିସନକୁ ନେଇ ଟଣାଓଟରା ଚାଲିଛି । ଯୁକ୍ତରାଷ୍ଟ୍ର ଆମେରିକାରେ କାରବନ ଏମିସନ ବ୍ୟକ୍ତିପିଚ୍ଛା ବାର୍ଷିକ ୧୬.୫ ମେଟ୍ରିକ ଟନ ହିସାବ କରାଯାଉଥିବା ସ୍ଥଳେ ଭାରତ ଭାଗରେ ୧.୭ ମେଟ୍ରିକ ଟନ ପଡୁଛି । ତେବେ ଦୀପାବଳିରେ ବାଣଫୁଟା ଜନିତ ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ ଦେଶବ୍ୟାପୀ ସବୁଜ ଆତସବାଜି ଗ୍ରୀନ କ୍ରେକର ବ୍ୟବହାରଲାଗି ଉଦ୍ୟମ ଚାଲିଛି । ୨୦୧୯ ଦୀପାବଳି ନିମନ୍ତେ ଶିବକାଶୀରେ ପ୍ରସ୍ତୁତ ୬୦ ପ୍ରତିଶତ ବାଣ ଗ୍ରୀନ କ୍ରେକର ପର୍ଯ୍ୟାୟଭୁକ୍ତ ହେଉଥିବାସ୍ଥଳେ ଦାମ ପାରମ୍ପରିକ ବାଣଠାରୁ ଚାରି ଗୁଣ ଧାର୍ଯ୍ୟ ହେଉଥିବା ହେତୁ ୪୦ ପ୍ରତିଶତ କମ ବ୍ୟବସାୟ ଆକଳନ କରାଯାଉଛି । ଆପାତତଃ ଏହି ପରିସଂଖ୍ୟାନର ପ୍ରଭାବ ବ୍ରହ୍ମପୁରରେ ପଡ଼ିବା ନିଶ୍ଚିତ । ହୁଏତ ସମୟକ୍ରମେ ଦୀପାବଳିରେ ବାଣଫୁଟା ଏକ ସ୍ମୃତି ପାଲଟିଯିବା ଅସଂଭବ ନୁହେଁ ।
---

Tuesday, October 29, 2019

Gambling in Kumar-Purnima / କୁମାରପୂର୍ଣ୍ଣିମାରେ ଜୁଆ ଖେଳ


ରାଜ୍ୟର ସର୍ବତ୍ର, ମୁଖ୍ୟତଃ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜୁଆ ଖେଳର ପରମ୍ପରା ରହିଆସିଥିଲେ ହେଁ ବ୍ରହ୍ମପୁର ସହରର ଜୁଆ ଖେଳ ଚର୍ଚ୍ଚିତ ହୋଇଥାଏ I ଏଠାରେ ବର୍ଷସାରା ଜୁଆ ଖେଳ ଲାଗି ରହିଥିବାବେଳେ କୁମାରପୂର୍ଣ୍ଣିମା ଅବସରରେ ପରିମାଣ ବଢ଼ିଯାଏ I ଅତୀତରେ ଗଞ୍ଜାମ ଜିଲ୍ଲାର ଘରେ ଘରେ କୁମାର ପୂର୍ଣ୍ଣିମାରେ ପରିବାରର ସମସ୍ତ ସଦସ୍ୟ କଉଡ଼ି ଛୁଇଁବା ବିଧି ପାଳିତ ହେଉଥିଲା I

କୁହାଯାଏ ଯେ ରାଜ୍ୟର ଅନ୍ୟତ୍ର ଜୁଆ ଖେଳ ମନୋରଞ୍ଜନଭିତ୍ତିକ ଥିବା ସ୍ଥଳେ ବ୍ରହ୍ମପୁର ତଥା ଗଞ୍ଜାମରେ କେତେକଙ୍କ ପାଇଁ ବୃତ୍ତିକେନ୍ଦ୍ରୀକ I ଅର୍ଥାତ କିଛି ଲୋକ କେବଳ ଜୁଆ ଖେଳରୁ ଉପାର୍ଜନ କରି ଜୀବନବ୍ୟାପୀ ଚଳିଥାନ୍ତି I ହୁଏତ ଏମାନଙ୍କ ସଂଖ୍ୟା ନଗଣ୍ୟ ହୋଇପାରେ, ତେବେ ଜୁଆ ଖେଳରେ କ୍ରମାଗତ ହାରି ଜମିବାଡ଼ି, ଘରଦ୍ୱାର ବିକ୍ରୀକରି ସର୍ବସ୍ୱାନ୍ତ ହେବା ଉଦାହରଣର ଅଭାବ ନାହିଁ I

ଗଞ୍ଜାମ ଜିଲ୍ଲା, ଖାସ କରି #ବ୍ରହ୍ମପୁର ସହରରେ ଦାର୍ଘ ଅତୀତରୁ ଜୁଆ ଖେଳର ଉପସ୍ଥିତି ରହସ୍ୟାବୃତ I ଊନବିଂଶ ଶତାଦ୍ଦୀର ଶେଷଭାଗରୁ ଗୋପାଳପୁର ବନ୍ଦର ଦେଇ ଗଞ୍ଜାମରୁ ଶ୍ରମିକମାନେ ରେଙ୍ଗୁନ ଯାତ୍ରା କରୁଥିଲେ I ବିଂଶ ଶତାଦ୍ଦୀ ଆରମ୍ଭରୁ ରେଳପଥ ସଂଯୋଗ ପରେ ମୁମ୍ୱାଇ, ଅହମ୍ମଦାବାଦ କଳକାରଖାନା ଆଡ଼େ ମୁହାଁଇଲେ I ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଶେଷ ସୁଦ୍ଧା ଗଞ୍ଜାମର ଚ଼ାରି ଲକ୍ଷ ଶ୍ରମିକ ସୁରତର ବସ୍ତ୍ରଶିଳ୍ପରେ ନିୟୋଜିତ ଥିବା ହିସାବ କରାଯାଏ I

ଜିଲ୍ଲାର ଦେଶାନ୍ତରୀ ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ଯୁବାବସ୍ଥାରେ କିଛି ବର୍ଷ ବିଦେଶରେ କଟାଇ ଗୃହସ୍ଥ ଜୀବନଯାପନ ଲାଗି ପୁଣି ଜନ୍ମମାଟିକୁ ଫେରି ଆସନ୍ତି I ଦେଶାନ୍ତରୀ ଶ୍ରମିକଙ୍କ ମଧ୍ୟରେ ଅତୀତରେ ଜୁଆ ଖେଳ ଏକ ମନୋରଞ୍ଜନର ମାଧ୍ୟମରୂପେ ପ୍ରଚ଼ଳିତ ଥିବାବେଳେ କ୍ରମଶଃ ସେଥିରେ ଅଭ୍ୟସ୍ତ ହୋଇପଡୁଥିଲେ I ପରବର୍ତ୍ତୀ ଜୀବନ ସେହି ଅଭ୍ୟାସରେ ପ୍ରଭାବିତ ହୋଇପଡ଼େ ବୋଲି ବିଚ଼ାର କରାଯାଇପାରେ I

ବ୍ରହ୍ମପୁର ସାନବଜାର ଅଞ୍ଚଳ ଜୁଆ ଖେଳ ପାଇଁ ପ୍ରସିଦ୍ଧି ଲାଭ କରିଥିଲା I ଜିଲ୍ଲାର ଗ୍ରାମାଞ୍ଚଳରୁ ଗ୍ରାହକମାନେ ବଜାରସଉଦା କରିବାକୁ ସହରରେ ପହଞ୍ଚୁଥିବା ଅବସରରେ ଜୁଆଡ଼ିଙ୍କ କବଳରେ ପଡ଼ି ପଇସାପତ୍ର ହରାଉଥିଲେ I ସମସ୍ୟା ଉତ୍କଟ ହେବାଫଳରେ ବ୍ୟବସାୟରେ ମାନ୍ଦାବସ୍ଥା ଦେଖାଦେଲା I ଦୋକାନୀମାନେ ଏକଯୁଟ ହୋଇ ଦୋକାନ ପିଛା ଦୈନିକ ଦଶ ପଇସା ଚ଼ାନ୍ଦା ସଂଗ୍ରହକରି ସାନବଜାରରେ ଜୁଆ ଖେଳ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିଲେ I ଶେଷରେ ପ୍ରଶାସନିକ ତତ୍ପରତା କାରଣରୁ ୧୯୫୬ ବେଳକୁ ଜୁଆ ଖେଳ ବନ୍ଦ ହୋଇଥିଲା I

ସହରର କେତେକ ବାସଗୃହ ତଥା ହୋଟେଲ ରୁମରେ ଦଳଭିତ୍ତିରେ ଜୁଆଖେଳ ଚ଼ାଲେ I ପ୍ରତି ଦଳରେ ଆଠରୁ ଦଶ ଜୁଆଡ଼ି ଏକାଠି ହୋଇଥାନ୍ତି I ତିନିପତି ଖେଳରେ ଥରକା ହଜାରେ ଦୁଇହଜାରରୁ ଦଶ କୋଡ଼ିଏ ହଜାର ଯାଏଁ ଟଙ୍କା ବାଜି ପଡ଼େ I ଜିଲ୍ଲାର ଗ୍ରାମାଞ୍ଚଳରେ ଜୁଆଆଡ୍ଡାମାନ ଚ଼ାଲୁଥିଲେ ହେଁ ବିତ୍ତଶାଳୀ ଖେଳାଳୀଙ୍କ ସମାଗମ ବ୍ରହ୍ମପୁରରେ ଜମେ I ସହରରେ ଖାସ ମହିଳାମାନଙ୍କ ପାଇଁ ମଧ୍ୟ ଜୁଆ ଆଡ୍ଡାଥିବା ଜଣାଯାଏ I ଅତୀତରେ କେତେକ ଖ୍ୟାତି ସମ୍ପନ୍ନ ବ୍ୟବସାୟୀ ଓ ରାଜନେତା ନିୟମିତ ଜୁଆ ଖେଳୁଥିବା ଇତିହାସ ଶୁଣିବାକୁ ମିଳେ I

ସଭ୍ୟତାର ବିକାଶ ସହ ଜୁଆ ଖେଳ ଯୋଡ଼ି ହୋଇ ଆସିଛି I ବିକଶିତ ରାଷ୍ଟ୍ରଗୁଡ଼ିକରେ ଜୁଆ ଖେଳ ସରକାରୀ ସ୍ୱୀକୃତି ବା ଲାଇସେନ୍ସ  ପାଇଥାଏ I ଆଧୁନିକ ଯୁଗରେ ତିନିପତି ବଦଳରେ କମ୍ପ୍ୟୁଟର ଓ ଇଣ୍ଟରନେଟଭିତ୍ତିକ ଖେଳ ଲୋକପ୍ରିୟତା ହାସଲ କରିଛି I ବୈଧ ଜୁଆ ଆଡ୍ଡା ବା କ୍ୟାସିନୋ ଆନ୍ତର୍ଜାତିକ ପର୍ଯ୍ୟଟନର ଅନ୍ୟତମ ବିଭବ ରୂପେ ବିକଶିତ ହୋଇଛି I ବିଳାସମୟ ପୋତ କ୍ରୁଇଜ ଗୁଡ଼ିକରେ ଜୁଆଖେଳ ମୁଖ୍ୟ ଆକର୍ଷଣ । ତେବେ ବ୍ରହ୍ମପୁରର ଜୁଆଖେଳର ପରମ୍ପରା ଦୀର୍ଘ ଅତୀତରୁ ଉଜ୍ଜୀବିତ ରହିଆସିଛି I
***

Sunday, September 1, 2019

Community Ganesh Puja / ସାର୍ବଜନୀନ ଗଣେଶ ପୂଜା


ସହରର ବାର୍ଷିକ ଶାରଦୀୟ ଉତ୍ସାବାନୁଷ୍ଠାନଗୁଡ଼ିକ ଗଣେଶ ପୂଜାଠାରୁ ଆରମ୍ଭ ହୋଇଥାଏ । ଗ୍ରୀଷ୍ମଋତୁରେ ଦ୍ୱିବାର୍ଷିକଭିତ୍ତିରେ ଠାକୁରାଣୀ ଯାତ୍ରା, ବର୍ଷା ଋତୁରେ ରଥଯାତ୍ରା ଓ ଗହ୍ମା ପୂର୍ଣ୍ଣିମା ପରକୁ ଶରତ ଋତୁ ଆରମ୍ଭରେ ଗଣେଶ ପୂଜା । ପରବର୍ତ୍ତୀ ପର୍ଯ୍ୟାୟରେ ଦୁର୍ଗା ପୂଜା, କୁମାର ପୂର୍ଣ୍ଣିମାରେ ଗୋସାଇଁ ନୂଆଗାଁ କାଳୁଆ ଯାତ୍ରା ଓ ଦୀପାବଳୀରେ କାଳୀ ପୂଜା ଅନ୍ୟାନ୍ୟ ମୁଖ୍ୟ ପର୍ବପର୍ବାଣୀ ।

ବ୍ରହ୍ମପୁରରେ ସାର୍ବଜନୀନ ଗଣେଶ ପୂଜା ଆୟୋଜନ ନିକଟ ଅତୀତର ପରମ୍ପରା । ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଦକ୍ଷିଣ ଓଡ଼ିଶାର ଶିକ୍ଷାକେନ୍ଦ୍ର ଏଜୁକେସନାଲ ହବ ରୂପେ ମୁଣ୍ଡଟେକିବା ଅବସରରେ ସହରର ଶିକ୍ଷାନୁଷ୍ଠାନଗୁଡ଼ିକ ପରିସରରେ ଗଣେଶ ପୂଜା ପ୍ରଚଳିତ ଥିଲା । ଗତ ଶତାଦ୍ଦୀର ସପ୍ତମ ଦଶକରେ ବିଭିନ୍ନ ସାହୀରେ ସ୍ଥାନୀୟ ଯୁବକମାନଙ୍କ ଉଦ୍ୟମରେ ଗଣେଶ ପୂଜା ମେଢ଼ ନିର୍ମାଣ ଓ ଏକାଧିକ ଦିନ ଧରି ପୂଜା ପରେ ବିସର୍ଜନ ଶୋଭାଯାତ୍ରା ଲୋକପ୍ରିୟତା ହାସଲ କଲା । କ୍ରମାଗତଭାବେ ସହରର ପରିସୀମା ବଢ଼ି ଚାଲିଥିବା ହେତୁ ଗଣେଶ ପୂଜା ମଣ୍ଡପ ସଂଖ୍ୟା ମଧ୍ୟ ବଢୁଥିବା ଲକ୍ଷ୍ୟ କରାଯାଏ ।

ଦେଶର ଅନ୍ୟାନ୍ୟ ସହରଭଳି ବ୍ରହ୍ମପୁରରେ ଗଣେଶ ପୂଜା ଊଣାଅଧିକେ ମୁମ୍ୱାଇ ପରମ୍ପରାରେ ପ୍ରଭାବିତ । ଜରୁରୀକାଳୀନ ପରିସ୍ଥିତି ପୂର୍ବାବସ୍ଥାରେ ଟେଲିଭିଜନ ପ୍ରସାରଣ ଆରମ୍ଭ ହୋଇ ନଥିଲେ ହେଁ ହିନ୍ଦୀ ଚଳଚ଼ିତ୍ରରେ ରୂପାୟିତ ମୁମ୍ୱାଇର ସାର୍ବଜନୀନ ଗଣେଶ ପୂଜା ମଣ୍ଡପ ଓ ବିସର୍ଜନ ଶୋଭାଯାତ୍ରା ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ପ୍ରଭାବିତ କରିଥିବା ଅନୁମାନ କରାଯାଇପାରେ । ଅପରପକ୍ଷେ ଅପେକ୍ଷାକୃତଭାବେ ପୂର୍ବରୁ କଟକ ଓ ଭୁବନେଶ୍ୱରରେ ସାର୍ବଜନୀନ ଗଣେଶ ପୂଜା ଆୟୋଜିତ ହେଉଥିବା ହେତୁ ତାହାର ଅନୁକରଣ କରାଯାଇଥିବା ମଧ୍ୟ ଯୁକ୍ତିଯୁକ୍ତ ।

ଜାକଜମକରେ ଗଣେଶ ପୂଜା ଆୟୋଜନ ନିମନ୍ତେ ମୃଣ୍ମୟ ମୂର୍ତ୍ତି ଖରିଦ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରମାନେ କଟକ ପହଞ୍ଚୁଥିଲେ । ଗୋଷ୍ଠୀଗତଭାବେ ରେଳଯାତ୍ରା ଓ ମୂର୍ତ୍ତି ପରିବହନ ନିଆରା ଅନୁଭୂତି ପାଲଟୁଥିଲା । ତେବେ ୧୯୬୩ରୁ ୧୯୬୭ ମଧ୍ୟରେ ଠାକୁରାଣୀ ଯାତ୍ରାରେ ନୂତନଭାବେ କଳାକୁଞ୍ଜ ପ୍ରଦର୍ଶନ ଆରମ୍ଭ ହେବା ଏବଂ କଟକ, କଲିକତାର କାରିଗରମାନେ ଅସ୍ଥାୟୀଭାବେ ବ୍ରହ୍ମପୁରରେ ଅବସ୍ଥାନ କାଳରେ ଗଣେଶ ପୂଜା ଆୟୋଜକମାନଙ୍କ ସହ ପରିଚିତ ହୋଇ ଅନୁରୂପ ଢ଼ଙ୍ଗରେ ଗଣେଶ ମୂର୍ତ୍ତି ଗଠନ ନିମନ୍ତେ ବରାଦ ଦେବା ଆରମ୍ଭ କରିଥିଲେ । ସ୍ଥାନୀୟ କାରିଗରଙ୍କ ମୂର୍ତ୍ତି ପାଇଁ ଆଇନାବନ୍ଧ ସାହୀ ଯିବାକୁ ପଡୁଥିଲା ।

ଗଣେଶ ଚତୁର୍ଥୀ ପରବର୍ତ୍ତୀ ସଂଧ୍ୟାଗୁଡ଼ିକରେ ସାହୀରୁ ସାହୀ ବୁଲି ମେଢ଼ ସାଜସଜ୍ଜା ଉପଭୋଗ, ମେଲୋଡ଼ି ଓ ଟ୍ରକରେ ଆଲୋକ ସଜ୍ଜା ସହ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସହରରେ ଏକ ନୂତନ ସଂସ୍କୃତି ଆରମ୍ଭ କଲା । ୧୯୬୪ରେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ଅବସରରେ ସାମାଜିକ ଆଙ୍ଗୀକରେ ବର୍ଦ୍ଧିତ ଜନସଂଖ୍ୟା ସମୃଦ୍ଧ ଯୁବଶକ୍ତିର ଅଭ୍ୟୁଦୟ ସାର୍ବଜନୀନ ଗଣେଶ ପୂଜା ଆୟୋଜନର ଅନ୍ୟତମ ସାକ୍ଷୀ । ପରାଧୀନ ଭାରତରେ ଜାତିଭେଦ ଦୂରୀକରଣ ଓ ଦେଶାତ୍ମବୋଧ ଉଦ୍ରେକ ନିମନ୍ତେ ଲୋକମାନ୍ୟ ବାଳ ଗଙ୍ଗାଧର ତିଳକ ଊନବିଂଶ ଶତାଦ୍ଦୀର ଶେଷ ୧୮୯୩ରେ ମହାରାଷ୍ଟ୍ରରେ ସାର୍ବଜନୀନ ଗଣେଶ ପୂଜା ପ୍ରଥା ଆରମ୍ଭ କରିଥିଲେ । ବିଗତ ଶହେବର୍ଷ ମଧ୍ୟରେ ସେହି ପରମ୍ପରା ସାରା ଭାରତବର୍ଷର ପର୍ବପର୍ବାଣୀରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । #ବ୍ରହ୍ମପୁର ସହର ସେଥିରୁ ବାଦ ଯାଇନାହିଁ ।
---

Friday, August 30, 2019

A proposal for traffic control / ସହରରେ ଟ୍ରାଫିକ ସଜାଡ଼ିବାଲାଗି ଗୋଟିଏ ଉପାୟ

ଦୀର୍ଘଦିନର ଅପେକ୍ଷାପରେ ସହରରେ ଅପରାହ୍ନରେ ଅସରାଏ ବର୍ଷା ହୋଇଥିଲା । ବିଳମ୍ୱିତ ସଂଧ୍ୟାରେ ପରିବେଶ ବେଶ ଶାନ୍ତ ସ୍ନିଗ୍ଧ…. । ଜଣେ ଜଣାଶୁଣା ଅଧିବକ୍ତା ବରିଷ୍ଠ ନାଗରିକ ଅଫିସ କାମ ସାରି ଅପେକ୍ଷାକୃତ କମ୍ ଭିଡ଼ଥିବା ରାସ୍ତାରେ ସ୍କୁଟରରେ ପ୍ରଫୁଲ ମନରେ ଘରକୁ ଫେରୁଥିଲେ । ବିକଟାଳ ଶବ୍ଦକରି ହଠାତ୍ ଏକ ବାଇକ ପଛପଟୁ ଧକ୍କା ଦେଲା । ବରିଷ୍ଠ ନାଗରିକ ଛିଟିକି ପଡ଼ିଲେ । ସାମାନ୍ୟ ଖଣ୍ଡିଆ ଖାବରା ହୋଇ ଚଷମା ସଜାଡ଼ି ଉଠି ବାଇକ ଆରୋହୀଙ୍କୁ ଦୃତଗତିରେ ଯାନବାହାନ ନଚଳାଇବା ଲାଗି ତାଗିଦ କଲେ । ବାଇକ ଆରୋହୀ ଉତ୍ୟକ୍ତ ହୋଇ ଉଠିଲେ । ଉପଦେଶକର୍ତ୍ତାଙ୍କୁ ଉଚିତ ଜବାବ ଦେବାକୁ ପଛାଇଲେ ନାହିଁ…. । 

ବରିଷ୍ଠ ନାଗରିକ ସହରର ଜଣାଶୁଣା ବ୍ୟକ୍ତିତ୍ୱ । ସାଂଧ୍ୟ ଦୁର୍ଘଟଣାରେ ଭୌଗଳିକ ପରିଧିରେ ଅନ୍ତତଃ ପକ୍ଷେ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ଧରି ସାମାଜିକ କାର୍ଯ୍ୟସୂଚୀରେ ଜଡିତ । ହା…. ହା…. କରି ଆଖପାଖରେ ଉପସ୍ଥିତ ଲୋକ ଘେରି ଆସିଲେ । ଆରେ ଶ…. ଭିଆଇପିଟାରେ କହି ବାଇକ ଆଖି ପିଛୁଳାକେ ଛୁ….. । 

ଉପରୋକ୍ତ ବର୍ଣ୍ଣନା ସଂପୂର୍ଣ୍ଣ କାଳ୍ପନିକ । ସ୍ଥାନ-କାଳ-ପାତ୍ର ପରିବର୍ତ୍ତନ କଲେ ଦୈନିକ ପଚାଶରୁ ଉର୍ଦ୍ଧ୍ୱ ଏତାଦୃଶ ଦୁର୍ଘଟଣା #ବ୍ରହ୍ମପୁର ସହରରେ ଘଟୁଥିବା ହେତୁ ଅନେକଟା ସତ୍ୟ ହୋଇପାରେ, କିମ୍ୱା ସତ୍ୟର ପାଖପାଖି ଆସିପାରେ ।ପାରମ୍ପରିକଭାବେ ବ୍ରହ୍ମପୁର ସହରରେ ରାସ୍ତା ନିୟମକାନୁନ ଅଧିକାଂଶ ମାନନ୍ତି ନାହିଁ । ଅନ୍ୟ ସହରର ମଟରଗାଡ଼ି ଡ୍ରାଇଭରମାନେ ଏଠାରେ ପହଞ୍ଚିଲେ ପ୍ରଥମେ ପ୍ରଶ୍ନ କରନ୍ତି ଏମିତି ଅସଜଡ଼ା ଟ୍ରାଫିକରେ ଆମେ ଗାଡ଼ି ଚଲାଇବୁ କେମିତି ?’
 ତେବେ ସହରରେ ଟ୍ରାଫିକ ଦୌରାତ୍ମ୍ୟର ପ୍ରମୁଖ କାରଣ ସହରବାସୀଙ୍କ ସହନଶୀଳତା । ଟ୍ରାଫିକ ସଜାଡ଼ିବା ପାଇଁ ଏ ଯାଏଁ ଘଣ୍ଟା ପିଟା ଯାଇନାହିଁ । ଏଠାକାର ନେତୃବର୍ଗ ବାହକଯୁକ୍ତ ଚାରିଚକିଆ ଯାନରେ ବସିସାରିବାପରେ ଧରିନିଅନ୍ତି ଯେ ଟ୍ରାଫିକ ଉତ୍ପାତକୁ ସହ୍ୟକରିବା ଦରମାପ୍ରାପ୍ତ ଡାଇଭରର କାମ । ଓଲଟି ଚେଲାଚାମଣ୍ଡାଙ୍କୁ ଖୁସି କରିବା ପାଇଁ ମୁରୁକି ହସି ପୋଲିସକୁ କୋହଳ ପନ୍ଥା ଅନୁସରଣ କରିବାଲାଗି ପରାମର୍ଶ ଦିଅନ୍ତି । ଫଳରେ ଟ୍ରାଫିକ ନିୟମ ଉଲଂଘନ ଯେ ଦଣ୍ଡନୀୟ ଅପରାଧ ଏକଥାକୁ କେହି ସହଜରେ ଗ୍ରହଣ କରନ୍ତି ନାହିଁ ।

ନିକଟରେ ସହରର ଜନପ୍ରତିନିଧିଦ୍ୱୟ ଟ୍ରାଫିକ ବ୍ୟବସ୍ଥା ସଂପର୍କରେ ପୋଲିସ ପ୍ରଶାସନ ସହ ଆଲୋଚନା କରିଥିଲେ । ସମ୍ୱାଦପତ୍ରରେ ଖବର-ଫୋଟ ଛାପା ହେଲା, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେଲା, ପରେ ରିପୋର୍ଟକାର୍ଡ଼ରେ ଲେଖାଯିବ ସତ । ତେବେ ସହର ଅବ୍ୟବସ୍ଥିତ ଟ୍ରାଫିକ ସଜାଡ଼ିବାଲାଗି କଣ କିଛି ଉପଯୋଗଯୋଗ୍ୟ ପରାମର୍ଶ ଦେଲେ କି ? କାହିଁ ଆମ ନଜରକୁ ଆସିନାହିଁ । ଯଦି ଗୋପନୀୟ ହୋଇଥିବ ଅଲଗା କଥା !

 ଏକ ବିଚାରରେ ତୁରନ୍ତ ପୁରୁଣାବସଷ୍ଟାଣ୍ଡ ଟ୍ରାଫିକ କଣ୍ଟ୍ରୋଲ କାର୍ଯ୍ୟାଳୟ ନିକଟରେ ପୋଲିସ ପକ୍ଷରୁ ଏକ ବକ୍ସ ସ୍ଥାପନ କରାଯାଉ । ସହରରେ ଟ୍ରାଫିକ ନିୟମାବଳୀ ଉଲଂଘନ କରୁଥିବା, ଯଥା ଦ୍ରୁତଗତିରେ ଚାଳନା, ମୋବାଇଲ ଫୋନ ବ୍ୟବହାର କରି ଡ୍ରାଇଭିଂ, କମ ବୟସର ଚାଳକ, ଅଧିକ ସଂଖ୍ୟକ ଯାତ୍ରୀ ପରିବହନରେ ସଂପୃକ୍ତ ବାଇକ କିମ୍ୱା ମଟଗାଡ଼ିର ରେଜିଷ୍ଟ୍ରେସନ ନମ୍ୱର ସହରବାସୀ ବିନା ପରିଚୟ ଉଲ୍ଲେଖକରି ଅଭିଯୋଗ ବକ୍ସରେ ପକାଇବା ବ୍ୟବସ୍ଥା ହେଉ । ଜଣେ ଉଚ୍ଚାପଦାଧିକାରୀ ପୋଲିସ ଅଫିସର ସେଗୁଡ଼ିକ ଅନୁଧ୍ୟାନ କରି ଚାଳକମାନଙ୍କୁ ଥାନାକୁ ଡାକି ତାଗିଦ କରନ୍ତୁ । ଏହାର ଡ଼ିଜିଟାଲ ଡ଼ାଟାବେସ ପ୍ରସ୍ତୁତ କରାଯାଉ । ଅଭ୍ୟାସଗତଙ୍କୁ ନିୟମାନୁଯାୟୀ ଶାସ୍ତି ଦିଆଯାଉ । ଟ୍ରାଫିକ ସଜାଡିବାରେ ସହଯୋଗ ପାଇଁ ସହରବାସୀ ପ୍ରସ୍ତୁତ, ତେବେ ଝାମେଲାରେ ପଶିବାକୁ ଅମଙ୍ଗ । ଟ୍ରାଫିକ ନିୟମ ଉଲଂଘନ ଏକା ପୋଲିସ ରୋକିପାରିବ ନାହିଁ, ଏଥିପାଇଁ ସହରବାସୀଙ୍କ ସଂପୃକ୍ତି ଆବଶ୍ୟକ । ଏକଥା ନୂଆ ପୋଲିସ ଡିଜି ବି କହିଛନ୍ତି ।

---

Tuesday, August 13, 2019

Rainy days at Berhampur / ବ୍ରହ୍ମପୁରରେ ବର୍ଷାଦିନ


ସ୍କୁଲ କଲେଜ ଜୀବନରେ ଗହ୍ମାପୂର୍ଣ୍ଣିମା ଓ ସ୍ୱାଧୀନତା ଦିବସ ଉତ୍ସବାନୁଷ୍ଠାନର ଦିନ । ଗହ୍ମା ଡିଆଁ ଓ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ ମୁକ୍ତ ଆକାଶ ତଳେ ଆୟୋଜିତ ହୁଏ । ଦୁଇଗୋଟି ପର୍ବ ଅଗଷ୍ଟ ମାସରେ ପାଳିତ ହେଉଥିବା ହେତୁ ଧାରା ଶ୍ରାବଣର ବର୍ଷାରେ ଧୋଇ ହୋଇଯିବା ଭୟ ପିଲାଙ୍କ ମନରେ ଲାଖି ରହେ । ଭଗ୍ୟକୁ ସେହି ସମୟ ବେଳକୁ ଲଘୁଚାପ ସୃଷ୍ଟି ନ ହେଲେ ସହରର ଆକାଶ ମେଘମୁକ୍ତ ରହେ । ସାଙ୍ଗସାଥିଙ୍କ ଗହଣରେ ଉତ୍ସବ ଆସର ବେଶ ଜମେ ।

ଚଳିତ ବର୍ଷ ଦୁଇଗୋଟି ପର୍ବ ଅଗଷ୍ଟ ୧୫ ଗୋଟିଏ ଦିନ ପାଳିତ ହେବ । ଏ ଯାଏଁ ବ୍ରହ୍ମପୁରରେ ଥରୁଟିଏ ଛାଡ଼ି ପ୍ରାୟ ବର୍ଷା ଦିନ ଅନୁଭୂତ ହୋଇ ନାହିଁ କହିଲେ ଚଳେ । ବ୍ରହ୍ମପୁରରେ ମୁଖ୍ୟତଃ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ମୌସୁମୀକାଳୀନ ଲଘୁଚାପ ଏବଂ ନଭେମ୍ବର ଓ ଡିସେମ୍ୱର ମାସରେ ଟ୍ରପିକାଲ ସାଇକୋଲନ ଯୋଗୁଁ ବୃଷ୍ଟିପାତ ହୋଇଥାଏ । ତେବେ ଉଭୟ ଜୁନରୁ ସେପ୍ଟେମ୍ବରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଏବଂ ଅକ୍ଟୋବର ରୁ ଡିସେମ୍ବରରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ମଧ୍ୟ ବୃଷ୍ଟିପାତ କରାଇଥାଏ ।

ପାରମ୍ପରିକଭାବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବ୍ରହ୍ମପୁରକୁ ଜୁନ ୭ ତାରିଖରେ ଛୁଉଁଥିବା କୁହାଗଲେ ସୁଦ୍ଧା ଜୁନ ମାସରେ ବର୍ଷା ହୁଏ ନାହିଁ । ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷା ହୁଏ । ବର୍ଷଣମୁଖର ଦିବସ ଗୁଡ଼ିକରେ ୩୦ ରୁ ୪୦ ମିଲିମିଟର ଯାଏଁ ବର୍ଷା ରେକର୍ଡ କରାଯାଏ । ଜୁନ ମାସରୁ ସେପ୍ଟେମ୍ବର ଚାରିମାସ ଯାଏଁ ବର୍ଷା-ରହିତ ଦିନଗୁଡ଼ିକରେ ସହରର ଆକାଶ ମେଘାଚ୍ଛନ୍ନ ରହେ । ତେଣୁ ଭୂମିସ୍ଥ ଉତ୍ତାପର ପୁନଃ ବିକୀରଣ ହେତୁ ଗୁଳଗୁଳି ଅନୁଭୂତ ହୁଏ । ସାରା ଦେଶ ବନ୍ୟା ପ୍ଳାବିତ ହେବାବେଳେ ବ୍ରହ୍ମପୁରବାସୀ ଗୁଳଗୁଳିରେ ଅତିଷ୍ଠ ହୋଇଉଠନ୍ତି ।

ବିଶ୍ୱବ୍ୟାପୀ ପରିବେଶ ଅଧଃପତନ କାରଣରୁ ଜଳବାୟୁ ପରିବର୍ତ୍ତନର ଧାରା ଅନୁଭୂତ ହେଉଥିବା ସ୍ଥଳେ କ୍ରମଶଃ ବ୍ରହ୍ମପୁର ସେଥିରେ ସାମିଲ ହେଉଥିବା ଭୟକୁ ଏଡ଼ାଇ ଦେଇ ହେବ ନାହିଁ । ଜୁନ-ଜୁଲାଇରେ ବଙ୍ଗୋପସାଗରରେ ଏକାଧିକ ଲଘୁଚାପ ସୃଷ୍ଟି ହୋଇଥିଲେ ହେଁ ସେଗୁଡ଼ିକ ରାଜ୍ୟର ଦକ୍ଷିଣାଞ୍ଚଳ ଉପକୂଳରେ ଆବଶ୍ୟକ ବୃଷ୍ଟିପାତ କରାଇବାରେ ସମର୍ଥ ହୋଇପାରି ନାହିଁ । ଅଗଷ୍ଟ ମଧ୍ୟ ଭାଗରୁ ଅକ୍ଟୋବର ମଧ୍ୟ ଭାଗ ଯାଏଁ ଦୁଇମାସ ବ୍ରହ୍ମପୁରରେ ଲଘୁଚାପଜନିତ ବର୍ଷାର ଇତିହାସ ଥିବା ହେତୁ ସେହି ଅବସରରେ ବୃଷ୍ଟିପାତ ପାଇଁ ସହରବାସୀ ଆଶାବାନ୍ଧି ବସିଛନ୍ତି ।

ମୌସୁମୀ ଋତୁରେ ସାମାନ୍ୟ ବର୍ଷାପରେ ପ୍ରବଳ ଖରା ମଶାଙ୍କ ସହ ଭୂତାଣୁଙ୍କ ବଂଶ ବିସ୍ତାରରେ ସହାୟକ ହୁଏ । ଫଳରେ ସହରବାସୀ ଭୂତାଣୁଜନିତ ଶର୍ଦ୍ଦି-କାଶ-ଜ୍ୱର ରୋଗାକ୍ରାନ୍ତ ହୋଇପଡନ୍ତି । ବାଂଲାଦେଶ ଓ ଫିଲିପାଇନ୍ସରେ ଏତାଦୃଶ ପରିବେଶ ଚିନ୍ତାର କାରଣ ପାଲଟିଛି । ବାଂଲାଦେଶରେ ସରକାରୀ ଚିକିତ୍ସାଳୟଗୁଡ଼ିକରେ ଦୈନିକ ଅଢ଼େଇ ହଜାର ଡ଼େଙ୍ଗୁ ରୋଗୀ ପହଞ୍ଚୁଥିବା ସ୍ଥଳେ ଫିଲିପାଇନ୍ସରେ ଡ଼େଙ୍ଗୁକୁ ଜାତୀୟ ବିପତ୍ତି ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପୌର ପ୍ରଶାସନ ସହରର ନାଳ ନର୍ଦ୍ଦମା ସଫେଇ ଓ ମଶାବଂଶ ବୃଦ୍ଧି ନିୟନ୍ତ୍ରଣ କରିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନେବା ଆବଶ୍ୟକ । ଗେଟ ବଜାର, ଭାପୁର, ସାନବଜାର, ବଡ଼ବଜାର, ପୁରୁଣା #ବ୍ରହ୍ମପୁର ଇତ୍ୟାଦି ଜନାକୀର୍ଣ୍ଣ ଅଞ୍ଚଳ ଗୁଡ଼ିକର ଖୋଲା ନର୍ଦ୍ଦମା ପାକ୍ଷିକ ବଦଳରେ ଅନ୍ତଃ ସପ୍ତାହରେ ଦୁଇ ତିନିଥର ସଫେଇର ବନ୍ଦୋବସ୍ତ କରାଯାଉ । କାରଣ ସ୍ଥିର ଜଳ ମଶା ବଂଶ ବୃଦ୍ଧିର କାରଣ ।

ଅତୀତ ବ୍ରହ୍ମପୁରର ଗହ୍ମାଡ଼ିଆଁ ପରମ୍ପରା କ୍ରମଶଃ ଲୋପ ପାଇ ଆସିଲାଣି । ସ୍ଵାଧୀନତା ଦିବସରେ ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ ପରେ ଷ୍ଟାଡିୟମରେ ପାରେଡ ତଥା ଘରକୁ ଫେରିଲେ ରାକ୍ଷୀ ବନ୍ଧନ ମେଘ ମୁକ୍ତ ବ୍ରହ୍ମପୁରରେ ଶୁଭରେ କଟୁ । ତେବେ ତାପରେ ବର୍ଷା ହେଉ !
---