କମ୍ୟୁନିଷ୍ଟ ପାର୍ଟିର ସଦସ୍ୟଭାବେ ଲକ୍ଷ୍ମଣ ରାଓ ପ୍ରଗତିବାଦୀ ଚ଼ିନ୍ତାଧାରା ପ୍ରସାର ନିମନ୍ତେ ସାହିତ୍ୟ ରଚ଼ନାକୁ ଅଗ୍ରାଧିକାର ଦେଇଥିଲେ । ମସ୍କୋରେ ପ୍ରଗତି ପ୍ରକାଶନୀରେ ୧୨ ବର୍ଷ ରହେଣୀ କାଳରେ ସେ ପ୍ରାୟ ୪୦ ଗୋଟି ପୁସ୍ତକ ଋଷ ଭାଷାରୁ ତେଲୁଗୁ ଭାଷାକୁ ଅନୁବାଦ କରିଥିଲେ । ସରଳ, ସାବଲୀଳ ତେଲୁଗୁ ଭାଷାରେ ସାହିତ୍ୟ ରଚ଼ନା ତାଙ୍କରି ବିଶେଷତ୍ୱ । ବ୍ରହ୍ମପୁରରେ ଶେଷ ୧୫ ବର୍ଷ ଅବସ୍ଥାନ କାଳରେ ‘ବାତୁକୁ ପୁସ୍ତକ’ ନାମକ ଆତ୍ମଜୀବନୀ ରଚ଼ନା ତେଲୁଗୁ ସାହିତ୍ୟିକ ମହଲରେ ଲୋକପ୍ରିୟ ହୋଇପାରିଥିଲା । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁଦ୍ଧା ମାର୍କ୍ସ-ଏନଞ୍ଜଲସ-ଲେନିନ ଚ଼ିନ୍ତାଧାରା ପ୍ରସାରରେ ଦୀର୍ଘ ଦିନର ସଂପୃକ୍ତି ଏବଂ ଏସିସି ଭଳି ସିମେଣ୍ଟ କାରଖାନା ପ୍ରତିଷ୍ଠା ଲକ୍ଷ୍ମଣ ରାଓଙ୍କ ବହୁମୁଖୀ ଚ଼ରିତ୍ରର ପରିଚ଼ୟ ।
ପତ୍ନୀଙ୍କ ମୃତ୍ୟୁ ବେଳକୁ ଲକ୍ଷ୍ମଣ ରାଓଙ୍କ ବୟସ ୭୨ ବର୍ଷ । ବ୍ରହ୍ମପୁର ଫେରିବା ପରେ ସେ ହିଲପାଟଣାରେ ନିଜ ଭାଇଙ୍କ ଘରେ ବସବାସ କଲେ । ତାଙ୍କ ଭାଇ ଜଣେ ଚ଼କ୍ଷୁ ଚ଼଼ିକିତ୍ସକ ଏବଂ ସାନ ବଜାରରେ କ୍ଳିନକ ଥିଲା । ସେମାନେ ପୂର୍ବତନ ରାଷ୍ଟ୍ରପତି ଭି.ଭି.ଗିରିଙ୍କ ସଂପର୍କୀୟ ଓ ଗିରିଙ୍କ ବାସଗୃହ ପଛପଟ ହିଲପାଟଣାବାସୀ । ଭି.ଭି.ଗିରି ବିଲାତରୁ ଆଇନ ଶିକ୍ଷା ସାରି ବ୍ରହ୍ମପୁର ଫେରିବା ପରେ ଚାଷୀ ଓ ଶ୍ରମିକ ସଂଗଠନରେ ମନୋନିବେଶ କରିଥିଲେ । ତାଙ୍କରି ନେତୃତ୍ୱରେ ତତ୍କାଳୀନ ବେଙ୍ଗାଲ-ନାଗପୁର-ରେଳୱେ କର୍ମଚାରୀ ସଂଗଠନ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଧର୍ମଘଟ ଅବସରରେ ଲକ୍ଷ୍ମଣ ରାଓ ଭି.ଭି.ଗିରିଙ୍କ ବ୍ୟକ୍ତିଗତ ସହାୟକଭାବେ କିଛି କାଳ କାର୍ଯ୍ୟ କରିଥିଲେ । ପରେ ସପତ୍ନୀକ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଯୋଗ ଦେଇଥିଲେ ।
ଅବିଭକ୍ତ ଆନ୍ଧ୍ର ପ୍ରଦେଶରେ ବିଂଶ ଶତାଦ୍ଦୀ ଷଷ୍ଠ ଓ ସପ୍ତମ ଦଶକରେ ଗଠିତ ପ୍ରଗତିଶୀଳ ଲେଖକ ସାମ୍ମୁଖ୍ୟର ଲକ୍ଷ୍ମଣ ରାଓ ଜଣେ ପ୍ରତିଷ୍ଠାତା ସଦସ୍ୟ । ସେହି ସମୟରେ ଲେଖକ ସଂଗଠନଟି ସର୍ବଭାରତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା । ବ୍ରହ୍ମପୁରରେ କେତେକ ଓଡ଼ିଆ ଯୁବ ଲେଖକଙ୍କ ସୃଜନରେ ପ୍ରଗତିଶୀଳ ଚ଼ିନ୍ତାଧାରା ସ୍ଥାନ ପାଇଥିଲେହେଁ କୌଣସି ଉଲ୍ଲେଖଯୋଗ୍ୟ ସାହିତ୍ୟକୃତୀ ସଂଭବ ହୋଇପାରି ନଥିଲା । ଅପରପକ୍ଷେ ୧୯୬୮ରୁ ୧୯୭୫ ମଧ୍ୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଯୁବ ଶାଖାଗୁଡ଼ିକ ସହରରେ ତତ୍ପର ରହିଥିଲେ । ପାର୍କସାହୀସ୍ଥିତ କମ୍ୟୁନିଷ୍ଟ ପାର୍ଟି କାର୍ଯ୍ୟାଳୟକୁ ଲକ୍ଷ୍ମଣ ରାଓ ବେଳେ ବେଳେ ଯାଉଥାନ୍ତି । ସର୍ବଭାରତୀୟ ସ୍ତରରେ ବହୁ ବାମପନ୍ଥୀ ନେତୃବର୍ଗଙ୍କ ସହ ତାଙ୍କରି ସଂପର୍କ ରହି ଆସିଥିଲା ।
ବ୍ରହ୍ମପୁର ତେଲୁଗୁ ଲେଖକଙ୍କ ମହଲରେ ଲକ୍ଷ୍ମଣ ରାଓ ଆଦର୍ଶ ରୂପେ ପରିଗଣିତ । କୁହାଯାଏ ଯେ ସାହିତ୍ୟ ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ଯୁବ ସର୍ଜନଶୀଳଙ୍କୁ ଆବଶ୍ୟକସ୍ଥଳେ ପରାମର୍ଶ ଦେବାରେ ସେ ପଛଘୁଞ୍ଚା ଦେଉନଥିଲେ । ବହୁରାଷ୍ଟ୍ରରେ ତାଙ୍କରି ସୁଦୀର୍ଘ ଅନୁଭୂତି ପ୍ରଶଂସକମାନଙ୍କୁ ଆକୃଷ୍ଟ କରୁଥିଲା । ଦେହାବସାନର ଚାରି ଦଶକ ପରେ ମଧ୍ୟ ଲକ୍ଷ୍ମଣ ରାଓଙ୍କ ସ୍ମୃତି ବ୍ରହ୍ମପୁର ଗୁଣଗ୍ରାହୀଙ୍କ ମଧ୍ୟରେ ଉଜ୍ଜୀବିତ ।
Image by Birgit from Pixabay