‘କୋଭିଡ଼-୧୯’ ସଂକ୍ରମଣରୁ ରକ୍ଷାପାଇବା
ପାଇଁ ପ୍ରତିଷେଧକ ଟୀକା ‘ଭେକ୍ସିନ’ ହିଁ
ଏକମାତ୍ର ସ୍ଥାୟୀ ବିକଳ୍ପ ବୋଲି ଚିକିତ୍ସକମାନେ ଧରିନେଇଥିବାସ୍ଥଳେ ତାହାର ପ୍ରତୀକ୍ଷାରେ ସମଗ୍ର
ବିଶ୍ୱବାସୀ । ପୂର୍ବରୁ କୌଣସି ଭୂତାଣୁ ପ୍ରତିରୋଧକ ଭେକ୍ସିନ ଉଦ୍ଭାବନ ଓ ସଫଳ ପରୀକ୍ଷଣ ପାଇଁ
ଦଶରୁ କୋଡ଼ିଏ ବର୍ଷ ଯାଏଁ ଲାଗି ଯାଉଥିଲା । ଏକବିଂଶ ଶତାଦ୍ଦୀ ସୁଦ୍ଧା ଗବେଷଣା କ୍ଷେତ୍ରରେ
ବ୍ୟାପକ ଉନ୍ନତି ଓ ବହୁସଂଖ୍ୟକ ଗବେଷକଙ୍କ ସଂପୃକ୍ତି ହେତୁ ଅତିକମରେ ଦୁଇବର୍ଷ ମଧ୍ୟରେ ‘ସାର୍ସ-କରୋନା -୨’ ଭୂତାଣୁ ସଂକ୍ରମଣ ପ୍ରତିଷେଧକ ଭେକ୍ସିନ
ଉତ୍ପାଦନ ସମ୍ଭବପର ବୋଲି ମୂଳରୁ ବୈଜ୍ଞାନିକମାନେ ଆଶ୍ୱସନା ଦେଇ ଆସିଥିଲେ । ‘କୋଭିଡ଼-୧୯’ ସଂକ୍ରମଣ ଆରମ୍ଭରୁ ଗତ ଛଅ ମାସ ମଧ୍ୟରେ
ଭେକ୍ସିନ ଉଦ୍ଭାବନ ନେଇ ଆମେ ବହୁ ଚାଞ୍ଚଲ୍ୟକର ସମ୍ୱାଦ ଶୁଣି ଆସିଛେ । କିନ୍ତୁ ପରେ ସବୁ ଗୁଜବ
ପ୍ରମାଣିତ ହୋଇଛି ।
ସମ୍ୱାଦପତ୍ରରେ ପ୍ରକାଶିତ ବିବରଣୀ ଅନୁଯାୟୀ
୧୦ ଜୁଲାଇ ୨୦୨୦ରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ବୈଠକରେ ବିଜ୍ଞାନ ଓ କାରିଗରୀବିଦ୍ୟା
ପାର୍ଲାମେଣ୍ଟରୀ ପ୍ୟାନେଲ ସମ୍ମୁଖରେ ଦେଶର ସର୍ବୋଚ୍ଚ ବୈଜ୍ଞାନିକ ପ୍ରତିଷ୍ଠାନଗୁଡ଼ିକର
କର୍ମକର୍ତ୍ତାଗଣ ‘ସାର୍ସ-କରୋନା-୨’ ଭୂତାଣୁର
ପ୍ରତିଷେଧକ ଭେକ୍ସିନ ଦେଶବାସୀଙ୍କ ପାଇଁ ଅତିକମରେ ୧୨ ମାସ ପରେ ଉପଲବ୍ଧ ସଂଭବପର ବୋଲି ତଥ୍ୟ
ଉପସ୍ଥାପନ କରିଥିଲେ । ଅବଶ୍ୟ ଏହି ସମୟସୀମା ସୁଚ଼ାଋରୂପେ ଗବେଷଣା ସମାହିତ ହେବା ଉପରେ
ନିର୍ଭରଶୀଳ । ‘ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ’ଙ୍କ ପକ୍ଷରୁ ପାଞ୍ଚଗୋଟି ଭାରତୀୟ ଔଷଧ ନିର୍ମାତାଙ୍କୁ ପରୀକ୍ଷାଗାରରେ ସଫଳତା ଯାଞ୍ଚ
ପରେ ଭେକ୍ସିନ ମନୁଷ୍ୟ ଶରୀରରେ ପରୀକ୍ଷଣ ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି ।
ସାଧାରଣ ଜ୍ଞାନରେ ଭୂତାଣୁ ପ୍ରତିଷେଧକ
ଭେକ୍ସିନଗୁଡ଼ିକ ମନୁଷ୍ୟ ଶରୀରରେ ପରୀକ୍ଷା ତିନିଗୋଟି ପର୍ଯ୍ୟାୟରେ କରାଯାଇଥାଏ । ଭାରତରେ
ଜୁଲାଇ ପ୍ରଥମାର୍ଦ୍ଧରେ ଦୁଇଗୋଟି ଭେକ୍ସିନର ମନୁଷ୍ୟ ଶରୀରରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ
ହୋଇଛି । ଅପରପକ୍ଷେ ଋଷ ପରୀକ୍ଷା ସାରିଥିବା ଦାବୀ କରୁଥିବା ସ୍ଥଳେ ଚୀନ, ଜର୍ମାନୀ ଓ
ଯୁକ୍ତରାଷ୍ଟ୍ର ଆମେରିକାରେ ଔଷଧ ନିର୍ମାତାମାନେ କରୋନା ଭୂତାଣୁ ପ୍ରତିଷେଧକ ଭେକ୍ସିନର ତୃତୀୟ
ପର୍ଯ୍ୟାୟ ମନୁଷ୍ୟ ଶରୀରରେ ପରୀକ୍ଷା ଜୁଲାଇରୁ ଆରମ୍ଭ କରୁଛନ୍ତି । ସେମାନଙ୍କ ଟୀକା ୨୦୨୦ ବର୍ଷ
ଶେଷ କିମ୍ୱା ୨୦୨୧ ବର୍ଷ ଆରମ୍ଭରେ ସର୍ବସାଧାରଣ ବ୍ୟବହାରଯୋଗ୍ୟ ହେବା ଆଶା କରାଯାଉଛି । ବିଶ୍ୱ
ସ୍ୱାସ୍ଥ୍ୟ ସଂଗଠନର ହିସାବରେ ଆନ୍ତର୍ଜାତିକସ୍ତରରେ ୨୧ଗୋଟି ଭେକ୍ସିନ ମନୁଷ୍ୟ ଶରୀରରେ ପରୀକ୍ଷଣ
ନିମନ୍ତେ ଆଗୁଆ ରହିଛି ।
ଭାରତୀୟ ବଜାରରେ ଭେକ୍ସିନ ପାଇଁ ଯଦି
ପାର୍ଲାମେଣ୍ଟରୀ ପ୍ୟାନେଲ ସମ୍ମୁଖରେ ଉପସ୍ଥାପିତ ତଥ୍ୟକୁ ଆପାତତଃ ଗ୍ରହଣ କରିନେବା, ତେବେ
ଆଗାମୀ ବର୍ଷ ବର୍ଷା ଋତୁ ଜୁଲାଇ ୨୦୨୧ ଯାଏଁ ଅପେକ୍ଷା କରିବାକୁ ପଡ଼ିବ । ପ୍ୟାନେଲକୁ ଆହୁରି କୁହାଯାଇଛି ଯେ ଭେକ୍ସିନର ବ୍ୟାବସାୟିକ
ଉତ୍ପାଦନ ଆରମ୍ଭ ପରେ ପ୍ରଥମେ ସମ୍ୱେଦନଶୀଳ ଗୋଷ୍ଠୀ ‘ଭନରେବଲ ଗୃପ’ ସଦସ୍ୟମାନଙ୍କଠାରେ ପ୍ରୟୋଗ
କରାଯିବ । ଅର୍ଥାତ ବୟସ୍କ, ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ବ୍ୟାଧିଗ୍ରସ୍ତ ପ୍ରଥମେ
ଭେକ୍ସିନ ପାଇବେ । ତତ୍ପରେ ଦୁଇ ତିନିମାସ ପରେ ୨୦୨୧ ଦଶହରା ବେଳକୁ ସର୍ବସାଧାରଣଙ୍କ
ବ୍ୟବହାରଲାଗି ହୁଏତ ଉପଲବ୍ଧ ହେବ ।
ବିଶ୍ୱବ୍ୟାପୀ ‘କୋଭିଡ଼-୧୯’ ସଂକ୍ରମଣ ବିଗତ ଛଅ ମାସର ଇତିହାସରୁ ଜଣାଯାଏ ଯେ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଭୂତାଣୁ
ସଂକ୍ରମଣ ଦେଖା ଦେବାମାତ୍ରେ ସାମୂହିକସ୍ତରରେ ଜନପଦ ବନ୍ଦ ‘ଲକଡ଼ାଉନ’ – ‘ସଟଡ଼ାଉନ’ ଜାରୀ କରାଯାଇ
ଭୂତାଣୁର ବସ୍ତି-ଗ୍ରାମ-ସହର-ପାର ଗତିକୁ ନିୟନ୍ତ୍ରଣ କରାଯାଏ । ତତ୍ ସଙ୍ଗେ ଆକ୍ରାନ୍ତକୁ ଖୋଜି
ବାହାର କରିବା, ପୃଥକବାସରେ ରଖିବା ତଥା ଚ଼ିକିତ୍ସା କରି ସଂକ୍ରମଣ ରୋକିବା ନିମନ୍ତେ ଉଦ୍ୟମ
ଅବ୍ୟାହତ ରହେ । ଫଳରେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଭୂତାଣୁ ସଂକ୍ରମଣ ଶିଖର ସ୍ଥଳରେ ପହଞ୍ଚିବା ପରେ
ହଠାତ ହ୍ରାସ ପାଏ ।
ଏହି ତତ୍ତ୍ୱକୁ ବିଚାରକୁ ନେଲେ ଦିଲ୍ଲୀ,
ମୁମ୍ୱାଇ, ଚ଼େନ୍ନାଇ ଭଳି ବ୍ରହ୍ମପୁରରେ ମଧ୍ୟ ଜୁଲାଇ ମାସ ସାରା ସଂକ୍ରମଣ ବଢ଼ି ଚାଲିଥିବାରୁ
ନିକଟ ଭବିଷ୍ୟତରେ ଆୟତ୍ତାଧୀନ ହେବା ଆଶା କରାଯାଇପାରେ । ଅବଶ୍ୟ ମହାମାରୀରେ ଭବିଷ୍ୟତ
ସଦାସର୍ବଦା ଅସ୍ପଷ୍ଟ । କେଉଁ ଘଟଣାକ୍ରମ ହେତୁ କେଉଁ ଦିଗରେ ସଂକ୍ରମଣ ଗତି କରିବ ତାହାର ସଠିକ
ଆକଳନ ଅସଂଭବ । ଉଦାହରଣରେ ମେ’ ଶେଷ ଜୁନ ଆରମ୍ଭରେ ପ୍ରବାସୀ ଶ୍ରମିକ ଘରମୁହାଁ ନ ହୋଇଥିଲେ #ବ୍ରହ୍ମପୁର ସହରରେ ସଂକ୍ରମଣର ହାର ହୁଏତ ଆଜିର ସୀମାରେ ପହଞ୍ଚି ନଥାନ୍ତା । ସେହିପରି
ଚ଼ିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ତୁଳନାରେ ଚ଼ିହ୍ନଟ ନ ହୋଇଥିବାଙ୍କ ସଂଖ୍ୟା ଯଦି ଅଧିକ
ରହିଥିବ ତେବେ ବି ହିସାବ ଗୋଳମାଳ ହୋଇଯିବା ସମ୍ଭବ ।
ଭାରତର ବିସ୍ତୃତ ଭୌଗଳିକ ପରିସୀମାରେ
ଭୂତାଣୁ ସଂକ୍ରମଣ ହାର ଶୀର୍ଷରେ ଏକ ସମୟରେ ନ ପହଞ୍ଚି ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ସମୟରେ ପହଞ୍ଚିବା
ସଂଭବପର ବୋଲି କୁହାଯାଉଛି । ଜୁଲାଇ ମାସରେ ପ୍ରକାଶିତ ବିଭିନ୍ନ ମଡ଼େଲ ମଧ୍ୟରେ ‘ଟାଇମ୍ସ
ଫେକ୍ଟ – ଇଣ୍ଡିଆ ଆଉଟବ୍ରେକ’ ପକ୍ଷରୁ ପ୍ରସ୍ତୁତ ପରିସଂଖ୍ୟାନ
ମଡ଼େଲରେ ଦର୍ଶାଯାଇଛି ଯେ ସର୍ବଭାରତୀୟସ୍ତରରେ ଅଗଷ୍ଟ ତୃତୀୟ ସପ୍ତାହରେ ସଂକ୍ରମଣ
ଶୀର୍ଷସ୍ଥାନରେ ପହଞ୍ଚି ଅକ୍ଟୋବର ମଧ୍ୟଭାଗ ବେଳକୁ ପରିସ୍ଥିତିରେ ସୁଧାର ଆସିବ । ଅବଶ୍ୟ
ବିଶେଷଜ୍ଞମାନେ ମଡ଼େଲଗୁଡ଼ିକୁ ମାର୍ଗଦର୍ଶକ ଭାବେ ଗ୍ରହଣ କରୁଥିବା ସ୍ଥଳେ କୌଣସିଟିକୁ
ପୂର୍ଣ୍ଣବିଶ୍ୱାସକୁ ନେଇନଥାନ୍ତି ।
‘ସାର୍ସ-କରୋନା-୨’ ଭୂତାଣୁ ପ୍ରତିଷେଧକ
ଭେକ୍ସିନ ଉଦ୍ଭାବନ ପରେ ବ୍ରହ୍ମପୁରବାସୀ ଅନେକ ପ୍ରଶ୍ନର ସମ୍ମୁଖୀନ ହେବେ । ଭାରତ ଆଗରୁ
ବିଦେଶରେ ଭେକ୍ସିନ ଉପଲବ୍ଧ ହେଲେ ଏଠାକାର ଲୋକେ ତାହା ପାଇପାରିବେ କି ? ଦେଶରେ ଭେକ୍ସିନ ପ୍ରଦାନ କେବଳ ସରକାରୀ ଚ଼ିକିତ୍ସାଳୟରେ ସୀମିତ ରହିବ ନା
ବ୍ୟାବସାୟିକସ୍ତରରେ ସମସ୍ତଙ୍କ ପାଇଁ ଘରୋଇ କ୍ଳିନକ, ଔଷଧ ଦୋକାନଗୁଡ଼ିକରେ ମିଳିବ ? ଭେକ୍ସିନ ନୂତନଭାବେ ପ୍ରସ୍ତୁତ ହେଉଥିବା ହେତୁ ଯଦି କିଛି ପାର୍ଶ୍ୱପ୍ରତିକ୍ରିୟା ହୁଏ
ସେହି ଅବସରରେ ଉପଭୋକ୍ତାଙ୍କ ଅବସ୍ଥା କିଏ ବୁଝିବ ? ଇତ୍ୟାଦି ।
‘କୋଭିଡ଼-୧୯’ ଭେକ୍ସିନକୁ ନେଇ ଅନ୍ୟ
ଦୁଇଗୋଟି ପ୍ରଶ୍ନ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଥାଏ । ପ୍ରଥମତଃ, ଏକ ବୃହତ ଜନସଂଖ୍ୟା କୌଣସି
ଭେକ୍ସିନ ଗ୍ରହଣ କରିବା ଏବଂ ଏତଦ୍ୱାରା ସେମାନଙ୍କ ଶରୀରରେ ସଂକ୍ରମଣ ପ୍ରତିରୋଧକ କ୍ଷମତା
ବଢ଼ିବା ପ୍ରମାଣିତ ନ ହେବା ଯାଏଁ କୌଣସି ଉତ୍ପାଦ ବିଶ୍ୱାସଯୋଗ୍ୟ ହୋଇପାରି ନଥାଏ । ଏଡ଼ସ୍,
ସାର୍ସ, ଇବୋଲାର ଭେକ୍ସିନ ତ ଏଯାଏଁ ପ୍ରସ୍ତୁତ ହୋଇପାରି ନାହିଁ । ଅନ୍ୟାନ୍ୟ କାରଣ ମଧ୍ୟରେ କୁହାଯାଉଛି
ଯେ କେତେକ କ୍ଷେତ୍ରରେ ଭୂତାଣୁଗୁଡ଼ିକ କ୍ରମାଗତଭାବେ ନିଜ ଆଙ୍ଗିକ ପରିବର୍ତ୍ତନ କରି ଚାଲିଥିବା
ହେତୁ ପ୍ରତିଷେଧକ ଉଦ୍ଭାବନ ସମ୍ଭବପର ହୋଇପାରୁ ନାହିଁ ।
ଦ୍ୱିତୀୟତଃ, ଭେକ୍ସିନକୁ ନେଇ
ସର୍ବସାଧାରଣରେ ଉତ୍ସୁକତା ଲାଗି ରହିଥିବା ସ୍ଥଳେ ଯଦି ଦେଢ଼ବର୍ଷ ପରେ ବ୍ରହ୍ମପୁରରେ ଏହି
ସୁବିଧା ସୁଯୋଗ ପହଞ୍ଚିବା ସମୟ ବେଳକୁ ମହାମାରୀର ପ୍ରକୋପ ହ୍ରାସ ପାଇ ଆସିଥାଏ ତେବେ ଏହାର
ଗୁରୁତ୍ୱ କେତେ ରହିବ ତାହା ସମୟ କହିବ । ଶହେ ବର୍ଷ ପୂର୍ବେ ୧୯୧୮-୧୯ରେ ‘ସ୍ୱାନିଶ
ଫ୍ଲୁ’ ସଂକ୍ରମଣରେ ସମଗ୍ର ବିଶ୍ୱର ପାଞ୍ଚରୁ ଦଶ କୋଟି ଓ ଭାରତରେ
ଦେଢ଼ରୁ ଦୁଇ କୋଟି ଲୋକ ପ୍ରାଣ ହରାଇଥିଲେ । ସଂକ୍ରମଣ ସମୟରେ ଭେକ୍ସିନ ପ୍ରସ୍ତୁତ ହୋଇପାରି
ନଥିଲା । ପରେ ମିଳିଲା । ବର୍ତ୍ତମାନ ସୁଦ୍ଧା ଫ୍ଲୁ
ସମ୍ୱନ୍ଧୀୟ ରୋଗରେ ଭାରତରେ ବାର୍ଷିକ ଲକ୍ଷାଧିକ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ କେତେ ଜଣ
ଫ୍ଲୁ ଭେକ୍ସିନ ନେଉଛନ୍ତି ? କିଛି କାଳ ପରେ ‘କୋଭିଡ଼-୧୯’ ଏକ ସାଧାରଣ ରୋଗ ରୂପେ ଧରି ନିଆଯିବା ଏବଂ ଏହାର
ଭେକ୍ସିନ ପ୍ରତି ଜନସାଧାରଣ ଯତ୍ନବାନ ନ ହେବା ଆଶଙ୍କାକୁ ତ ଏଡ଼ାଇ ଦେଇ ହେବ ନାହିଁ !
(‘ଅନୁପମ ଭାରତ’ / ୧୮ ଜୁଲାଇ ୨୦୨୦/ ପୃଷ୍ଠା : ୨)
Photo by BRUNO
EMMANUELLE on Unsplash
No comments:
Post a Comment