#ବ୍ରହ୍ମପୁର ସହର ଇତିହାସ ପୃଷ୍ଠାରେ
ମହାମାରୀ ଅନୁଭୂତି ଖୋଜି ପାଇହୁଏନା । ଶହେ ବର୍ଷ ପୂର୍ବେ ୧୯୧୮-୧୯ରେ ‘ସ୍ପାନିଶ
ଫ୍ଳୁ’ ବିଶ୍ୱ ମହାମାରୀ ରୂପ ନେଇଥିଲେ ହେଁ ଏଠାରେ ରୋଗର ପ୍ରଭାବ
ସଂପର୍କରେ ବିବରଣୀ ବିରଳ । ଗଞ୍ଜାମ ଜିଲ୍ଲା ସଂପର୍କରେ ଉପଲବ୍ଧ ପୁରାତନ ମୁଦ୍ରିତ ଦଲିଲ ‘ଦି ଗଞ୍ଜାମ ଡ଼ିଷ୍ଟିକ୍ଟ ମ୍ୟାନୁଏଲ’ ୧୯୧୮ରେ ପ୍ରକାଶିତ
ହୋଇଥିଲା । ଏଣୁ ଏଥିରେ ମହାମାରୀ ସଂପର୍କରେ ଉଲ୍ଲେଖ ନରହିବା ସ୍ୱାଭାବିକ । ମାଡ୍ରାସ ପ୍ରେସିଡ଼େନ୍ସିରେ
ଅବସ୍ଥାପିତ ସରକାରୀ କର୍ମଚ଼ାରୀ ଟି.ଜେ. ମାଲଟବୀ ମାନୁଏଲଟି ପ୍ରସ୍ତୁତ କରିଥିଲେ ।
ପ୍ରଥମ ବିଶ୍ୱଯୁଦ୍ଧ ଶେଷ ଅବସ୍ଥାରେ ସଂଘଟିତ
‘ସ୍ପାନିଶ ଫ୍ଳୁ’ ସଂପର୍କରେ ସଠିକ ତଥ୍ୟାବଳୀ ଅଭାବ । କାରଣ
ସେହି ସମୟରେ ଆନ୍ତର୍ଜାତିକସ୍ତରରେ ଘଟଣାବଳୀ ନିୟନ୍ତ୍ରଣ ନିମନ୍ତେ ସୁବିଧାସୁଯୋଗ ସୃଷ୍ଟି
ହୋଇପାରିନଥିଲା । ତେବେ ବିଭିନ୍ନ ବିବରଣୀ ଅନୁଯାୟୀ ‘ସ୍ପାନିଶ ଫ୍ଲୁ’ରେ ସମଗ୍ର ବିଶ୍ୱର ପ୍ରାୟ ୫୦ କୋଟି ଆକ୍ରାନ୍ତ ହୋଇ ପାଞ୍ଚରୁ ଦଶ କୋଟି ପ୍ରାଣ
ହରାଇଥିଲେ । ଭାରତରେ ମୁଖ୍ୟତଃ ବମ୍ୱେ, ମାଡ୍ରାସ ବନ୍ଦରସହରଗୁଡ଼ିକରୁ ସଂକ୍ରମଣ ବ୍ୟାପୀ ଦେଢ଼
କୋଟିରୁ ଦୁଇ କୋଟି ଯାଏଁ ମୃତ୍ୟୁମୁଖରେ ପଡ଼ିଥିଲେ ।
ମାଲଟବୀଙ୍କ ମ୍ୟାନୁଏଲରେ ଗଞ୍ଜାମ ମହାମାରୀ
ଉଲ୍ଲେଖ ରହିଛି । ଇଂରେଜମାନେ ୧୭୬୮ରେ ଗଞ୍ଜାମଠାରେ ଦୁର୍ଗ ନିର୍ମାଣ କରିଥିଲେ । ଋଷିକୂଲ୍ୟା
ନଦୀ ମୁହାଣରେ ଏହାର ଧ୍ୱଂସାବଶେଷ ବର୍ତ୍ତମାନ ସୁଦ୍ଧା ପୋତାଗଡ଼ ନାମରେ ଖ୍ୟାତ । ଗଞ୍ଜାମ ସହର
ଗଞ୍ଜାମ ଜିଲ୍ଲାର ସଦର ମହକୁମାରେ ପରିଣତ ହୋଇଥିଲା । ୧୮୧୫ରେ ଗଞ୍ଜାମ ସହରରେ ଜ୍ୱର ଓ ତରଳ
ଝାଡ଼ା ମହାମାରୀ ଆକାର ଧାରଣ କରିବାପରେ ଜୀବନରକ୍ଷା ନିମନ୍ତେ ସେଠାକାର ବାସିନ୍ଦାମାନେ ସହର
ପରିତ୍ୟାଗ କରିଥିଲେ । ଏହି ଅବସରରେ ଇଂରେଜ ପ୍ରଶାସନ ମଧ୍ୟ ସଦର ମହକୁମାକୁ ବ୍ରହ୍ମପୁରକୁ
ସ୍ଥାନାନ୍ତରିତ କରିଥିଲେ । ଗଞ୍ଜାମରେ ୧୮୧୫ ବେଳକୁ ୩୦ ହଜାର ବସବାସ କରୁଥିବା ସ୍ଥଳେ ୧୮୧୮ରେ
ଛଅ ହଜାରକୁ ହ୍ରାସ ପାଇଥିଲା ।
ମାଡ୍ରାସ ପ୍ରେସିଡ଼େନ୍ସିରେ ଗଞ୍ଜାମ ଏକ
ପରିଷ୍କାର ଓ ସୁନ୍ଦର ସହର ଥିଲା । ସେଠାରେ ମହାମାରୀ ବ୍ୟାପିବାର କାରଣ ସଂପର୍କରେ ସବିଶେଷ ତଥ୍ୟ
ଉଦ୍ ଘାଟିତ ନ ହୋଇପାରିଥିଲେ ହେଁ ୧୮୦୨ରୁ
ସହରର ପରିମଳ ବ୍ୟବସ୍ଥା, ବିଶେଷ କରି ଜଳଯୋଗାଣ ଓ ବର୍ଜ୍ୟଜଳ ନିଷ୍କାସନ କ୍ଷେତ୍ରରେ କ୍ରମାଗତ
ଅବନତିକୁ ଦାୟୀ କରାଯାଇଥାଏ । ମହାମାରୀ-ପର ଅବସ୍ଥାରେ ଲୋକାଲ ଫଣ୍ଡ ବୋର୍ଡ଼ ଆନୁକୂଲ୍ୟରେ
ଗଞ୍ଜାମ ସହରରେ ନାଳ ନର୍ଦ୍ଦମା ନିର୍ମାଣ ନିମନ୍ତେ ପ୍ରାଥମିକତା ଦିଆଯାଇଥିବା ମାଲଟବୀ ଉଲ୍ଲେଖ
କରିଛନ୍ତି ।
ଐତିହାସିକ ଡ଼କ୍ଟର ଦଣ୍ଡପାଣି ବେହରାଙ୍କ
ବିବରଣୀ ଅନୁଯାୟୀ ଗଞ୍ଜାମ ସହରରେ ମହାମାରୀ ବ୍ୟାପିବାବେଳକୁ ବ୍ରହ୍ମପୁରରେ ମହୁରିରାଜ୍ୟ ଶାସନକୁ
ନେଇ ଅରାଜକତା ଲାଗି ରହିଥିଲା । ୧୭୯୧ରୁ ବ୍ରହ୍ମପୁର ସମେତ ମହୁରି ରାଜ୍ୟକୁ ଗଞ୍ଜାମ ପ୍ରଶାସନ
ଅଧୀନରେ ରଖାଯାଇଥିଲା । ୧୭୯୧ ରୁ ୧୮୧୦ ଯାଏଁ ମହୁରି ରାଣୀ ଏବଂ ୧୮୧୦ ରୁ ୧୮୧୬ ଯାଏଁ ଜଣେ
ଦକ୍ଷିଣ ଭାରତୀୟଙ୍କୁ ରାଜସ୍ୱ ଆଦାୟ ନିମନ୍ତେ ଇଂରେଜ ପ୍ରଶାସନ ନିଯୁକ୍ତି ଦେଇଥିଲେ । ସରକାରୀ
ନିଷ୍ପତିକୁ ବିରୋଧ କରି ସୁରସିଂ ମାର୍ଥାଙ୍କ ନେତୃତ୍ୱରେ ବିଦ୍ରୋହ ଆରମ୍ଭ ହୋଇଥିଲା ।
ବିଶୃଙ୍ଖଳା ଦମନ କରିବା ନିମନ୍ତେ ୧୮୧୬ ନଭେମ୍ୱରରେ ମହୁରି ରାଜ୍ୟ ପରିଚାଳନା ଭାର ଜଣେ କଲେକ୍ଟର
ଗ୍ରହଣ କରିଥିଲେ । ଏହି ସମୟରେ ଗଞ୍ଜାମ ସହର ମହାମାରୀ ଆକ୍ରାନ୍ତ ହେବା ପରେ ଇଂରେଜ ପ୍ରଶାସନିକ
କାର୍ଯ୍ୟାଳୟ ଓ ସୈନ୍ୟମାନଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରିବା ଅବସରରେ ବହୁ ସଂଖ୍ୟକ ଗଞ୍ଜାମ
ସହରବାସୀ ମଧ୍ୟ ବ୍ରହ୍ମପୁରରେ ପହଞ୍ଚି ସ୍ଥାୟୀଭାବେ ବସବାସ ଆରମ୍ଭ କରିଥିଲେ । ଗଞ୍ଜାମ ମହାମାରୀ
ବେଳର ବ୍ରହ୍ମପୁରର ମୂକସାକ୍ଷୀଭାବେ ସୁରସିଂ ମାର୍ଥାଙ୍କ ସ୍ମୃତିରେ ଆଜିକାର ମାର୍ଥା ପେଟା,
ସୈନ୍ୟ ଛାଉଣୀ ବାରକ୍ସ ଓ ବାସସ୍ଥଳୀ ମିଲଟରୀ ଲାଇନ୍ସ, କଣ୍ଟେନମେଣ୍ଟ ରୋଡ଼କୁ ଚ଼ିହ୍ନଟ
କରାଯାଇପାରେ ।
ଗଞ୍ଜାମ ମହାମାରୀର ପ୍ରାୟ ଶହେ ବର୍ଷ ପରେ
ସଂଘଟିତ ୧୯୧୮-୧୯ରେ ‘ସ୍ପାନିଶ ଫ୍ଳୁ’ ବ୍ରହ୍ମପୁରକୁ
ବ୍ୟାପୀଥିଲା କି ନାହିଁ ତାହାର ବିବରଣୀ ଅସ୍ପଷ୍ଟ । ସେତେବେଳକୁ ଅନ୍ୟାନ୍ୟ ପତ୍ରପତ୍ରିକାଗୁଡ଼ିକ
ମଧ୍ୟରେ ବ୍ରହ୍ମପୁରରୁ ‘ସପ୍ତାହିକ ଆଶା’ ଓ
କଟକରୁ ‘ଉତ୍କଳ ଦୀପିକା’ ନିୟମିତ ପ୍ରକାଶିତ
ହେଉଥିଲା । ସେଥିରେ କ’ଣ ଉଲ୍ଲେଖ ରହିଛି ତାହା ଗବେଷଣାସାପେକ୍ଷ । ‘ଉତ୍କଳ ଦୀପିକା’ର ପୁରାତନ ସଂଖ୍ୟାଗୁଡ଼ିକ ଭୁବନେଶ୍ୱର ଅଭିଲେଖାଗାର,
ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରନ୍ଥାଗାର ଓ କଟକ ଶ୍ରୀରାମଚ଼ନ୍ଦ୍ର ଭବନ ଗ୍ରନ୍ଥାଗାରରେ ଉପଲବ୍ଧ ।
ନିକଟ ଅତୀତରେ ୨୦୦୩ର ସାର୍ସ ଓ ୨୦୦୯ର
ସ୍ୱାଇନ ଫ୍ଳୁର ପ୍ରଭାବ ବ୍ରହ୍ମପୁରରେ ଅନୁଭୂତ ହୋଇନଥିଲା । ୧୯୯୫ରେ ସୁରତରେ ମହାମାରୀ ଦେଖା
ଦେବା ପରେ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ଗଞ୍ଜାମ ଜିଲ୍ଲାକୁ ଫେରିବା ଅବସରରେ ସଂକ୍ରମଣ ଆଶଙ୍କା
କରାଯାଇଥିଲା । ତେବେ ସେଭଳି ଅଘଟଣ ଘଟିନଥିଲା । ଏପରିକି ଏଡ଼ସ ସଂକ୍ରମଣ ମଧ୍ୟ ବ୍ରହ୍ମପୁରରେ
ପ୍ରତିଫଳିତ ହୋଇପାରି ନଥିଲା । ମାଳ ଅଞ୍ଚଳ ସହ ସଂପର୍କ ହେତୁ ବ୍ରହ୍ମପୁରବାସୀଙ୍କୁ ବ୍ରେନ
ମ୍ୟାଲେରିଆ ସଂକ୍ରମଣର ଭୟ ଲାଗି ରହିଥାଏ । ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକରେ ଏହାର ବହୁଳ ପ୍ରଭାବ
ଅନୁଭୂତ ହୋଇଥିଲା ।
ମୋଟାମୋଟି ଭାବେ ‘କୋଭିଡ଼-୧୯’ ମହାମାରୀ ବ୍ରହ୍ମପୁର ପାଇଁ ଏକ ନୂଆ ଅନୁଭୂତି । ସହରବାସୀ ମାସ୍କ, ପିପିଇ ସୁଟ,
ଲକଡ଼ାଉନର ଚ଼ିତ୍ର ପତ୍ରପତ୍ରିକା ପୃଷ୍ଠା ଓ ଟେଲିଭିଜନ ପର୍ଦ୍ଦାରେ ଦେଖୁଥିଲେ । ସେଭଳି
ଅନୁଭୂତି ଯେ ଦିନେ ସେମାନଙ୍କ ଜୀବନର ଅଂଶବିଶେଷ ପାଲଟିଯିବ କେବେ ସ୍ୱପ୍ନରେ ସୁଦ୍ଧା କଳ୍ପନା
କରିନଥିଲେ !
(‘ଅନୁପମ ଭାରତ’ / ୧୧ ଜୁଲାଇ ୨୦୨୦/ ପୃଷ୍ଠା : ୨)
Photo by Volodymyr
Hryshchenko on Unsplash
No comments:
Post a Comment