‘କୋଭିଡ଼-୧୯’ ସଂକ୍ରମଣ ରୋକିବା ପ୍ରୟାସରେ
ତିନିମାସ ଧରି ଲକଡ଼ାଉନ-ସଟଡ଼ାଉନ ଜାଲରେ ଛନ୍ଦି ହୋଇଯିବାପରେ ଏହି ମହାମାରୀର ଦିନକାଳ ଆଉ କେତେ
ଦିନ ସେ ସଂପର୍କରେ ଜାଣିବା ନିମନ୍ତେ ବ୍ରହ୍ମପୁରବାସୀଙ୍କ ମନ ବ୍ୟଗ୍ର । ଅର୍ଦ୍ଧାଧିକଙ୍କ ହାତ
ପାଆନ୍ତାରେ ଇଣ୍ଟରନେଟଯୁକ୍ତ ମୋବାଇଲ ଫୋନ, ୯୫ ପ୍ରତିଶତଙ୍କ ଘରେ ଟେଲିଭିଜନ ଏବଂ ୩୬ ପ୍ରତିଶତ
ଯାଏଁ ସମ୍ୱାଦପତ୍ର ପାଠକ ଥିବା ତଥା ସୁଇଚ ଟିପିଲେ, ପୃଷ୍ଠା ଓଲଟାଇଲେ ଅବିରତ ମହାମାରୀ ତଥ୍ୟ
ପ୍ରବାହିତ ହେଉଥିବା ସ୍ଥଳେ ଆଉ କେତେଦିନ ଭୂତାଣୁ ସକ୍ରିୟ ରହିବ ଏବଂ ସାଧାରଣ ଜନଜୀବନ ପ୍ରଭାବିତ
ହୋଇଚାଲିଥିବ ତାହାର ସଠିକ ଉତ୍ତର ଖୋଜି ପାଇ ହୁଏନା ।
ଏଠାରେ ଗୋଟିଏ କଥା ମନେ ରଖିବାକୁ ପଡ଼ିବ ଯେ
ମହାମାରୀ ଆରମ୍ଭ ହେବା ସମୟରେ ବୈଜ୍ଞାନିକମାନେ ଚ଼େତାବନୀ ଦେଇ ନୂତନ କରୋନା ଭୂତାଣୁ ‘ଏନ-କୋଭ-୨’ ଏକ ସଂପୂର୍ଣ୍ଣ ନୂତନ ଭୂତାଣୁ ଏବଂ ଚିକିତ୍ସା ବିଜ୍ଞାନୀମାନେ ଏହାର ସଂକ୍ରମଣର
ଗତିବିଧି କିମ୍ୱା ଉପଚାର ସଂପର୍କରେ ଅଜ୍ଞ ଥିବା ଘୋଷଣା କରିଥିଲେ । ଭୂତାଣୁ ଚ଼ିହ୍ନଟର ଛଅମାସ
ବିତିଯାଇଥିଲେ ସୁଦ୍ଧା ଏହାର ପ୍ରତିଷେଧକ କିମ୍ୱା ଚ଼ିକିତ୍ସା ଲାଗି ନିର୍ଦ୍ଧିଷ୍ଟ ଔଷଧ
ଉଦ୍ଭାବିତ ହୋଇପାରି ନାହିଁ । ଦେଶବିଦେଶରେ ବହୁ ସଂଖ୍ୟକ ବୈଜ୍ଞାନିକ ଭୂତାଣୁ ସଂପର୍କରେ ଗବେଷଣା
ଜାରୀ ରଖିଛନ୍ତି । ଅତଏବ ଏହି ମହାମାରୀରୁ କେବେ ନିସ୍ତାର ମିଳିବ ତାହାର ସଠିକ ଆକଳନ ସଂଭବପର
ନୁହଁ ।
ତେବେ ମହାମାରୀର ସମୟସୀମା ନିର୍ଦ୍ଧାରଣ
ଲାଗି ବିଜ୍ଞାନସମ୍ମତ୍ତ ଧାରାରେ ପରିସଂଖ୍ୟାନ ଗଣିତ ‘ଷ୍ଟାଟିଷ୍ଟିକ୍ସ’, ସଂକ୍ରମଣ ବିଜ୍ଞାନ ‘ଏପିଡ଼େମିଲୋଜି’ ଓ ଜନସ୍ୱାସ୍ଥ୍ୟ ‘ପବ୍ଳିକ ହେଲଥ’
ବିଶେଷଜ୍ଞମାନେ ପୂର୍ବାନୁମାନ କରିଥାନ୍ତି । ଭୂତାଣୁର ଚଳନ୍ତି ଗତିବିଧି ସଂକ୍ରାନ୍ତୀୟ ତଥ୍ୟ ଆଧାରରେ
ପରିସଂଖ୍ୟାନବିତମାନେ ସମ୍ଭାବ୍ୟ ସଂକ୍ରମଣର ମଡ଼େଲ ପ୍ରସ୍ତୁତ କରୁଥିବା ସ୍ଥଳେ ସଂକ୍ରମଣ
ବିଜ୍ଞାନୀମାନେ ବିଗତ ମହାମାରୀଗୁଡ଼ିକର ଇତିହାସ ତର୍ଜମା କରି ପରାମର୍ଶ ପ୍ରଦାନ କରିଥାନ୍ତି ।
ପରିସଂଖ୍ୟାନଭିତ୍ତିକ ମଡ଼େଲଗୁଡ଼ିକ ବାସ୍ତବକ୍ଷେତ୍ରରୁ ସଂଗୃହୀତ ତଥ୍ୟ ଉପରେ ନିର୍ଭିରଶୀଳ
ହେଉଥିବା ହେତୁ ତାହା ସମୟାନ୍ତେ ପରିବର୍ତ୍ତିତ ହୋଇଥାଏ । ଉଦାହରଣରେ ଗଞ୍ଜାମକୁ ପ୍ରବାସୀ
ଶ୍ରମିକ ଫେରିବା ପୂର୍ବରୁ ଯେଉଁ ପରିସ୍ଥିତି ଥିଲା ବା ତଥ୍ୟଭିତ୍ତିକ ମଡ଼େଲ ପ୍ରସ୍ତୁତ
କରାଯାଇଥିଲା ତାହା ପ୍ରବାସୀ ଶ୍ରମିକ ଫେରିବା ପରବର୍ତ୍ତୀ ଅବସ୍ଥାରେ ଗ୍ରହଣଯୋଗ୍ୟ ହୋଇପାରିଲା
ନାହିଁ ।
ଅନଲାଇନ ସମ୍ୱାଦ ପୋର୍ଟାଲ ‘ଦି
ୱାଇର’ ନିମନ୍ତେ ବର୍ଷୀଆନ ସାମ୍ୱାଦିକ କରନ ଥାପର ମହାମାରୀ ସଂକ୍ରମଣ
ସଂପର୍କରେ କେତେକ ଖ୍ୟାତନାମା ବିଶେଷଜ୍ଞଙ୍କ ସହ ସାକ୍ଷାତକାର ଆୟୋଜନ କରିଥିଲେ । ସେଗୁଡ଼ିକର
ଭିଡ଼ିଓ ‘ୟୁ-ଟ୍ୟୁବ’ରେ ଉପଲବ୍ଧ ।
ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭାଡ଼ ବିଶ୍ୱବିଦ୍ୟାଳୟର ଭାରତୀୟ ବଂଶୋଦ୍ଭବ ପ୍ରଫେସର ଆଶିଷ ଝା
କହିଛନ୍ତି ଯେ ଅଗଷ୍ଟ ମାସ ବେଳକୁ ଭାରତରେ ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ଦୁଇ ଲକ୍ଷ ଛୁଇଁପାରେ
। ସେହିପରି ୱାଶିଂଟନସ୍ଥିତ ସେଣ୍ଟର ଫର ଡିଜିଜ ଡ଼ାଏନାମିକ୍ସର ନିର୍ଦ୍ଦେଶକ ରାମନାନ
ଲକ୍ଷ୍ମୀନାରାୟଣନ କହିଛନ୍ତି ସେ ସେପ୍ଟେମ୍ୱର ମାସ ବେଳକୁ ଭାରତରେ ଭୂତାଣୁ ସଂକ୍ରମିତଙ୍କ
ସଂଖ୍ୟା କୋଡ଼ିଏ କୋଟିରେ ପହଞ୍ଚିପାରେ । ଏଭଳି ଆକଳନଗୁଡ଼ିକ ଯେ ବାସ୍ତବ କ୍ଷେତ୍ରରେ ପ୍ରତିଫଳିତ
ହେବ ତାହା ପୂର୍ଣ୍ଣ ବିଶ୍ୱାସଯୋଗ୍ୟ ମନେ ନହେଲେ ହେଁ ମହାମାରୀର ପ୍ରଭାବ ଯେ ଦୀର୍ଘକାଳ ବଳବତ୍ତର
ରହିବ ଏହା ବିଶେଷଜ୍ଞମାନଙ୍କ ମତ ବୋଲି ଧରିନେବାକୁ ହେବ ।
ଡ଼ାକ୍ତର ଜୟପ୍ରକାଶ ମୁଲିଏଲ ଭେଲୋର ଖ୍ରୀଷ୍ଟିଆନ
ମେଡ଼ିକାଲ କଲେଜର ଭୂତପୂର୍ବ ଅଧ୍ୟକ୍ଷ ଏବଂ ନିଜେ ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ ।
ବ୍ରହ୍ମପୁରବାସୀ ବିଶାଖପାଟଣା, ଭୁବନେଶ୍ୱରରେ ଘରୋଇ ହସପିଟାଲ ସୁବିଧା ମିଳିବା ପୂର୍ବରୁ ଜଟିଳ
ରୋଗ ଚିକିତ୍ସା ପାଇଁ ଅଧିକାଂଶ ଭେଲୋର ଉପରେ ନିର୍ଭରଶୀଳ ଥିଲେ । ତେଣୁ ଭେଲୋର ଡ଼ାକ୍ତରଙ୍କ
ପରାମର୍ଶ ବୟସ୍କ ସହରବାସୀଙ୍କ ନିମନ୍ତେ ରୋଚକ ହୋଇପାରେ । ସେ କହିଛନ୍ତି ଯେ ଭାରତରେ ଆମେ
ପ୍ରଥମେ ଭୂତାଣୁକୁ ବନ୍ଦ ‘ବ୍ଳକ’ କରିଦେବା ଓ ଦ୍ୱିତୀୟ
ପର୍ଯ୍ୟାୟରେ ମୂଳପୋଛ ‘ଏଲିମିନେଟ’ କରିଦେବା
ନିମନ୍ତେ ପ୍ରଚେଷ୍ଟା କରିଥିଲେ । ତେବେ ତାହା ସଂଭବ ହେଲା ନାହିଁ । ଯେକୌଣସି କାରଣରୁ ହେଉନା
କାହିଁକି ତୃତୀୟ ପର୍ଯ୍ୟାୟରେ ଭୂତାଣୁ ଦେଶ ସାରା ବ୍ୟାପି ଯାଇଛି । ବହୁ ଲୋକ ସଂକ୍ରମିତ ହେଉଛନ୍ତି
। କିନ୍ତୁ ଏଥିରେ ଡ଼ରିବାର କିଛି ନାହିଁ । ମହାମାରୀରେ ସଂକ୍ରମିତଙ୍କ ସଂଖ୍ୟା ଶିଖରରେ
ପହଞ୍ଚିବା ପରେ ନରମିଥାଏ । ତାହାହିଁ ମହାମାରୀର ଲକ୍ଷଣ । ତେଣୁ ଆମକୁ ଶିଖରରେ ପହଞ୍ଚିବା ଯାଏଁ
ସାବଧାନତା ଅବଲମ୍ୱନ କରିବାକୁ ପଡ଼ିବ ।
ଡ଼ାକ୍ତର ମୁଲିଏଲ
ଭୂତାଣୁ ମୁକାବିଲା ନିମନ୍ତେ ସାମୂହିକ ପ୍ରତିରୋଧ ‘ହେର୍ଡ ଇମ୍ୟୁନିଟି’କୁ ଗୁରୁତ୍ୱ ଦିଅନ୍ତି । ତାଙ୍କରି
ମତରେ ସାରା ଭାରତରେ ସଂକ୍ରମଣ ଶିଖରରେ ଗୋଟିଏ ସମୟରେ ପହଞ୍ଚିବ ନାହିଁ ।
ପାରିପାର୍ଶ୍ୱିତ ତଥ୍ୟାବଳୀକୁ ବିଚାରକୁ ନେଲେ ହୁଏତ ମୁମ୍ୱାଇ ଓ ଦିଲ୍ଲୀରେ ଜୁଲାଇ ତଥା
ଚ଼େନ୍ନାଇରେ ଅଗଷ୍ଟ ମାସ ସୁଦ୍ଧା ସଂକ୍ରମଣ ଶୀର୍ଷରେ ପହଞ୍ଚିବା ଆଶା କରାଯାଇପାରେ ।
ବ୍ରହ୍ମପୁରବାସୀଙ୍କ ଗଞ୍ଜାମ ଜିଲ୍ଲାକୁ
ପ୍ରାୟ ଦୁଇ ଲକ୍ଷ ୧୬ ହଜାର ପ୍ରବାସୀ ଶ୍ରମିକ ଫେରିଥିବା ଏବଂ ସେମାନଙ୍କ ଦ୍ୱାରା ଗ୍ରାମାଞ୍ଚଳରେ
ସଂକ୍ରମଣ ବ୍ୟାପିଲେ ପରୋକ୍ଷରେ ସମଗ୍ର ଜିଲ୍ଲା ପ୍ରଭାବିତ ହେବା ଆଶଙ୍କାକୁ ଡ଼ାକ୍ତର ମୁଲିଏଲଙ୍କ
ପରାମର୍ଶ ଟାଳି ଦେଇଥାଏ । ସେ କହୁଛନ୍ତି ଯେ ‘କୋଭିଡ଼-୧୯’ ଏକ ସହରୀ ରୋଗ,
ଗ୍ରାମାଞ୍ଚଳରେ ଏହା ବ୍ୟାପିବାର ସମ୍ଭାବନା କମ, ସାମାନ୍ୟ କେତେକ ସଂକ୍ରମିତ ହେଲେ ହେଁ ସେମାନେ
ସାଧାରଣ ଚିକିତ୍ସାରେ ଆରୋଗ୍ୟ ଲାଭ କରିପାରିବେ ।
ମହାମାରୀର ପ୍ରାଦୁର୍ଭାବ ହ୍ରାସ ନିମନ୍ତେ
ପ୍ରତିଷେଧକ ଓ ଚ଼ିକିତ୍ସା ନିମନ୍ତେ ଔଷଧ ଗୁରୁତ୍ୱପୂର୍ଣ୍ଣ । ଏଗୁଡ଼ିକ ଉପଲବ୍ଧ ହେଲେ ସମସ୍ତ ପରିସଂଖ୍ୟାନଗତ ଆକଳନ ଓଲଟ ପାଲଟ ହୋଇଯିବ । ଏହି
କ୍ଷେତ୍ରରେ ସୁସମ୍ୱାଦ ଏହି ଯେ, ଚୀନ ସରକାରଙ୍କ ସମର୍ଥିତ ଏକ ଔଷଧ ନିର୍ମାତା ‘ଏନ-କୋଭ-୨’ର ପ୍ରତିଷେଧକ ୟୁନାଇଟେଡ଼ ଆରବ ଏମରିଟେସରେ ମନୁଷ୍ୟମାନଙ୍କ ଉପରେ ତୃତୀୟ ପର୍ଯ୍ୟାୟରେ
ପରୀକ୍ଷା ଆରମ୍ଭ କରିଛି । ଅର୍ଥାତ ଦୁଇ ତିନି ମାସ ମଧ୍ୟରେ ସଫଳତା ମିଳିପାରେ । ସେହିପରି
ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ସଂକ୍ରମକରୋଗ ବିଶେଷଜ୍ଞ ସେଠାକାର ବ୍ୟବସ୍ଥାପକମାନଙ୍କୁ କହିଛନ୍ତି
ଯେ ଚଳିତ ବର୍ଷ ଶେଷ କିମ୍ୱା ଆଗାମୀ ବର୍ଷ ଆରମ୍ଭରେ ପ୍ରଥମ ମାର୍କିନ ପ୍ରତିଷେଧକ ଆସିଯିବ ।
ମଡ଼େନା ନାମକ ଔଷଧ ନିର୍ମାତା ପ୍ରତିଷେଧକର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜୁଲାଇରେ କରିବେ ।
ବିଶ୍ୱର ପ୍ରାୟ ଡ଼ଜନେ ଗବେଷଣା କିଛି ମାସ ବ୍ୟବଧାନରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ପ୍ରତିଷେଧକ
ଶେଷ ପରୀକ୍ଷା ସାରିବେ ।
ସେହିପରି ଅନ୍ୟ ଘଟଣାକ୍ରମରେ ‘କୋଭିଡ଼-୧୯’ ଚ଼ିକିତ୍ସା ନିମନ୍ତେ ଫଳପ୍ରଦ ପ୍ରମାଣିତ ହେବାପରେ ଭୂତାଣୁ ବିରୋଧି ‘ଆଣ୍ଟି-ଭାଇରାଲ’ ଔଷଧ ‘ରେମଡ଼େସିଭର’ ଭାରତରେ ପ୍ରସ୍ତୁତ ହୋଇ ବିକ୍ରୀ ଆରମ୍ଭ ହୋଇଛି । ହାଇଦରାବାଦର ‘ହେଟେରୋ’ ଦ୍ୱାରା ପ୍ରସ୍ତୁତ ୧୦୦ ମିଲି ଇଞ୍ଜେକସନର ଦାମ
୫,୫୦୦ ଟଙ୍କା ଏବଂ ଗୋଟିଏ କୋର୍ସ ପାଇଁ ଛଅଗୋଟି ଭାଏଲ ଉପଯୋଗ କରାଯିବ । ଅନ୍ୟତମ ପ୍ରମୁଖ ଔଷଧ
ନିର୍ମାତା ‘ସିପଲା’ ପକ୍ଷରୁ ପ୍ରସ୍ତୁତ ଔଷଧ
ସାମାନ୍ୟ ଶସ୍ତା ହେବ ବୋଲି କୁହାଯାଉଛି ।
(‘ଅନୁପମ ଭାରତ’ ତା ୨୭/୦୬/୨୦୨୦ ପୃ. ୨)
No comments:
Post a Comment