ଦେଶରେ ଚଳିତ ଜୁଲାଇ ପହିଲା ବାହୁଡ଼ା
ତିଥିରେ ‘ଅନଲକ ୨.୦’ ଲାଗୁ ହେବା ଅବସରରେ #ବ୍ରହ୍ମପୁର ଚାରିଦିନିଆ
ସଟଡ଼ାଉନରୁ ମୁକୁଳି ସପ୍ତାହରେ ପାଞ୍ଚ ଦିନ ୧୪ ଘଣ୍ଟା ଓ ଦୁଇ ଦିନ ୨୪ ଘଣ୍ଟା ସଟଡ଼ାଉନ ସରକାରୀ
କଟକଣାରେ ପ୍ରବେଶ କଲା । ସେତେବେଳକୁ ସହରର ୩୦ ରୁ ଉର୍ଦ୍ଧ୍ୱ ସାହୀରେ ପ୍ରାୟ ୮୪ ଜଣ ‘ନୂତନ କରୋନା - ୨’ ଭୂତାଣୁ ସଂକ୍ରମିତ ଚ଼ିହ୍ନଟ
ହୋଇସାରିଥିଲେ । ମହାମାରୀରେ ରାଷ୍ଟ୍ରୀୟସ୍ତରରେ ଛଅ
ଲକ୍ଷ ଆକ୍ରାନ୍ତ ହୋଇ ଅଠର ହଜାର ପାଖାପାଖି ମୃତ୍ୟୁବରଣ କରିଥିଲେ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପନ୍ଦର ଶହ ଛୁଉଁଥିବା ସ୍ଥଳେ ପନ୍ଦର ଜଣଙ୍କ
ମୃତ୍ୟୁ ରେକର୍ଡ କରାଯାଇଥିଲା । ସେହିଦିନ ଯୁକ୍ତରାଷ୍ଟ୍ର ଆମେରିକାରେ ବାବନ ହଜାର ପଜିଟିଉଭ
ଚ଼ିହ୍ନଟ ହୋଇଥିଲେ ।
କୁହାଯାଏ ଯେ ମହାମାରୀ ନିୟନ୍ତ୍ରଣରେ
ସରକାରୀ ନୀତିନିୟମ ପଚାଶ ପ୍ରତିଶତ ପ୍ରଭାବ ପକାଏ । ଅତଏବ ଅନ୍ତଃରଷ୍ଟ୍ରୀୟ, ଜାତୀୟ ଓ
ଜିଲ୍ଲାସ୍ତରରେ ‘କୋଭିଡ଼-୧୯’ର ପ୍ରାଦୁର୍ଭାବ ବିଚାରକୁ ନେଇ ସହରରେ ପ୍ରଶାସନ
ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ ନିମନ୍ତେ ଉଦ୍ୟମ କରାଯାଉଛି । ତେବେ ବଳକା ପଚାଶ ପ୍ରତିଶତ ପ୍ରତିରୋଧ
ଜନସାଧାରଣଙ୍କ ଉଦ୍ୟମ ଉପରେ ନିର୍ଭରଶୀଳ । ଏହି ପରିପ୍ରେକ୍ଷୀରେ ସହରରେ ବେସରକାରୀ
ସ୍ୱେଚ୍ଛାସେବୀଙ୍କ ଉଦ୍ୟମରେ ସଂକ୍ରମଣ ରୋକିବା ନିମନ୍ତେ କିଛି ନରମ ପଦକ୍ଷେପମାନ ଗ୍ରହଣ କରାଯିବା
ଉଚିତ ମନେକରାଯାଏ ।
କରୋନା ଭୂତାଣୁ
ମୁଖ୍ୟତଃ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଟିରୁ କାଶ, ଛିଙ୍କ ଏପରିକି କଥାବାର୍ତ୍ତାବେଳେ ହଜାର ହଜାର
ସଂଖ୍ୟାରେ ବାହାରକୁ ଆସିଥାଏ ଏବଂ ଏହାର ସଂସ୍ପର୍ଶରେ ଆସିଲେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ହୁଏ । ଭଗବାନଙ୍କ ଦୟାରୁ
ଭୂତାଣୁ ପବନରେ ବେଶୀ ଦୂର ଯାଇପାରେ ନାହିଁ ଏବଂ ତଳେ ପଡ଼ିଯାଏ । ଜଣେ ବ୍ୟକ୍ତି ସଂକ୍ରମିତ
ହେବାର ତିନିଦିନ ଯାଏଁ ହୁଏତ ଜ୍ୱର, ଶୁଖିଲା କାଶ, ଛିଙ୍କ ଭଳି ଲକ୍ଷଣ ପ୍ରକାଶ ପାଇନପାରେ,
କିନ୍ତୁ ତା’ ପାଟିରୁ ଅନବରତ ଭୂତାଣୁ ବାହାରକୁ ଆସିଥାନ୍ତି । ସେହିପରି ଆମ ଅଞ୍ଚଳରେ ବହୁ ବ୍ୟକ୍ତି
ସଂକ୍ରମିତ ହେଲେ ସୁଦ୍ଧା ସେମାନଙ୍କଠାରେ କୌଣସି ଉଲ୍ଲେଖନୀୟ ଲକ୍ଷଣ ପ୍ରକାଶ ପାଇ ନ ଥାଏ । ଏହି କାରଣରୁ ମହାମାରୀ ବିଶେଷଜ୍ଞମାନେ
ସମସ୍ତଙ୍କୁ ଅନ୍ତତଃପକ୍ଷେ ଘରବାହାରକୁ ଆସିବାବେଳେ ମୁହଁରେ ମାସ୍କ ଲଗାଇବା ନିମନ୍ତେ ପରାମର୍ଶ ଦେଇଥାନ୍ତି
। ସମସ୍ତେ ମାସ୍କ ପିନ୍ଧିଲେ ଆକ୍ରାନ୍ତଙ୍କ ପାଟିରୁ ଭୂତାଣୁ ବହୁ ସଂଖ୍ୟାରେ ବାହାରକୁ ଆସିପାରିବେ
ନାହିଁ ଏବଂ ସୁସ୍ଥବ୍ୟକ୍ତି ନାକ ଦେଇ ଭୂତାଣୁ ପ୍ରବେଶ କରିପାରିବେ ନାହିଁ । ସରକାରୀସ୍ତରରେ ମାସ୍କ ନ ପିନ୍ଧି ଘର ବାହାରେ
ବୁଲାବୁଲି କଲେ ଦଣ୍ଡିତ କରାଯାଉଥିବା ସ୍ଥଳେ ବେସରକାରୀସ୍ତରରେ ସହର ମଧ୍ୟରେ ଉପଲବ୍ଧ ମାସ୍କ
ସଂଖ୍ୟା ବୃଦ୍ଧି କରାଇ ସମସ୍ତଙ୍କୁ ମାସ୍କ ପିନ୍ଧିବା ନିମନ୍ତେ ପ୍ରୋତ୍ସାହିତ କରାଯାଇପାରେ ।
ଜୁଲାଇ ପହିଲାରେ ଟାଉନ, ବଡ଼ ବଜାର,
ବୈଦ୍ୟନାଥପୁର ଓ ଗୋସାଇଁ ନୂଆଗାଁ ଥାନା ଗିରି ମାର୍କେଟ, ଗେଟ ବଜାର, ଫାଷ୍ଟ ଗେଟ, ସିଟି
ବସଷ୍ଟାଣ୍ଡ, ଟାଟା ବେଞ୍ଜ, ଖୋଡ଼ାସିଙ୍ଗ, ଅନ୍ଧପସରା ରୋଡ଼ ଓ ଗୋସାଇଁ ନୂଆଗାଁରେ ଧରପଗଡ଼ କରି
ମାସ୍କ ନପିନ୍ଧିଥିବା ୧୩୭ ଜଣଙ୍କ ଠାରୁ ୨୭,୪୦୦ ଟଙ୍କା ଜରିମାନା ଆଦାୟ କରିଥିଲେ । ସଂକ୍ରମଣର
ଭୟାବହତା ସଂପର୍କରେ ସଚ଼େତନ ନଥିବା, ଅନଭ୍ୟସ୍ତ ଓ ଉଦାସୀନତା କାରଣରୁ ସହରର ମୁଖ୍ୟ ଛକ
ଗୁଡ଼ିକରେ ମାସ୍କ ନିପିନ୍ଧି ଚଳପ୍ରଚଳ ହେଉଥିବା ବ୍ୟକ୍ତିମାନଙ୍କୁ ପୋଲିସ ବାନ୍ଧିପାରେ, ତେବେ
ସହରର ଗଳିକନ୍ଦିରେ ଆତଯାତ ହେଉଥିବା ବହୁ ସଂଖ୍ୟକ ମାସ୍କ ବ୍ୟବହାର ନ କଲେ ସଂକ୍ରମଣ ବ୍ୟାପ୍ତି
ଜାରୀ ରହିପାରେ । ଅଧିକ ସଂଖ୍ୟକ ମାସ୍କ ନ ବ୍ୟବହାର କରିବାର ଅନ୍ୟତମ କାରଣ ରୂପେ ପର୍ଯ୍ୟାପ୍ତ
ସଂଖ୍ୟକ ମାସ୍କ ଅଭାବକୁ ଚ଼ିହ୍ନଟ କରାଯାଇପାରେ ।
ବିଚାର କରାଯାଉ ସହରର ପାଞ୍ଚଲକ୍ଷ
ବାସିନ୍ଦାଙ୍କ ପାଇଁ ଜଣକ ପିଚ୍ଛା ତିନି ଖଣ୍ଡ ହିସାବରେ ଯଦି ଅଧିକା ପନ୍ଦର ଲକ୍ଷ ମାସ୍କ ଉପଲବ୍ଧ
କରାଯିବାର ସୁଯୋଗ ସୃଷ୍ଟି କରାଯାଇ ପାରେ ତେବେ ହୁଏତ ଲୋକଙ୍କ ମାସ୍କ ନ ପିନ୍ଧିବା ଅଭ୍ୟାସ
ପରିବର୍ତ୍ତନ ହୋଇପାରେ । ଉନ୍ନତମାନର ସୁଦୃଶ୍ୟ ମାସ୍କ ଅନେକଙ୍କୁ ମାସ୍କ ପିନ୍ଧିବା ନିମନ୍ତେ
ପ୍ରୋତ୍ସାହିତ କରିପାରେ ।
ବ୍ରହ୍ମପୁରରେ ବଜାରରେ ସୁନ୍ଦର ମାସ୍କଖଣ୍ଡକର
ଖୁଚୁରା ମୂଲ୍ୟ ପଚାଶ ଟଙ୍କା । ପାଇକାରୀରେ ଉତ୍ପନ୍ନସ୍ଥଳୀ ତିରିପୁରଠାରେ ହୁଏତ ଦଶରୁ ପନ୍ଦର
ଟଙ୍କାରେ ଉପଲବ୍ଧ । ବେସରକାରୀ ଉଦ୍ୟମରେ ପର୍ଯ୍ୟାୟକ୍ରମେ ସୁନ୍ଦରିଆ ଭଲ ମାସ୍କ ଆଣି ବିଭିନ୍ନ
ସାହୀରୁ ସ୍ୱେଚ୍ଛାସେବୀଙ୍କୁ ଠାବ କରି ସେମାନଙ୍କ ଜରିଆରେ ସ୍ୱଚ୍ଛଳବର୍ଗଙ୍କଠାରୁ ଖଣ୍ଡ ପିଚ୍ଛା
୫୦ ଟଙ୍କା ଏବଂ ଆର୍ଥିକ ଦିଗରୁ ଅନଗ୍ରସରଙ୍କଠାରୁ ଖଣ୍ଡ ପିଚ୍ଛା ପାଞ୍ଚ ଟଙ୍କାରେ ପ୍ରତ୍ୟେକଙ୍କ
ପାଇଁ ତିନିଖଣ୍ଡ ଲେଖା ଯଦି ଘର ଦୁଆରେ ପହୁଞ୍ଚାଇ ଦିଆଯାଇପାରନ୍ତା ତେବେ ସହରବାସୀଙ୍କ ମାସ୍କ
ପିନ୍ଧା ଅଭ୍ୟାସ ବଢ଼ିଯାଆନ୍ତା ଓ ସ୍ଥାନୀୟ ସଂକ୍ରମଣକୁ ଅନ୍ତତଃପକ୍ଷେ ୪୦ ପ୍ରତିଶତ ଯାଏଁ ଏଡ଼ାଇ
ଦିଆଯାଇପାରନ୍ତା ବୋଲି ବିଶ୍ୱାସ କରାଯାଇପାରେ । ଏଭଳି ଏକ ଯୋଜନା
କାର୍ଯ୍ୟକାରୀ କରିବା ନିମନ୍ତେ ସହରରେ ଜଣେ ଦକ୍ଷ ସଂଗଠକଙ୍କ ଉଦ୍ୟମ ଆବଶ୍ୟକ ।
ବାହୁଡ଼ା ଦିନ ମୁଖ୍ୟମନ୍ତ୍ରୀ ନିଜ ଦଳର
ବିଧାୟକମାନଙ୍କ ସହ ଭିଡ଼ିଓ କନଫରେନ୍ସରେ ଆଲୋଚ଼ନା କରିଥିଲେ । ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ
ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ସ୍ଥାନୀୟ ବିଧାୟକମାନଙ୍କୁ
ମାସ୍କ ବ୍ୟବହାର ବୃଦ୍ଧି ନିମନ୍ତେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ମହାମାରୀ ସଂକ୍ରମଣ
ରୋକିବା ଲାଗି ସରାକାରୀ କାର୍ଯ୍ୟକ୍ରମରେ ଜନପ୍ରତିନିଧିମାନଙ୍କୁ ଉପେକ୍ଷା କରାଯାଉଛି ବୋଲି ପୂର୍ବରୁ
ଅଭିଯୋଗ ହୋଇଥିଲା । ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ କହିଲେ ଆପଣ ନେତୃତ୍ୱ ନେଉଥିବା ଅଞ୍ଚଳରେ
ଆପଣଙ୍କ ବିଶେଷ ଖ୍ୟାତି ରହିଛି । ଲୋକମାନେ ଆପଣଙ୍କଠାରୁ ଅନେକ କିଛି ଆଶା କରନ୍ତି । ଏହି
ପରିପ୍ରେକ୍ଷୀରେ ଆମ ବିଧାୟକଙ୍କ ଉଦ୍ୟମରେ ଜୁଲାଇ ମାସରେ ସହରରେ ପନ୍ଦର ଲକ୍ଷ ମାସ୍କ ଆମେ ଆଶା
କରିପାରିବା କି ?
(‘ଅନୁପମ ଭାରତ’ / ୪ ଜୁଲାଇ ୨୦୨୦ / ପୃ. ୨)
Photo by Jess
Bailey on Unsplash
No comments:
Post a Comment