Friday, August 14, 2020

Berhampur in the early phase of independence movement / ବ୍ରହ୍ମପୁରରେ ସ୍ୱାଧୀନତା ସଂଗ୍ରାମର ଆଦିପର୍ବ



ଭାରତରେ ଇଂଲିଶ ସରକାରଙ୍କ ଶାସନ ବିରୋଧ ଆନ୍ଦୋଳନରେ ୧୮୮୫ରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ସର୍ବାପେକ୍ଷା ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ । ପ୍ରାଥମିକ ଅବସ୍ଥାରେ ଦେଶର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ବର୍ଗର ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ଏକତ୍ରୀତ କରାଇ ଭାରତୀୟ ସାମାଜିକ ଓ ସାସ୍କୃତିକ ଅଭିବୃଦ୍ଧି ଲକ୍ଷ୍ୟରେ ଗଠିତ ଏହି ଅନୁଷ୍ଠାନିକ ଉଦ୍ୟମରେ ମୂଳରୁ ବ୍ରହ୍ମପୁର ଯୋଡ଼ି ରହିଆସିଥିଲା । କଂଗ୍ରେସର ବାର୍ଷିକ ଅଧିବେଶନଗୁଡ଼ିକରେ ଏଠାକାର ପ୍ରତିନିଧିମାନେ ଯୋଗ ଦେଉଥିଲେ ଏବଂ ବିଦେଶୀ ଶାସନ ବିରୋଧୀ ବାର୍ତ୍ତା ଆଞ୍ଚଳିକସ୍ତରରେ ପ୍ରଚାର କରି ସ୍ୱାଧୀନତା ଆନ୍ଦୋଳନର ପ୍ରାକ୍-ପ୍ରସ୍ତୁତି ଚଳାଉଥିଲେ ।
 
ନାଗପୁରଠାରେ ୧୯୨୦ରେ କଂଗ୍ରେସ ଅଧିବେଶନରେ ମହାତ୍ମାଗାନ୍ଧୀ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିଲେ ଏବଂ ତତ୍ ପରବର୍ତ୍ତୀ ଅବସ୍ଥାରେ ସ୍ୱାଧୀନତା ସଂଗ୍ରାମ ତ୍ୱରାନ୍ୱିତ ହୋଇଥିଲା । ନାଗପୁର ଅଧିବେଶନରେ ଗଞ୍ଜାମରୁ ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ ଏବଂ ସେଠାରୁ ଫେରି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଗଠନ କରିଥିଲେ । ଶ୍ରୀବତ୍ସ ପଣ୍ଡାଙ୍କ ସଭାପତିତ୍ୱରେ ଜିଲ୍ଲାର ନେତୃବର୍ଗ ବହୁ ସଂଖ୍ୟାରେ କଂଗ୍ରେସରେ ଯୋଗ ଦେଇଥିଲେ । ଆଞ୍ଚଳିକ ସ୍ତରରେ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଗଠିତ ହୋଇଥିଲା ।
 
ସେହି ସମୟ ବେଳକୁ ବ୍ରହ୍ମପୁରରେ ଓଡ଼ିଆ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥାଏ । ବ୍ରହ୍ମପୁର ସମେତ ପ୍ରାକୃତିକ ଓଡ଼ିଶାର ବହୁ ଅଞ୍ଚଳ ମାଡ୍ରାସ ପ୍ରଦେଶରେ ସାମିଲ ହୋଇ ଅବହେଳିତ ପଡ଼ି ରହିଥିବା ହେତୁ ତାହାର ପ୍ରତିକାରରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ନିମନ୍ତେ ଦାବୀ ଜୋର ଧରିଥାଏ । ବ୍ରହ୍ମପୁରରେ ୧୯୦୨ରେ ଆୟୋଜିତ ଗଞ୍ଜାମ ସମ୍ମିଳନୀ ଏବଂ କଟକରେ ୧୯୦୩ରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଏହି ଦିଗରେ ଓଡ଼ିଆ ଭାଷାଭାଷୀ ଜନସାଧାରଣଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥାଏ ।
 
ଶଶିଭୂଷଣ ରଥଙ୍କ ଦ୍ୱାରା ୧୯୧୩ରୁ ବ୍ରହ୍ମପୁରରୁ ସାପ୍ତାହିକ ଆଶା ପ୍ରକାଶନ ଏକ ବିଶିଷ୍ଟ ଘଟଣା । ଇଂଲଣ୍ଡରୁ ବାରିଷ୍ଟର ଡ଼ିଗ୍ରୀ ଧରି ଭି.ଭି.ଗିରି ୧୯୧୬ରେ ବ୍ରହ୍ମପୁରରେ ଓକିଲାତିରେ ଯୋଗ ଦେଇଥିବା ସ୍ଥଳେ  କଲିକତାରୁ ଆଇନ ଅଧ୍ୟୟନ ସାରି ବିଶ୍ୱନାଥ ଦାସ ୧୯୧୮ରେ ବ୍ରହ୍ମପୁରରେ ଓକିଲାତି ଆରମ୍ଭ କରିଥିଲେ । ଦିହେଁ ରୟତ ସଂଘ ଗଠନ କରି ଆଞ୍ଚଳିକ ଚାଷୀମାନଙ୍କ ସ୍ୱାର୍ଥ ସଂରକ୍ଷଣ ନିମନ୍ତେ ଉଦ୍ୟମ ଚଳାଇଥିଲେ । ଜିଲ୍ଲା କଂଗ୍ରେସ କମିଟି ଗଠନ ହେବାପରେ ସଭିଏଁ କଂଗ୍ରେସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
 
ଭାରତରେ କ୍ରମବର୍ଦ୍ଧମାନ ସ୍ୱାଧୀନତା ସଂଗ୍ରାମକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ୧୯୧୯ରେ ପ୍ରଦେଶିକ ବ୍ୟବସ୍ଥାପକ ସଭା ଗଠନ ନିମନ୍ତେ ଇଂଲିଶ ସରକାର ଆଇନ ପ୍ରଣୟନ କରିଥିଲେ ଏବଂ ପ୍ରଥମ ନିର୍ବାଚ଼ନ ୧୯୨୦ରେ ଅନୁଷ୍ଠିତ ହୋଇଥିଲା । ମାଡ୍ରାସ ବିଧାନ ପରିଷଦକୁ ବ୍ରହ୍ମପୁରରୁ ୧୯୨୦ରେ ଶଶିଭୂଷଣ ରଥ, ବିଶ୍ୱନାଥ ଦାଶ ଓ ଏ. ପର୍ଶୁରାମ ପାତ୍ର ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ଅବସ୍ଥାରେ ୧୯୨୩, ୧୯୨୬ ଓ ୧୯୩୦ରେ ଅନୁଷ୍ଠିତ ନିର୍ବାଚ଼ନଗୁଡ଼ିକରେ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ମାନଧାତା ଗୋରାଚ଼ାନ୍ଦ ପଟ୍ଟନାୟକ ଓ ଶ୍ରୀନିବାସ ରାଜମଣି ପ୍ରମୁଖ ନିର୍ବାଚ଼ିତ ହୋଇଥିଲେ ।
 
ମାଡ୍ରାସ ବିଧାନ ପରିଷଦକୁ ୧୯୩୦ ନିର୍ବାଚନରେ ବ୍ରହ୍ମପୁରରୁ ପ୍ରତିନିଧିତ୍ୱ କରୁଥିବା ଏ. ପର୍ଶୁରାମ ପାତ୍ର ମାଡ୍ରାସ ପ୍ରଦେଶର ଶିକ୍ଷାମନ୍ତ୍ରୀ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ବିଶାଖପାଟଣାରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉଲ୍ଲେଖନୀୟ ଅବଦାନ । ଇଂଲିଶ ସରକାରଙ୍କ ଦ୍ୱାରା ଜାତୀୟସ୍ତରରେ କେନ୍ଦ୍ରୀୟ ବିଧାନ ପରିଷଦ ପୁର୍ନଗଠନ ଅବସରରେ ୧୯୩୪ରେ ଆୟୋଜିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭି.ଭି.ଗିରି ଗଞ୍ଜାମ-ବିଶାଖାପାଟଣା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ତେବେ କଂଗ୍ରେସର ବହୁ ନେତା ଇଂଲିଶ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ନିର୍ବାଚ଼ନରେ ଅଂଶଗ୍ରହଣକୁ ବିରୋଧ କରୁଥିଲେ ।
 
ବ୍ରହ୍ମପୁରର ରାଜନୀତିକ ନେତୃବର୍ଗ କଂଗ୍ରେସ କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ହେଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରୁ ଓହରିଯାଇ ନଥିଲେ । କଲିକତାରେ ୧୯୨୮ରେ ଆୟୋଜିତ ସର୍ବଦଳୀୟ ସମ୍ମିଳନୀରେ ବିଶ୍ୱନାଥ ଦାସ, ନିରଞ୍ଜନ ପଟ୍ଟନାୟକ ଓ ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ସ୍ୱତନ୍ତ୍ର ସିନ୍ଧୁ ପ୍ରଦେଶ  ଓ କର୍ଣ୍ଣାଟକ ଗଠନ ସଂକ୍ରାନ୍ତରେ ଆଲୋଚ଼ନା ହୋଇଥିଲେ ହେଁ ଓଡ଼ିଶା ସଂପର୍କରେ ଆଲୋଚ଼ନା ନିମନ୍ତେ ସମ୍ମିଳନୀରେ ଅଧକ୍ଷତା କରୁଥିବା ପଣ୍ଡିତ ମୋତିଲାଲ ନେହୁରୁ ଅନୁମତି ଦେଇ ନଥିବାରୁ ପ୍ରତିବାଦ କରିଥିଲେ । ଶଶିଭୂଷଣ ରଥ କଲିକତାରେ ବସବାସ କରୁଥିବା ବହୁ ସଂଖ୍ୟକ ଓଡିଆଙ୍କୁ ଏକତ୍ରୀତ କରାଇ ସମ୍ମିଳନୀ ମଣ୍ଡପକୁ ଘେରାଉ କଲେ । ଏହି ପରିସ୍ଥିତିରେ ଜବହାରଲାଲ ନେହୁରୁ ଓ ସୁଭାଷ ଚନ୍ଦ୍ର ବୋଷ ଓଡ଼ିଆଙ୍କୁ ବୁଝାଇ ସୁଝାଇ ଶାନ୍ତ କରିଥିଲେ ଏବଂ ଶେଷରେ ସମ୍ମିଳନୀରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମସ୍ୟା ଆଲୋଚ଼ିତ ହୋଇଥିଲା ।

(ଅନୁପମ ଭାରତ / ୧୫ ଅଗଷ୍ଟ ୨୦୨୦/ ପୃଷ୍ଠା : ୨)

Photo by Vivek Doshi on Unsplash

No comments:

Post a Comment