ମହାମାରୀ ପ୍ରଭାବରେ ଗୁରୁତ୍ୱ ହରାଉଥିବା ହିନ୍ଦୁ ଧାର୍ମିକ ଓ ସାମାଜିକ ଉତ୍ସବାନୁଷ୍ଠାନଗୁଡ଼ିକ ମଧ୍ୟରେ ୨୦୨୦ର ରାକ୍ଷୀପୂର୍ଣ୍ଣିମା ସାମିଲ ହେବ । #ବ୍ରହ୍ମପୁରରେ ଗହ୍ମାପୂର୍ଣ୍ଣିମା ପାଳନ ଦେବାଳୟଗୁଡ଼ିକରେ ପୂଜାର୍ଚ୍ଚନା ସାଙ୍ଗକୁ ପାରିବାରିକସ୍ତରରେ ତିନିଗୋଟି ବୈଶିଷ୍ଟ୍ୟ ଯୋଡ଼ି ହୋଇ ଥାଏ – ଗହ୍ମା ଡିଆଁ, ରାକ୍ଷୀ ବନ୍ଧନ ଏବଂ ଘରେ ଘରେ ପିଠିପଣାର ଆସର ।
ସହରରେ ଅତୀତରେ ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ତେଲୁଗୁ ଭାଷାଭାଷୀ ସମୃଦ୍ଧ ଥିଲା । ଐତିହାସିକ ସତ୍ୟନାରାୟଣ ରାଜଗୁରୁ ଭାରତୀୟ ଜନସୁମାରୀରୁ ତଥ୍ୟ ଉଦ୍ଧାର କରି ‘ଗଞ୍ଜାମ ଐତିହ୍ୟ’ ପ୍ରବନ୍ଧରେ ବ୍ରହ୍ମପୁରରେ ପ୍ରତି ଦଶ ହଜାର ଲୋକସଂଖ୍ୟାରେ ୧୯୨୧ରେ ଓଡ଼ିଆମାନଙ୍କ ସଂଖ୍ୟା ୫,୦୭୬ ଥିବା ସ୍ଥଳେ ତେଲୁଗୁ ଭାଷା ଭାଷୀଙ୍କ ସଂଖ୍ୟା ୪,୫୪୮ ଉଲ୍ଲେଖ କରିଛନ୍ତି । ଏହି କାରଣରୁ ଏଠାକାର ଧାର୍ମିକ ଓ ସାମାଜିକ ଜୀବନରେ ଦକ୍ଷିଣାତ୍ୟ ପ୍ରଭାବ ସ୍ୱଷ୍ଟ ବାରି ହୁଏ ।
ବ୍ରହ୍ମପୁରରେ ପାରମ୍ପରିକ ଭାବେ ତେଲୁଗୁ ସଂସ୍କୃତି ବାହକ ଗହ୍ମାଡ଼ିଆଁ ଲାଞ୍ଜିପଲ୍ଲୀ, କମାପଲ୍ଲୀ, ବିଜିପୁର, ଗୋଲାପଲ୍ଲୀ, ଭାପୁର, ସାନବଜାର, ବଡ଼ବଜାର, ପୁରୁଣା ବ୍ରହ୍ମପୁର ଠାରୁ ହରିଡ଼ାଖଣ୍ଡି ଯାଏଁ ସର୍ବତ୍ର ପାଳିତ ହେଉଥିଲା । ସହରର ମୁଖ୍ୟ ରାସ୍ତକଡ଼ ଖୋଲା ସ୍ଥାନମାନଙ୍କରେ ପଥର ଓ ଘାସ ଚେକିରେ ନିର୍ମିତ ଅସ୍ଥାୟୀ କ୍ରମସୁଉଚ୍ଚ ରାମ୍ପ ଉପରେ କ୍ରୀଡ଼ାବିତମାନେ ଦୌଡ଼ି ଲମ୍ପପ୍ରଦାନ ପୂର୍ବକ ଅନ୍ୟୂନ ୧୨ ରୁ ୧୫ ଫୁଟ ଉଚ୍ଚରେ ବାଉଁଶଭାଡ଼ିରେ ଲଟକା ଯାଇଥିବା ନଡ଼ିଆ ବା ମକାକୁ ଛୁଇଁବାକୁ ଚେଷ୍ଟା କରନ୍ତି ।
ଏହି ଖେଳରେ ପ୍ରତିଯୋଗୀମାନଙ୍କ ଉଭୟ ହାଇ-ଜମ୍ପ ଓ ଲଙ୍ଗ-ଜମ୍ପର ପରାକାଷ୍ଠା ପ୍ରତିପାଦିତ ହୁଏ । ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥାଏ । ଆଡ଼ମ୍ୱର ସହକାରେ ପାଳିତ ଗହ୍ମା ଡିଆଁରେ ଚାଙ୍ଗୁ ବାଦ୍ୟ ବାଦନର ମଧ୍ୟ ବ୍ୟବସ୍ଥା ରହୁଥିଲା । ତେବେ ସମୟକ୍ରମେ ସ୍ୱାଧୀନୋତ୍ତର ଅବସ୍ଥାରେ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରୁ ପରିବାର ବର୍ଗ ଏଠାରେ ସ୍ଥାୟୀଭାବେ ବସବାସ ଆରମ୍ଭ କରିବା ପରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟାବୃଦ୍ଧି ଅବସରରେ ଗହ୍ମାଡ଼ିଆଁ କ୍ରୀଡ଼ା ଆୟୋଜନ ଆଙ୍ଗୁଠି ଗଣତି ସଂଖ୍ୟାକୁ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଏ ।
ବ୍ରହ୍ମପୁରରେ ରାକ୍ଷୀ ବନ୍ଧନ ବିଗତ ଅର୍ଦ୍ଧ ଶତାଦ୍ଦୀର ପରମ୍ପରା । ବିଗତ ଶତାଦ୍ଦୀର ପଞ୍ଚମ ଓ ଷଷ୍ଠ ଦଶକରେ ହିନ୍ଦି ଚଳଚ଼ିତ୍ର ସହରର ସାମାଜିକ ଜୀବନକୁ ପ୍ରଭାବିତ କରିଥିବା ଅବସରରେ ସପ୍ତମ ଦଶକ ବେଳକୁ ଉତ୍ତର-ଭାରତରେ ପ୍ରସିଦ୍ଧ ରାକ୍ଷୀବନ୍ଧନ ଯୁବବର୍ଗଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲା । ରାକ୍ଷୀବନ୍ଧନ ଭ୍ରାତା ଓ ଭଗନୀଙ୍କ ସୌହାଦ୍ଦ୍ୟପୂର୍ଣ୍ଣ ଦୃଶ୍ୟାବଳୀକୁ ନେଇ ଚିତ୍ରିତ ଅଗଣିତ ହିନ୍ଦି ଚଳଚିତ୍ର ଗୀତ, ଟେଲିଭିଜନ ସିରିଆଲ ସାଙ୍ଗକୁ ଦୋକାନବଜାରରେ ରାକ୍ଷୀର ପସରା ରାକ୍ଷୀ ପରମ୍ପରା ପ୍ରସାରରେ ସହାୟକ ହୋଇଥିଲା ।
ଗହ୍ମାପୂର୍ଣ୍ଣିମା ଓଡ଼ିଶାର ଗ୍ରାମାଞ୍ଚଳରେ ଏକ କୃଷିଭିତ୍ତିକ ପର୍ବ । ଭଗବାନ ବଳଭଦ୍ରଙ୍କ ଜନ୍ମଦିନରେ ଲଙ୍ଗଳ ଓ ବଳଦଙ୍କୁ ବନ୍ଦାପନା କରାଯାଏ । ପାରମ୍ପରିକ ଭାବେ ପିଠାପଣା ହୁଏ । ସହରରେ ରାକ୍ଷୀବନ୍ଧନ ଲୋକାଦୃତ ହେବା ପରେ ପରେ ମିଷ୍ଟାନ୍ନ ଦୋକାନଗୁଡ଼ିକର ବ୍ୟବସାୟ ବଢ଼ିଥିଲା । କ୍ୟାଲେଣ୍ଡରରେ ରାକ୍ଷୀର ତାରିଖକୁ ବିଶେଷକରି ଶିଶୁ ଓ କିଶୋରବର୍ଗ ଅପେକ୍ଷା କରିବସୁଥିଲେ ।
ମହାମାରୀ ପ୍ରଭାବରେ ଏଥରକ ବ୍ରହ୍ମପୁରରେ ଗହ୍ମାଡିଆଁ ଆୟୋଜନର ପ୍ରଶ୍ନ ନାହିଁ । କିନ୍ତୁ ରାକ୍ଷୀବନ୍ଧନ ପାରିବାରିକ ପରିବେଶରେ ପାଳିତ ହେଉଥିବା ହେତୁ ବାରଣ ନାହିଁ । ଅଗଷ୍ଟ ପହିଲାରେ ‘ଅନଲକ ୩.୦’ପରେ ତିନି ଦିନ ସହରର ଦୋକାନ ବଜାରରେ ସୀମିତ ମାତ୍ରାରେ ରାକ୍ଷୀ ବିକ୍ରୀର ସୁଯୋଗ ସୃଷ୍ଟି ହୋଇପାରେ । ତେବେ ଦୂରସଂପର୍କୀୟମାନଙ୍କୁ ଚଳିତ ବର୍ଷ ଗମନାଗମନ ଓ ଦୂରାବସ୍ଥାନ କଟକଣା କାରଣରୁ ଭର୍ଚୁଆଲ ପରିବେଶରେ ସୀମିତ ରହିବାକୁ ପଡ଼ିବ । ଭିଡ଼ିଓ କଲ ଓ ୟୁଟ୍ୟୁବ ପୁରୁଣା ହିନ୍ଦି ଚଳଚ଼ିତ୍ର ଗୀତରେ ରାକ୍ଷୀ ଉତ୍ସବ ପାଳନର ଏକ ନୂତନ ପରମ୍ପରାର ଅୟମାରମ୍ଭ ହେବ !
(‘ଅନୁପମ ଭାରତ’ / ୦୧ ଅଗଷ୍ଟ ୨୦୨୦/ ପୃଷ୍ଠା : ୨)
Photo by Anand
Thakur on Unsplash
No comments:
Post a Comment