Friday, August 7, 2020

Berhampur in the Freedom Struggle / ସ୍ୱାଧୀନତା ସଂଗ୍ରାମରେ ବ୍ରହ୍ମପୁର



ଭାରତରେ ୧୯୨୦ରୁ କଂଗ୍ରେସ ପ୍ରବର୍ତ୍ତିତ ସ୍ୱାଧୀନତା ସଂଗ୍ରାମ ବହୁ ପୂର୍ବରୁ ବ୍ରହ୍ମପୁରରେ ଇଂଲିଶ ଶାସନ ପ୍ରତିରୋଧରେ ବିଦ୍ରୋହର ଦୃଷ୍ଟାନ୍ତ ଇତିହାସ ପୃଷ୍ଠାରେ ଦେଖିବାକୁ ମିଳେ । ଗଜପତି ପୁରୁଷୋତ୍ତମ ଦେବଙ୍କ ଦ୍ୱାରା ପଞ୍ଚଦଶ ଶତାଦ୍ଦୀର ଶେଷ ଭାଗରେ ମହୁରି ରାଜ୍ୟ ପ୍ରତିଷ୍ଠିତ ହୋଇଥିଲା । ମହୁରି ରାଜବାଟୀ କେରାଣ୍ଡିମାଳ ପାଦଦେଶରେ ସହରତଳି ମହୁଡ଼ାରୁ ୧୬୬୨ ରୁ ୧୬୭୨ ମଧ୍ୟରେ ଅଧୁନା #ବ୍ରହ୍ମପୁର ବଡ଼ବଜାର ଛକ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଥିଲା । ରାଜବାଟୀର ଚର୍ତୁଦିଗରେ ମଠ ମନ୍ଦିର ସାଙ୍ଗକୁ ଜନବସତି ଗଢ଼ି ବ୍ରହ୍ମପୁର ସହରର କ୍ରମବିକାଶ ଘଟିଥିଲା

ମହୁରି ରାଜ୍ୟ ୧୫୭୧ରୁ ୧୬୬୭ ଯାଏଁ ଗୋଲକୋଣ୍ଡା ମୁସଲମାନ, ୧୬୬୭ ରୁ ୧୭୫୩ ଯାଏଁ ହାଇଦରାବାଦ ନିଜାମ, ୧୭୫୩ ରୁ ୧୭୫୯ ଯାଏଁ ଫରାସୀ ଶାସନ ଏବଂ ତତ୍ ପରେ ଇଂଲିଶ ଶାସନାଧିନ ରହିଥିଲା । ମହୁରି ରାଜପରିବାର ଇଂଲିଶ ଶାସକମାନଙ୍କୁ ନିର୍ଦ୍ଧାରିତ କର ଦେଇ ରାଜ୍ୟ ଶାସନ କରୁଥିଲେ । ତେବେ କର ପ୍ରଦାନରେ ବାରମ୍ୱାର ଅନିୟମିତତା ହେତୁ ୧୮୫୦ରେ ମହୁରି ରାଜ୍ୟକୁ ସରକାର ବାଜ୍ୟାପ୍ତ କରି ନିଜେ ଶାସନଭାର ଗ୍ରହଣ କରିଥିଲେ ।

ମହୁରି ରାଜପରିବାରରେ କନ୍ଦଳ ଅବସରରେ ଇଂଲିଶ ଶାସକମାନଙ୍କ ନୀତିନିର୍ଦ୍ଧାରଣକୁ କେନ୍ଦ୍ର କରି ଅଷ୍ଟାଦଶ ଶତାଦ୍ଦୀର ଶେଷ ଭାଗରେ ବ୍ରହ୍ମପୁରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା । ମହୁରି ରାଜ୍ୟର ପାଇକମାନେ ଇଂଲିଶ ଶାସକଙ୍କ ବିରୁଦ୍ଧରେ ୧୭୮୯, ୧୮୧୦ ଓ ୧୮୩୦ ବେଳକୁ କିଛି କାଳ ବିଦ୍ରୋହ କରିଥିଲେ । ଏହାର ପ୍ରତିକାର ନିମନ୍ତେ ମହୁରି ରାଜ୍ୟରେ ଇଂଲିଶ ଶାସକଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ସୈନ୍ୟ ଛାଉଣୀ ଅବସ୍ଥାପନ କରାଯାଇଥିଲା ।

ଜାତୀୟସ୍ତରରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ପୂର୍ବରୁ ୧୮୮୫ରେ ବମ୍ୱେଠାରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନରେ ବ୍ରହ୍ମପୁର ବାସିନ୍ଦା ଜଣେ ତାମିଲ ଓକିଲ ଯୋଗ ଦେଇଥିଲେ । ୧୮୮୬ରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ବ୍ରହ୍ମପୁର ଜଣେ ତେଲୁଗୁ ଆଇନଜୀବୀ ଓ ଜଣେ ମୁସଲମାନ ନେତା ଯୋଗ ଦେଇଥିବା ଜଣାଯାଏ୧୯୨୦ ରୁ ୧୯୨୨ ମଧ୍ୟରେ ଅସହଯୋଗ ଆନ୍ଦୋଳନର ପ୍ରଥମ ପାଦରେ ବ୍ରହ୍ମପୁରରେ ତନାଘନା ଦେଖା ଦେଇଥିଲା । ମହାତ୍ମାଗାନ୍ଧୀ ୧୯୨୧ରେ ପ୍ରଥମ ଥର ଏବଂ ୧୯୨୭ରେ ଦ୍ୱିତୀୟ ଥର ଆନ୍ଦୋଳନର ବାର୍ତ୍ତା ପ୍ରଚାର ନିମନ୍ତେ ପହଞ୍ଚିଥିଲେ । ସେହିପରି ୧୯୩୬ରେ ଜବହରଲାଲ ନେହୁରୁ ଏବଂ ୧୯୩୭ରେ ସୁଭାଷଚନ୍ଦ୍ର ବୋଷ ବ୍ରହ୍ମପୁର ଗସ୍ତରେ ଆସିଥିଲେ ।

ଦକ୍ଷିଣ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଆୟୋଜନରେ ବ୍ରହ୍ମପୁର କେନ୍ଦ୍ରସ୍ଥଳ ରୂପେ ପରିଗଣିତ ହେଉଥିଲା । ଉତ୍ତରରେ କଟକ, କଲିକତା ଓ  ଦକ୍ଷିଣରେ ହାଇଦରାବାଦ, ମାଡ୍ରାସ ସହ ରେଳ ଯୋଗାଯୋଗର ସୁବିଧାଥିବା ହେତୁ ଜାତୀୟସ୍ତରର ନେତୃବର୍ଗ ସହରରେ ପହଞ୍ଚି ପାରୁଥିଲେ । ବ୍ରହ୍ମପୁରରେ ଟାଉନହଲ, ବାରାକ୍ସ ଗ୍ରାଉଣ୍ଡ ଓ ସେଣ୍ଟ୍ରାଲ ଜେଲ ସ୍ୱାଧୀନତା ସଂଗ୍ରାମର ମୂକ ସାକ୍ଷୀ ।

ଖଲ୍ଲିକୋଟ କଲେଜ ଠାରୁ ପେଟ୍ରୋଲ ପମ୍ପ ଛକ ଯାଏଁ କଲ୍ୟାଣ ମଣ୍ଡପ, ଗେଷ୍ଟ ହାଉସକୁ ନେଇ ତତକାଳୀନ ଟାଉନ ହଲର ପରିସୀମା ବ୍ୟାପ୍ତ ଥିଲା । ପ୍ରାୟ ଦେଢ଼ ଶହ ଶ୍ରୋତା, ଦର୍ଶକଙ୍କ ପାଇଁ ନିର୍ମିତ ଏହି ପ୍ରେକ୍ଷାଳୟକୁ ଘେରି ଏକ ପାର୍କ ଓ ପାଠାଗାର ଚାଲୁଥିଲା । ଖଲ୍ଲିକୋଟ ମହାରାଜାଙ୍କ ଶାସନର ହୀରକ ଜୟନ୍ତୀ ଅବସରରେ ଦାନସୂତ୍ରରେ ଅର୍ପିତ ଏହି ସମ୍ପତ୍ତି ପୌରପାଳିକା ପରିଚାଳନା କରୁଥିଲେ । ବିଂଶ ଶତାଦ୍ଦୀର ଶେଷ ଦଶକର ଉତ୍ତରାର୍ଦ୍ଧ ଯାଏଁ ସ୍ୱଳ୍ପ ବ୍ୟୟରେ ସଭାସମିତି ଆୟୋଜନ ନିମନ୍ତେ ଟାଉନହଲ ହିଁ ଏକ ପ୍ରକୃଷ୍ଟ କ୍ଷେତ୍ର ପରିଗଣିତ ହେଉଥିଲା । ସହରରେ ସଂଗଠିତ ସମସ୍ତ ଆନ୍ଦୋଳନର ଯୋଜନା ପ୍ରଣୟନ ଟାଉନହଲରେ ହିଁ କେନ୍ଦ୍ରୀଭୂତ ଥିବା ସ୍ଥଳେ ଏହାର ନବୀକରଣ ଓ ବହୁମୂଲ୍ୟ ଭଡ଼ା କାରଣରୁ ବର୍ତ୍ତମାନ ଦୁଇ ଦଶନ୍ଧି ଧରି ରାଜନୀତିଠାରୁ ଆରମ୍ଭ କରି ସାହିତ୍ୟ, ସଂସ୍କୃତି, ନାଟକ ଯାଏଁ ସମସ୍ତ ଆୟୋଜନକୁ ଦୂରେଇ ଦେଇଛି ।

ସେହିପରି ସହରର କେନ୍ଦ୍ରସ୍ଥଳ ବାରାକ୍ସ ଗ୍ରାଉଣ୍ଡରେ ମହାତ୍ମା ଗାନ୍ଧୀ, ଜବହରଲାଲ ନେହୁରୁ ଉଦବୋଧନ ଦେଇଥିବା ସ୍ମୃତିସ୍ଥଳ ବର୍ତ୍ତମାନ ସ୍ପୋର୍ଟ ହେଷ୍ଟେଲ ନାମରେ ଦୁଇ ଡ଼ଜନ ଛାତ୍ରଛାତ୍ରୀଙ୍କ ରହଣୀ ଓ ଅଭ୍ୟାସ ପାଇଁ ବ୍ୟବହୃତ ହେଉଛି । ଉଭୟ ଟାଉନ ହଲ ଓ ଷ୍ଟଡ଼ିୟମ ସାର୍ବଜନୀନ କାର୍ଯ୍ୟକ୍ରମ ନିମନ୍ତେ ବର୍ଷରେ ଥରେ ଅଧେ ଖୋଲୁଛି । ଜନନାୟକମାନଙ୍କ ଅପରିଣାମଦର୍ଶୀ ସୀମିତ ଦୃଷ୍ଟିକୋଣ ଜାତୀୟ ସମ୍ପତ୍ତିଗୁଡ଼ିକୁ କିପରି ଛାରଖାର କରିପକାଏ ଏହି ଦୁଇ ଅନୁଷ୍ଠାନ ତାହା ପ୍ରମାଣିତ କରିଥାଏ । ଏତେ ବଡ଼ ଟାଉନହଲ ଗଢ଼ି ତାହାକୁ ଟାଉନହଲରୂପେ ବ୍ୟବହାରରୁ ଦୂରେଇ ନେବା ତଥା ସହରର କେନ୍ଦ୍ର ସ୍ଥଳରେ ଷ୍ଟାଡ଼ିୟମ ଗଢ଼ି ତାକୁ ତାଲାମାରି ବନ୍ଦ ରଖିବାରେ ଜନହିତ ସାବ୍ୟସ୍ତ ହୋଇପାରୁନାହିଁ ।

ସହରର ସ୍ୱାଧୀନତା ସଂଗ୍ରାମରେ ଲିପ୍ତ ଅନ୍ୟ ଦୁଇ କର୍ମକ୍ଷେତ୍ର ଉତ୍କଳ ଆଶ୍ରମ ଓ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜର ଦଶା ପ୍ରାୟ ସେହି ଦିଗରେ ମୁହାଁଇଛି । ବର୍ତ୍ତମାନ ବ୍ରହ୍ମପୁରରେ ବିକଳ୍ପ ଚିନ୍ତନ ନିମନ୍ତେ ମିଳନ ସ୍ଥଳ ଅଭାବ । ହୁଏତ ଭବିଷ୍ୟତରେ ସହରରେ କୌଣସି ଗଣସଂଗ୍ରାମର କଣ୍ଠରୋଧ କରିବା ନିମନ୍ତେ ଏହି ଧରଣ ନବୀକରଣ ଷଡ଼ଯନ୍ତ୍ର ପ୍ରତୀୟମାନ ହୋଇଥାଏ !

ବ୍ରହ୍ମପୁର କେନ୍ଦ୍ରୀୟ ଜେଲରେ ଓଡ଼ିଶାର ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଊଣାଅଧିକେ କିଛି କିଛି ଦିନ କାଟିଛନ୍ତି । ଏପରିକି ରାଜ୍ୟବାହାର ବିଭିନ୍ନ ଅଞ୍ଚଳରୁ ରାଜବନ୍ଦୀମାନଙ୍କୁ ଦଣ୍ଡାଦେଶ ଭୋଗ କରିବା ନିମନ୍ତେ ଏଠାକୁ ପଠାଯାଉଥିଲା । ୧୯୪୨ ଭାରତଛାଡ଼ ଆନ୍ଦୋଳନର ଅନ୍ୟତମ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ବ୍ରହ୍ମପୁର କେନ୍ଦ୍ରୀୟ ଜେଲରେ ଫାଶୀ ଦିଆଯାଇଥିଲା । ଭାରତର ସ୍ୱାଧୀନତା ସଂଗ୍ରାମରେ ବ୍ରହ୍ମପୁରର ଯୋଗଦାନର ତାହା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ।

(ଅନୁପମ ଭାରତ / ୦୮ ଅଗଷ୍ଟ ୨୦୨୦/ ପୃଷ୍ଠା : ୨)

No comments:

Post a Comment